ଭୁବନେଶ୍ୱର,୨୮।୯(ରବିନାରାୟଣ ଜେନା): ଚଳିତବର୍ଷ ରାଜ୍ୟରେ ଗୋଟିଏ ପରେ ଗୋଟିଏ ବନ୍ୟା ଲୋକଙ୍କ ମେରୁଦଣ୍ଡ ଦୋହଲାଇ ଦେଲାଣି। ଜୁନ୍ରୁ ସେପ୍ଟେମ୍ବର ୨୫ ମଧ୍ୟରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିବା ଯୋଗୁ ବାରମ୍ବାର ବନ୍ୟା ହୋଇ ଉପକୂଳ ଓ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲା ପ୍ରଭାବିତ ହୋଇଛି। ଏହି ପରିପ୍ରେକ୍ଷୀରେ ଗତ ୪ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ପୁଣି ଥରେ ମହାନଦୀରେ ବଡ଼ବନ୍ୟା ଆଶଙ୍କା ଉପୁଜିଛି। ଏଥର ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ବହୁ ଜିଲା ପ୍ରଭାବିତ ହେବାର ସମ୍ଭାବନା ଦେଖାଦେଇଛି ବୋଲି ରାଜ୍ୟ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ରବିବାର କହିଛନ୍ତି।
ଇଆଇସି ରାଉତ କହିଛନ୍ତି, ରବିବାର ସନ୍ଧ୍ୟା ସୁଦ୍ଧା ୮ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ଦୃଷ୍ଟିରେ ରଖି ହୀରାକୁଦର ୨୮ଗେଟ୍ ଖୋଲା ଯାଇଛି। ସୋମବାର ପୂର୍ବାହ୍ନ ୧୦ଟାବେଳେ ହୀରାକୁଦର ଜଳସ୍ତର ଅନୁଧ୍ୟାନ କରାଯିବା ପରେ ଅଧିକ ଗେଟ୍ ଖୋଲାଯିବ କି ନାହିଁ ତା’ ଉପରେ ନିଷ୍ପତ୍ତି ନିଆଯିବ। ତେବେ ସନ୍ଧ୍ୟା ସୁଦ୍ଧା ୫ଲକ୍ଷ କ୍ୟୁସେକ୍ ଜଳ କେବଳ ମହାନଦୀରେ ପ୍ରବାହିତ ହେଉଥିବାବେଳେ ତେଲ ନଦୀରୁ ୨.୫୦ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଏହାବାଦ୍ ଅନ୍ୟାନ୍ୟ ଉତ୍ସରୁ ୫୦ହଜାରରୁ ଊର୍ଦ୍ଧ୍ୱ କ୍ୟୁସେକ୍ ଜଳ ମିଶିବା ଦ୍ୱାରା ୮ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ସେଥିପାଇଁ ହୀରାକୁଦରୁ ୨୮ଟି ଗେଟ୍ ଖୋଲିବାକୁ ପଡିଛି, ଯେଉଁଥିପାଇଁ ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ରାଉତ କହିଛନ୍ତି, ମୁଣ୍ଡଳିଠାରେ ପ୍ରାୟ ୭ ଲକ୍ଷ କ୍ୟୁସେକ୍ ଜଳ ରବିବାର ରାତିରେ ପ୍ରବାହିତ ହେବ। ତେବେ ଏଠାରେ ୮ ଲକ୍ଷ କ୍ୟୁସେକରୁ ଅଧିକ ଜଳ କିଭଳି ନ ପହଞ୍ଚତ୍ବ ସେଥିପାଇଁ ବିଭାଗ ପକ୍ଷରୁ ଏହି ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି।
ରାଉତ କହିଛନ୍ତି, ମହାନଦୀ ସହିତ ଏହାର ବିଭିନ୍ନ ଶାଖା ନଦୀରେ ମଧ୍ୟ ଜଳସ୍ତର ବଢ଼ିବାର ଆଶଙ୍କା ରହିଛି। ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା, କାଠଯୋଡ଼ି ଓ କୁଆଖାଇ ନଦୀରେ ବନ୍ୟା ପରିସ୍ଥିତି ଉପୁଜିପାରେ। ସେହିପରି ଦେବୀ, କନ୍ଦଳ, କୁଶଭଦ୍ରା, ଦୟା, ଭାର୍ଗବୀ, ରାଜୁଆ ଓ ମକରା ନଦୀରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହେବା ଆଶଙ୍କା ରହିଛି। ୫ ଜିଲାର ତଳିଆ ଅଞ୍ଚଳରେ ବନ୍ୟା ପ୍ରଭାବ ରହିଛି। ବନ୍ୟାଜଳ ପ୍ରବାହ ବଢ଼ିଲେ ଖୋର୍ଦ୍ଧା, କଟକ, ପୁରୀ ଓ ଜଗତ୍ସିଂହପୁର ଜିଲାର ବିଭିନ୍ନ ତଳିଆ ଅଞ୍ଚଳ ପ୍ରଭାବିତ ହେବ। ବିଶେଷକରି କଣାସ, ବ୍ରହ୍ମଗିରି, ଗୋପ, ଏରସମା ଓ ବାଲିକୁଦା ଅଞ୍ଚଳ ଉପରେ ଅଧିକ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଏହାସହିତ କେନ୍ଦ୍ରାପଡ଼ା ଜିଲାର ପାଟକୁରା ଓ ଗରଦପୁର ଅଞ୍ଚଳ ମଧ୍ୟ ବନ୍ୟାଜଳ ଦ୍ୱାରା ପ୍ରଭାବିତ ହୋଇପାରେ। ଏହାଛଡ଼ା ବାଙ୍କୀ, ଆଠଗଡ଼ ଓ ବଡ଼ମ୍ବା ଅଞ୍ଚଳରେ ମଧ୍ୟ ଜଳମଗ୍ନତାର ଆଶଙ୍କା ରହିଛି। ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ପରିମାଣ ଉପରେ ଜଳ ସମ୍ପଦ ବିଭାଗ ନଜର ରଖିଛି। ଜଳ ପ୍ରବେଶ ଅଧିକ ହେଲେ ପରିସ୍ଥିତି ଅନୁଯାୟୀ ଆହୁରି ଗେଟ୍ ଖୋଲାଯିବ। ମୁଣ୍ଡଳିରେ ଜଳ ପ୍ରବାହ ବଢ଼ିବାକୁ ଥିବାରୁ ମହାନଦୀ ଓ ଏହାର ଶାଖା ନଦୀ କୂଳରେ ଥିବା ତଳିଆ ଅଞ୍ଚଳ ଉପରେ ନଜର ରଖାଯାଇଛି। ବନ୍ୟା ସମ୍ଭାବନା ଥିବା ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି। ଜଳସ୍ତର ଓ ପ୍ରବାହର ପରିବର୍ତ୍ତନ ଅନୁଧ୍ୟାନ କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଇଆଇସି ରାଉତ କହିଛନ୍ତି।