ମୋ ପ୍ରଥମ ପାରିଶ୍ରମିକ ୫୦ ଟଙ୍କା ଥିଲା : ଅଭିଜିତ୍‌ ମଜୁମଦାର୍‌

ପିଲାଦିନେ ଡ୍ରାମାରେ ଅଭିନୟ କରୁଥିଲି। ସମ୍ବଲପୁର ଜି.ଏମ୍‌. କଲେଜରେ ଯୁକ୍ତ ୨ ପଢ଼ିଲାବେଳେ କଲେଜ ଡ୍ରାମାରେ ଭଲ ଅଭିନୟ କରିଥିବାରୁ ଗୋଲ୍ଡ ମେଡାଲ୍‌ ବି ପାଇଥିଲି। ତା’ ସାଙ୍ଗକୁ ଭଲ ଗୀତ ବି ଗାଉଥିଲି। କିଶୋର କୁମାରଙ୍କ ଗୀତ ଭଲ ଗାଉଥିବାରୁ କଲେଜରେ ସମସ୍ତେ ମୋତେ ପସନ୍ଦ କରୁଥିଲେ। ଯେବେ ବି ଫୁର୍‌ସତ୍‌ ମିଳୁଥିଲା ସାଙ୍ଗମାନେ ମୋତେ ଘେରି ଯାଇ ମୋଠାରୁ ଗୀତ ଶୁଣୁଥିଲେ; ଭାରି ମଜା ଲାଗୁଥିଲା। ଗୀତ ସିନା ଗାଉଥିଲି ହେଲେ ତାକୁ ନେଇ କେମିତି କ୍ୟାରିୟର କରିବି ସେ ଧାରଣା ମୋର ସେବେ ନ ଥିଲା। କ୍ରମେ କେତେଜଣ ସାଙ୍ଗ କହିବାରୁ ମେଲୋଡି ପାର୍ଟିରେ ଗାଇବାକୁ ଗଲି, ତାହା ପୁଣି ବାବାଙ୍କୁ ଲୁଚି ଲୁଚି। କାରଣ ମୋ ବାବା ଥିଲେ ଜଣେ ପ୍ରିନ୍ସିପାଲ। ମୋର ଯେହେତୁ ପାଠ ଭଲ ହେଉଥିଲା, ତେଣୁ ବାବା ଚାହୁଁଥିଲେ ମୁଁ ଉଚ୍ଚଶିକ୍ଷା ଲାଭ କରି ଡାକ୍ତର କି ଇଞ୍ଜିନିୟର ଅଥବା ଅଧ୍ୟାପକଟିଏ ହୁଏ। ତାଙ୍କର ଏମିତି ଭାବିବା ବି ସ୍ବାଭାବିକ ଥିଲା। କାରଣ ସେ ସମୟରେ ଗୀତ ଗାଇ ଜଣେ କ୍ୟାରିୟର୍‌ କରିବା ସେତେ ସହଜ କଥା ନ ଥିଲା। କିନ୍ତୁ ମୋର ଗୀତ ଗାଇବାରେ ଏତେ ଆଗ୍ରହ ଥିଲା ଯେ, ବିନା ପଇସାରେ ବି ମେଲୋଡି ପାର୍ଟିରେ ଯାଇ ଗାଉଥିଲି। ଯୁଆଡ଼େ ଯାଉଥିଲି ସାଙ୍ଗରେ ସାନଭାଇ ଏବଂ ୫/୬ଜଣ ସାଙ୍ଗଙ୍କୁ ନେଇକି ଯାଉଥିଲି। ମୋ ଗୀତ ଶୁଣି ଅନ୍ୟ କେହି ତାଳି ମାରନ୍ତୁ କି ନ ମାରନ୍ତୁ କିନ୍ତୁ ଏମାନେ ନିହାତି ତାଳି ମାରୁଥିଲେ। ବାସ୍‌ ସେତିକିରେ ହିଁ ଛାତି କୁଣ୍ଢେମୋଟ ହୋଇଯାଉଥିଲା। ଏସବୁ କାମ ରାତିରେ ବାବା ଶୋଇସାରିଲା ପରେ ଲୁଚିକି କରୁଥିଲି ଆଉ ସକାଳ ହେବା ପୂର୍ବରୁ ଘରକୁ ଫେରିଆସି ଚୁପ୍‌ଚାପ୍‌ ଶୋଇପଡୁଥିଲି। କିଛିଦିନ ଏମିତି ଚାଲିବା ପରେ ଦିନେ ଡୋରେମି ମେଲୋଡି ଟିମ୍‌ର ମ୍ୟାନେଜର୍‌ ମୋତେ ଝାରସୁଗୁଡ଼ାରେ ଏକ ପ୍ରୋଗ୍ରାମ୍‌ ଅଛି କହି ଡାକିଲେ; ଭାରି ଖୁସି ଲାଗିଲା। କାରଣ ଏହା ପୂର୍ବରୁ ମୁଁ ନିଜ ତରଫରୁ କଥା ହେଇକି ମେଲୋଡି ପାର୍ଟିରେ ଗାଉଥିଲି। ପ୍ରଥମ ଥର ପାର୍ଟି ତରଫରୁ ମୋତେ ଖୋଜା ପଡିବାରୁ ମୋ ମନ ଗଗନରେ ଉଡୁଥିଲା। ଠିକ୍‌ ସମୟରେ ମାଟାଡୋର୍‌ରେ ଯାଇ ଆମେ ଝାରସୁଗୁଡ଼ାରେ ପହଁଚିଗଲୁ। ସେତେବେଳେ ମେଲୋଡି ପ୍ରୋଗ୍ରାମ୍‌ ରାତି ସାଢେ ୯ଟା/୧୦ଟାରେ ଆରମ୍ଭ ହୋଇ ଭୋର ଯାଏ ଚାଲୁଥିଲା; ଯେଉଁଥିରେ ପ୍ରାୟ ୩୦/୩୫ଟି ଗୀତ ଟିମ୍‌ ତରଫରୁ ଗାଇବାକୁ ପଡୁଥିଲା। ସେଦିନ ଗୋଟେ ବିଚିତ୍ର ଘଟଣା ଘଟିଲା ମୋ ସହିତ। ସେହି ପ୍ରୋଗ୍ରାମ୍‌କୁ ସାନଭାଇ କି ମୋର କେହି ସାଙ୍ଗ ଯାଇ ନ ଥିଲେ ମୋ ଗୀତରେ ତାଳି ମାରିବାକୁ, ହେଲେ ସେଠାରେ ଉପସ୍ଥିତ ଶ୍ରୋତାଙ୍କୁ ମୋ ଗୀତଗୁଡ଼ିକ ଏତେ ଭଲ ଲାଗିଲା ଯେ, ସେମାନେ ତାଳି ମାରିବା ସହ ଆଉ ଗୋଟେ ଗୀତ ଆଉ ଗୋଟେ ଗୀତ କହି ବେଶ୍‌ ଉତ୍ସାହିତ କରୁଥିଲେ ମୋତେ। ମୁଁ ବି ଖୁସିରେ କିଶୋର କୁମାରଙ୍କର ଗୋଟେ ପରେ ଗୋଟେ ହିଟ୍‌ ଗୀତ ଗାଇ ଚାଲିଥିଲି। ପାଖାପାଖି ୧୪/୧୫ଟି ଗୀତ ମୁଁ ଏକାକୀ ସେଦିନ ଗାଇ ଶ୍ରୋତାଙ୍କୁ ଝୁମେଇ ଦେଇଥିଲି; ଯାହାକୁ ଦେଖି ଡୋରେମି ମେଲୋଡି ଟିମ୍‌ର ମ୍ୟାନେଜର ବହୁତ ଖୁସି ହୋଇଯାଇଥିଲେ। ଫେରିବାବେଳେ ମୋତେ ଡାକିକି ମୋ ପକେଟ୍‌ରେ ୫୦ଟଙ୍କା ରଖିଦେଲେ; ଯାହାକି ଥିଲା ମୋ ଜୀବନର ପ୍ରଥମ ପାରିଶ୍ରମିକ। ବେଶ୍‌ ଖୁସିରେ ଘରକୁ ଯାଇ ଗୋଡ଼ହାତ ଧୋଇ ଶୋଇପଡ଼ିଲି। ଉଠିବା ପରେ ମୋ ମା’କୁ ସବୁକଥା କହି ତାକୁ ୫୦ଟଙ୍କା ଦେବାରୁ ସେ କହିଲା, ‘ମୋର ଏ ଟଙ୍କା କ’ଣ ହେବ। ତୋ ରୋଜଗାର ଟଙ୍କା ତୁ ଖର୍ଚ୍ଚ କର। ତୁ ଗୀତରୁ କିଛି ପଇସା ପାଇଲୁ ସେତିକିରେ ମୁଁ ଖୁସି।’ ତା’ପରେ ସେ ଟଙ୍କା ନେଇ ସାଙ୍ଗମାନଙ୍କ ପାଖକୁ ଗଲି। ସେତେବେଳେ ଆମେ ସାଙ୍ଗମାନେ ଚାନ୍ଦା କରି ସେଉ ଗାଣ୍ଠିଆ ଖାଉ। ମାତ୍ର ୫ଟଙ୍କାରେ ପେଟପୂରା ସେଉ ଗାଣ୍ଠିଆ ସେବେ ମିଳୁଥିଲା। ତେଣୁ ସେହି ଟଙ୍କାରେ ସାଙ୍ଗଙ୍କୁ ସେଦିନ ପେଟପୂରା ସେଉ ଗାଣ୍ଠିଆ ଖାଇବାକୁ ଦେବା ସହ ଲସି ଟ୍ରିଟ୍‌ ଦେଇଥିଲି। ତା’ପରଠୁ ଲଗାତାର ମେଲୋଡି ପାର୍ଟିରେ ଗାଇବାକୁ ସୁଯୋଗ ପାଇଲି। କ୍ରମେ ଗୀତକୁ ନେଇ କ୍ୟାରିୟର୍‌ କରିବାକୁ ନିଜେ ବିଧିବଦ୍ଧ ସଙ୍ଗୀତ ଶିକ୍ଷା ବି କଲି। ସବୁକିଛି ଠିକ୍‌ଠାକ୍‌ ଚାଲିଥିବାବେଳେ ହଠାତ୍‌ ଦିନେ ବାବା ମୋ ବିଷୟରେ ସବୁକଥା ଜାଣିଗଲେ। ଗୀତ ନୁହେଁ ବରଂ ପଢ଼ାରେ ଧ୍ୟାନ ଦେବାକୁ ତାଗିଦ କଲେ। ଯେଉଁଥିପାଇଁ ବି.ଏସ୍‌ସି. ପରେ କିଛିଦିନ ଗୋଟେ ସ୍କୁଲ୍‌ରେ ବିଜ୍ଞାନ ଶିକ୍ଷକ, ପରେ ଆଉ ଏକ ସ୍କୁଲ୍‌ରେ ସଙ୍ଗୀତ ଶିକ୍ଷକ ଏବଂ ତା’ପରେ ଏକ କଲେଜରେ ଅଧ୍ୟାପନା କରିଥିଲି। ତା’ସାଙ୍ଗକୁ ନିଜେ ପି.ଜି ବି ପଢୁଥିଲି। କିନ୍ତୁ ଗୀତ ପାଇଁ ମୋ ମନ ସବୁବେଳେ ଛଟପଟ ହେଉଥିଲା। ତେଣୁ ଦିନେ ନିଷ୍ପତ୍ତି ନେଲି ଏସବୁକୁ ଛାଡ଼ି କଟକ ଚାଲିଯିବି ଆଉ ସେଇଠି ମୋର ନୂଆ ଏକ କ୍ୟାରିୟର୍‌ ଗଢ଼ିବି। ବାସ୍‌ ସେବେଠୁ କଟକ ଆସିଛି ଆଉ ତା’ର ପରିଣାମ ଏବେ ଆପଣଙ୍କ ସମ୍ମୁଖରେ।
-ଅମ୍ବ୍ରିତା

Share