Categories: ଖେଳ

ପ୍ରଥମ ଦିନିକିଆ: ଶ୍ରୀଲଙ୍କାକୁ ହରାଇଲା ବାଂଲାଦେଶ

ଢାକା, ୨୪।୫: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଘରୋଇ ବାଂଲାଦେଶ ବ୍ୟାଟିଂ ଓ ବୋଲିଂରେ ଦମ୍‌ଦାର ପ୍ରଦର୍ଶନ କରି ୩୩ ରନରେ ବିଜୟ ହାସଲ କରିଛି। ସ୍ଥାନୀୟ ଶେର ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ବାଂଲାଦେଶ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୬ ଉଇକେଟ ହରାଇ ୨୫୭ ରନ ସଂଗ୍ରହ କରିଥିଲା। ଜବାବରେ ଶ୍ରୀଲଙ୍କା ୪୮.୧ ଓଭରରେ ୨୨୪ ରନକରି ଅଲଆଉଟ ହୋଇ ପରାଜୟ ବରଣ କରିଛି। ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ବାଂଲାଦେଶ ୧-୦ରେ ଅଗ୍ରଣୀ ହାସଲ କରିଛି। ୮୪ ରନର ଉପଯୋଗୀ ଇନିଂସ ଖେଳିଥିତ୍ବା ବାଂଲାଦେଶ ଉଇକେଟକିପର ବ୍ୟାଟ୍ସମ୍ୟାନ ମୁସଫିକର ରହିମ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।
୨୫୮ ରନ ଟାର୍ଗେଟର ପିଛା କରି ଶ୍ରୀଲଙ୍କା ଭଲ ଆରମ୍ଭ କରିଥିଲେ ମଧ୍ୟ ନିୟମିତ ଅନ୍ତରରେ ଉଇକେଟ ହରାଇଥିଲା। ଦଳର ୫ଜଣ ବ୍ୟାଟ୍ସମ୍ୟାନ ଖାତା ଖୋଲିପାରି ନ ଥିଲେ। ଦଳ ତରଫରୁ ଓ୍ବାନିଣ୍ଡୁ ହାସରଙ୍ଗା ସର୍ବାଧିକ ୭୪ ରନ ସଂଗ୍ରହ କରିଥିବା ବେଳେ ଅଧିନାୟକ ତଥା ଓପନର କୁଶଲ ପେରେରା ୩୦, ଦନୁଷ୍କା ଗୁଣତିଲକା ୨୧, କୁଶଲ ମେଣ୍ଡିସ୍‌ ୨୪, ଦସୁନ ସନକା ୧୪, ଇସୁରୁ ଉଡାନା ୨୧ ରନ କରି ଆଉଟ ହୋଇଥିଲେ। ବୋଲିଂରେ ଶ୍ରୀଲଙ୍କା ତରଫରୁ ମେହିଦି ହାସନ ମିରାଜ ସର୍ବାଧିକ ୪, ମୁସ୍ତାଫିଜୁର ରହମାନ ୩, ମହମ୍ମଦ ସୈଫୁଦ୍ଦିନ ୨ ଓ ଶକିବ ଅଲ ହାସନ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ତରଫରୁ ମୁସ୍‌ଫିକର ସର୍ବାଧିକ ୮୪ ରନ (୮୭ ବଲ, ୪ ଚୌକା, ୧ ଛକା) ସଂଗ୍ରହ କରିଥିଲେ। ସେହିପରି ଓପନର ତଥା ଅଧିନାୟକ ତାମିମ ଇକ୍‌ବାଲ ଓ ମହମୁଦୁଲ୍ଲା ଯଥାକ୍ରମେ ୫୨ ଓ ୫୪ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଶକିବ ୧୫ ରନକରି ଆଉଟ ହୋଇଥିବା ବେଳେ ଆତିଫ ହୋସେନ ୨୭ ଓ ମହମ୍ମଦ ସୈଫୁଦ୍ଦିନ ୧୩ ରନକରି ଅପରାଜିତ ରହିଥିଲେ। ଲିଟନ ଦାସ ଓ ମହମ୍ମଦ ମିଥୁନ ଖାତା ଖୋଲିପାରି ନ ଥିଲେ। ଶ୍ରୀଲଙ୍କା ତରଫରୁ ବୋଲିଂରେ ଧନଞ୍ଜୟ ଡି’ସିଲଭା ସର୍ବାଧିକ ୩, ଦୁଷ୍ମନ୍ଥ ଚାମିରା, ଦନୁଷ୍କା ଗୁଣତିଲକା ଓ ଲକ୍ଷନ ସନ୍ଦକାନ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସ୍କୋର ବୋର୍ଡ:
ବାଂଲାଦେଶ ୫୦ ଓଭରରେ ୨୫୭/୬
(ମୁସ୍‌ଫିକର- ୮୪, ମହମୁଦୁଲ୍ଲା- ୫୪, ତାମିମ- ୫୨, ଧନଞ୍ଜୟ- ୩/୪୫)।
ଶ୍ରୀଲଙ୍କା ୪୮.୧ ଓଭରରେ ୨୨୪ ଅଲଆଉଟ୍‌
(ହାସରଙ୍ଗା- ୭୪, ମେଣ୍ଡିସ- ୨୪, ଉଡାନା- ୨୧, ପେରେରା- ୩୦, ଗୁଣତିଲକା- ୨୧, ମିରାଜ- ୪/୩୦, ମୁସ୍ତାଫିଜୁର- ୩/୩୪, ସୈଫୁଦ୍ଦିନ- ୨/୪୯)।

Share