ରାଜ୍ୟରେ ନୂତନ ନିଯୁକ୍ତି ବନ୍ଦ ପ୍ରସଙ୍ଗରେ ଏହି ସ୍ପଷ୍ଟୀକରଣ ରଖିଲା ଅର୍ଥ ବିଭାଗ, ଜାଣନ୍ତୁ…

ଭୁବନେଶ୍ୱର,୮।୭(ବ୍ୟୁରୋ): ରାଜକୋଷକୁ ଦୁର୍ବଳ କଲାଣି ମହାମାରୀ କରୋନା। ଏହାକୁ ଦୃଷ୍ଟିରେ ରଖି ଖର୍ଚ୍ଚକାଟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ଏଥିସହ ୨ ବର୍ଷ ଯାଏ ନୂତନ ନିଯୁକ୍ତି, ଠିକା ନିଯୁକ୍ତି ବନ୍ଦ ରହିବ ବୋଲି କୁହାଯାଇଥିଲା। ଏନେଇ ପ୍ରତିବାଦ କରାଯିବା ପରେ ଅର୍ଥ ବିଭାଗ ସ୍ପଷ୍ଟୀକରଣ ରଖିଛି। ଚାଲୁ ରହିଥିବା ସମସ୍ତ ସରକାରୀ ନିଯୁକ୍ତି କାର୍ଯ୍ୟକ୍ରମ ଜାରି ରହିବ। ଖାଲି ପଡ଼ୁଥିବା ସରକାରୀ ପଦବୀରେ ମଧ୍ୟ ନିଯୁକ୍ତି ଚାଲୁ ରହିବ। କେବଳ ନୂଆ ପଦବୀ ସୃଷ୍ଟି ଉପରେ ସାମୟିକ କଟକଣା ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ପ୍ରକାଶ ଥାଉ କି, ମଙ୍ଗଳବାର ଅର୍ଥ ବିଭାଗ ସଚିବ ଅଶୋକ ମୀନା ସବୁ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ, ସଚିବଙ୍କୁ ଚିଠି ଲେଖିଥିଲେ। ଏଥିରେ ଖର୍ଚ୍ଚକାଟ କରିବାକୁ ଉଲ୍ଲେଖ ରହିଥିଲା। ଯାନବାହନ କିଣା, ବାବୁଙ୍କ ବିଦେଶ ଗସ୍ତ ନିଷେଧ କରାଯାଇଥିଲା। ସେହିଭଳି ନୂତନ ଘର ନିର୍ମାଣ, ନବୀକରଣ, ହୋଟେଲରେ ବୈଠକ ବନ୍ଦ ସହ ୨ ବର୍ଷ ଯାଏ ସରକାରୀ କୋଠା, ଅତିଥି ଭବନ ନିର୍ମାଣ ବନ୍ଦ ରଖିବାକୁ ମଧ୍ୟ କୁହାଯାଇଥିଲା।