ସମ୍ମାନ ରକ୍ଷା ପାଇଁ ଭାଜପା ଲଢ଼ିବ

କେନ୍ଦ୍ରାପଡ଼ା ଅଫିସ, ୨୪ା୨: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଗୁରୁବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶେଷ ତଥା ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ୨୦୧୭ ନିର୍ବାଚନରେ ଏହି ବ୍ଲକ ଅଞ୍ଚଳରେ ଭାଜପା ପ୍ରଭାବ ବିସ୍ତାର କରିଥିଲା। ବ୍ଲକର ୨୦ ଓ ୨୧ ନଂ. ଜୋନରେ ଭାଜପା ପ୍ରାର୍ଥୀ ଜିତିଥିଲେ। ଅପରପକ୍ଷରେ ୧୯, ୨୨ ଓ ୨୩ ନଂ. ଜୋନରେ ବିଜେଡି ପ୍ରାର୍ଥୀ ଜିତିଥିଲେ। କଂଗ୍ରେସ ଏହି ବ୍ଲକର ଭୋଟ ସଂଗ୍ରହ ହାରରେ ତୃତୀୟ ସ୍ଥାନରେ ଥିଲା। ତେବେ ଚଳିତ ନିର୍ବାଚନରେ ଭାଜପା ସମ୍ମାନ ରକ୍ଷା ପାଇଁ ସଂଘର୍ଷ କରୁଛି। ଗତ ୪ ପର୍ଯ୍ୟାୟ ନିର୍ବାଚନରେ ରାଜନୈତିକ ହିଂସାକାଣ୍ଡ ବୃଦ୍ଧି ପାଇଥିବାରୁ ପ୍ରତିକାର ପାଇଁ ବ୍ୟାପକ ପୋଲିସ ବଳ ମୁତୟନ ହୋଇଛି। ମହାକାଳପଡ଼ା ବ୍ଲକ ଅଞ୍ଚଳର ୫ ଜିଲା ପରିଷଦ ଜୋନ ଅଞ୍ଚଳରେ ମୋଟ ଭୋଟରଙ୍କ ସଂଖ୍ୟା ୧,୬୬,୨୭୦। ୪୭୪ ବୁଥରୁ ୨୫୮ଟି ଉତ୍ତେଜନା ପ୍ରବଣ ବୋଲି ଚିହ୍ନଟ ହୋଇଛି। ଏହି ବ୍ଲକର ୧୯ନଂ. ଜୋନରେ କଂଗ୍ରେସରୁ ମାନସୀପ୍ରଭା ଦାଶ, ଭାଜପାରୁ ମୋନାଲିସା ଦାସ ଓ ବିଜେଡିରୁ ସସ୍ମିତା ସ୍ବାଇଁ ପ୍ରାର୍ଥୀ ହୋଇଛନ୍ତି। ୨୦ ନଂ. ଜୋନରେ ସ୍ବାଧୀନ ପ୍ରାର୍ଥୀ ଅଧୀର ନାଥଶର୍ମା, କଂଗ୍ରେସରୁ କଳ୍ପତରୁ ପ୍ରଧାନ, ବିଜେଡିରୁ ସୁବୋଧ କୁମାର ଲେଙ୍କା, ଭାଜପାରୁ ସୌଭାଗ୍ୟ କୁମାର ପରିଡ଼ା ଜିଲା ପରିଷଦ ସଭ୍ୟ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତାରେ ଅଛନ୍ତି। ୨୧ନଂ. ଜୋନରେ ବିଜେଡିରୁ ଅନୁରାଧା ସ୍ବାଇଁ, ଭାଜପାରୁ କାମିନୀ ଖଟୁଆ, କଂଗ୍ରେସରୁ ଚୁନିଲତା ମାଝି ନିର୍ବାଚନୀ ମଇଦାନରେ ଅଛନ୍ତି। ବ୍ଲକର ୨୨ ନଂ. ଜୋନରେ ବିଜେଡିରୁ ଅପୁ ପରିଡା, କଂଗ୍ରେସରୁ ବ୍ରଜମୋହନ ମଣ୍ଡଳ, ଭାଜପାରୁ ସରୋଜକାନ୍ତ ସାହୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ୨୩ ନଂ. ଜୋନରେ ସ୍ବାଧୀନ ପ୍ରାର୍ଥୀ ଅଚିନ୍ତ କୁମାର ମାଇତି, ସିପିଆଇ ପ୍ରାର୍ଥୀ ନରୋତ୍ତମ ପାର୍ଥସାରଥୀ, ବିଜେଡିରୁ ମୃତ୍ୟୁଞ୍ଜୟ ମଣ୍ଡଳ, ଭାଜପାରୁ ଶଶିକାନ୍ତ ପରିଡ଼ା, କଂଗ୍ରେସରୁ ସୁଶୀଲ କୁମାର ସେନାପତି, ଏଏପିରୁ ସୁଜିତ ସରକାର ଜିଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି। ୨୪ ନଂ. ଜୋନରେ ବହୁମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଏହି ଜୋନରେ ବିଏସ୍‌ପିରୁ ଅଶୋକ କୁମାର ପ୍ରଧାନ, ସ୍ବାଧୀନ ପ୍ରାର୍ଥୀ ଜଳଧର ବେହେରା, କଂଗ୍ରେସରୁ ଦୋଳଗୋବିନ୍ଦ ମାହାଳି, ଭାଜପାରୁ ପ୍ରଜେଶ ରଞ୍ଜନ ନାୟକ, ସ୍ବାଧୀନ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପରିଡ଼ା, ବିଜେଡିରୁ ପ୍ରମୋଦ କୁମାର ରଥ, ସ୍ବାଧୀନ ପ୍ରାର୍ଥୀ ମାଧବ ଚନ୍ଦ୍ର ନାୟକ, ରାଜେନ୍ଦ୍ର ମଲ୍ଲିକ ଓ ସିପିଆଇରୁ ସୀତାକାନ୍ତ ନାୟକ ନିର୍ବାଚନ ମଇଦାନରେ ଅଛନ୍ତି। ବ୍ଲକ ଅଞ୍ଚଳରେ ପାନୀୟ ଜଳ, ଗମନାଗମନ ରାସ୍ତା ଓ ସେତୁଠାରୁ ଆରମ୍ଭ କରି କ୍ଷେତକୁ ଜଳ ପରିଚାଳନା ପ୍ରମୁଖ ସମସ୍ୟା ଭାବେ ଉପସ୍ଥାପିତ ହୋଇଛି। ବ୍ଲକରେ ବିଜେଡି ଓ ଭାଜପା ପାଇଁ ଦଳୀୟ ଅନ୍ତଃକନ୍ଦଳ ସହ ଆଞ୍ଚଳିକ ସମସ୍ୟା ରହିଛି। ଏହାର ଫାଇଦା ବିରୋଧୀ କଂଗ୍ରେସ ନେବ ବୋଲି ଆଲୋଚନା ହେଉଛି। ବ୍ଲକର ୪୭୪ ବୁଥ୍‌ରେ ନିର୍ବାଚନ ପାଇଁ ୧୪୯୪ ପୋଲିଂ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨୧ ମୋବାଇଲ ପାର୍ଟି ସହ ୫୨୧ ପୋଲିସ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି। ଏଥିସହ ବ୍ଲକରେ ୫ ଜଣ ପଦାଧିକାରୀଙ୍କୁ ନିର୍ବାଚନ ପାଇଁ ମାଜିଷ୍ଟ୍ରେଟ ପଦବୀରେ ଅବସ୍ଥାପିତ କରାଯାଇଛି। ସମସ୍ତ ବୁଥ୍‌ରେ ପୋଲିଂ କର୍ମଚାରୀ ପହଞ୍ଚତ୍ ଥିବା ଉପଜିଲାପାଳ ନିରଞ୍ଜନ ବେହେରା ସୂଚନା ଦେଇଛନ୍ତି।