Categories: ଖେଳ

ଫ୍ୟାନ୍‌ ଫ୍ରି ଇଭେଣ୍ଟ ହେବ ଟୋକିଓ ଅଲିମ୍ପିକ୍ସ

ଟୋକିଓ,୨୯।୫(ଏ.ପି.): ବିନା ପ୍ରଶଂସକରେ ଆୟୋଜନ ହେବ ଟୋକିଓ ଅଲିମ୍ପିକ୍ସ। ଭେନ୍ୟୁଗୁଡିକୁ ସ୍ଥାନୀୟ ଦର୍ଶକଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନ ପାରେ ବୋଲି ଅଲିମ୍ପିକ୍ସ ଆୟୋଜକ କମିଟି ଅଧ୍ୟକ୍ଷ କହିଛନ୍ତି। ତେଣୁ ଅଲିମ୍ପିକ୍ସ ଏଥର ବିନା ପ୍ରଶଂସକରେ ଆୟୋଜନ ହେବ ବୋଲି ଅନୁମାନ କରାଯାଉଛି। ଅର୍ଥାତ୍‌ ଏଥର ଅଲିମ୍ପିକ ଫ୍ୟାନ ଫ୍ରି ଇଭେଣ୍ଟ ହେବ ବୋଲି କୁହାଯାଇପାରେ। ପୂର୍ବରୁ ଗୋଟିଏ ମାସ ତଳେ ବିଦେଶୀ ପ୍ରଶଂସକଙ୍କୁ ଜାପାନରେ ପ୍ରବେଶ କରିବାକୁ ବାରଣ କରାଯାଇଥିଲା।
ସରକାର ଷ୍ଟେଟ୍‌ ଇମର୍ଜେନ୍ସି ବଢାଇବା ପରେ ଅଲିମ୍ପିକ୍ସ ଫାଙ୍କା ଷ୍ଟାଡିୟମରେ ଆୟୋଜନ ହେବା ସମ୍ଭାବନା ବଢିଯାଇଛି। ଜାପାନର ୬୦- ୮୦ ପ୍ରତିଶତ ଲୋକ ଅଲିମ୍ପିକ ବାତିଲ ହେବା ଚାହୁଁଥିଲେ ମଧ୍ୟ ଆୟୋଜକ ଓ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଏହି ମେଗା ଇଭେଣ୍ଟର ଆୟୋଜନ ନେଇ ଆଶାବାଦୀ ଅଛନ୍ତି। ଜୁନ୍‌ରେ ସ୍ଥାନୀୟ ଦର୍ଶକ ତଥା ପ୍ରଶଂସକଙ୍କୁ ଭେନ୍ୟୁକୁ ପ୍ରବେଶ ନେଇ ନିଷ୍ପତ୍ତି ନିଆଯିବ ବୋଲି ଆୟୋଜକ କମିଟି ଅଧ୍ୟକ୍ଷ ସେଇକୋ ହାଶିମୋଟୋ କହିଛନ୍ତି। ସ୍ବାସ୍ଥ୍ୟଗତ ସ୍ଥିତି ଓ ବିଭିନ୍ନ ଦୃଷ୍ଟିକୋଣରୁ ବିଚାର କରି ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।
୨୦୦ରୁ ଊର୍ଦ୍ଧ୍ୱ ଦେଶରୁ ପାଖାପାଖି ୧୫,୦୦୦ ଅଲିମ୍ପିକ ଓ ପାରା ଅଲିମ୍ପିକ୍‌ ଆଥ୍‌ଲେଟ ଜାପାନ ଆସିବେ। ଫଳରେ ନିଶ୍ଚିତ ଭାବେ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେବ ବୋଲି ଆଶଙ୍କା ପ୍ରକାଶ କରାଯାଉଛି। ଆଥ୍‌ଲେଟମାନଙ୍କର ବ୍ୟାପକ ଟିକାକରଣ ହେବ ବୋଲି ଆଇଓସି କହିଛି। ସେମାନେ ଅଲିମ୍ପିକ କ୍ରୀଡ଼ା ଗ୍ରାମରେ ବାୟୋ-ବବଲରେ ରହିବେ ବୋଲି କୁହାଯାଇଛି। ଆଥ୍‌ଲେଟଙ୍କୁ ବାଦ୍‌ ଦେଲେ ଜଜ୍‌, ଅଫିସିଆଲ, ଭିଆଇପି, ମିଡିଆ ଓ ବ୍ରଡ୍‌କାଷ୍ଟର ମଧ୍ୟ ଜାପାନ ଆସିବେ। ଫଳରେ ବିଭିନ୍ନ ଦେଶର କରୋନା ଷ୍ଟ୍ରେନ୍‌ ଜାପାନ ଆସିବ ବୋଲି ଆଶଙ୍କା କରାଯାଉଛି। ତେଣୁ ଫାଙ୍କା ଷ୍ଟାଡିୟମରେ ଅର୍ଥାତ୍‌ ବିନା ଦର୍ଶକରେ ଅଲିମ୍ପିକ୍ସ ଆୟୋଜନ ହେବା ନିଶ୍ଚିତ ମନେହେଉଛି। ଖୁବ୍‌ଶୀଘ୍ର ଏ ନେଇ ସ୍ପଷ୍ଟ କରାଯିବ ବୋଲି ଆୟୋଜକମାନେ କହିଛନ୍ତି।

Share