Categories: ଖେଳ

ପରିବାର ସହ ମିଶିଲେ ଅଷ୍ଟ୍ରେଲୀୟ ଆଇପିଏଲ୍‌ ଖେଳାଳି

ସିଡ୍‌ନୀ, ୧ା୬ (ପି.ଟି.)-ଭାରତରେ ଆଇପିଏଲ୍‌ରେ ଭାଗନେବା ଲାଗି ଆସିଥିବା ଅଷ୍ଟ୍ରେଲୀୟ କ୍ରିକେଟର, ସପୋର୍ଟ ଷ୍ଟାଫ୍‌ ଏବଂ କମେଣ୍ଟେଟରଙ୍କ କ୍ୱାରାଣ୍ଟାଇନ୍‌ ଅବଧି ଶେଷ ହେବାପରେ ସୋମବାର ସେମାନେ ପରିବାର ସହ ଯୋଗ ଦେଇଛନ୍ତି। ପରିବାରରେ ନାହିଁ ନ ଥିବା ଖୁସି ଓ ଆନନ୍ଦର ପରିବେଶ ଦେଖିବାକୁ ମିଳିଥିଲା। ଭାରତରୁ ଫେରିବା ପରେ ୩୮ ଅଷ୍ଟ୍ରେଲୀୟଙ୍କୁ ସ୍ଥାନୀୟ ଏକ ହୋଟେଲରେ ୧୪ ଦିନ କ୍ୱାରାଣ୍ଟାଇନରେ ରହିବାକୁ ପଡ଼ିଥିଲା। ସଂକ୍ରମଣ ବୃଦ୍ଧି ପାଇଁ ଅଷ୍ଟ୍ରେଲିଆ ସାମୟିକ ଭାରତରୁ ବିମାନ ଚଳାଚଳ ଉପରେ କଟକଣା ଜାରି କରିଛି। ଆଇପିଏଲ୍‌ରେ କରୋନା ସଂକ୍ରମଣ ଦେଖା ଦେବାରୁ ଇଭେଣ୍ଟକୁ ଅଧାରୁ ସସ୍‌ପେଣ୍ଡ କରାଯିବା ପରେ ଏଥିସହିତ ସମ୍ପୃକ୍ତ ଅଷ୍ଟ୍ରେଲୀୟଙ୍କୁ ମାଳଦ୍ୱୀପ ଦେଇ ସ୍ବଦେଶ ଫେରିବାକୁ ହୋଇଥିଲା। ଆଇପିଏଲ୍‌ ପାଇଁ ଏମାନଙ୍କ ମଧ୍ୟରୁ ଅଧିକାଂଶ ଏପ୍ରିଲ ପ୍ରଥମ ଭାଗରୁ ସେମାନଙ୍କ ପରିବାରଠାରୁ ଦୂରରେ ରହିଥିଲେ। ସସ୍‌ପେଣ୍ଡ ଥିବା ବ୍ୟୟବହୁଳ ଆଇପିଏଲ୍‌ ୟୁଏଇରେ ସେପ୍ଟେମ୍ବର ମଧ୍ୟଭାଗରେ ଆରମ୍ଭ ହେବ। ଫାଷ୍ଟ ବୋଲର ପ୍ୟାଟ୍‌ କୁମିନ୍ସ ୮ ସପ୍ତାହ ବ୍ୟବଧାନରେ ତାଙ୍କ ଗର୍ଭବତୀ ସ୍ତ୍ରୀ ବେକି ବୋଷ୍ଟନଙ୍କ ସହ ମିଶିଛନ୍ତି। ଏହାର ଏକ ଫଟୋ ସେ ଟୁଇଟରରେ ଅପ୍‌ଲୋଡ୍‌ କରିଛନ୍ତି। କୁମିନ୍ସଙ୍କ ବ୍ୟତୀତ ବ୍ୟାଟିଂ ମାଷ୍ଟର ଷ୍ଟିଭ୍‌ ସ୍ମିଥ୍‌, ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ବେଲ ଏବଂ ବିସ୍ଫୋରକ ଓପନର ଡେଭ୍‌ ଓ୍ବାର୍ନର ପ୍ରମୁଖ ବହୁଦିନ ବ୍ୟବଧାନରେ ସେମାନଙ୍କ ପ୍ରିୟତମାଙ୍କୁ ଭେଟିଛନ୍ତି। ଅଷ୍ଟ୍ରେଲୀୟମାନଙ୍କୁ ପଠାଇବା ଲାଗି ବିସିସିଆଇ ତରଫରୁ ସ୍ବତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟପାଇଁ କ୍ରିକେଟ ଅଷ୍ଟ୍ରେଲିଆର ନବନିଯୁକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ନିକ୍‌ ହକ୍‌ଲେ ଭାରତୀୟ ବୋର୍ଡକୁ ଧନ୍ୟବାଦ ଦେଇଛନ୍ତି।

Share