ଜ୍ୟେଷ୍ଠାୟ ନମଃ, ଶ୍ରେଷ୍ଠାୟ ନମଃ

ସୁମନ୍ତ କୁମାର ଭୂୟାଁ

 

ଭାରତୀୟ ସଂସ୍କୃତିରେ ଏକ ମୂଲ୍ୟବାନ୍‌ ଉପଦେଶ ରହିଆସିଛି- ତାହା ହେଲା, ଜ୍ୟେଷ୍ଠାୟ ନମଃ, ଶ୍ରେଷ୍ଠାୟ ନମଃ। ଜ୍ୟେଷ୍ଠମାନଙ୍କୁ, ଶ୍ରେଷ୍ଠମାନଙ୍କୁ ନମସ୍କାର। ଯେତେବେଳେ ଯୌଥ ପରିବାରର ସଂସ୍କୃତି ପ୍ରଚଳିତ ଥିଲା; ସେତେବେଳେ ଜ୍ୟେଷ୍ଠମାନଙ୍କୁ ଜ୍ଞାନ, ଅଭିଜ୍ଞତା ଓ ପ୍ରଜ୍ଞାର ଭଣ୍ଡାର ବୋଲି କନିଷ୍ଠମାନେ ବିଚାର କରୁଥିଲେ। ମା’ବାପା ବଞ୍ଚତ୍ଥିବା ବେଳେ ପୁଅମାନେ ଯେତେ ବୟସ୍କ ହୁଅନ୍ତୁ ନା କାହିଁକି ସବୁବେଳେ ଭାବୁଥିଲେ ଯେ ସେମାନେ ତରୁଣ ଓ ସ୍ବପ୍ନଶୀଳ। କୌଣସି କଥାରେ ସେମାନଙ୍କର ଖାତିର ନଥାଏ କି ଭୟ ନଥାଏ। କାରଣ ତାଙ୍କ ଉପରେ ଛତା ଭଳି ମା’ବାପା ଜଗିଛନ୍ତି। ଗୋଟିଏ ଗୋଟିଏ ଯୌଥ ପରିବାରରେ ଏକାଥରକେ ତିନି/ଚାରି ପୁରୁଷ ଲୋକ ଗୋଟିଏ ଜାଗାରେ ରହୁଥିଲେ। ଯେହେତୁ ମା’ବାପା ଘରେ ଅଛନ୍ତି, ତେଣୁ ସେମାନେ ଘର ପ୍ରତି ସେତେ ଯତ୍ନଶୀଳ ହେଉନଥିଲେ। କାଳକ୍ରମେ ଯୌଥ ପରିବାର ଭାଙ୍ଗିବାକୁ ଲାଗିଲା। ଭଉଣୀମାନେ ବାହା ହୋଇ ସେମାନଙ୍କ ଶାଶୁଘରକୁ ଚାଲିଗଲେ। ଭାଇମାନେ ବିବାହ ହେଲା ପରେ ଅଲଗା ଅଲଗା ସେମାନଙ୍କ ସଂସାର ଗଢ଼ିଲେ। ପ୍ରଶ୍ନ ଉଠିଲା ମା’ବାପା ତେବେ ରହିବେ କେଉଁଠି? ତେଣୁ ପାଳିକରି ମା’ବାପାଙ୍କୁ ପୁଅମାନେ ରଖିବା ଆରମ୍ଭ କଲେ। ପରିବାର ଆହୁରି ଛୋଟ ହୋଇ ଅଣପରିବାରରେ ପରିଣତ ହେଲା। ସ୍ତ୍ରୀ-ସ୍ବାମୀ, ଝିଅ-ପୁଅ ବା ପୁଅଟି ଆଉ ଝିଅଟିଏ। ତେଣୁ ବୃଦ୍ଧ ମାତା ପିତାଙ୍କ ସମସ୍ୟା ଆହୁରି ବଢ଼ିଗଲା। ଯେଉଁ ବାପା ଦିନେ ରୋଜଗାରର ମୁଖ୍ୟ ଥିଲେ, ଘରର ମୁଖିଆ ଥିଲେ, ବାର୍ଦ୍ଧକ୍ୟଜନିତ କାରଣରୁ ସେହି ସ୍ଥାନରୁ ସେ ଖସି ଆସି ପୁଅ ଉପରେ ସବୁ କଥାରେ ନିର୍ଭରଶୀଳ ହେଲେ। କ୍ୱଚିତ୍‌ ପରିବାରରେ ପୁଅର ନିଷ୍ପତ୍ତିକ୍ରମେ ଘର ଚାଲେ। ଅନ୍ୟ କ୍ଷେତ୍ରରେ ସ୍ତ୍ରୀମାନେ ହିଁ ରୋଜଗାର ଥାଉ କି ନଥାଉ, ଘରର ମଙ୍ଗୁଆଳ ସାଜିଲେ। ତାଙ୍କ କଥାକୁ ସ୍ବାମୀ ଯଦି ସାମାନ୍ୟତମ ବ୍ୟତିକ୍ରମ ଘଟାନ୍ତି, ତେବେ କଥା ସରିଲା। ଅଶାନ୍ତିର ବହ୍ନିରେ ଘର ଜଳିଉଠେ। ପରିଶେଷରେ ରାଗ ଶୁଝାଯାଏ ବୃଦ୍ଧ ମା’ବାପାଙ୍କ ଉପରେ। ଖାଦ୍ୟପେୟ, ବାର୍ଦ୍ଧକ୍ୟଜନିତ ରୋଗର ଉପଶମରେ ଅବହେଳା, କଟୂକ୍ତି, କଟାକ୍ଷ ସମେତ ଶାରୀରିକ ନିର୍ଯାତନା ଆଦି କୌଶଳ ଅବଲମ୍ବନ କରି ସେମାନଙ୍କୁ ଅପେକ୍ଷା କରାଯାଏ। ଯେଉଁ ଘର ନିଜ ଅର୍ଥବଳ ଓ ବାହୁବଳରେ ମା’ବାପା ତିଆରି କରିଥିଲେ, ପ୍ରଚୁର ଅର୍ଥ ବ୍ୟୟକରି ପିଲାମାନଙ୍କୁ ବହୁ ଯତ୍ନ ସହକାରେ ପାଠ ପଢ଼ାଇ ମଣିଷ କରାଇଥିଲେ, ସେହି ଘରେ ସେମାନେ ଅଲୋଡ଼ା ହୋଇପଡ଼ନ୍ତି। ଅଧିକାଂଶ ସ୍ଥାନରେ ଏସବୁ ଦେଖି ସହି ନ ପାରୁଥିବା ପୁଅଟି ଚୁପ୍‌ ହୋଇ ରହିବାକୁ ବାଧ୍ୟ ହୁଏ। ଯେଉଁ ଦାଣ୍ଡଦୁଆରେ ବାପା ଘର ଜଗିବା ପାଇଁ କୁକୁର ବାନ୍ଧୁଥିଲେ, ସେହି ଦୁଆରେ ଆରାମ ଚୌକି ଖଣ୍ଡିଏ ପକେଇଦେଇ ବାପାଙ୍କୁ ବସେଇ ଦିଆଯାଏ। ବାପା ଦିଶନ୍ତି ସତେଯେପରି ଏକ ପ୍ରଶ୍ନବାଚୀ ଚିହ୍ନ ପରି। କଥାବାର୍ତ୍ତା ଖୁବ୍‌ କମ୍‌, ଦିନରେ ଅସୁମାରି ସ୍ମୃତିଚାରଣ, ସଫଳତା ଓ ବିଫଳତାର ହିସାବ ଆଉ ମୃତ୍ୟୁକୁ ଅପେକ୍ଷା। ଘରେ ମା’ବୁଢ଼ୀ ସତେକି ଗୋଟିଏ ସୋଫା ସେଟ, ଗୋଟେ ଫ୍ରିଜ୍‌, ଗୋଟେ ପୁରୁଣା ଢାବଲ ବା କୌଣସି ଅବ୍ୟବହୃତ ଆସବାବପତ୍ର ପରି ଘରର ଗୋଟିଏ କୋଣରେ ପଡ଼ି ରହିଥା’ନ୍ତି। ତେଣୁ ବାର୍ଦ୍ଧକ୍ୟ ଏକ ଅଭିଶାପ ନା ଏକ ଆଶୀର୍ବାଦ! ଏ ପ୍ରଶ୍ନ ଅନେକଙ୍କୁ ଅନେକ ସମୟରେ ଘାରିଥାଏ। କିନ୍ତୁ ବାର୍ଦ୍ଧକ୍ୟ ଯେ ଅନିର୍ବାଯ୍ୟ, ତାହାକୁ ଆମେ ସ୍ବୀକାର କରିବାକୁ ପଡ଼ିବ। ଖାଲି ବାର୍ଦ୍ଧକ୍ୟ ନୁହେଁ, ବାର୍ଦ୍ଧକ୍ୟ ସହିତ ନିର୍ଜନତା, ରୋଗ ବୈରାଗ୍ୟ, ସାମାଜିକ, ବିଚ୍ଛିନ୍ନତା, ଅନ୍ୟାଶ୍ରିତ ଅବସ୍ଥା ଓ ସର୍ବୋପରି ସ୍ମୃତି ଦହନର ଜ୍ୱାଳା ପାରିବାରିକ ଅବହେଳା ଆଦି ସହିବାକୁ ପଡ଼ିବ। ଯଦି ସନ୍ତାନମାନେ ନିଜକୁ କିଛି ପ୍ରଶ୍ନ ପଚାରନ୍ତେ, ତେବେ ଏ ସମସ୍ୟା ଅନେକାଂଶରେ ସମାଧିତ ନ ହେଲେ ମଧ୍ୟ ବୃଦ୍ଧ ମାତାପିତାଙ୍କୁ ସାନ୍ତ୍ୱନା ଦେବାରେ ସହାୟକ ହୁଅନ୍ତା। ତାହା ହେଲା ଆମେ କାହିଁକି ଭୁଲିଯାଉଛୁ ଯେ ଆମେ ଯଦି ଏ ସଂସାରରେ ଏପରି ବଞ୍ଚତ୍ଛୁ ତାହାରି ମୂଳରେ ଆମ ମାତାପିତା। କାହିଁକି ଆମେ ଭୁଲିଯାଉଛୁ ଆମେ ଯଦି ଆଜି ଉଚ୍ଚ ଶିକ୍ଷିତ ହେଇଛୁ, ତାହାରି ପଛରେ କେବଳ ମା’ବାପା। କାହିଁକି ଆମେ ଭୁଲିଯାଉଛୁ ଆମର ସମସ୍ତ ରୋଗ ବୈରାଗ୍ୟରୁ ଆମକୁ ଯିଏ ମୁକ୍ତ କରି ଏ ସଂସାରରେ ବଞ୍ଚାଇଛନ୍ତି, ସେମାନେ ହେଲେ ଆମର ମା’ବାପା। ଆମକୁ ଯଦି ପ୍ରଥମେ ହାତ ଧରି କିଏ ଚାଲି ଶିଖେଇଛନ୍ତି, ପାଟିରେ ଦାନା ଦେବା ଶିଖେଇଛନ୍ତି, ସିଏ ହେଲେ ଆମ ମା’ବାପା। ପିଲା ଥିଲାବେଳେ ସିନା ଜାଣିପାରୁ ନ ଥିଲୁ, କିନ୍ତୁ ଏବେ ଯେତେବେଳେ ସମୟ ଆସିଛି, ଜାଣିପାରୁଛୁ ସେତେବେଳେ ସେମାନଙ୍କଠାରୁ ପାଇଥିବା ନିଃସ୍ବାର୍ଥପର ସ୍ନେହ, ଶ୍ରଦ୍ଧା, ଆଦର ଓ ଯତ୍ନକୁ ଫେରାଇବା ତ ସମ୍ଭବପର ନୁହେଁ, ତାହାର ପ୍ରତିବଦଳରେ କିଞ୍ଚତ୍ତ୍‌ ଯଦି ଫେରାଇପାରନ୍ତେ, ତାହା ସେମାନଙ୍କ ପାଇଁ ବହୁ ଆଶ୍ୱାସନାର କଥା ହୋଇପାରନ୍ତା। କିନ୍ତୁ ଏକଥା ସେମାନଙ୍କୁ ମାନିବାକୁ ପଡ଼ିବ ଯେ, ପିଲାମାନେ ପଚାରନ୍ତୁ ବା ନ ପଚାରନ୍ତୁ ମା’ବାପାଙ୍କ ଶେଷନିଃଶ୍ୱାସ ପର୍ଯ୍ୟନ୍ତ ସେମାନେ ସନ୍ତାନମାନଙ୍କୁ ମଙ୍ଗଳ ହିଁ ମଙ୍ଗଳ କାମନା କରନ୍ତି। ତେଣୁ ବୃଦ୍ଧ ମାତାପିତାଙ୍କୁ ବୋଝ ବୋଲି ବିଚାର ନ କରି ଜୀବନରେ ଆଶାର ଝଲକ ବୋଲି ଭାବିଲେ ଉଭୟ ପକ୍ଷର ମଙ୍ଗଳ ହୁଅନ୍ତା। କିନ୍ତୁ ବିଡ଼ମ୍ବନାର ବିଷୟ, ଆଜି ଅଧିକାଂଶ ସ୍ଥଳରେ ତାହା ଘଟୁନାହିଁ। ଏକ ତଥ୍ୟ ଅନୁସାରେ ଭାରତରେ ୧୦ଟି ବୃଦ୍ଧ ଦମ୍ପତିଙ୍କ ମଧ୍ୟରୁ ୬ଟି ଗୃହ ଛାଡ଼ି ପଳାଇଯିବା ପାଇଁ ପିଲାମାନଙ୍କ ଦ୍ୱାରା ବାଧ୍ୟ ହୋଇଥା’ନ୍ତି। କେଉଁଠି ରହିବାକୁ ସ୍ଥାନ ନ ପାଇ, ସବୁ ଆଶା ହରାଇ ଶେଷରେ ସେମାନେ ଜରାଶ୍ରମରେ ରହିବାକୁ ବାଧ୍ୟ ହୁଅନ୍ତି; ଯେଉଁଠି ସେମାନେ ତାଙ୍କର ଯୌବନାବସ୍ଥାରେ ପାଇଥିବା ସମସ୍ତ ପାରିବାରିକ ସୁଖ ଓ ସୁବିଧାରୁ ବଞ୍ଚତ୍ତ ହୋଇଥା’ନ୍ତି। ଏ ସମସ୍ୟା ଯେ ଆଗକୁ ଆହୁରି ବଢ଼ିବ, ଏକଥା ଚିନ୍ତା କରିବା ବେଳକୁ ମନ ଭିତରେ ଗଭୀର ଉଦ୍‌ବେଗ ସୃଷ୍ଟି ହେଉଛି। ପିଲାମାନେ ଭାବିବା କଥା ଯେ ସେମାନେ ବି ଦିନେ ଏଭଳି ସ୍ଥିତିରେ ଉପନୀତ ହେବେ।
ମୋ: ୯୯୩୭୪୭୦୯୮୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri