ଅସ୍ପଷ୍ଟ ଇଲାକାର ଅର୍ଥଶାସ୍ତ୍ରୀ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

ନିକଟ ଅତୀତର ଏକ ଘଟଣା ଚମକପ୍ରଦ ଖବର ଭାବେ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ଫିନ୍‌ଲାଣ୍ଡର ୭୬ ବର୍ଷୀୟ ଆଣ୍ଡର୍ସ ଓ୍ବିକ୍ଲଫ ନାମକ ଜଣେ ବ୍ୟକ୍ତି ଘଣ୍ଟାରେ ୩୦ କିଲୋମିଟର ବେଗରେ ଏକ ଜନଗହଳି ରାସ୍ତାରେ ଗାଡ଼ି ଚଲାଇ ଅନୁମୋଦିତ ବେଗ ଅତିକ୍ରମ କରିଥିଲେ। ତେଣୁ ତାଙ୍କ ଉପରେ ୧,୨୧, ୨୦୦ ୟୁରୋ (ଅର୍ଥାତ ପ୍ରାୟ ଏକ କୋଟି ଟଙ୍କା) ଜରିମାନା ପକାଯାଇଥିଲା। ଏହା ତାଙ୍କର ଗୋଟିଏ ସପ୍ତାହର ଆୟ ସହ ସମାନ। ତେବେ ସେଠାକାର ଟ୍ରାଫିକ କଟକଣା ଉଲ୍ଲଂଘନ ସକାଶେ ଏହି ବିପୁଳ ରାଶି ପୈଠ କରିବାରେ ସେ କୌଣସି ପ୍ରକାର ଆପତ୍ତି କରି ନ ଥିଲେ। ବରଂ ଦେଶରେ ଆଇନକୁ ଯେମିତି କଠୋର ଭାବେ ପାଳନ କରାଯାଉଛି ସେ ଏହାର ପ୍ରଶଂସା କରିଥିଲେ। ଅବଶ୍ୟ ସେ ନିଜ ତ୍ରୁଟି ପାଇଁ ଅନୁତପ୍ତ ହୋଇଥିଲେ। ବିଶେଷତଃ ଏହି ପ୍ରକାର ଭୁଲ୍‌ ବାରମ୍ବାର ଦୋହରାଇଥିବାରୁ ସେ ନିଜକୁ ଧିକ୍କାର କରିଥିଲେ। ପ୍ରକାଶ ଥାଉ କି, ଏତାଦୃଶ ଦୋଷ ପାଇଁ ଏଥିପୂର୍ବରୁ ଦଶବର୍ଷ ତଳେ ୨୦୧୩ରେ ପ୍ରାୟ ୮୪ ଲକ୍ଷ ଓ ୨୦୧୮ରେ ୫୬ ଲକ୍ଷ ଟଙ୍କା ତାଙ୍କଠାରୁ ଅସୁଲ କରାଯାଇଥିଲା।
ଏହି ଘଟଣାଟି ୟୁରୋପର ଉତ୍ତର ଭାଗରେ ଅବସ୍ଥିତ ଫିନ୍‌ଲାଣ୍ଡ ସମ୍ପର୍କିତ, ଯେଉଁ ଦେଶର ଜଳବାୟୁ ମଣିଷର ସ୍ବଚ୍ଛନ୍ଦ ଜୀବନଧାରଣ ପାଇଁ ବିଶେଷ ସହାୟକ ନୁହେଁ। ଏହାର ଦୁଇ ତୃତୀୟାଂଶ ଭାଗରେ ଘଞ୍ଚ ଅରଣ୍ୟ । ସେ ଯାହା ହେଉ, ଆର୍ଥିକ ଦଣ୍ଡ ସେଠାରେ ପାଳନ କରିଥାନ୍ତି। ଏହି ପୃଷ୍ଠଭୂମିରେ ଆଇନକାନୁନ ପ୍ରତି ଫିନିସ ନାଗରିକମାନଙ୍କ ପ୍ରତିବଦ୍ଧତା ଉଲ୍ଲେଖନୀୟ।
ଏହି ପ୍ରସଙ୍ଗରେ ଟ୍ରାଫିକ ନିୟମ ପାଳନ ସର୍ମ୍ପକରେ ଆମେ ଭାରତ ପ୍ରତି ଦୃଷ୍ଟିପାତ କରିବା। ମହାରାଷ୍ଟ୍ରରେ ୨୦୨୧ ମାର୍ଚ୍ଚ ପହିଲାଠାରୁ ୩୧ ଅଗଷ୍ଟ ମଧ୍ୟରେ ଟ୍ରାଫିକ ନିୟମ ଭଙ୍ଗ ପାଇଁ ୨୧,୦୦,୯୮୩ ମୋଟର ଚାଳକଙ୍କ ଉପରେ ଇ-ଚାଲାନ ମାଧ୍ୟମରେ ତଣ୍ଡ ଧାର୍ଯ୍ୟ ହୋଇଥିଲା। ତେବେ ୪୫ଟି ସହର ଓ ଗ୍ରାମାଞ୍ଚଳ ପୋଲିସ ଥାନାରୁ ପ୍ରାପ୍ତ ତଥ୍ୟାନୁସାରେ ମୋଟେ ଶତକଡ଼ା ୨୩ ଭାଗ ଜରିମାନା ପୈଠ କରାଯାଇଛି। ଗୁଜରାଟ ଭଳିି ସ୍ବଚ୍ଛଳ ରାଜ୍ୟରେ ମଧ୍ୟ ସମାନ ସ୍ଥିତି ଦୃଷ୍ଟି ଆକର୍ଷଣ କରେ। ୨୦୧୫ରେ ଅହମଦାବାଦରେ ସ୍ବୟଂଚାଳିତ ଟ୍ରାଫିକ୍‌ ପରିଚାଳନା ପଦ୍ଧତି ଅନୁସୃତ ହେଲା। ଏହି ବ୍ୟବସ୍ଥା ଅନୁସାରେ ଚାରିବର୍ଷରେ ଷାଠିଏ କୋଟି ଟଙ୍କାର ଜରିମାନା ବିଷୟରେ ଦୋଷୀ ମୋଟରଚାଳକମାନଙ୍କୁ ଇ-ଚାଲାଣ ଦ୍ୱାରା ଜଣାଇ ଦିଆଗଲା। ତେବେ ଅଧିକୃତ ଡେପୁଟି ପୋଲିସ କମିଶନର ଟ୍ରାଫିକ କହିଛନ୍ତି ଯେ, ଦୀର୍ଘ ଚାରିବର୍ଷ ମଧ୍ୟରେ ଏହି ଅର୍ଥରାଶିର ୫୩ କୋଟି ଟଙ୍କାର ବୃହତ୍‌ ଭାଗ ଖିଲାପକାରୀଙ୍କଠାରୁ ଅସୁଲ କରାଯାଇପାରିନାହିଁ। ପ୍ରକାଶଯୋଗ୍ୟ ଯେ, ପ୍ରତ୍ୟେକ ଦେଶ ସ୍ବାଧୀନ ଭାବେ ନିଜ ନାଗରିକମାନଙ୍କୁ ଦୃଷ୍ଟିରେ ରଖି ଟ୍ରାଫିକ୍‌ ସମେତ ଅନ୍ୟାନ୍ୟ ବିଷୟରେ ଆଇନ ପ୍ରଣୟନ କରିଥାନ୍ତି। ଏହି ଦୃଷ୍ଟିରୁ ଫିନ୍‌ଲାଣ୍ଡ ଓ ଭାରତ ମଧ୍ୟରେ ଟ୍ରାଫିକ୍‌ ଆଇନରେ ଭିନ୍ନତା ପରିଲକ୍ଷିତ ହେବା ସ୍ବାଭାବିକ। ତେବେ ତଣ୍ଡ ପୈଠ କରିବାରେ ଏଇ ଦୁଇ ଦେଶ ମଧ୍ୟରେ ଯେମିତି ଅବମାନନାକାରୀଙ୍କ ମତିଗତି ମଧ୍ୟରେ ଆକାଶ ପାତାଳ ପାର୍ଥକ୍ୟ ଦେଖାଯାଏ। ସେଥିରେ ନାଗରିକମାନଙ୍କ ସମ୍ପର୍କରେ ଏକ ବୃହତ୍ତର ସୂଚନା ମିଳିଥାଏ। ତନ୍ମଧ୍ୟରେ ଗୋଟିଏ ପ୍ରଶ୍ନ ପଚରାଯାଇପାରେ ଯେ, ସୁଖୀ କିଏ ? ଫିନ୍‌ଲାଣ୍ଡର ଲୋକେ ନା ଭାରତୀୟ ?
ବୈଜ୍ଞାନିକମାନଙ୍କ ମତରେ ସେରୋଟୋନିନ, ଡୋପମାଇନ, ଏଣ୍ଡୋରଫିନ, ଅକ୍ସିଟୋସିନ ଇତ୍ୟାଦି ହରମୋନ କ୍ଷରଣ ଆମ ମସ୍ତିଷ୍କକୁ ପ୍ରଭାବିତ କରି ସୁଖ ବା ଦୁଃଖର ଅନୁଭବ ଜାଗ୍ରତ କରନ୍ତି। ଏହି ଦୃଷ୍ଟିରୁ ଜରିମାନାକୁ ଦୃଷ୍ଟାନ୍ତ ଭାବେ ନେଲେ ଜାଣିହୁଏ ଯେ, ଫିନ୍‌ଲାଣ୍ଡରେ ଆଇନର ଖିଲାପକାରୀମାନେ ଉଦାର ଚିତ୍ତରେ ଜରିମାନା ଭରିବାକୁ ଆଗେଇ ଆସିବା ବେଳେ ସେମିତି ପ୍ରସନ୍ନତା ପ୍ରକଟ କରନ୍ତି, ଏହି ଶ୍ରେଣୀର ଭାରତୀୟମାନଙ୍କ ସେଇ ପରିମାଣରେ କୃପିତ ଓ ଅନିଚ୍ଛୁକ ମନୋଭାବ ପ୍ରଦର୍ଶନ ପରିଦୃଷ୍ଟ ହୁଏ।
କିଛି ଅର୍ଥଶାସ୍ତ୍ରୀ ବିଭିନ୍ନ ଦେଶ ଉପରେ ଡାଟା ସଂଗ୍ରହ କରି ବିଶ୍ୱସ୍ତରୀୟ ଖୁସିସୂଚକର ତାଲିକା ଜାରି କରିଛନ୍ତି। ଏହାର ମୁଖ୍ୟ ଉପାଦାନ ହେଉଛି ମାନବ ବିକାଶ ସୂଚକାଙ୍କ। ଏହା ହିସାବ କରିବାକୁ ସେମାନେ ବିଭିନ୍ନ ଦେଶର ମୁଣ୍ଡ ପିଛା ଜିଡିପି (ଗ୍ରସ୍‌ ଡୋମେଷ୍ଟିକ ପ୍ରଡକ୍ଟ ବା ମୋଟ ଜାତୀୟ ଉତ୍ପାଦ) ଦାରିଦ୍ର୍ୟର ଅନୁପାତ ପରି ଅର୍ଥନୈତିକ ଦିଗକୁ ବିଚାରକୁ ନେଇଛନ୍ତି। କିନ୍ତୁ ଆମେରିକୀୟ ଅର୍ଥଶାସ୍ତ୍ରୀ ଆର୍ଥର ମେଲଭିନ ଓକୁନ (୧୯୨୮-୧୯୮୦) ସୁଖ ପରିବର୍ତ୍ତେ ଦୁଃଖ ମାନଦଣ୍ଡ ନିର୍ଦ୍ଧାରଣରେ ବେରୋଜଗାର ହାର, ମୁଦ୍ରାସ୍ପୀତି ପରି କାରକ ମାନକୁ ମିଶାଇ ଏକ ବାସ୍ତବ ଚିତ୍ରରେ ପହଞ୍ଚତ୍ବାକୁ ଉଦ୍ୟମ କରିଛନ୍ତି। ତାଙ୍କ ଦ୍ୱାରା ପ୍ରଣୀତ ‘ଓକୁନ ନିୟମ’ ଅନୁସାରେ କୌଣସି ଏକ ଦେଶର ବାର୍ଷିକ ଜିଡିପି ଅଭିବୃଦ୍ଧି ହାର ଶତକଡା ଚାରି ହେଲେ ଏହାର ପରିଣାମସ୍ବରୂପ ଶତକଡା ଏକ ଭାଗ ବେରୋଜଗାର ହାର କମିବ। ତାଙ୍କ ମତରେ ସୁଖ ପରିବର୍ତ୍ତେ ଦୁଃଖର ପରିମାଣ ନିର୍ଣ୍ଣୟ ଅଧିକ ବାସ୍ତବ ଓ ଠିକ୍‌। ତେବେ ଓକୁନଙ୍କ ନିୟମ କୌଣସି ଏକ ନିର୍ଦ୍ଦିଷ୍ଟ (ଧରାଯାଉ ଯୁକ୍ତରାଷ୍ଟ୍ର) ଦେଶର ବିଭିନ୍ନ କାଳ-ଖଣ୍ଡ ବା ଅବଧିର ଦୁଃଖ ମାପିବା ପାଇଁ ଯଥାର୍ଥ। କିନ୍ତୁ ଏହା ବିଭିନ୍ନ ଦେଶ ମଧ୍ୟରେ ତୁଳନାତ୍ମକ ସ୍ଥିତି ନିର୍ଣ୍ଣୟ କରିବାରେ ଅସଫଳ। ତେଣୁ ଜନ୍‌ ହପ୍‌କିନ୍ସ ବିଶ୍ୱବିଦ୍ୟାଳୟ(ବଲ୍‌ଟିମୋର, ମାରିଲାଣ୍ଡ)ର ଆପ୍ଲାଏଡ ଇକୋନୋମିକ୍ସ ପ୍ରଫେସର ଷ୍ଟିଭ ହାଙ୍କେ ଏକ ଉନ୍ନତ ଦୁଃଖ ସୂଚକାଙ୍କ (ହାଙ୍କି ଅର୍ଥାତ ହାଙ୍କିସ୍‌ ଆନୁଏଲ ମିଜେରି ଇଣ୍ଡେକ୍ସ) ପ୍ରସ୍ତୁତ କଲେ, ଯାହା ବେରୋଜଗାର, ମୁଦ୍ରାସ୍ଫୀତି, ବ୍ୟାଙ୍କର ଋଣ ହାର ଓ ମୁଣ୍ଡ ପିଛା ବାସ୍ତବ ଜିଡିପି ସହ ସମ୍ବନ୍ଧିତ।
୨୦୨୩ର ଓ୍ବାଲର୍‌ଡ ହାପିନେସ୍‌ ଇଣ୍ଡେକ୍ସ ଅନୁସାରେ ସର୍ବାଧିକ ସୁଖୀ ରାଷ୍ଟ୍ର ହେଉଛି ଫିନ୍‌ଲାଣ୍ଡ। ସେଥିରେ ଅନ୍ତର୍ଭୁକ୍ତ ୧୩୭ ଦେଶ ତାଲିକାରେ ଭାରତର ସ୍ଥାନ ୧୨୬। ତେଣୁ ଭାରତକୁ ଗୋଟିଏ ଦୁଃଖୀ ଦେଶ କୁହାଯାଇପାରେ। ହୁଏତ ମୋଟର ଜରିମାନା ସମ୍ପର୍କିତ ଆଚରଣକୁ ଦୃଷ୍ଟାନ୍ତ ଭାବେ ନେଲେ, ଏହା ଠିକ୍‌ ଲାଗିପାରେ। ତେବେ ଦୁଃଖୀ ଦେଶ ତାଲିକା ସକାଶେ ହାଙ୍କିସକୁ ଆଧାର କରି ୨୦୨୨ରେ ଏହା ପ୍ରସ୍ତୁତ କରାଯାଇଛି। ତଦନୁସାରେ ଏକ ନମ୍ବରରେ ରହି ସବୁଠୁ ଦୁଃଖୀ ହେଉଛି ଜିମ୍ବାଓ୍ବେ । ତେବେ ଫିନ୍‌ଲାଣ୍ଡ ଓ ଭାରତର ସ୍ଥାନ ଏଥିରେ ଯଥାକ୍ରମେ ରହିଛି ୧୦୯ ଓ ୧୦୩, ଅର୍ଥାତ ପ୍ରାୟତଃ ସମପରିମାଣରେ ଦୁଃଖୀ ବା ପ୍ରକାରାନ୍ତରେ ସୁଖୀ, କିନ୍ତୁ ସେହିବର୍ଷ ସୁଖୀ ତାଲିକାରେ ଫିନ୍‌ଲାଣ୍ଡ ଏକ ନମ୍ବରରେ ଥିବା ବେଳେ ଭାରତ ଥିଲା ୧୩୬ ସ୍ଥାନରେ। ଉକ୍ତ ଦୁଇ ପ୍ରକାର ତାଲିକା ପ୍ରବୀଣ ଅର୍ଥଶାସ୍ତ୍ରୀମାନେ ପ୍ରସ୍ତୁତ କରିଥିବା ବେଳେ ପରସ୍ପରର ବିପରୀତ ଫଳ ଦର୍ଶାଇଛନ୍ତି !
ଏଥିରୁ ସ୍ପଷ୍ଟ ହୁଏ ଯେ, ଅର୍ଥଶାସ୍ତ୍ରୀମାନେ ସୁଖ ଦୁଃଖ ପରି ଏକ ଅସ୍ପଷ୍ଟ ଇଲାକାରେ ପ୍ରବେଶ କରି ଯାହା କଳନା କରୁଛନ୍ତି, ତାହା ନିର୍ଭରଯୋଗ୍ୟ ନୁହେଁ। କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ଅର୍ଥନୀତିରେ ଉଚ୍ଚ ଶିକ୍ଷାପ୍ରାପ୍ତ ତଥା ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ମଣ୍ଡଳୀର ଉପଦେଷ୍ଟା ବିବେକ ଦେବରାୟ ମତ ଦେଇଛନ୍ତି ଯେ, ସୁଖ ଅପେକ୍ଷା ଦୁଃଖ ମାପିବା ଅଧିକ ଠିକ୍‌। ତାଙ୍କ ମତକୁ କେହି କେହି ସମର୍ଥନ କରି କହୁଛନ୍ତି ଯେ, ସୁଖ ଓ ଦୁଃଖ ହେଉଛି ମୂଳତଃ ଗୁଣ ବା ଅବସ୍ଥାବାଚକ ବିଶେଷ୍ୟ। ତେଣୁ ଏହା ସଂଖ୍ୟାରେ ପ୍ରକାଶ କରିବା ପ୍ରମାଦପୂର୍ଣ୍ଣ। ଯାଦୁକରମାନେ ଯେମିତି ଟୋପି ମଧ୍ୟରୁ ଅପ୍ରତ୍ୟାଶିତ ଭାବେ ଲୋକଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରି ଗୋଟିଏ ମୂଷା ବାହାର କରିଦିଅନ୍ତି, ଅର୍ଥଶାସ୍ତ୍ରୀମାନେ ସେମିତି ଏକ ସରଳ ପଦ୍ଧତି ଅବଲମ୍ବନ କରି ସୁଖ ମାପୁଛନ୍ତି। ଫିନ୍‌ଲାଣ୍ଡ ଏକ ଉନ୍ନତ ସମୃଦ୍ଧ ଦେଶ ହିସାବରେ ଓଇସିଡି (ଅର୍ଗାନାଇଜେଶନ ଅଫ୍‌ ଇକୋନୋମିକ କୋଅପରେଶନ ଆଣ୍ଡ ଡେଭଲପମେଣ୍ଟ)ର ସଦସ୍ୟଭୁକ୍ତ ହୋଇଛି। କିନ୍ତୁ ସଦ୍ୟ ପ୍ରକାଶିତ ତଥ୍ୟାନୁସାରେ ୟୁରୋପୀୟ ଦେଶଗୁଡ଼ିକ ମଧ୍ୟରେ ଆତ୍ମହତ୍ୟା ହାର ଅଧିକ। ସେଠାକାର ଲୋକେ ମାନସିକ ଅବସାଦଗ୍ରସ୍ତ ଅତ୍ୟଧିକ ଭାବେ। ମଦ୍ୟପାନ, ମାଦକଦ୍ରବ୍ୟ ସେବନରେ ଏହା ଅଗ୍ରଣୀ। ତଥାପି ଏହା ବିଶ୍ୱର ସର୍ବାଧିକ ସୁଖୀ ରାଷ୍ଟ୍ର ହେବା ବିଶ୍ୱାସଯୋଗ୍ୟ ନୁହେଁ। ଏହି ପ୍ରସଙ୍ଗ ଅଧିକ ଅନୁଧ୍ୟାନସାପେକ୍ଷ।
ମୋ: ୯୦୭୮୭୪୩୮୪୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri