ପୃଥିବୀ ହେବ ଉତ୍ତପ୍ତ ଘର

ଅନ୍ତର୍ଯ୍ୟାମୀ ପଟ୍ଟନାୟକ

ଉତ୍ତରାଖଣ୍ଡରେ ହିମଶୈଳ ଅଚାନକ ଫାଟି ବନ୍ୟା ଦୁର୍ବିପାକ ଆଣିବା ଘଟଣା ପାଣିପାଗ ବିଶେଷଜ୍ଞ ଓ ଭୌଗୋଳିକ ବିଜ୍ଞାନୀମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି। ତାପମାତ୍ରା ଶୂନ ଡିଗ୍ରୀ ତଳକୁ ଖସିବା ସହ ଗ୍ରୀଷ୍ମକାଳ ଆସିବାକୁ ଆହୁରି କିଛିଦିନ ବାକି ଥିବାବେଳେ ଶୀତ ଦିନରେ କ’ଣ ପାଇଁ ଓ କେଉଁ କାରଣ ଲାଗି ହିମଶୈଳ ଫାଟିଲା ତାହା ଭୂତତ୍ତ୍ୱବିତ୍‌ମାନଙ୍କ ପାଇଁ ବଡ଼ ଆଲୋଚନା ସୃଷ୍ଟି କରିଛି। ଜଳବାୟୁର ତାପମାତ୍ରା ନୁହେଁ ବରଂ ପାଣିପାଗରେ ପରିବର୍ତ୍ତନକୁ ବିଶେଷଜ୍ଞମାନେ ଦାୟୀ କରିଛନ୍ତି। ହିମଶୈଳ ୧୯୮୦ ବେଳକୁ ୨୪୩ ବର୍ଗ କିଲୋମିଟର ଥିବାବେଳେ ସର୍ବଶେଷ ତଥ୍ୟ ସଂଗ୍ରହ ହୋଇଥିବା ୨୦୧୭ ବେଳକୁ ୨୧୭ ବର୍ଗ କିଲୋମିଟରକୁ ଖସି ଆସିଛି। ହିମଶୈଳର ସର୍ବାଧିକ ହ୍ରାସ ପାଣିପାଗ ପରିବର୍ତ୍ତନ ପାଇଁ ବଡ଼ ଅଶୁଭ ସଙ୍କେତ। ପ୍ରାକ୍‌ ଶିଳ୍ପ ଯୁଗର ତାପମାତ୍ରାଠାରୁ ଯଦି ଆଉ ମାତ୍ର ୨ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ତାପମାନ ବଢ଼ିଯାଏ, ତେବେ ତାହାର ସୁଦୂରପ୍ରସାରୀ ପ୍ରଭାବ ପଡ଼ିବ ପୃଥିବୀ ଉପରେ। ପୃଥିବୀ ପରିଣତ ହୋଇପାରେ ଏକ ଉତ୍ତପ୍ତ ଗୃହରେ। ଆମେରିକାନ୍‌ ପ୍ରୋସିଡିଙ୍ଗସ୍‌ ଅଫ୍‌ ଦ ନ୍ୟାଶନାଲ ଏକାଡେମୀ ଅଫ୍‌ ସାଇନ୍ସେସରେ ସୋମବାର ପ୍ରକାଶ ପାଇଥିବା ‘ଟ୍ରାଜେକ୍ଟୋରିଜ୍‌ ଅଫ୍‌ ଦ ଆର୍ଥ ସିଷ୍ଟମ ଇନ୍‌ ଦ ଆନ୍ଥୋପୋସେନ’ ଶୀର୍ଷକ ପ୍ରବନ୍ଧରେ ଏମିତି ଆଶଙ୍କା ପ୍ରକାଶ କରିଛନ୍ତି କେତେକ ବୈଜ୍ଞାନିକ। ବୈଜ୍ଞାନିକମାନଙ୍କ ଆକଳନ ହେଲା ଉତ୍ତପ୍ତ ପୃଥିବୀର ତାପମାତ୍ରା ପ୍ରାକ୍‌ ଶିଳ୍ପ ଯୁଗର ତାପମାତ୍ରାଠାରୁ ଅଧିକ ୪ରୁ ୫ଡିଗ୍ରୀ ସେଣ୍ଟିଗ୍ରେଡ୍‌ରେ ସ୍ଥିର ରହିପାରେ। ଏହି ପ୍ରବନ୍ଧର ପ୍ରମୁଖ ଲେଖକ ତଥା ଅଷ୍ଟ୍ରେଲିଆନ୍‌ ନ୍ୟାଶନାଲ ୟୁନିଭର୍ସିଟିର ପ୍ରଫେସର ୱିଲ୍‌ ଷ୍ଟିଫେନ୍‌ କହନ୍ତି, ମଣିଷ ଛାଡ଼ୁଥିବା ସବୁଜଗୃହ ବାଷ୍ପ ବା ଗ୍ରୀନ୍‌ ହାଉସ ଗ୍ୟାସ କେବଳ ପୃଥିବୀର ତାପମାତ୍ରା ବୃଦ୍ଧି ନିର୍ଦ୍ଧାରଣ କରେନାହିଁ, ଏହାର ଅନ୍ୟାନ୍ୟ ମାନବିକ କାରଣ ବି ରହିଛି। ଏହାଯୋଗୁ ବିଶ୍ୱତାପନ ମାତ୍ର ୨ଡିଗ୍ରୀ ସେଣ୍ଟିଗ୍ରେଡ୍‌ ବୃଦ୍ଧି ପାଇଲେ ତାହା ପୃଥିବୀର ଅନ୍ୟ ବ୍ୟବସ୍ଥାଗତ ପ୍ରକ୍ରିୟାକୁ ପ୍ରଭାବିତ କରେ। ତାହା ପରୋକ୍ଷରେ ଅଧିକ ତାପମାତ୍ରା ବୃଦ୍ଧିର କାରଣ ହୁଏ। ଆଉ ଗ୍ରୀନ୍‌ହାଉସ ଗ୍ୟାସ ନ ଛାଡ଼ିଲେ ବି ପୂର୍ବ ପ୍ରକ୍ରିୟାରେ ପୃଥିବୀର ତାପମାତ୍ରା ବୃଦ୍ଧି ପାଏ।
ତାପମାତ୍ରା ବଢ଼ିଲେ ସମୁଦ୍ରର ଜଳସ୍ତର ୬୦ ମିଟର ବା ୧୯୭ ଫୁଟ ଉଚ୍ଚତା ଯାଏ ବୃଦ୍ଧି ପାଇପାରେ। ଏହା ହେଲେ ଉପକୂଳରେ ବସବାସ କରୁଥିବା ଲୋକମାନେ ବହୁଳ ଭାବେ କ୍ଷତିଗ୍ରସ୍ତ ହେବା ସହିତ ଆଭ୍ୟନ୍ତରୀଣ ଅଞ୍ଚଳକୁ ବିସ୍ଥାପିତ ହେବାକୁ ବାଧ୍ୟ ହେବେ। ଏ ବର୍ଷ ଗ୍ରୀଷ୍ମ ଋତୁରେ ୟୁରୋପ ଓ ଏସିଆରେ ବ୍ୟାପିଥିବା ବନାଗ୍ନି ଓ ତାପ ପ୍ରବାହରେ ଡଜନ ଡଜନ ଲୋକଙ୍କ ମୃତ୍ୟୁରୁ ଆଗାମୀ ସମୟରେ ପୃଥିବୀର କି ଅବସ୍ଥା ହେବ ତାହା ଅନୁମାନ କରାଯାଇପାରେ। ଏହି ପ୍ରବନ୍ଧ ଅନୁସାରେ ଥରେ ଆମେ ତାପମାତ୍ରାର ଅଫେରା ବିନ୍ଦୁରେ ପହଞ୍ଚତ୍ଗଲେ ତେଣିକି ଗତ ୧୨ ଲକ୍ଷ ବର୍ଷ ଭିତରେ ଆସିଥିବା ଯେ କୌଣସି ତୁଷାର ଯୁଗ ମଧ୍ୟବର୍ତ୍ତୀ ସମୟର ହାରାହାରି ତାପମାତ୍ରାଠାରୁ ପୃଥିବୀର ତାପମାତ୍ରା ଅଧିକ ହୋଇଯାଇପାରେ। ସେହିପରି ଏହି ତାପମାତ୍ରା ଯୋଗୁ ଗତ ୧୨ ହଜାର ବର୍ଷ ତଳେ ଶେଷ ହୋଇଥିବା ତୁଷାର ଯୁଗ ପରଠୁ ଗଡ଼ି ଆସିଥିବା ଅଭିନବ ଯୁଗ ବା ହୋଲୋସେନ ସମୟରେ ସମୁଦ୍ର ଜଳସ୍ତର ସର୍ବୋଚ୍ଚ ସ୍ତରକୁ ଉଠିପାରେ। ଅନେକ ବୈଜ୍ଞାନିକ ଯୁକ୍ତି କରନ୍ତି ଯେ, ଆମେ ଏକ ନୂଆ ଭୌଗୋଳିକ ଯୁଗ ମଧ୍ୟକୁ ପ୍ରବେଶ କରିସାରିଛୁ। ଏହାକୁ ସେମାନେ ‘ଆନ୍ଥୋପୋସେନ’ ଯୁଗ ବୋଲି କହୁଛନ୍ତି। ଏହି ଯୁଗରେ ପୃଥିବୀ ଉପରେ ମାନବିକ କାର୍ଯ୍ୟକଳାପର ସିଧାସଳଖ ପ୍ରଭାବ ପଡ଼ୁଛି। ଏବେ ବିଶ୍ୱର ହାରାହାରି ତାପମାତ୍ରା ପ୍ରାକ୍‌ ଶିଳ୍ପ ଯୁଗର ତାପମାତ୍ରାଠାରୁ ୧ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ଅଧିକ। ପ୍ରତି ଦଶନ୍ଧିରେ ଏହା ୦.୧୭ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ବୃଦ୍ଧି ପାଉଛି। ଏ ସମ୍ପର୍କରେ ୟୁନିଭର୍ସିଟି ଅଫ କୋପେନହାଗେନର ବୈଜ୍ଞାନିକ କାଥେରାଇନ୍‌ ରିଚାର୍ଡସନ କୁହନ୍ତି, ଆମେ ସବୁବେଳେ ଅନୁଭବ କରିଆସିଛୁ ଯେ ଗୋଟେ କିଛି ଅଫେରା ବିନ୍ଦୁ ରହିଥାଇପାରେ। ଏହାର ଅର୍ଥ ହେଲା ଆମେ ଯଦି ଏହାକୁ ରୋକିପାରିବୁ ନାହିଁ ଆମେ ନିଶ୍ଚୟ ଏକ ଭୟଙ୍କର ନର୍କରେ ପ୍ରବେଶ କରିବୁ। ହାରାହାରି ତାପମାତ୍ରା ୪ରୁ ୫ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ଓ ହାରାହାରି ସମୁଦ୍ର ସ୍ତର ୧୦ରୁ ୬୦ ମିଟର ବୃଦ୍ଧି ପାଇଲେ ଆମ ସମାଜ ଏବେ ଯେମିତି ଅଛି ସେମିତି ଆଉ ରହିବ ନାହିଁ। ସରଳରେ କହିଲେ ଏହା ଆମ ସମାଜ ପାଇଁ ଅସହ୍ୟ ହୋଇଯିବ। ଏଭଳି ପାଗ ପରିବର୍ତ୍ତନର ମୁକାବିଲା କରିବା ପାଇଁ ୨୦୧୫ ମସିହାରେ ପ୍ୟାରିସ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ପ୍ରାୟ ୨୦୦ ଦେଶ ଏଥିରେ ସ୍ବାକ୍ଷର କରିଥିଲେ। କଥା ଥିଲା ପ୍ରାକ୍‌ ଶିଳ୍ପ ଯୁଗର ତାପମାତ୍ରାଠାରୁ ଯେପରି ଅଧିକ ୨ଡିଗ୍ରୀ ତାପମାତ୍ରା ବୃଦ୍ଧି ନ ପାଏ ସେ ଦିଗରେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବେ। କିନ୍ତୁ ପରେ ଏହି ଚୁକ୍ତିରୁ ଆମେରିକା ଓହରିଯିବା ଫଳରେ ଏହି ଉଦ୍ୟମ ବାଧାପ୍ରାପ୍ତ ହୋଇଛି। ଏହି ପ୍ରବନ୍ଧରେ କାର୍ବନ ସିଙ୍କ ବା ଅଙ୍ଗାରକ ଶୋଷଣ ପ୍ରକ୍ରିୟା ଦୁର୍ବଳ ହେବା, ଜଙ୍ଗଲ ଲୋପ ପାଇବା, ତୁଷାର ତରଳିବା, ଜୀବାଣୁ ଶ୍ୱାସକ୍ରିୟା ବୃଦ୍ଧି ପାଇବା ଆଦି ପାଗ ପରିବର୍ତ୍ତନ ପରିମାପକଗୁଡ଼ିକର ମିଳିତ ପରିମାଣ କ’ଣ ହେବ ତାହା ଉଲ୍ଲେଖ କରାଯାଇଛି। ପ୍ରବନ୍ଧର ଅନ୍ୟତମ ଲେଖକ ତଥା ପୋଟଡାମ ଇନ୍‌ଷ୍ଟିଚ୍ୟୁଟ ଫର କ୍ଲାଇମେଟ ଇମ୍ପାକ୍ଟ ରିସର୍ଚ୍ଚର ସହାଧ୍ୟକ୍ଷ ଜୋହାନ ରକଷ୍ଟ୍ରମ କୁହନ୍ତି, ଏସବୁ ନିର୍ଦ୍ଧାରକ ପାଗ ପରିବର୍ତ୍ତନ ଉପରେ ସୁଦୂରପ୍ରସାରୀ ପ୍ରଭାବ ପକାଇପାରିବେ। ଗୋଟିଏକୁ ଠେଲିଲେ ତାହା ପୃଥିବୀକୁ ଆଉ ଗୋଟାକ ଆଡ଼କୁ ଠେଲି ଦେବ। ଏବେ ଏହିସବୁ ପ୍ରକ୍ରିୟାର ଶୃଙ୍ଖଳାକୁ ବନ୍ଦ କରିବା ଅତ୍ୟନ୍ତ କଷ୍ଟକର ବା ଅସମ୍ଭବ। ତେଣୁ ଉତ୍ତପ୍ତ ପୃଥିବୀ ଘର ଯଦି ବାସ୍ତବତାରେ ପରିଣତ ହୁଏ ତେବେ ପୃଥିବୀର ଅନେକ ଅଞ୍ଚଳ ଆଉ ବାସୋପଯୋଗୀ ହୋଇ ରହିବ ନାହିଁ।
ପାରାଦୀପ, ମୋ :୯୪୩୭୦୨୨୦୬୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri