ଶିକ୍ଷା, ଶିକ୍ଷାର୍ଥୀ ଓ ମାତାପିତା

ଡ. ମନୋରଞ୍ଜନ ପ୍ରଧାନ

ଗୋଟିଏ ପରମ ବୈଭବଶାଳୀ ରାଷ୍ଟ୍ରର ଆଧାର ହେଉଛି ତା’ର ସମର୍ଥ, ସଶକ୍ତ, ସଂସ୍କାରଯୁକ୍ତ ଓ ଶୃଙ୍ଖଳିତ ଭବିଷ୍ୟତ ପିଢ଼ି। ଦେଶର ଭାବୀ ନାଗରିକଗଣ ଯେପରି ସଦାଚାରୀ, ସ୍ବାଭିମାନୀ, ଶୃଙ୍ଖଳିତ, କର୍ତ୍ତବ୍ୟନିଷ୍ଠ ଓ ସକଳ ସଦ୍‌ଗୁଣ ଅଧିକାରୀ ହୋଇ ନିଜର, ନିଜ ପରିବାରର, ରାଷ୍ଟ୍ରର ଓ ସାରା ମାନବ ସମାଜର ମଙ୍ଗଳ ପାଇଁ ନିଜକୁ ସମର୍ପି ପାରିବେ ତାହା ସମ୍ପୂର୍ଣ୍ଣ ରାଷ୍ଟ୍ରର ଦାୟିତ୍ୱ। କିନ୍ତୁ ଏହି ଗୁରୁଦାୟିତ୍ୱ କେବଳ ଉପଯୁକ୍ତ ଶିକ୍ଷା ଦ୍ୱାରା ହିଁ ସମ୍ଭବ। ଉପଯୁକ୍ତ ଶିକ୍ଷା କହିଲେ, ଯାହା ପିଲାମାନଙ୍କର ଭୌତିକ ବିକାଶ ସହିତ ପିଲାଙ୍କ ନୈତିକ, ଚୈତିକ ଓ ଆଧ୍ୟାତ୍ମିକ ବିକାଶ କରିବାରେ ସମର୍ଥ। ତେଣୁ ମହାତ୍ମା ଗାନ୍ଧୀ କହନ୍ତି, ଶିକ୍ଷା ହେଉଛି ଶିଶୁ ଓ ବ୍ୟକ୍ତିର ଶରୀର, ମନ ଓ ଆତ୍ମାର ସର୍ବୋତ୍କୃଷ୍ଟ ବିକାଶ। ହେଲେ ପିଲାଙ୍କୁ ସଂସ୍କାରଯୁକ୍ତ ଶିକ୍ଷା ପ୍ରଦାନ ଚାରୋଟି ମୁଖ୍ୟ ସ୍ତମ୍ଭ ଉପରେ ନିର୍ଭରଶୀଳ; ଯଥା-ଶିକ୍ଷାର୍ଥୀ, ଶିକ୍ଷକ, ଅଭିଭାବକ ଓ ଶାସନ/ପ୍ରଶାସନ ତଥା ପରିଚାଳନା ସମିତି। ଅର୍ଥାତ୍‌ ଏହି ଚାରିସ୍ତମ୍ଭ ସୁଦୃଢ ଓ ସଶକ୍ତ ହୋଇପାରିଲେ ଶିକ୍ଷାରୂପକ ଅଟ୍ଟାଳିକାଟି ଏକ ପୂର୍ଣ୍ଣାଙ୍ଗ ମାନବ ତିଆରି ସାମାଜିକ ଶିଳ୍ପଭାବେ କାମ କରିପାରିବ। ତେବେ ଏଠାରେ ଶିକ୍ଷା, ଶିକ୍ଷାର୍ଥୀ ଓ ଶିକ୍ଷାଳୟ ପାଇଁ ଅଭିଭାବକଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିବା।
ଦିନଥିଲା ପିଲାମାନଙ୍କ ଶିକ୍ଷା ସମ୍ପୂର୍ଣ୍ଣ ରୂପେ ପରିବାର ଉପରେ ନିର୍ଭର କରୁଥିଲା। ପରିବାରର ସଦସ୍ୟଙ୍କ ସହାୟତାରେ ପିଲାମାନେ ଅକ୍ଷର ଜ୍ଞାନଠାରୁ ସାମାଜିକ ଚଳଣି ଓ କୌଳିକ ବୃତ୍ତି ଶିକ୍ଷା କରୁଥିଲେ। କୁହାଯାଏ ଶିକ୍ଷା ଏକ ଜୀବନ ବ୍ୟାପୀ ପ୍ରକ୍ରିୟା; ଯାହା କି ଗର୍ଭ ସଞ୍ଚାରରୁ ଆରମ୍ଭ ହୋଇ ଶ୍ମଶାନ ଭୂଇଁକୁ ଗଲାଯାଏ ଚାଲିଥାଏ। ଅର୍ଥାତ୍‌ ଜନ୍‌ ଡୁଇଙ୍କ ମତରେ, ଜୀବନ ହିଁ ଶିକ୍ଷା ଓ ଶିକ୍ଷା ହିଁ ଜୀବନ। ତେବେ ଶିକ୍ଷାକୁ ଆଜୀବନ ପ୍ରକ୍ରିୟା ଭାବେ ପିଲାଙ୍କୁ ପରିଚିତ ଓ ପ୍ରୋତ୍ସାହିତ କରେଇବାରେ ପରିବାର ବିଶେଷକରି ମାତାପିତାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ସେମାନଙ୍କଠାରୁ ପିଲା ସାମାଜିକ ସଂସ୍କାର, ନୈତିକ ମୂଲ୍ୟବୋଧ, ଚରିତ୍ର ଗଠନ ଓ ଆଧ୍ୟାତ୍ମିକ ବିଚାର ସମ୍ବନ୍ଧରେ ଶିକ୍ଷାଲାଭ କରିଥାଏ; ଯାହା କି ଏକ ଶୃଙ୍ଖଳିତ ଜୀବନ ଓ ଜୀବିକା ନିର୍ବାହରେ ଅହରହ ସହାୟତା କରିଥାଏ। ସେଥିପାଇଁ ପେଷ୍ଟଲୋଜୀ କହନ୍ତି- ଶିଶୁର ଶିକ୍ଷା ମାତୃ ସ୍ତନ୍ୟପାନ ଓ ପିତାଙ୍କ ଚୁମ୍ବନରୁ ହୋଇଥାଏ, ହେଲେ ଆଜି କିନ୍ତୁ ଏଥିରେ କିଛି ବ୍ୟତିକ୍ରମ ଦେଖାଦେଇଛି। ଶିକ୍ଷା କେବଳ ଔପଚାରିକ ତଥା ଆନୁଷ୍ଠାନିକ ପ୍ରକ୍ରିୟା ଭିତରେ ମୁଖତଃ ସୀମିତ ରହିଛି। ପିଲାଙ୍କ ଶିକ୍ଷା ଦାୟିତ୍ୱ ପ୍ରାୟତଃ ଶିକ୍ଷାନୁଷ୍ଠାନ ଓ ଶିକ୍ଷକଙ୍କ ଉପରେ ଛାଡ଼ିଦିଆଯାଇଛି। ଆଉ ଶିକ୍ଷା ଜ୍ଞାନ, ବୁଦ୍ଧି, ପ୍ରଜ୍ଞା ଓ ସଂସ୍କାରର ଉନ୍ମେଷ ତଥା ବିକାଶ ବଦଳରେ ମାର୍କ, ଗ୍ରେଡ ଓ ତଥ୍ୟଘୋଷା ମଧ୍ୟରେ ସୀମିତ ରହିଛି। ମାତାପିତାମାନେ ଭଲ ମଣିଷ ପରିବର୍ତ୍ତେ ପିଲାଙ୍କୁ ବଡ ଚାକିରିଆ କରିବାକୁ ବ୍ୟସ୍ତ ଓ ବ୍ୟାକୁଳ। ସଥିପାଇଁ ପିଲାଙ୍କ ସାମର୍ଥ୍ୟ, ରୁଚି, ଆବଶ୍ୟକତା ଓ ଆଗ୍ରହକୁ ଅଣଦେଖା କରି ନିଜ ଈପ୍ସିତ ଲକ୍ଷ୍ୟ ପୂରଣ ପାଇଁ ପିଲାଙ୍କୁ ବାଧ୍ୟ କରନ୍ତି। ଏପରି କି ପିଲାଙ୍କ ବିଷୟ ଚୟନ ସେମାନଙ୍କ ଇଚ୍ଛାନୁସାରେ ହୋଇଥାଏ।
ରାଜ୍ୟରେ ଯୁକ୍ତ ଦୁଇ ଓ ତିନି ପାଇଁ ନାମଲେଖା ବେଳେ ପିଲାଙ୍କ ମତାମତ ଆମକୁ ଚିନ୍ତାରେ ପକେଇଦିଏ। କିଛି ପିଲା ଓଡ଼ିଆ, ଇଂଲିଶ, ସାମାଜିକ ବିଜ୍ଞାନରେ ଭଲ ନମ୍ବର ରଖିଛନ୍ତି କିନ୍ତୁ ଗଣିତ ଓ ବିଜ୍ଞାନରେ ଭଲ ନମ୍ବର ରଖି ନ ଥିଲେ ବି ବିଜ୍ଞାନରେ ନାମ ଲେଖେଇବାକୁ ତତ୍ପର। କେତେଜଣଙ୍କୁ ପଚାରିଲି ଏହାର କାରଣ। ପିଲାଙ୍କ ଉତ୍ତର ଥିଲା ମାଆବାପା କହୁଛନ୍ତି ସାଇନ୍ସ ପଢ଼ିବାକୁ। ଅଭିଭାବକମାନଙ୍କୁ ଯେତେବେଳେ ଏହାର କାରଣ ପଚାରିଲି ସେମାନଙ୍କ ମତ ଅନେକ ଥିଲା- ପିଲା ମୋର ଫାଷ୍ଟ୍‌ କ୍ଲାସ ପାଇଛି/ପିଲାର ସାଙ୍ଗସାଥୀ ସାଇନ୍ସ ନେଉଛନ୍ତି ତ ମୋ ଛୁଆ ବି ପଢ଼ିବ/ଆର୍ଟସ୍‌ ଅପେକ୍ଷା ସାଇନ୍ସରେ ଚାକିରି ସୁଯୋଗ ବେଶି ଏପରି କି କେହି କେହି ମତ ଦିଅନ୍ତି, ମୁଁ ସାଇନ୍ସ ପଢ଼ିବାରୁ ବଞ୍ଚିତ ହୋଇଥିଲି ତ ପିଲାଟି ପଢ଼ି ଡାକ୍ତର ବା ଇଞ୍ଜିନିୟର ହେଉ ମୋର ସ୍ବପ୍ନ। ଅର୍ଥାତ୍‌ ବିଷୟ ଚୟନ ପିଲାର ଦକ୍ଷତା ବା ରୁଚି ଆଧାରରେ ନ ହୋଇ ମାଆବାପାଙ୍କ ଈପ୍ସିତ ଇଚ୍ଛା ଉପରେ ନିିର୍ଭର କରୁଛି; ଫଳରେ ଏହା ମଧ୍ୟ ଦେଖିବାକୁ ମିଳୁଛି କି ପିଲାମାନେ ଫେଲ୍‌ ହୋଇ ବାରମ୍ବାର ପରୀକ୍ଷା ଦେଉଛନ୍ତି ଅଥବା ପୁଣି ଅନ୍ୟ ପାଠ୍ୟକ୍ରମରେ ନାମ ଲେଖାଉଛନ୍ତି। ଏହା ସ୍ପଷ୍ଟ କରୁଛି ମାତାପିତାଙ୍କ ସମ୍ବେଦନଶୀଳତାର ଅଭାବବୋଧକୁ।
ପାଠପଢ଼ା କଥା ଛାଡ଼ି ଦିଅନ୍ତୁ ଏପରି କି ପିଲାଙ୍କ କଲେଜରେ ନାମଲେଖା ବେଳେ ମଧ୍ୟ ଅଭିଭାବକ ଉପସ୍ଥିତ ରହୁନାହାନ୍ତି। ବହୁ ସମୟରେ ପିଲାମାନେ ନିଜ ସାଙ୍ଗସାଥୀ ଅଥବା ସମ୍ପର୍କୀୟ ଭାଇମାନଙ୍କୁ ଅଭିଭାକଭାବେ ଦେଖେଇଥାନ୍ତି। ଆଉ ଅଭିଭାବକ ସମ୍ମିଳନୀରେ ସେମାନଙ୍କ ଉପସ୍ଥିତି ହାର ସମ୍ପର୍କରେ ନ କହିଲେ ଭଲ। ଏହା ଅଭିଭାବକମାନଙ୍କ ବେପରୁଆ ମନୋଭାବର ପରିଚୟ ନିଶ୍ଚୟ। ଫଳରେ କଲେଜ ପଢୁଆ ପିଲାମାନେ ବହୁ ସମୟରେ ଅବାଟରେ ପଳେଇଯାନ୍ତି। ତେବେ ଶିକ୍ଷାର ବିକାଶ କ୍ଷେତ୍ରରେ ମାତାପିତାଙ୍କ ଭୂମିକା କେତେ ଯେ ଗୁରୁତ୍ୱପୂର୍ଣ୍ଣ ଏହା ସେମାନେ ବୁଝିବା ଦରକାର। ବିଶେଷକରି କୈଶୋର ଅବସ୍ଥାରେ ପିଲାଙ୍କ ସହ ମିତ୍ରତାଭାବ ପ୍ରଦର୍ଶନ ପୂର୍ବକ ସେମାନଙ୍କ ମାନସିକତା, ଆଚାର ବ୍ୟବହାର ଓ ଦିନଚର୍ଯ୍ୟା ସମ୍ବନ୍ଧରେ ନଜର ରଖିବା ନିତାନ୍ତ ଆବଶ୍ୟକ।

ପିଲାଙ୍କ ଶିକ୍ଷା ପାଇଁ ଅଭିଭାବକଙ୍କ ଭୂମିକା କ’ଣ ?
ପ୍ରଥମତଃ, ଅଭିଭାବକ ବା ମାତାପିତାମାନେ ନିଜ ପିଲାଙ୍କୁ ବଡ଼ ଚାକିରିଆ କରି ଅର୍ଥ ଉପାର୍ଜନର ମଶିନ ଭାବିବା ପରିବର୍ତ୍ତେ ପିଲାମାନେ କିପରି ସଂସ୍କାରଯୁକ୍ତ ଭଲ ମଣିଷ ହୋଇପାରିବେ ସେଥିପାଇଁ ବିଶେଷ ଧ୍ୟାନଦେବା ଉଚିତ। ପରୀକ୍ଷାରେ ନିଜ ପିଲାଙ୍କ ନମ୍ବର ବୃଦ୍ଧି ପାଇଁ ଥିବା ବ୍ୟାକୁଳ ଓ ବିବଶ ହେବା ଅପେକ୍ଷା ସେମାନଙ୍କୁ ଭଲ ମଣିଷ କରିବାକୁ ଚେଷ୍ଟା କରନ୍ତୁ। ମାର୍କ ସମ୍ବନ୍ଧରେ ଗିଲ୍‌ବର୍ଟ କହନ୍ତି, ଶିକ୍ଷାର ସବୁଠାରୁ ମିଛ ହେଉଛି ଅଧିକ ମାର୍କ ରଖିବା। କାରଣ ଘୋଷି ଘୋଷି ମାର୍କ ରଖିବା ଉଦ୍ଦେଶ୍ୟରେ ନିଜର ମସ୍ତିଷ୍କକୁ ମେଶିନ ଭଳି କରିଥିବା ଟପ୍‌ ଟେନ୍‌ ପିଲାମାନେ କେବଳ ଆଜ୍ଞାଧୀନ କର୍ମଚାରୀ ହୋଇପାରନ୍ତି କିନ୍ତୁ କର୍ମକ୍ଷେତ୍ରରେ ବଡ଼ ନିଷ୍ପତ୍ତି ନେଇପାରନ୍ତି ନାହିଁ।
ଦ୍ୱିତୀୟତଃ, ସେମାନେ ଚାଷୀର ଅଭୀପ୍ସା ଓ ସ୍ବପ୍ନ ନ ରଖି ମାଳି ଭଳି ଆଚରଣ କରିବା ଉଚିତ। କାରଣ ବଗିଚାରେ ଫୁଲର ଆକାର, ରଙ୍ଗ ଓ ସ୍ବରୂପ କିପରି ହେବ ଫୁଲଗଛର ସାମର୍ଥ୍ୟ ଓ ପ୍ରକୃତି ଉପରେ ନିର୍ଭର କରେ। ତେଣୁ ରବୀନ୍ଦ୍ର ନାଥ ଟାଗୋର କହନ୍ତି, ତୋମରା କେଉ ଫୁଲ ଫୋଟାତେ ପାରବେନ୍ନା, କେନୋନା ଯେ ଫୋଟେ ସେ ଅପନି ଫୋଟେ। ଅର୍ଥାତ୍‌ ମାତାପିତା ପିଲାଙ୍କ ଦକ୍ଷତା ବାହାରେ ଆଶା କରିବା ଉଚିତ ନୁହେଁ କି ନିଜ ଅଖଣ୍ଡ ପ୍ରଭୁତ୍ୱ ଓ ନିଜ ସ୍ବପ୍ନକୁ ସାକାର କରିବା ଲକ୍ଷ୍ୟରେ ପିଲାଙ୍କୁ ସାଧନ ସଜେଇବା ଉଚିତ ନୁହେଁ। ସ୍ବାମୀ ବିବେକାନନ୍ଦ କୁହନ୍ତି, କଠୋର ପ୍ରହାର ଦ୍ୱାରା ଗଧକୁ ଘୋଡ଼ାରେ ପରିଣତ କରିବାର ଅପଚେଷ୍ଟା କଲାଭଳି ଶିଶୁକୁ ଶିକ୍ଷାଦେବା ପାଇଁ ଯେଉଁ ପଦ୍ଧତିର ଲକ୍ଷ୍ୟ, ସେପରି ଶିକ୍ଷା ପଦ୍ଧତି ଅନାବଶ୍ୟକ।
ମନେପଡ଼େ ଗପଟିଏ। ଜଣେ ଭଦ୍ରଲୋକ ନିରାଶ ହୋଇ ଗୁରୁଙ୍କୁ କହିଲେ- ଆଜ୍ଞା, ମୁଁ ଅନୁଶାସନପ୍ରିୟ ହେତୁ ମୋ ପିଲାମାନକୁ ଶୃଙ୍ଖଳିତ ଓ ସଂସ୍କାରୀ କରିବାକୁ କଠୋର ଶୃଙ୍ଖଳା ରଖିଲି। ଭାବିଥିଲି ସେମାନେ ବହୁତ ପାଠପଢ଼ି ବଡ଼ ଚାକିରି କରିବେ। କିନ୍ତୁ କିଛି ଲାଭ ହେଲାନାହିଁ। ଏତେ ପ୍ରଚେଷ୍ଟା ସତ୍ତ୍ୱେ ଜଣେ ପିଲା କ୍ରିକେଟର ଆଉ ଜଣେ ସମାଜସେବୀ ହେବି କହୁଛି। ମୋ ତପସ୍ୟା ବେକାର। ଗୁରୁ କହିଲେ- ଈଶ୍ୱର ଆପଣଙ୍କୁ ଗୋଟେ ମାଳୀ କରି ପୃଥିବୀକୁ ପଠେଇଛନ୍ତି କିନ୍ତୁ ଆପଣ ଜଣେ ଚାଷୀଭଳି ହେବାକୁ ଚାହୁଁଛନ୍ତି। ଈଶ୍ୱର ଏ ପୃଥିବୀକୁ ଏକ ଉଦ୍ୟାନଭଳି ଦେଖିବାକୁ ଚାହାନ୍ତି। ସେଥିଲାଗି ସେ ଉଦ୍ୟାନରେ ବିଭିନ୍ନ ରଙ୍ଗ ଓ ସୌରଭର ଫୁଲଗଛ ସହ ବିଭିନ୍ନ ପ୍ରକାରର ଫଳଗଛ ଏପରି କି ବିଭିନ୍ନ ପ୍ରକାରର ସପ୍ତଫେଣୀଯୁକ୍ତ ବିବିଧ ରଙ୍ଗଭରା ପୃଥିବୀ ଗଢ଼ିବାକୁ ଚାହୁଁଛନ୍ତି। କିନ୍ତୁ ଆପଣ ଚାଷୀ ଭଳି ସମାନ ଫସଲ କରିବାକୁ ଚାହୁଁଛନ୍ତି। ଏହା ଈଶ୍ୱରଙ୍କ ଇଚ୍ଛାର ବିରୋଧାଭାସ ।
ଅର୍ଥାତ୍‌ ପିଲାଙ୍କ ପ୍ରତିଭାକୁ ଚିହ୍ନନ୍ତୁ ଓ ପ୍ରତିଭା ଆଧାରରେ ସେମାନଙ୍କୁ ବଢ଼ିବାକୁ ଦିଅନ୍ତୁ। ନଚେତ୍‌ ବାର ବରଷର ତପସ୍ୟା ଶୁକୁଆ ପୋଡ଼ାରେ ଯିବ।
ତୃତୀୟତଃ, ପିଲାଙ୍କ ଦିନଚର୍ଯ୍ୟା ସମ୍ବନ୍ଧରେ ମାତାପିତା ସମ୍ପୂର୍ଣ୍ଣ ଅବଗତ ହେବା ଦରକାର। ଚତୁର୍ଥତଃ, ମାତାପିତାମାନେ ସ୍କୁଲ ଓ କଲେଜର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ ନିୟମିତ ସମ୍ପର୍କରେ ରହିବା ଦରକାର। ପଞ୍ଚମତଃ, ଅଭିଭାବକମାନେ କୈଶୋରାବସ୍ଥାରେ ପିଲାଙ୍କୁ ଜାଣିବା, ବୁଝିବା ଓ ସେମାନଙ୍କୁ ଠିକ୍‌ ମାର୍ଗଦର୍ଶନ ଦେବା ଅତ୍ୟନ୍ତ ପ୍ରୟୋଜନ। ସର୍ବୋପରି ପିଲା ନିଜକୁ ଜଣେ ଉତ୍ତମ ଓ କର୍ମଠ ଛାତ୍ର ଭାବରେ କିପରି ପ୍ରସ୍ତୁତ କରିପାରିବ ସେଥିପ୍ରତି ସମ୍ବେଦନଶୀଳ ହେଲେ ଆମ ଭବିଷ୍ୟତ ବଂଶଧରମାନେ ଭଲ ଶିକ୍ଷା ପ୍ରାପ୍ତ ସହ ଦେଶ ଓ ମାନବ ସମାଜର କଲ୍ୟାଣ କରିପାରିବେ।

ଅଧ୍ୟାପକ, ସରକାରୀ ମହିଳା ମହାବିଦ୍ୟାଳୟ, ଜୟପୁର, କୋରାପୁଟ, ମୋ-୯୪୩୭୯୧୪୮୧୮


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri