ଆନ୍ଦୋଳନରୁ ଓହରିଲେ ଡ୍ରାଇଭର

ଭୁବନେଶ୍ୱର,୭।୧(ଅନିଲ ଦାସ): କେନ୍ଦ୍ର ସରକାରଙ୍କ ହିଟ୍‌ ଆଣ୍ଡ ରନ୍‌କୁ ନେଇ ହୋଇଥିବା ନୂଆ ଆଇନ ଓ ଦୀର୍ଘଦିନ ଧରି ରାଜ୍ୟ ସରକାରଙ୍କ ନିକଟରେ କରାଯାଇଥିବା ଦାବିକୁ ନେଇ ଓଡ଼ିଶା ଡ୍ରାଇଭର ସଂଘ ଚଳାଇଥିବା ଷ୍ଟିୟରିଂ ଛାଡ଼ ଆନ୍ଦୋଳନରୁ ଓହରି ଯାଇଛି। ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରି ଯାଇଥିବା ସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଳି କହିଛନ୍ତି। ଏଥିସହିତ ଡ୍ରାଇଭରମାନଙ୍କୁ ଆନ୍ଦୋଳନରୁ ଓହରି ନିଜ କାର୍ଯ୍ୟରେ ଯୋଗଦେବାକୁ ସେ ଆହ୍ବାନ ଦେଇଛନ୍ତି। ରାଜ୍ୟ ସରକାର ଦାବି ଶୁଣିଥିବାରୁ ଆନ୍ଦୋଳନରୁ ଓହରି ଯିବାକୁ ସେ ଭିଡିଓ ବାର୍ତ୍ତା ଜାରିକରି କହିଛନ୍ତି। ହିଟ୍‌ ଆଣ୍ଡ ରନ୍‌ ଆଇନକୁ ବିରୋଧ କରି ୨୮ଟି ରାଜ୍ୟ ଆନ୍ଦୋଳନରେ ସାମିଲ ହେଉ ନ ଥିବାରୁ ଆମେ ଓହରିଗଲୁ । ସୋମବାର କେନ୍ଦ୍ର ଆଇନ ବିଷୟରେ ଆଲୋଚନା କରିବୁ ବୋଲି ସେ କହିଛନ୍ତି।
ଆନ୍ଦୋଳନ ସ୍ଥଗିତ ନେଇ ରାଜ୍ୟ ପରିବହନ କମିଶନର ଅମିତାଭ ଠାକୁର ମଧ୍ୟ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଡ୍ରାଇଭର ସଂଘ ଆନ୍ଦୋଳନରୁ ଓହରି ଯାଇଛି। ରାଜ୍ୟ ସରକାରଙ୍କଠାରେ ଥିବା ସେମାନଙ୍କ ଦାବି ପୂରଣ ହୋଇଛି। ଗାଡ଼ି ଚଳାଚଳ ସ୍ବାଭାବିକ କରିବାକୁ ସଂଘ ସବୁ ଜିଲାକୁ ଜଣାଇଛି।
ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁ ଶନିବାର ରାଜ୍ୟରେ ପେଟ୍ରୋଲ, ଡିଜେଲ, କ୍ଷୀର ସମେତ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଅଭାବ ପରିଲକ୍ଷିତ ହୋଇଥିଲା। ଏହି ଆନ୍ଦୋଳନ ପ୍ରଭାବରେ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଲୋଡ଼ିଂ ୭୫% କମିଥିବା ବେଳେ ପେଟ୍ରୋଲ ପମ୍ପରେ ତେଲ ପାଇଁ ପ୍ରବଳ ଭିଡ଼ ଦେଖାଦେଇଥିଲା। ଲୋକମାନେ ବିକଳରେ ତେଲ କିଣୁଥିବାରୁ ଟାଙ୍କିରେ ମହଜୁଦ ତେଳ ଶେଷ ହୋଇଯିବା ଆଶଙ୍କା ଦେଖାଦେଇଥିଲା।
ସାରା ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନର ପ୍ରଭାବ ସବୁଠି ଦେଖିବାକୁ ମିଳିଛି। ଏଥିଯୋଗୁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପରିବହନରେ ବାଧା ସୃଷ୍ଟି ହୋଇଥିଲା। ଓମ୍‌ଫେଡ କ୍ଷୀର ବଜାରକୁ ଆସିପାରି ନ ଥିଲା। ସେହିପରି କଟକ ନେତାଜୀ ବସ୍‌ ଟର୍ମିନାଲରେ ବସ୍‌ ଚଳାଚଳ ବନ୍ଦ ରହିବା ଯୋଗୁ ଯାତ୍ରୀମାନେ ହଇରାଣ ହରକତ ହୋଇଥିଲେ। ମୋ ବସ୍‌ ଚଳାଚଳ କରୁଥିବାରୁ ସେଥିରେ ଅଧିକ ଭିଡ଼ ଦେଖିବାକୁ ମିଳିଥିଲା।
ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ବିଭିନ୍ନ ରୁଟ୍‌ରେ ବସ୍‌ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିଲା। ସାରା ଓଡ଼ିଶାରେ ଗାଡ଼ି ଚଳାଚଳ ବନ୍ଦ ଥିଲା। ରାଜ୍ୟ ସରକାର ଏକ କମିଟି ଗଠନ କରି ଡ୍ରାଇଭରଙ୍କ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ତାହାକୁ କାର୍ଯ୍ୟକାରୀ ନ କରିବାରୁ ଡ୍ରାଇଭରମାନେ ଗାଡ଼ି ଚଳାଇବା ବନ୍ଦ କରିଥିଲେ।