କ୍ଷତି ସହୁଛନ୍ତି ବିସ୍ଥାପିତ

ବନ୍ତଳା,୧୫ା୨: ଡେରଜାଙ୍ଗ ଡ୍ୟାମ୍‌ବୁଡ଼ି ଅଞ୍ଚଳର ୩୦ କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାର ବନ୍ତଳା ଥାନା ବଡ଼କେରା ପଞ୍ଚାୟତ ଗୁରଙ୍ଗ କରଡ଼ାବଣିରେ ଥଇଥାନ କରିଥିଲେ। ଘର ପାଇଁ ଜାଗା ସହ ଜୀବିକା ନିର୍ବାହ ନିମନ୍ତେ ଜମି ଦେଇଥିଲେ। ନିକଟସ୍ଥ ଗୁରଙ୍ଗ ଡ୍ୟାମ୍‌ରୁ ଜଳସେଚନ ସୁବିଧା ଥିବାରୁ ସରକାରଙ୍କ ପ୍ରଦତ୍ତ ଜମିରେ ବର୍ଷସାରା ଫସଲ ଫଳାଉଥିଲେ କ୍ଷତିଗ୍ରସ୍ତ। ୨୦୦୫ରେ ୧୦ ଲକ୍ଷ ଟଙ୍କା ବ୍ୟୟରେ କଂକ୍ରିଟ୍‌ କେନାଲ ନିର୍ମାଣ ପରେ ଚାଷ କାର୍ଯ୍ୟ ଆହୁରି ଆଗେଇଥିଲା। ହେଲେ ୨ ବର୍ଷ ତଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କଂକ୍ରିଟ୍‌ କେନାଲକୁ ପୋତି ରାସ୍ତା ନିର୍ମାଣ କରାଯାଇଛି। ଏଥିଯୋଗୁ ୧୦୦ ଏକର ଜମି ପଡ଼ିଆ ପଡ଼ିଥିବାରୁ ପୁଣି କ୍ଷତି ସହୁଛନ୍ତି କ୍ଷତିଗ୍ରସ୍ତ।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ୬୦ ବର୍ଷ ପୂର୍ବରୁ ଡେରଜାଙ୍ଗ ଡ୍ୟାମ୍‌ କ୍ଷତିଗ୍ରସ୍ତ ପ୍ରଜା ଭାବେ ଗୁରଙ୍ଗ କରଡ଼ାବଣିରେ ସେମାନେ ବସତି ସ୍ଥାପନ କରିଥିଲେ। ଏବେ ସେଠାରେ ୫୦ କ୍ଷତିଗ୍ରସ୍ତ ପରିବାର ରହୁଛନ୍ତି। ସରକାରଙ୍କ ତରଫରୁ ମିଳିଥିବା ଚାଷଜମିରେ ଧାନ ସହ ମୁଗ, ବିରି, ହରଡ଼, ବାଦାମ, ସୋରିଷ, ସୂର୍ଯ୍ୟମୁଖୀ, ପରିବା ଆଦି ଚାଷକରି ଲୋକେ ଗୁଜରାଣ ମେଣ୍ଟାଉଥିଲେ। କିନ୍ତୁ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୨୦୧୮ ମାର୍ଚ୍ଚ ୨୪ରେ ବଡ଼କେରା-ବନ୍ତଳା ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ ବେଳେ ଠିକାଦାର ଉକ୍ତ କଂକ୍ରିଟ କେନାଲକୁ ୧ କିଲୋମିଟର ପର୍ଯ୍ୟନ୍ତ ନଷ୍ଟକରି ରାସ୍ତା ନିର୍ମାଣ କରିଛନ୍ତି। ଏହାକୁ ଚାଷୀମାନେ ବିରୋଧ କରିବା ସହ ଜିଲାପାଳ, କ୍ଷୁଦ୍ର ଜଳସେଚନ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ କୌଣସି ପଦକ୍ଷେପ ନିଆଗଲା ନାହିଁ। ଫଳରେ ଜଳସେଚନ ଅଭାବରୁ ସେବେଠାରୁ ଚାଷଜମି ପଡ଼ିଆ ପଡ଼ିଛି। ଗ୍ରାମର ବରୁଣ ଭୋଇଙ୍କ ୩ ଏକର, ବୁଦ୍ଧିଆ ଭୋଇ, ଭଗବାନ୍‌ ବେହେରା, ନାରଣ ଭୋଇ, ମାଧବ ଭୋଇ, ନୀଳ ଭୋଇ, ଅକ୍ରୂର ଭୋଇ, ମାୟାଧର ମୁଖୀ, ବାନାମ୍ବର ମୁଖୀ, ଭ୍ରମର ମୁଖୀ, କପିଳ ବେହେରା, ପୁରନ୍ଦର ବେହେରାଙ୍କ ୩ ଏକର ଲେଖାଏ ଜମି ପଡ଼ିଆ ପଡିଛି। ସେହିପରି ଦାସ ଭୋଇ, ସୁଦର୍ଶନ ଭୋଇଙ୍କ ସାଢ଼େ ୩ ଏକର ଲେଖାଏ, ଧୀରେନ ସାହୁ, ବିଦ୍ୟାଧର ବିଶ୍ୱାଳଙ୍କ ୧ ଏକର ଲେଖାଏ, ନବିନା ମୁଖୀ, ରମେଶ ମୁଖୀ, ଦୁର୍ଯ୍ୟୋଧନ ସାହୁ, ସୁର ସାହୁଙ୍କ ୨ ଏକର ଲେଖାଏ ଜମି ସହିତ ୬୫ ପରିବାରର ୧୦୦ ଏକର ଜମି ପଡ଼ିଆ ପଡିଛି। ତୁରନ୍ତ କେନାଲ ପୁନରୁଦ୍ଧାର କରିବାକୁ ଚାଷୀ ସନାତନ ବେହେରା, ଚରଣ ଭୋଇ, ବରୁଣ ଭୋଇ, ରମ୍ଭା ଭୋଇ, ପଦ୍ମାବତୀ ଭୋଇ, ଶ୍ରୀମତୀ ଭୋଇ, କନ୍ଦିଆ ଭୋଇ, ଅହଲ୍ୟା ଭୋଇ, ଶ୍ରୀମତୀ ବେହେରା, ସଜନୀ ଭୋଇ, କାନ୍ତି ଭୋଇ, ମଞ୍ଜୁଲତା ଭୋଇ, ଜାତ ଭୋଇ, କମଳା ବେହେରା ଦାବି କରିଛନ୍ତି। ଏ ସମ୍ପର୍କରେ କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ରବି ଶଙ୍କର ଦାସ କହିଛନ୍ତି, ବୁଧବାର ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଗ୍ରାମ୍ୟ ଉନ୍ନୟନ ବିଭାଗକୁ ରିପୋର୍ଟ ମଗାଯିବ। ଏଥିସହିତ ଜୁନ ମାସ ମଧ୍ୟରେ ଚାଷୀଙ୍କ ପାଇଁ ବ୍ୟବସ୍ଥା କରାଯିବ। ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ମିଶ୍ର କହିଛନ୍ତି, ଏସ୍‌ସିଓଙ୍କ ସହିତ ଆଲୋଚନା କରି ଘଟଣାସ୍ଥଳକୁ ଯାଇ ଦେଖିବା ସହିତ କ’ଣ ପଦକ୍ଷେପ ନିଆଯାଇପାରିବ ସେଥିନେଇ ବ୍ୟବସ୍ଥା ହେବ।

ଆଉ ଚାଷ ହେଉନି
ଡେରଜାଙ୍ଗ ଡ୍ୟାମ୍‌ ନିର୍ମାଣ ସମୟରେ ଜଳବୁଡ଼ି ଯୋଗୁ କରଡ଼ାବଣିରେ ସରକାର ଆମକୁ ଥଇଥାନ କରିଥିଲେ। କେନାଲ ସାହାଯ୍ୟରେ ଗୁରଙ୍ଗ ଡ୍ୟାମ୍‌ ପାଣି ବିଲକୁ ମାଡୁଥିଲା। ଫଳରେ ଭଲ ଫସଲ ହେଉଥିଲା। ଚାଷ ହିଁ ଏଠାକାର ଲୋକଙ୍କ ମୁଖ୍ୟ ଆୟ। ହେଲେ କିଛି ବର୍ଷ ହେଲା ଆଉ ଚାଷ ହେଉନି।
– ଶ୍ରୀମତୀ ଭୋଇ, କରଡ଼ାବଣି

ପିଲା ବାହାରେ ମୂଲ ଲାଗୁଛନ୍ତି
କେନାଲ ପାଣିର ସୁବିଧା ଥିବାରୁ ଚାଷ କରି ପରିବାର ଚଳାଉଥିଲୁ। କିନ୍ତୁ ତାହାକୁ ପୋତି ରାସ୍ତା ନିର୍ମାଣ କରାଗଲା। ଏଥିଯୋଗୁ ପାଣି ଜମିଯାଏ ଆସିପାରୁନି କି ଧାନ ସହ ଅନ୍ୟ ପରିବା ଫସଲ ହେଉନାହିଁ। ଜମି ସବୁ ପଡ଼ିଆ ପଡିଛି। ପିଲାମାନେ ଏବେ ବାହାରେ ମୂଲ ଲାଗୁଛନ୍ତି।
– ଭୁଲୁ ଭୋଇ, କରଡ଼ାବଣି

ଭାତହାଣ୍ଡି ଛଡ଼ାଇ ନିଆଯାଇଛି
ସରକାର ଚାଷୀଙ୍କ ପାଇଁ କେତେ ବ୍ୟବସ୍ଥା କରୁଛନ୍ତି। ଅଧିକରୁ ଅଧିକ ଜମି କିପରି ଜଳସେଚିତ ହୋଇପାରିବ, ତାହା ଉପରେ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଏଠି ଚାଷୀଙ୍କ ଜୀବିକାକୁ ମାରି ରାସ୍ତା ନିର୍ମାଣ କରାଯାଇଛି। ଗରିବ ଲୋକଙ୍କ ଭାତହାଣ୍ଡି ଛଡ଼ାଇ ନିଆଯାଇଛି। ତୁରନ୍ତ କେନାଲ ନିର୍ମାଣ କରାଯାଉ।
– ଗିରିଶ ସାହୁ, କରଡ଼ାବଣି

ପ୍ରତିଶ୍ରୁତି ପାଳନ କରାଗଲା ନାହିଁ
୨୦୦୫ରେ କଂକ୍ରିଟ କେନାଲ ନିର୍ମାଣ ହୋଇଥିଲା। କିନ୍ତୁ ତାହାକୁ ପୋତି ରାସ୍ତା କରାଯିବାରୁ ପାଣି ପଞ୍ଚାୟତ ତରଫରୁ ମହାସଂଘକୁ ଜଣାଇ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। କେନାଲ ନିର୍ମାଣ କରିବା ପାଇଁ ନିର୍ବାହୀ ଯନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ସେ ଦିଗରେ ପଦକ୍ଷେପ ନାହିଁ।
– ସୁଶାନ୍ତ ଦେହୁରୀ, ପାଣି ପଞ୍ଚାୟତ ସହ ସମ୍ପାଦକ


Enter your email to get our daily news in your inbox.

All Right Reserved By Dharitri.Com

ଛେଣ୍ଡିପଦାରେ ଜନତା କର୍ଫ୍ୟୁର ପ୍ରଭାବ: ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ସବୁ ବନ୍ଦ

ଛେଣ୍ଡିପଦା,୨୨।୩(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ଜରପଡା, ଛେଣ୍ଡିପଦା ଓ ନିଶା ଶିଳ୍ପାଞ୍ଚଳ ଥାନା ପକ୍ଷରୁ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଜନତା କର୍ଫ୍ୟୁର ପ୍ରଭାବ...

ଘାଟିରେ ପ୍ରବାସୀଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ

ଆଠମଲ୍ଲିକ, ୧୫ା୫(ଡି.ଏନ.ଏ.)- ପଶ୍ଚିମବଙ୍ଗର ବାଙ୍କୁଡା ଜିଲା ସୁନାମୁଖିରୁ ଫେରୁଥିବା ଜଣେ ପ୍ରବାସୀ ଓଡ଼ିଆଙ୍କ କାର୍‌ ଶୁକ୍ରବାର ଅନୁଗୋଳ ଜିଲା ଆଠମଲ୍ଲିକ ଥାନା ଆଠମଲ୍ଲିକ-ଅନୁଗୋଳ ପୂର୍ତ୍ତ ବିଭାଗ...

ବେକାରି, ପ୍ରଦୂଷଣ ବଡ଼ ସମସ୍ୟା

୧୯୯୩ ଏପ୍ରିଲ ୧ରେ ଅନୁଗୋଳକୁ ମିଳିଥିଲା ଜିଲା ମାନ୍ୟତା। ପ୍ରକୃତି ଓ ପ୍ରାକୃତିକ ସମ୍ପଦରେ ଭରପୂର ଏହି ଜିଲା ଦୀର୍ଘ ୩୦ ବର୍ଷ ମଧ୍ୟରେ ଅନେକ...

ପାଚିଲା ଧାନ କ୍ଷେତରେ କୋଇଲା ଖଣି ପାଣି: ଅମଳ ଚିନ୍ତାରେ ଚାଷୀ

କଣିହାଁ,୪।୧୨(ଡି.ଏନ.ଏ.)-କଣିହାଁ ବ୍ଲକ ପଥରମୁଣ୍ଡା ଗ୍ରାମର ଅନେକ ଚାଷ ଜମିରେ ଏମ୍‌ସିଏଲ୍‌ର କଣିହାଁ କୋଇଲା ଖଣି ପାଣି ପଶି ଯାଇଥିବା ଅଭିଯୋଗ ହେଉଛି। କୋଇଲା ଖଣି କର୍ତ୍ତୃପକ୍ଷ...

୫-ଟିରେ ଅନୁଗୋଳର ୫୦ ହାଇସ୍କୁଲ

ଅନୁଗୋଳ ଅଫିସ,୧୭ା୪ ଅନୁଗୋଳ ଜିଲାରେ ବଦଳିବ ହାଇସ୍କୁଲ ଶିକ୍ଷାର ଭିତ୍ତିଭୂମି। ଶୈକ୍ଷିକ ବ୍ୟବସ୍ଥାରେ କରାଯିବ ବଡ଼ ପରିବର୍ତ୍ତନ। ନୂଆ ରୂପରେଖ ସହ ଗୁଣାତ୍ମକ ଶିକ୍ଷା ପାଇଁ...

ଦଶମରେ ଅଧିକ ଉପସ୍ଥାନ

ଅନୁଗୋଳ ଅଫିସ, ୮।୨ କୋଭିଡ୍‌ ସଂକ୍ରମଣ କାରଣରୁ ଦୀର୍ଘଦିନ ବନ୍ଦ ରହିବା ପରେ ସୋମବାରଠାରୁ ଅନୁଗୋଳ ଜିଲାରେ ହାଇସ୍କୁଲଗୁଡ଼ିକ ଖୋଲିଛି। ଫଳରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ସାହ...

ବିଜେଡି ଛାଡ଼ିଲେ ସଞ୍ଜୀବ

ଅନୁଗୋଳ ଅଫିସ,୪।୧୧: ଓଡ଼ିଶା ବିଧାନସଭାକୁ ୪ ଥର ନିର୍ବାଚିତ ହୋଇଥିବା ଓ ଏକାଧିକଥର ମନ୍ତ୍ରୀ ପଦ ପାଇଥିବା ବିଜୁ ଜନତା ଦଳର ବରିଷ୍ଠ ନେତା ସଞ୍ଜୀବ...

ବ୍ୟବସାୟୀଙ୍କ ମଧ୍ୟରେ ଛନକା

ଅନୁଗୋଳ ଅଫିସ,  ୧।୭  ପରିବେଶ ପ୍ରଦୂଷଣକୁ ଅଧିକ ବଢ଼ାଉଥିବା ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକକୁ ଜୁଲାଇ ୧ରୁ କେନ୍ଦ୍ର ସରକାର ନିଷିଦ୍ଧ କରିଛନ୍ତି। ତେଣୁ ଅନୁଗୋଳ ଜିଲାରେ...

Advertisement
Archives

Model This Week