ବର୍ମାରେ ଗଣତନ୍ତ୍ରର ମୃତ୍ୟୁ

ମ୍ୟାନ୍‌ମାର(ବର୍ମା)ର ଗଣତନ୍ତ୍ର ସପକ୍ଷବାଦୀ ନେତ୍ରୀ ଅଙ୍ଗ୍‌ ସାନ୍‌ ସୁ ଚୀଙ୍କୁ ସେଠାକାର ମିଲିଟାରୀ ଶାସକ ଦୁଇଟି ଘଟଣାରେ ୬ ଡିସେମ୍ବରରେ ୪ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ଜୁଣ୍ଟା ମୁଖ୍ୟ ଦଣ୍ଡାଦେଶକୁ ଦୁଇବର୍ଷ କୋହଳ କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ସୁ ଚୀଙ୍କ ବିରୋଧରେ ଆହୁରି ଅନେକ ମାମଲା ବିଚାରାଧୀନ ରହିଛି। ସାମରିକ ଜୁଣ୍ଟା ବିରୋଧରେ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେବା ଓ କୋଭିଡ୍‌ ପ୍ରୋଟୋକଲ ଭାଙ୍ଗିବା ଅଭିଯୋଗରେ ତାଙ୍କ ବିରୋଧରେ ଏପରି କଠୋର ଆଇନଗତ ଶୁଣାଣି କରାଯାଇଛି। ତାଙ୍କ ଦଳ ନ୍ୟାଶନାଲ ଲିଗ୍‌ ଫର୍‌ ଡେମୋକ୍ରାସି (ଏନ୍‌ଏଲ୍‌ଡି) ୨୦୨୦ ନଭେମ୍ବରରେ ନିର୍ବାଚନ ଜିତିଥିଲେ ମଧ୍ୟ ୧ ଫେବୃୟାରୀ ୨୦୨୧ରେ ସାମରିକ ଶକ୍ତି ବ୍ୟବହାର କରାଯାଇ ତାହାକୁ ରଦ୍ଦ କରି ଦିଆଯାଇଥିଲା। ଏହାର ପ୍ରତିବାଦରେ ସୁ ଚୀ ଯେଉଁ ଭାଷଣ ଦେଇଥିଲେ ତାହା ବିଦ୍ୱେଷ ସୃଷ୍ଟିକାରୀ ବୋଲି ମିଲିଟାରୀ ଜୁଣ୍ଟା ବିଚାର କରିଥିଲା। ସେହିପରି ନିର୍ବାଚନ ସଭାରେ ସେ ମାସ୍କ ପିନ୍ଧି ନ ଥିବା ଓ କୋଭିଡ୍‌ ନିୟମାବଳୀ ପାଳନ କରି ନ ଥିବାରୁ ଦଣ୍ଡିତ କରାଯାଇଛି ବୋଲି ରାୟରେ କୁହାଯାଇଛି। କିନ୍ତୁ ସୁ ଚୀ ସର୍ବଦା ମାସ୍କ ପିନ୍ଧିଥିବା ଦେଖାଯାଉଥିବାରୁ ମିଲିଟାରୀ ଜୁଣ୍ଟା ଗଣତନ୍ତ୍ରକୁ ଫେରାଇ ନ ଆଣିବା ଲକ୍ଷ୍ୟରେ ଏଭଳି ନିଷ୍ପତ୍ତି ନେଇଥିବା ଏନ୍‌ଏଲ୍‌ଡି ପକ୍ଷରୁ କୁହାଯାଇଛି।
ମ୍ୟାନ୍‌ମାରରେ ଗଣତନ୍ତ୍ର ପ୍ରତିଷ୍ଠା କରିବା ଲକ୍ଷ୍ୟ ନେଇ ସୁ ଚୀ ଜୀବନବ୍ୟାପୀ ଯେଉଁ ସଂଗ୍ରାମ କରିଛନ୍ତି ତାହା ବିଶ୍ୱବାସୀ ଜାଣିଛନ୍ତି ଓ ସେଥିପାଇଁ ତାଙ୍କୁ ଶାନ୍ତି କ୍ଷେତ୍ରରେ ନୋବେଲ ପୁରସ୍କାର ମିଳିଛି। ତାଙ୍କ ଦଳ କ୍ଷମତାକୁ ଆସିବା ଦ୍ୱାରା ଗଣତନ୍ତ୍ର ସୁଦୃଢ଼ ହୋଇଆସୁଥିଲା। ହେଲେ ସାମରିକ କର୍ତ୍ତୃପକ୍ଷଙ୍କୁ ତାହା ଅଡ଼ୁଆ ଲାଗିବାରୁ ସୁ କୀଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଗଲା। ଦେଶର ନାଗରିକ ଗଣତନ୍ତ୍ର ଚାହୁଁଥିବା ବେଳେ ସାମରିକ ଶାସନ ଜାରି ହେବାରୁ ଦେଶ ଭିତରେ ଜନଅସନ୍ତୋଷ ଲାଗି ରହିଛି। ଜନସାଧାରଣଙ୍କ ଅସନ୍ତୋଷକୁ ସୁ ଚୀଙ୍କ ଦ୍ୱାରା ଏକଜୁଟ କରି ଦିଆଯାଇପାରେ ବୋଲି ଆଶଙ୍କା କରି ମିଲିଟାରୀ ଜୁଣ୍ଟା ଏଭଳି ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି।
ସୁ ଚୀଙ୍କୁ ଦଣ୍ଡିତ କରାଯିବା ଘଟଣାକୁ ଅନ୍ତର୍ଜାତୀୟ ସମୁଦାୟ ନିନ୍ଦା କରିଛନ୍ତି। କିନ୍ତୁ ବାସ୍ତବ କ୍ଷେତ୍ରରେ କୌଣସି ବୃହତ୍‌ ବିକଶିତ ରାଷ୍ଟ୍ର ସେଠାରେ ରାଜନୈତିକ ସ୍ଥିରତା ବଜାୟ ରଖିବା ଲାଗି ପଦକ୍ଷେପ ନେଉଥିବା ଭଳି ମନେ ହେଉନାହିଁ। ଚାଇନା-ମ୍ୟାନ୍‌ମାର ଅର୍ଥନୈତିକ କରିଡରରେ ଚାଇନା ପୁଞ୍ଜି ବିନିଯୋଗ କରିଛି ଓ ଜୁଣ୍ଟା ପ୍ରତି ସମର୍ଥନ ରହିଥିବାରୁ ମ୍ୟାନ୍‌ମାର ବିରୋଧରେ ପ୍ରତିବନ୍ଧକ ଲଗାଇବାକୁ ଦେବ ନାହିଁ ବୋଲି ସ୍ପଷ୍ଟ ଦିଶୁଛି। ସେହିଭଳି ଆମେରିକା ଭଳି ଶକ୍ତିଶାଳୀ ଦେଶ ନୀରବତା ଅବଲମ୍ବନ କରୁଥିବା ଦେଖିବାକୁ ମିଳୁଛି। ଚଳିତବର୍ଷ ଫେବୃୟାରୀରେ ସାମରିକ ସରକାର ପ୍ରତିଷ୍ଠା ହେବା ପରେ ଗଣତନ୍ତ୍ର ସପକ୍ଷବାଦୀଙ୍କ ବିରୋଧରେ ହିଂସା ବଢ଼ିଚାଲିଛି। ଜାତିସଂଘ ଏସବୁ ଦେଖୁଥିଲେ ମଧ୍ୟ କଠୋର ପଦକ୍ଷେପ ନେଇପାରୁନାହିଁ। କେବଳ ଚେତାବନୀ ଦେଇଛି ଯେ, ସାମରିକ ସରକାର ହିଂସା ବନ୍ଦ କରି ଗଣତନ୍ତ୍ର ପ୍ରତିଷ୍ଠା ଦିଗରେ କାର୍ଯ୍ୟ ନ କଲେ ମ୍ୟାନ୍‌ମାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଉଁସିଲା ଭଳି ଏପରି ଚେତାବନୀ ମିଲିଟାରୀ ଜୁଣ୍ଟାକୁ କାଟୁ କରି ନ ଥିବା ପ୍ରତୀୟମାନ ହେଉଛି। ଏଥିସହିତ ଭାରତ ସରକାର ମଧ୍ୟ ଗଣତାନ୍ତ୍ରିକ ଶକ୍ତି ଅପେକ୍ଷା ବର୍ମାର ମିଲିଟାରୀ ଜୁଣ୍ଟାକୁ ସମର୍ଥନ କରୁଥିବାର ସବୁ ଲକ୍ଷଣ ଦେଖିବାକୁ ମିଳୁଛି। କାରଣ ଉତ୍ତର-ପୂର୍ବାଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ହେଲେ ମିଲିଟାରୀ ସହ ସମ୍ପର୍କ ଭଲ ରଖିବାକୁ ପଡ଼ିବ ବୋଲି ମୋଦି ସରକାର ଧରି ନେଇଛନ୍ତି। ଉଲ୍ଲେଖ କରାଯାଇପାରେ ଯେ, ଭାରତ ଓ ବର୍ମା ମଧ୍ୟରେ ୧,୬୪୩ କିଲୋମିଟର ଲମ୍ବା ସୀମା ରହିଛି। ସେଥିପାଇଁ ଭାରତ ତା’ର ଉତ୍ତର-ପୂର୍ବାଞ୍ଚଳରେ ଅସ୍ଥିରତା ସମ୍ଭାଳିବା ପାଇଁ ବର୍ମା ମିଲିଟାରୀ ସହିତ ସୁସମ୍ପର୍କ ରଖିବାକୁ ବ୍ୟଗ୍ର। ବିଶ୍ୱର ଶକ୍ତିଶାଳୀ ଦେଶ ଓ ସର୍ବଉପରେ ଜାତିସଂଘ ମ୍ୟାନ୍‌ମାରରେ ସୃଷ୍ଟି ହୋଇଥିବା ବିଶୃଙ୍ଖଳାକୁ ସଜାଡ଼ିବାରେ ନିଘା ଦେଉ ନ ଥିବାରୁ ସେଠାକୁ ନିକଟ ଭବିଷ୍ୟତରେ ଗଣତନ୍ତ୍ର ଫେରିବ ବୋଲି ଆଶା କରାଯାଇପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri