ବର୍ମାରେ ଗଣତନ୍ତ୍ରର ମୃତ୍ୟୁ

ମ୍ୟାନ୍‌ମାର(ବର୍ମା)ର ଗଣତନ୍ତ୍ର ସପକ୍ଷବାଦୀ ନେତ୍ରୀ ଅଙ୍ଗ୍‌ ସାନ୍‌ ସୁ ଚୀଙ୍କୁ ସେଠାକାର ମିଲିଟାରୀ ଶାସକ ଦୁଇଟି ଘଟଣାରେ ୬ ଡିସେମ୍ବରରେ ୪ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ଜୁଣ୍ଟା ମୁଖ୍ୟ ଦଣ୍ଡାଦେଶକୁ ଦୁଇବର୍ଷ କୋହଳ କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ସୁ ଚୀଙ୍କ ବିରୋଧରେ ଆହୁରି ଅନେକ ମାମଲା ବିଚାରାଧୀନ ରହିଛି। ସାମରିକ ଜୁଣ୍ଟା ବିରୋଧରେ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେବା ଓ କୋଭିଡ୍‌ ପ୍ରୋଟୋକଲ ଭାଙ୍ଗିବା ଅଭିଯୋଗରେ ତାଙ୍କ ବିରୋଧରେ ଏପରି କଠୋର ଆଇନଗତ ଶୁଣାଣି କରାଯାଇଛି। ତାଙ୍କ ଦଳ ନ୍ୟାଶନାଲ ଲିଗ୍‌ ଫର୍‌ ଡେମୋକ୍ରାସି (ଏନ୍‌ଏଲ୍‌ଡି) ୨୦୨୦ ନଭେମ୍ବରରେ ନିର୍ବାଚନ ଜିତିଥିଲେ ମଧ୍ୟ ୧ ଫେବୃୟାରୀ ୨୦୨୧ରେ ସାମରିକ ଶକ୍ତି ବ୍ୟବହାର କରାଯାଇ ତାହାକୁ ରଦ୍ଦ କରି ଦିଆଯାଇଥିଲା। ଏହାର ପ୍ରତିବାଦରେ ସୁ ଚୀ ଯେଉଁ ଭାଷଣ ଦେଇଥିଲେ ତାହା ବିଦ୍ୱେଷ ସୃଷ୍ଟିକାରୀ ବୋଲି ମିଲିଟାରୀ ଜୁଣ୍ଟା ବିଚାର କରିଥିଲା। ସେହିପରି ନିର୍ବାଚନ ସଭାରେ ସେ ମାସ୍କ ପିନ୍ଧି ନ ଥିବା ଓ କୋଭିଡ୍‌ ନିୟମାବଳୀ ପାଳନ କରି ନ ଥିବାରୁ ଦଣ୍ଡିତ କରାଯାଇଛି ବୋଲି ରାୟରେ କୁହାଯାଇଛି। କିନ୍ତୁ ସୁ ଚୀ ସର୍ବଦା ମାସ୍କ ପିନ୍ଧିଥିବା ଦେଖାଯାଉଥିବାରୁ ମିଲିଟାରୀ ଜୁଣ୍ଟା ଗଣତନ୍ତ୍ରକୁ ଫେରାଇ ନ ଆଣିବା ଲକ୍ଷ୍ୟରେ ଏଭଳି ନିଷ୍ପତ୍ତି ନେଇଥିବା ଏନ୍‌ଏଲ୍‌ଡି ପକ୍ଷରୁ କୁହାଯାଇଛି।
ମ୍ୟାନ୍‌ମାରରେ ଗଣତନ୍ତ୍ର ପ୍ରତିଷ୍ଠା କରିବା ଲକ୍ଷ୍ୟ ନେଇ ସୁ ଚୀ ଜୀବନବ୍ୟାପୀ ଯେଉଁ ସଂଗ୍ରାମ କରିଛନ୍ତି ତାହା ବିଶ୍ୱବାସୀ ଜାଣିଛନ୍ତି ଓ ସେଥିପାଇଁ ତାଙ୍କୁ ଶାନ୍ତି କ୍ଷେତ୍ରରେ ନୋବେଲ ପୁରସ୍କାର ମିଳିଛି। ତାଙ୍କ ଦଳ କ୍ଷମତାକୁ ଆସିବା ଦ୍ୱାରା ଗଣତନ୍ତ୍ର ସୁଦୃଢ଼ ହୋଇଆସୁଥିଲା। ହେଲେ ସାମରିକ କର୍ତ୍ତୃପକ୍ଷଙ୍କୁ ତାହା ଅଡ଼ୁଆ ଲାଗିବାରୁ ସୁ କୀଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଗଲା। ଦେଶର ନାଗରିକ ଗଣତନ୍ତ୍ର ଚାହୁଁଥିବା ବେଳେ ସାମରିକ ଶାସନ ଜାରି ହେବାରୁ ଦେଶ ଭିତରେ ଜନଅସନ୍ତୋଷ ଲାଗି ରହିଛି। ଜନସାଧାରଣଙ୍କ ଅସନ୍ତୋଷକୁ ସୁ ଚୀଙ୍କ ଦ୍ୱାରା ଏକଜୁଟ କରି ଦିଆଯାଇପାରେ ବୋଲି ଆଶଙ୍କା କରି ମିଲିଟାରୀ ଜୁଣ୍ଟା ଏଭଳି ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି।
ସୁ ଚୀଙ୍କୁ ଦଣ୍ଡିତ କରାଯିବା ଘଟଣାକୁ ଅନ୍ତର୍ଜାତୀୟ ସମୁଦାୟ ନିନ୍ଦା କରିଛନ୍ତି। କିନ୍ତୁ ବାସ୍ତବ କ୍ଷେତ୍ରରେ କୌଣସି ବୃହତ୍‌ ବିକଶିତ ରାଷ୍ଟ୍ର ସେଠାରେ ରାଜନୈତିକ ସ୍ଥିରତା ବଜାୟ ରଖିବା ଲାଗି ପଦକ୍ଷେପ ନେଉଥିବା ଭଳି ମନେ ହେଉନାହିଁ। ଚାଇନା-ମ୍ୟାନ୍‌ମାର ଅର୍ଥନୈତିକ କରିଡରରେ ଚାଇନା ପୁଞ୍ଜି ବିନିଯୋଗ କରିଛି ଓ ଜୁଣ୍ଟା ପ୍ରତି ସମର୍ଥନ ରହିଥିବାରୁ ମ୍ୟାନ୍‌ମାର ବିରୋଧରେ ପ୍ରତିବନ୍ଧକ ଲଗାଇବାକୁ ଦେବ ନାହିଁ ବୋଲି ସ୍ପଷ୍ଟ ଦିଶୁଛି। ସେହିଭଳି ଆମେରିକା ଭଳି ଶକ୍ତିଶାଳୀ ଦେଶ ନୀରବତା ଅବଲମ୍ବନ କରୁଥିବା ଦେଖିବାକୁ ମିଳୁଛି। ଚଳିତବର୍ଷ ଫେବୃୟାରୀରେ ସାମରିକ ସରକାର ପ୍ରତିଷ୍ଠା ହେବା ପରେ ଗଣତନ୍ତ୍ର ସପକ୍ଷବାଦୀଙ୍କ ବିରୋଧରେ ହିଂସା ବଢ଼ିଚାଲିଛି। ଜାତିସଂଘ ଏସବୁ ଦେଖୁଥିଲେ ମଧ୍ୟ କଠୋର ପଦକ୍ଷେପ ନେଇପାରୁନାହିଁ। କେବଳ ଚେତାବନୀ ଦେଇଛି ଯେ, ସାମରିକ ସରକାର ହିଂସା ବନ୍ଦ କରି ଗଣତନ୍ତ୍ର ପ୍ରତିଷ୍ଠା ଦିଗରେ କାର୍ଯ୍ୟ ନ କଲେ ମ୍ୟାନ୍‌ମାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଉଁସିଲା ଭଳି ଏପରି ଚେତାବନୀ ମିଲିଟାରୀ ଜୁଣ୍ଟାକୁ କାଟୁ କରି ନ ଥିବା ପ୍ରତୀୟମାନ ହେଉଛି। ଏଥିସହିତ ଭାରତ ସରକାର ମଧ୍ୟ ଗଣତାନ୍ତ୍ରିକ ଶକ୍ତି ଅପେକ୍ଷା ବର୍ମାର ମିଲିଟାରୀ ଜୁଣ୍ଟାକୁ ସମର୍ଥନ କରୁଥିବାର ସବୁ ଲକ୍ଷଣ ଦେଖିବାକୁ ମିଳୁଛି। କାରଣ ଉତ୍ତର-ପୂର୍ବାଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ହେଲେ ମିଲିଟାରୀ ସହ ସମ୍ପର୍କ ଭଲ ରଖିବାକୁ ପଡ଼ିବ ବୋଲି ମୋଦି ସରକାର ଧରି ନେଇଛନ୍ତି। ଉଲ୍ଲେଖ କରାଯାଇପାରେ ଯେ, ଭାରତ ଓ ବର୍ମା ମଧ୍ୟରେ ୧,୬୪୩ କିଲୋମିଟର ଲମ୍ବା ସୀମା ରହିଛି। ସେଥିପାଇଁ ଭାରତ ତା’ର ଉତ୍ତର-ପୂର୍ବାଞ୍ଚଳରେ ଅସ୍ଥିରତା ସମ୍ଭାଳିବା ପାଇଁ ବର୍ମା ମିଲିଟାରୀ ସହିତ ସୁସମ୍ପର୍କ ରଖିବାକୁ ବ୍ୟଗ୍ର। ବିଶ୍ୱର ଶକ୍ତିଶାଳୀ ଦେଶ ଓ ସର୍ବଉପରେ ଜାତିସଂଘ ମ୍ୟାନ୍‌ମାରରେ ସୃଷ୍ଟି ହୋଇଥିବା ବିଶୃଙ୍ଖଳାକୁ ସଜାଡ଼ିବାରେ ନିଘା ଦେଉ ନ ଥିବାରୁ ସେଠାକୁ ନିକଟ ଭବିଷ୍ୟତରେ ଗଣତନ୍ତ୍ର ଫେରିବ ବୋଲି ଆଶା କରାଯାଇପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri