ଦୁର୍ଭାଗ୍ୟର ଦସ୍ତାବିଜ

ଉପେନ୍ଦ୍ର ବିଶ୍ୱାଳ

ଓଃକି ହୃଦୟ ବିଦାରକ ସେ ଦୃଶ୍ୟ ! ନଭେମ୍ବର ୨୬ ଆସିଲେ, ମନେପଡ଼ିଯାଏ ସେହି କାଳରାତ୍ରିର କଥା। ଠିକ୍‌ ତେରବର୍ଷ ତଳର ଘଟଣା। ଦେଶର ବାଣିଜ୍ୟ ରାଜଧାନୀ ମୁମ୍ବାଇ ଥରିଉଠିଲା ଆତଙ୍କୀ ଆକ୍ରମଣରେ। ପାକିସ୍ତାନ ପ୍ରଶିକ୍ଷିତ ଆତଙ୍କବାଦୀମାନେ ମୁମ୍ବାଇର ପାଞ୍ଚଟି ସ୍ଥାନରେ ଅତର୍କିତ ଆକ୍ରମଣ କରି ଦେଶକୁ ଥରହର କରିପକାଇଲେ। ୧୪୦ ଜଣ ଭାରତୀୟ ନାଗରିକଙ୍କ ସମେତ ୧୪ଟି ଦେଶର ୨୬ଜଣ ବିଦେଶୀ ଟଳି ପଡ଼ିଲେ ଆତଙ୍କୀଙ୍କ ଆକ୍ରମଣରେ। ସାରା ବିଶ୍ୱ ଆଶା କରିଥିଲା ଆତଙ୍କୀଙ୍କ ବିରୋଧରେ ଭାରତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନିଶ୍ଚିତ। ମାତ୍ର ବିଡ଼ମ୍ବନାର ବିଷୟ ଏହି ଯେ ତତ୍କାଳୀନ କେନ୍ଦ୍ର ସରକାର କିଛି କଠୋର ପଦକ୍ଷେପ ତ ନେଲେ ନାହିଁ ବରଂ ଦେଶକୁ ଉପହସିତ କରେଇଲେ ଦୁନିଆରେ। ବାଘ କାମୁଡ଼ାଠାରୁ ବାଘର ଘୋଷରା ଅଧିକ ବାଧିବା ପରି ସରକାରଙ୍କ ଲଜ୍ଜାଜନକ ପଦକ୍ଷେପ ଅଧିକ ବାଧିଥିଲା ଦେଶବାସୀଙ୍କୁ। ଯେଉଁଥିପାଇଁ କି ସେଇ ସମୟର ଜଣେ କେନ୍ଦ୍ରମନ୍ତ୍ରୀ ତାଙ୍କର ସଦ୍ୟତମ ପୁସ୍ତକରେ ମନମୋହନ ସିଂହଙ୍କ ନେତୃତ୍ୱାଧୀନ ସରକାରଙ୍କ ଅପାରଗତାକୁ ପ୍ରକାଶ କରିବାରେ କୁଣ୍ଠାବୋଧ କରିନାହାନ୍ତି ଆଜି। କଂଗ୍ରେସ ଦଳର ସାଂସଦ ତଥା ଅନ୍ୟତମ ଜାତୀୟ ପ୍ରବକ୍ତା ହେଉଛନ୍ତି ମନୀଷ ତିୱାରୀ। ଗତ ଡିସେମ୍ବର ୨ରେ ଉନ୍ମୋଚିତ ହୋଇଯାଇଛି ତାଙ୍କର ସଦ୍ୟତମ ଚତୁର୍ଥ ପୁସ୍ତକ ‘10 Flash points, 20 Years’; ଯେଉଁଥିରେ ନିଜେ ମନ୍ତ୍ରିମଣ୍ଡଳରେ ଥାଇ ବି ଉପା ସରକାରଙ୍କ ଜାତୀୟ ସୁରକ୍ଷା ନୀତି ସମେତ ୨୬ା୧୧ା୨୦୦୮ ଘଟଣାରେ ସରକାରଙ୍କ ଦୁର୍ବଳ ପଦକ୍ଷେପକୁ ତୀବ୍ର ସମାଲୋଚନା କରିଛନ୍ତି। ‘ଉଦାସୀନତା, ସାମର୍ଥ୍ୟର ସୂଚକ ନୁହଁ ବରଂ ଦୁର୍ବଳତାର ଲକ୍ଷଣ’ ବୋଲି ସେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି । ଅର୍ଥାତ୍‌ ଯେତେବେଳେ ସାରା ଭାରତ କାନ୍ଦୁଥିଲା ସେତେବେଳେ ସରକାରଙ୍କ ଭୀରୁତା ଆଦୌ ଗ୍ରହଣୀୟ ନୁହେଁ। ରାଷ୍ଟ୍ରୀୟ ସୁରକ୍ଷା ସହିତ ଜଡ଼ିତ ସେ ଦିନର ସେହି ଘଟଣା ସମ୍ବନ୍ଧେ ସଂକ୍ଷିପ୍ତ ଆଲୋଚନା ଆଜି ବିଶେଷ ମହତ୍ତ୍ୱ ରଖେ। କାରଣ ସୁଖମୟ ଶାନ୍ତିମୟ ଭବିଷ୍ୟତ ଭାରତ ପାଇଁ ଅତୀତକୁ ଦେଖି ବର୍ତ୍ତମାନକୁ ସଜାଡ଼ି ନେବାକୁ ହେବ।
ଆମେରିକା ଗୋଇନ୍ଦା ସଂସ୍ଥାର ତଥ୍ୟ ତଥା ଅନ୍ୟାନ୍ୟ ଉତ୍ସକୁ ଆଧାର କରି ‘The New York Times’ ନଭେମ୍ବର ୨୮, ୨୦୦୮ରେ ଉଲ୍ଲେଖ କରିଥିଲା ଯେ, ମୁମ୍ବାଇ ବିସ୍ଫୋରଣ ପଛରେ ପାକିସ୍ତାନର ହାତ ଥିବାର ବହୁ ପ୍ରମାଣ ଅଛି । ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ତତ୍ତ୍ୱାବଧାନରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର -ଇ- ତୋଇବା ଓ ଜୈସ-ଇ-ମହମ୍ମଦର ସଦସ୍ୟମାନଙ୍କୁ ଏଥିପାଇଁ ପ୍ରସ୍ତୁତ କରାଯାଇଥିଲା। ଆଉ, ଏହି ଆକ୍ରମଣର ଖସଡ଼ା ତା’ର ଛଅ ମାସ ପୂର୍ବରୁ ତିଆରି ହୋଇଥିଲା। ପାକିସ୍ତାନ ନୌସେନା ଦ୍ୱାରା ତାଲିମପ୍ରାପ୍ତ ଦଶଜଣ ବଛାବଛା ଆତଙ୍କବାଦୀ ସମୁଦ୍ର ବାଟେ ବୋଟରେ ଆସି ମୁମ୍ବାଇ ଉପକୂଳରେ ଓହ୍ଲାଇ ଥିଲେ। ଦାଉଦ ଇବ୍ରାହିମ୍‌ର ସ୍ଥାନୀୟ ଗୋଷ୍ଠୀ ମଧ୍ୟ ଏମାନଙ୍କୁ ଅନ୍ୟାନ୍ୟ ସହାୟତା କରିଥିଲେ। ତାଜ ହୋଟେଲରେ ସେଦିନ ଅବସ୍ଥାନ କରୁଥିବା ତୁର୍କୀର କେତେକ ମୁସଲମାନଙ୍କୁ ଛାଡ଼ିଦେଇ (ବାହାରି ଯିବାକୁ ସୁଯୋଗ ଦେଇ) ସେମାନେ ନରସଂହାର ରଚିଚାଲିଲେ। ଏଭଳି ନୃଶଂସ ଆକ୍ରମଣ ପଛରେ ଜିହାଦୀ ସଙ୍ଗଠନଗୁଡ଼ିକର ହାତ ଅଛି ବୋଲି ଭାରତୀୟ ଗୋଇନ୍ଦା ବିଭାଗ ମଧ୍ୟ ସରକାରଙ୍କୁ ଅବଗତ କରେଇଥିଲେ। ଏହାସତ୍ତ୍ୱେ ଜିହାଦୀ ଇସ୍ଲାମିକ ସଙ୍ଗଠନଗୁଡ଼ିକ ବିରୋଧରେ ନା ପ୍ରଧାନମନ୍ତ୍ରୀ ନା ଗୃହମନ୍ତ୍ରୀ, କେହି ବି ନିନ୍ଦା ସୂଚକ କଡ଼ା ମନ୍ତବ୍ୟ ଦେଇ ନ ଥିଲେ। ବରଂ ତତ୍କାଳୀନ ଉପା ସରକାର ଏହାକୁ ଭିନ୍ନ ରୂପ ଦେବାକୁ ପ୍ରୟାସ କରୁଥିଲେ ଓ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ପ୍ରକାଶ ଜୟସ୍ବାଲ ଏହି ଆକ୍ରମଣ ପଛରେ ହିନ୍ଦୁ ଆତଙ୍କବାଦୀଙ୍କ ସମ୍ପୃକ୍ତିକୁ ଏଡ଼ାଇ ଦିଆ ଯାଇ ନ ପାରେ ବୋଲି ମନ୍ତବ୍ୟ ଦେବାକୁ ପଛାଉ ନ ଥିଲେ। ଏହାକୁ ଆଳକରି ଚାଇନାର ‘ପିପୁଲ୍‌ସ ଡେଲି’ ଭାରତରେ ଆତଙ୍କୀ ଆକ୍ରମଣ ପଛରେ ଦକ୍ଷିଣପନ୍ଥୀ ଆତଙ୍କବାଦୀଙ୍କ ସମ୍ପୃକ୍ତିଥିବାର ପ୍ରଚାର କଲା। ଅର୍ଥାତ୍‌ ବିଶ୍ୱକୁ ଏକପ୍ରକାର ଭ୍ରମିତ କରିବାକୁ ଚେଷ୍ଟା କରାହେଲା। ସୂଚନାଯୋଗ୍ୟ ଯେ ୨୬ା୧୧ ଘଟଣାର କେଇମାସ ପୂର୍ବରୁ (ଜୁଲାଇ ୭), କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରେ ହୋଇଥିଲା ଆତଙ୍କବାଦୀ ବୋମାମାଡ଼ ଘଟଣା; ଯେଉଁଥିରେ ୫୮ଜଣଙ୍କ ଜୀବନ ଯିବା ସହିତ ୧୪୧ଜଣ କ୍ଷତାକ୍ତ ହୋଇଥିଲେ। ଏହି ଘଟଣା ପରେ ଅଗଷ୍ଟ ୧ରେ ଅନୁସନ୍ଧାନ ଆଧାରିତ ତଥ୍ୟମୂଳକ ଖବରଟିଏ The New York Timesରେ ପ୍ରକାଶିତ ହୋଇଥିଲା। ସେଥିରେ ମଧ୍ୟ ଆମେରିକୀୟ ଏହି କାଗଜଟି ଜୁଲାଇ ୭ର ଆକ୍ରମଣ ପଛରେ ଇସ୍ଲାମିକ ଆତଙ୍କୀ ସଙ୍ଗଠନର ସମ୍ପୃକ୍ତି ସମ୍ବନ୍ଧେ ସ୍ପଷ୍ଟ ଉଲ୍ଲେଖ କରିଥିଲା। ତତ୍‌ସହିତ ଆମେରିକାର ଗୋଇନ୍ଦା ସଂସ୍ଥା ମଧ୍ୟ ଇସ୍ଲାମିକ ଆତଙ୍କବାଦୀଙ୍କ ଦ୍ୱାରା ଭାରତରେ ଆଗକୁ ଏହିପରି ଭୟଙ୍କର ଆକ୍ରମଣ ହୋଇପାରେ ବୋଲି ଭାରତ ସରକାରଙ୍କୁ ସତର୍କ କରାଇଥିଲା। ସୂଚନାଯୋଗ୍ୟ ଯେ ସେହି ସମୟରେ ଆଫଗାନିସ୍ତାନ ଥିଲା ଆମେରିକା ସେନା ନିୟନ୍ତ୍ରଣରେ। ପରିତାପର ବିଷୟ, ଏହାର ଠିକ୍‌ ସାଢ଼େ ତିନିମାସ ପରେ ହେଲା ମୁମ୍ବାଇ ଆକ୍ରମଣ।
ସୁଦୀର୍ଘ ତିକ୍ତ ଅଭିଜ୍ଞତାରୁ ଭାରତ ଜାଣିଛି ଆଇଏସ୍‌ଆଇର ଅଭିସନ୍ଧିକୁ। ଭାରତରେ ଯେତେସବୁ ଆତଙ୍କୀ ଆକ୍ରମଣ ହୁଏ, ତା’ ପଛରେ ଏହି ସଂସ୍ଥାର ହାତ ନିଶ୍ଚିତ ନିହିତ ଥାଏ। ଉଗ୍ର ଇସ୍ଲାମିକ ଆତଙ୍କବାଦୀ ସଂଗଠନଗୁଡ଼ିକର ପ୍ରଚ୍ଛଦପଟରେ ପାକିସ୍ତାନର ପୃଷ୍ଠପୋଷକତା ରହି ଆସିଛି ବୋଲି ସାରା ବିଶ୍ୱ ଜାଣିଛି। ଆଉ, ଆଇଏସ୍‌ଆଇ ହିଁ ସେମାନଙ୍କ ତତ୍ତ୍ୱାବଧାରକ। ଆମେରିକୀୟ ଗୋଇନ୍ଦା ସମେତ ଆମ ନିଜସ୍ବ ଗୋଇନ୍ଦା ସଂସ୍ଥାର ସ୍ପଷ୍ଟ ସୂଚନା ସତ୍ତ୍ୱେ ଇସ୍ଲାମିକ ଆତଙ୍କବାଦୀ ସଂଗଠନଗୁଡ଼ିକ ପ୍ରତି ଆଖି ବୁଜି ଦେଇ ଦକ୍ଷିଣପନ୍ଥୀ ସଙ୍ଗଠନଗୁଡ଼ିକୁ ଦାୟୀ କରିବା ଅତ୍ୟନ୍ତ ହାସ୍ୟାସ୍ପଦ କଥା ନୁହଁ କି? ଅର୍ଥାତ୍‌ ଆରବସାଗର ଭିତରେ ହଜିଥିବା ଜାହାଜକୁ ଠାବ କରିବାକୁ ମହାକାଶରେ ଅଣ୍ଡାଳି ବୁଲିବା ପରି। ଆହୁରି ମଧ୍ୟ ଏହି ଘଟଣାର ଅନୁସନ୍ଧାନ ପାଇଁ ପାକିସ୍ତାନକୁ ଚିଠି ଲେଖି ଆଇଏସ୍‌ଆଇର ମୁଖ୍ୟ ଅହମ୍ମଦ ଏସ. ପାସାଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିବା, ତତ୍କାଳୀନ କେନ୍ଦ୍ର ସରକାରଙ୍କ ଏହା କି ପ୍ରକାର ମାନସିକତା ଥିଲା ତାହା ହିଁ ବିଚାର୍ଯ୍ୟ। ଏହାଦ୍ୱାରା ବିଶ୍ୱରେ ଭାରତ ଆହୁରି ଲଜ୍ଜିତ ହେଲା ନାହିଁ କି? ପ୍ରଶ୍ନ ଉଠେ, ଆତଙ୍କବାଦୀଙ୍କ କିଛି ଧର୍ମ ନ ଥାଏ ବୋଲି ଜାଣି ମଧ୍ୟ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ଇସ୍‌ଲାମ ଉପରେ ଆକ୍ରମଣ ବୋଲି କାହିଁକି ଆମ ରାଜନେତାମାନଙ୍କ ମନକୁ ବିଚାର ଆସେ? ଫଳରେ ଆତଙ୍କୀ ଗୋଷ୍ଠୀଙ୍କୁ ଆମେ ପରୋକ୍ଷ ସମର୍ଥନ ଦେଉନାହୁଁ କି? ତାଙ୍କ ଭିତରେ ଆମେ ଉତ୍ସାହ ଭରୁ ନାହୁଁ କି? କେଉଁ ସ୍ବାର୍ଥରେ କଂଗ୍ରେସ ନେତୃତ୍ୱରେ ପରିଚାଳିତ ଉପା ସରକାର ଆତଙ୍କବାଦୀ ଓ ମୌଳବାଦୀ ସଙ୍ଗଠନଗୁଡ଼ିକୁ ତୁଷ୍ଟୀକରଣ କଲାଭଳି ପଦକ୍ଷେପ ନେଉଥିଲେ? ଏଇଯେମିିତି, ଆତଙ୍କବାଦକୁ ଦୃଢ଼ହସ୍ତରେ ଦମନ କରିବାକୁ ଯାଇ ବାଜପେୟୀଙ୍କ ସରକାର ‘Prevention of Terrorism Act- 2002’ (POTA) ଆଇନ ପ୍ରଣୟନ କରିଥିଲେ। ମାତ୍ର ସୋନିଆ ଗାନ୍ଧୀଙ୍କ ନେତୃତ୍ୱାଧୀନ ‘ଉପା’ ସରକାର ମଇ ୨୦୦୪ରେ କ୍ଷମତାକୁ ଆସୁଆସୁ ଅଗ୍ରାଧିକାର ଭିତ୍ତିରେ ସେପ୍ଟେମ୍ବର ୨୦୦୪ରେ ସେଇ କଠୋର ଆଇନକୁ ରଦ୍ଦ କରିଦେଲେ। କଂଗ୍ରେସ ନେତୃତ୍ୱରେ ପରିଚାଳିତ ୟୁପିଏ ଶାସନର ଦୁର୍ବଳ ପଦକ୍ଷେପ ଯୋଗୁ ଦେଶ ବହୁ ଆତଙ୍କୀ ଆକ୍ରମଣର ଶିକାର ହୋଇଛି। କେବଳ ୨୦୦୮ରେ ୧୧ ଥର ଆକ୍ରମଣ ହୋଇଥିଲା। କେବଳ ୟୁପିଏ ସରକାରଙ୍କ ମନ୍ତ୍ରୀ ଥିବା ସାଂସଦ ମନୀଷ ତିୱାରୀ ନୁହନ୍ତି, ସେହି ୨୬ା୧୧ ମୁମ୍ବାଇ ଘଟଣା ସମୟରେ (୨୦୦୬-୨୦୦୯) ବିଦେଶ ସଚିବ ଏବଂ ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଜାତୀୟ ସୁରକ୍ଷା ଉପଦେଷ୍ଟା ଥିବା ଶିବ ଶଙ୍କର ମେନନ ମଧ୍ୟ ତାଙ୍କର ‘CHOICES :।nside the Making of।ndian Foreign Policy’ ପୁସ୍ତକରେ ଉପା ସରକାରଙ୍କ ସୁରକ୍ଷା ନୀତିକୁ କଡ଼ା ସମାଲୋଚନା କରିଛନ୍ତି। ୨୬ା୧୧ ଘଟଣା ପରେ ‘ସମସ୍ତ ସୀମା ଲଙ୍ଘି ସାରିଥିବା ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଜରୁରୀ’ ବୋଲି ସରକାରଙ୍କୁ ଏହି ବିଦେଶ ସଚିବ ନିଜେ ପରାମର୍ଶ ଦେଇଥିବାର ପ୍ରକାଶ। ମାତ୍ର ୟୁପିଏ ସରକାର ଏହାକୁ କର୍ଣ୍ଣପାତ କରି ନ ଥିଲେ ବୋଲି ପ୍ରକାଶ କରିଛନ୍ତି ପ୍ରାକ୍ତନ ଏହି ବିଦେଶ ସଚିବ। ଏ ପରିପ୍ରେକ୍ଷୀରେ ପ୍ରଶ୍ନ ଆସେ, କ୍ଷମତା ଲୋଭରେ ରାଜନେତା ଓ ତାଙ୍କ ଦଳ ଦ୍ୱାରା ଦେଶରେ ଯେଉଁ ଭୀଷଣ କ୍ଷତ ସୃଷ୍ଟି ହେଉଛି ତା’ର ଉପଚାର କ’ଣ? ଏଭଳି ଅସୁମାରି କ୍ଷତିକୁ ଭରଣା କରିବ କିଏ? ଏହାର ଚିରସ୍ଥାୟୀ ପ୍ରତିକାର ହେବା ଉଚିତ ନୁହେଁ କି?
ଗୋଡ଼ିଶୁଳ, ସଜନାଗଡ଼, ବାଲେଶ୍ୱର
ମୋ:୯୪୩୭୪୩୬୦୭୩
unbiswal05@gmail.com


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri