Categories: ଖେଳ

ବଲବୀର ସିଂ ଜୁନିୟରଙ୍କ ପରଲୋକ

ଚଣ୍ଡିଗଡ଼, ୧୪ା୪ (ପି.ଟି.)- ହକି କିମ୍ବଦନ୍ତୀ ବଲବୀର ସିଂ ଜୁନିୟରଙ୍କ ପରଲୋକ ହୋଇଯାଇଛି। ତାଙ୍କୁ ୮୮ ବର୍ଷ ହୋଇଥିଲା। ୧୯୫୮ ଏସିଆନ୍‌ ଗେମ୍ସରେ ରୌପ୍ୟ ଜିତିଥିବା ଭାରତୀୟ ହକି ଦଳର ସେ ଅନ୍ୟତମ ସଦସ୍ୟ ଥିଲେ। ସେ ତାଙ୍କ ସ୍ତ୍ରୀ, ଝିଅ ଓ ପୁଅଙ୍କୁ ଛାଡ଼ି ପରଲୋକ ଗମନ କରିଛନ୍ତି। ରବିବାର ନିଦ୍ରାଗତ ଅବସ୍ଥାରେ ହୃଦ୍‌ଘାତରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ପୁଅ କାନାଡାରେ ଅବସ୍ଥାନ କରୁଛନ୍ତି। କୋଭିଡ୍‌ ଯୋଗୁ ସେ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗ ଦେଇପାରି ନ ଥିଲେ। ବଲବୀର ଜୁନିୟର ଜଳନ୍ଧର ଅନ୍ତର୍ଗତ ସଂସାରପୁରରେ ଜନ୍ମଗ୍ରହଣ କରିଥିଲେ। ନର୍ସରୀ ଅଫ ଇଣ୍ଡିଆନ ହକି ରୂପେ ସେ ପରିଚିତ ଥିଲେ। ସେ ବଲବୀର ସିଂ ସିନିୟର, ଲେସ୍‌ଲି କ୍ଲାଉଡିଅସ୍‌, ପୃଥ୍ବୀପାଲ ସିଂ, ବାଲକିଶନ ଓ ଚାଲର୍‌ସ ଷ୍ଟିଫେନ୍‌ଙ୍କ ଭଳି କିମ୍ବଦନ୍ତୀ ଖେଳାଳିଙ୍କ ସହ ଖେଳିଛନ୍ତି। ମାତ୍ର ୬ ବର୍ଷ ବୟସରେ ସେ ହକି ଖେଳ ପ୍ରତି ଆଗ୍ରହ ଦେଖାଇଥିଲେ। ଜଳନ୍ଧରସ୍ଥିତ ଲ୍ୟାଲପୁର ଖାଲ୍‌ସା କଲେଜରେ ସେ ପାଠ ପଢ଼ିଥିଲେ। ୧୯୫୧ରେ ଆଫଗାନିସ୍ତାନ ଟୁର୍‌ ବେଳେ ସେ ଭାରତୀୟ ହକି ଦଳ ପାଇଁ ମନୋନୀତ ହୋଇଥିଲେ। ସେ ପଞ୍ଜାବ ରାଜ୍ୟ ହକି ଦଳରୁ ସଦସ୍ୟ ଥିଲେ। ପଞ୍ଜାବ ୟୁନିଭର୍ସିଟି ଟିମ୍‌ର ଅଧିନାୟକତ୍ୱ କରିଥିଲେ। ପରେ ସେ ଭାରତୀୟ ରେଲଓ୍ବେ ଦଳ ତରଫରୁ ୟୁରୋପ ଟୁର୍‌ରେ ଯାଇଥିଲେ। ସ୍ପେନ, ସୁଇଜରଲାଣ୍ଡ ଓ ଇଟାଲିରେ ମ୍ୟାଚ ଖେଳିଥିଲେ। ଏହି ଟିମ୍‌ ନେଦରଲାଣ୍ଡ୍ସରେ ଟେଷ୍ଟ ମ୍ୟାଚ ମଧ୍ୟ ଖେଳିଥିଲା। ୧୯୬୨ରେ ସେ ଆର୍ମିରେ ଜଣେ ଏମର୍ଜେନ୍ସି କମିଶନ୍ଡ ଅଫିସର ଭାବେ ଯୋଗ ଦେଇଥିଲେ। ସେ ଦିଲ୍ଲୀରେ ସର୍ଭିସେସ ହକି ଟିମ୍‌ରେ ପ୍ରତିନିଧିତ୍ୱ କରି ଜାତୀୟ ଟୁର୍ନାମେଣ୍ଟ ଖେଳିଥିଲେ। ସିଂ ୧୯୮୪ରେ ଜଣେ ମେଜର ଭାବେ ଅବସର ନେବା ପରେ ଗଲ୍ଫ ଖେଳ ପ୍ରତି ଆଗ୍ରହ ଦେଖାଇଥିଲେ। ଚଣ୍ଡିିଗଡ଼ରେ ସେ ସ୍ଥାୟୀ ଭାବେ ବାସ କରିଆସୁଥିଲେ। ତାଙ୍କ ବିୟୋଗରେ ହକି ଇଣ୍ଡିଆ ତରଫରୁ ଗଭୀର ଶୋକପ୍ରକାଶ କରାଯାଇଛି।

Share