ବାସୁଦେବପୁର,୮ା୫(କାଳୀପଦ ରାୟ): ଭଦ୍ରକ ସଦର ବ୍ଲକ ଅଧୀନ ସାବରଙ୍ଗ ପଞ୍ଚାୟତର ରାଉତ ସାହିରେ ଶ୍ୱଶୁର ଘର ପିଣ୍ଡାରେ ସନ୍ଦେହ ଜନକ ଅବସ୍ଥାରେ ଝୁଲୁଥିବାର ଦେଖିବାକୁ ମିଳିଛି। ସେ ହେଲେ ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଧୀନ ବାଲି ହେନ୍ତି ଗ୍ରାମର ବେଣୁଧର ହାତୀ(୩୬)।
ସୂଚନାନୁଯାୟୀ, ବେଣୁଧର ୨୦୧୯ରେ ଭଦ୍ରକ ଜିଲାର ସାବରଙ୍ଗ ପଞ୍ଚାୟତର ରାଉତ ସାହିର ରତ୍ନାକର ରାଉତଙ୍କ ଝିଅ ବନଲତାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ପରେ ସେ ଗୁଜରାଟର ସୁରଟରେ ଏକ ଗେଷ୍ଟ୍ ହାଉସରେ କାମ କରୁଥିଲେ। ବିବାହର କିଛିଦିନ ପରେ ତାଙ୍କର ଏକ କନ୍ୟାସନ୍ତାନ ଜନ୍ମ ହୋଇଥିଲା। ଗତ କିଛିଦିନ ତଳେ ବନଲତା ତାଙ୍କ ଝିଅକୁ ଧରି ବାପଘରେ ଆସି ରହୁଥିଲେ। ଗତକାଲି(ଗୁରୁବାର ସନ୍ଧ୍ୟାରେ) ବେଣୁଧର ଶ୍ୱଶୁର ଘରେ ପହଞ୍ଚି ଘର ଚାବି ମାଗିବା ସହ ଝିଅକୁ ନେଇ ଘରକୁ ଯିବା ପାଇଁ ଜିଦ୍ ଧରି ବସିଥିଲେ। ଶ୍ୱଶୁର ଘର ଲୋକେ ତାଙ୍କୁ ସକାଳୁ ଯିବାକୁ କହିବାରୁ ସେ ରାଗି ବାହାରକୁ ପଳାଇଥିଲେ। ରାତି ୧୨ଟା ପର୍ଯ୍ୟନ୍ତ ତାଙ୍କର ଆଉ କୌଣସି ଖୋଜ ଖବର ମିଳି ନ ଥିଲା। ଶୁକ୍ରବାର ସକାଳୁ ସ୍ଥାନୀୟ ଲୋକେ ବେଣୁଧର ବେକରେ ଏକ ରଶି ଲଗାଇ ରତ୍ନାକରଙ୍କ ମୃତଦେହ ବାଡ଼ିପଟେ ଘର ପିଣ୍ଡାରେ ଝୁଲୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ସାବରଙ୍ଗ ଥାନାଧିକାରୀ ଶାନ୍ତନୁ ଜେନା ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ନମ୍ବର ୮/ ୨୬ ରୁଜୁ ହୋଇଛି।