ଅସତୋ ମା ସଦ୍‌ଗମୟ, ତମସୋ ମା ଜ୍ୟୋତିର୍ଗମୟ…

ଆଲୋକର ପର୍ବ ଦୀପାବଳି। ଏହି ଦିନଟିକୁ ସମସ୍ତେ ଦୀପ, ମହମବତି ଓ ବିଭିନ୍ନ ରଙ୍ଗବେରଙ୍ଗର ଲାଇଟ୍‌ ଜଳାଇ, ବାଣଫୁଟାଇ ବେଶ୍‌ ଧୁମଧାମରେ ପାଳନ କରିଥା’ନ୍ତି। ପିଠା, ମିଠା ବଣ୍ଟନର ଆନନ୍ଦରେ ବିଭୋର ହୋଇଥା’ନ୍ତି। ପ୍ରତିବର୍ଷ ଭାରତ ବର୍ଷରେ ଏହି ପର୍ବ ପାଳନ କରାଯାଇଥାଏ। ଏହା ପଛରେ ମଧ୍ୟ ରହିଛି ବିଭିନ୍ନ କିମ୍ବଦନ୍ତୀ। ଦୀପାବଳି ପର୍ବର ରହିଛି ସୁନ୍ଦର ଅର୍ଥ। ଦୀପ ଅର୍ଥ ଆଲୋକ ଓ ଆବଳି ଅର୍ଥ ଅନବରତ ଆଲୋକ। ଜଗତରୁ ଅନ୍ଧକାର ରୂପକ ଅନ୍ୟାୟ, ଭ୍ରଷ୍ଟାଚାର, ଦୁର୍ନୀତି ଦୂର ହୋଇ ଆଲୋକ ରୂପକ ଶାନ୍ତି ଛାୟା ବିଛେଇ ହୋଇ ରହୁ। ଏହାହିଁ ଦୀପାବଳି ପର୍ବର ମୁଖ୍ୟ ଲକ୍ଷ୍ୟ। ରାଷ୍ଟ୍ରଭକ୍ତ, ସମାଜସେବୀମାନେ ରାଷ୍ଟ୍ର ତଥା ଦେଶର ଉନ୍ନତି ପାଇଁ ଏବଂ ସମାଜରୁ ଶତ୍ରୁ, ଅସତ୍ୟ, ଅନ୍ୟାୟକୁ ପରାଜିତ କରି ସତ୍ୟର ଆଗମନ ନିମନ୍ତେ ଦୀପ ଜାଳି ଭଗବାନ୍‌ଙ୍କ ନିକଟରେ କାମନା କରିଥା’ନ୍ତି। ପରିବାରର ଲୋକମାନେ ମଧ୍ୟ ନିଜ ଆତ୍ମୀୟଙ୍କ ଶୁଭ ମନାସି ଜାଳିଥାନ୍ତି ଦୀପାଳି। ଏହି ଦିନକୁ ଆତ୍ମା ସାକ୍ଷାତ୍‌କାର ଦିନ ଭାବେ ମଧ୍ୟ ଗ୍ରହଣ କରାଯାଇଥାଏ। ମଣିଷ ଭିତରେ ଥିବା ସୁପ୍ତ ଚେତନାକୁ ଜାଗ୍ରତ କରିବାର ଏହା ଏକ ଅନୁପମ ପର୍ବ।
ଆମର ଆଭାମଣ୍ଡଳକୁ ବିଶୁଦ୍ଧ ଓ ପରିବେଶ ସ୍ବଚ୍ଛତା ପ୍ରତି ସତର୍କ ହେବା ପାଇଁ ମଧ୍ୟ ସନ୍ଦେଶ ଦେଇଥାଏ ଏହି ପର୍ବ। ପୂର୍ବ ପୁରୁଷଙ୍କ ଆତ୍ମାକୁ ଶାନ୍ତି ଦେବା ନିମିତ୍ତ ଏହିଦିନ ପିଣ୍ଡଦାନ କରାଯାଇଥାଏ। ପିଣ୍ଡଦାନ ପରେ ସେମାନେ ପିତୃଲୋକ ଗମନ କରନ୍ତି ବୋଲି ବିଶ୍ୱାସ କରାଯାଏ। ଏଥିପାଇଁ ପିଣ୍ଡଦାନ ପରେ ପିପେଇ ଡକାଯାଏ। କାଉଁରିଆ କାଠି, ବେରୁଆ ଓ ଘିଅରେ ପ୍ରସ୍ତୁତ ହୋଇଥାଏ ପିପେଇ କାଠି। ଏଥିରେ ଅଗ୍ନି ସଂଯୋଗ କରାଯାଇ ବଡ଼ବଡ଼ୁଆଙ୍କୁ ଆହ୍ବାନ କରାଯାଇଥାଏ। ସେମାନେ ଆଲୋକରେ ଦିବ୍ୟଲୋକ ଗମନ କରନ୍ତୁ ବୋଲି ଲୋକମାନେ ପିପେଇ ଡାକି କାମନା କରିଥା’ନ୍ତି। ପିପେଇ ଡାକରେ ମଧ୍ୟ ରହିଛି ଏକ ସୁନ୍ଦର ବନ୍ଦନା। ବନ୍ଦନାଟି ଏହିପରି- ବଡ଼ବଡ଼ୁଆ ହୋ ଅନ୍ଧାରରେ ଆସ, ଆଲୁଅରେ ଯାଅ। ଗଙ୍ଗା ଯାଅ, ଗୟା ଯାଅ, ବାଇଶି ପାହାଚରେ ଗଡ଼ଗଡ଼ଉଥାଅ। ରାମାୟଣ ପୃଷ୍ଠାରୁ ଜଣାପଡ଼େ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର ରାକ୍ଷସ ରାବଣକୁ ବଧ କରି ଜନକନନ୍ଦନୀ ସୀତାଙ୍କୁ ତା’ କବଳରୁ ଉଦ୍ଧାର କରିଥିଲେ। ଏହି ଦିନ ତାଙ୍କ ବନବାସର ଚଉଦ ବର୍ଷ ପୂରିଯାଇଥିବାରୁ ସେ ଅଯୋଧ୍ୟା ଫେରି ଆସିଥିଲେ। ଅଯୋଧ୍ୟା ନଗରବାସୀ ବହୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ ରାଜକୁମାର ରାମଚନ୍ଦ୍ରଙ୍କୁ। ତାଙ୍କୁ ଫେରିବା ଦେଖି ନଗରବାସୀ ଆନନ୍ଦରେ ବିଭୋର ହୋଇ ପାଳନ କରିଥିଲେ ବିଜୟର ଦିବସ। ରଙ୍ଗବେରଙ୍ଗର ଆଲୋକରେ ଅଯୋଧ୍ୟା ନଗରୀ ନେଇଥିଲା ନୂଆ ରୂପ। ଏହା ସହ ନଗରବାସୀ ଦୀପ ଜାଳି, ବାଣ ଫୁଟାଇ ସ୍ବାଗତ କରିଥିଲେ ରଘୁକୁଳ ତିଳକ ରାମଚନ୍ଦ୍ର, ଲକ୍ଷ୍ମଣ ଓ ଜନକନନ୍ଦନୀ ସୀତାଙ୍କୁ। ସେଦିନ ଏହି ଦିନଟିକୁ ଦୀପାବଳି ବୋଲି ନାମକରଣ କରାଯାଇଥିଲା। ସେହିଦିନଠାରୁ ହିଁ ଏହି ଦିନରେ ଦୀପାବଳି ପାଳନ କରିଆସୁଛନ୍ତି ଦେଶର କୋଣ ଅନୁକୋଣର ଲୋକମାନେ। ଦୀପାବଳିକୁ ନେଇ ମହାଭାରତରେ ମଧ୍ୟ ରହିଛି ଏକ ସୁନ୍ଦର କାହାଣୀ। ପାଣ୍ଡବ ପାଞ୍ଚ ଭାଇ ତାଙ୍କ ଆତ୍ମୀୟ କୌରବ ଶହେ ଭାଇଙ୍କ ଦ୍ୱାରା ଏକ ବାଜିରେ ପରାଜିତ ହୋଇଥିଲେ। ସର୍ତ୍ତ ଅନୁଯାୟୀ, ପଞ୍ଚ ପାଣ୍ଡବ ୧୩ ବର୍ଷ ପାଇଁ ନିଜ ଜନ୍ମସ୍ଥାନରୁ ନିର୍ବାସିତ ହୋଇଥିଲେ। ଯେଉଁଦିନ ୧୩ ବର୍ଷ ପୂରଣ ହୋଇଥିଲା, ପଞ୍ଚପାଣ୍ଡବ, ତାଙ୍କ ମା’ ଓ ସ୍ତ୍ରୀଙ୍କ ସହ ଫେରିଥିଲେ ଜନ୍ମସ୍ଥାନ ହସ୍ତିନାପୁରକୁ। ଏହି ଦିନ ହିଁ ହୋଇଥିଲା କାର୍ତ୍ତିକ ଅମାବାସ୍ୟା। ସେଦିନ ହସ୍ତିନାପୁରବାସୀ ନଗରକୁ ଆଲୋକରେ ସଜାଇ, ଦୀପ ଜାଳି ଓ ବାଣ ଫୁଟାଇ ପଞ୍ଚପାଣ୍ଡବ, ତାଙ୍କ ମା’ ଓ ପତ୍ନୀ ଦ୍ରୌପଦୀଙ୍କୁ ସ୍ବାଗତ କରିଥିଲେ।
ଦୀପାବଳି ଦିନ ଲକ୍ଷ୍ମୀ ଓ ବିଷ୍ଣୁଙ୍କୁ ପୂଜା କରାଯାଇଥାଏ। ପୁରାଣ କିମ୍ବଦନ୍ତୀ ଅନୁଯାୟୀ, ଦେବତା ଓ ଅସୁରଙ୍କ ମଧ୍ୟରେ ମଣିଷଙ୍କ ପରି ମୃତ୍ୟୁ ଘଟୁଥିଲା। କିନ୍ତୁ ସେମାନେ ମୃତ୍ୟୁକୁ ଜୟ କରିବା ପାଇଁ ଚାହୁଁଥିଲେ। ଏଥିପାଇଁ ସେମାନଙ୍କୁ ଦରକାର ଥିଲା ସମୁଦ୍ରରେ ଥିବା ଅମୃତ। ଏହି ଅମୃତ ସେବନରେ ହିଁ ମୃତ୍ୟୁକୁ ଜୟ କରିହେବ। ଏଥିପାଇଁ ସେମାନେ ଆରମ୍ଭ କରିଥିଲେ ସମୁଦ୍ର ମନ୍ଥନ। ସମୁଦ୍ର ମନ୍ଥନରୁ ବହୁ ଦୈବିକ ବସ୍ତୁ ବାହାରିଥିଲା। ହେଲେ ଦେବତା ଓ ରାକ୍ଷସ ଯେଉଁ ଅମୃତ ପାଇଁ ସମୁଦ୍ର ମନ୍ଥନ କରୁଥିଲେ, ଉକ୍ତ ଅମୃତକୁ ସାଙ୍ଗରେ ଧରି ସମୁଦ୍ରଙ୍କ ଝିଅ ମହାଲକ୍ଷ୍ମୀ ଆସିଥିଲେ। ସତେ ଯେପରି କାର୍ତ୍ତିକ ଅମାବାସ୍ୟା ରାତିରେ ନୂଆ ଜହ୍ନର ରୂପ ନେଇ ଲକ୍ଷ୍ମୀ ଆବିର୍ଭାବ ହେଲେ। ଭଗବାନ୍‌ ବିଷ୍ଣୁ ତାଙ୍କୁ ବିବାହ କଲେ। ଦୀପ୍ତିମାନ ଆଲୋକରେ ଆଲୋକମୟ ହୋଇଗଲା ସାରାଜଗତ। ଏହି ପବିତ୍ର ଦିନଟିକୁ ପ୍ରତିବର୍ଷ ଲୋକେ ଦୀପ, ଧୂପ, ପିଠା, ମିଠା ଓ ପଣା ଦେଇ ଲକ୍ଷ୍ମୀ ଓ ବିଷ୍ଣୁଙ୍କୁ ଆରାଧନା କରିଥା’ନ୍ତି। ଏହି ଦିନଟିକୁ କେତେକେ ମଧ୍ୟ ଲକ୍ଷ୍ମୀଙ୍କ ଜନ୍ମଦିନ ବୋଲି ମାନନ୍ତି। କାର୍ତ୍ତିକ ଅମାବାସ୍ୟା ଦିନ ଭଗବାନ୍‌ ବିଷ୍ଣୁ ବାମନ ଅବତାର ନେଇ ବଳିକୁ ପାତାଳକୁ ଚାପି ଦେଇଥିଲେ। ମହାବଳି ବିଷ୍ଣୁଙ୍କ ଦ୍ୱାରା ପରାଜିତ ହୋଇଥିବାରୁ ଲୋକମାନେ ଏହିଦିନକୁ ବେଶ୍‌ ଧୁମ୍‌ଧାମରେ ପାଳନ କରିଥିଲେ। ରାକ୍ଷସ ନରକାସୁରକୁ ମଧ୍ୟ ଭଗବାନ୍‌ ବିଷ୍ଣୁ ଦୀପାବଳି ପୂର୍ବଦିନ ବଧ କରିଥିଲେ। ନରକାସୁର ଦ୍ୱାରା ବନ୍ଦୀଥିବା ନାରୀମାନଙ୍କୁ ଦୀପାବଳି ଦିନ ମୁକ୍ତି ମିଳିଥିଲା। ଏହି ଖୁସିରେ ସେମାନେ ଏହିଦିନରେ ଦୀପ, ଧୂପ ଦେଇ ଭଗବାନ୍‌ ବିଷ୍ଣୁଙ୍କୁ ପୂଜା କରିଥିଲେ। ଅନ୍ୟ ଏକ କିମ୍ବଦନ୍ତୀରୁ ଜଣାପଡ଼େ, ଏକ ଯୁଦ୍ଧରେ ଦେବତାମାନେ ରାକ୍ଷସଙ୍କଠୁ ପରାଜିତ ହୋଇଥିଲେ। ରାକ୍ଷସମାନଙ୍କ ପ୍ରାଦୁର୍ଭାବ ପୃଥିବୀପୃଷ୍ଠରେ ବୃଦ୍ଧି ପାଇଲା। ଲୋକମାନେ ତ୍ରାହି ତ୍ରାହି ଡାକ ଛାଡ଼ିଲେ। ସ୍ବର୍ଗ ଓ ମର୍ତ୍ତ୍ୟକୁ ରାକ୍ଷସଙ୍କ କବଳରୁ ରକ୍ଷା କରିବା ପାଇଁ ମା’ଦୁର୍ଗା ସାଜିଲେ ମା’କାଳୀ। ମା’କାଳୀ ସମସ୍ତ ରାକ୍ଷସଙ୍କୁ ମାରି ସାରିବା ପରେ ନିଜର ନିୟନ୍ତ୍ରଣ ହରାଇଥିଲେ। ତାଙ୍କ ସାମ୍ନାରେ ଯିଏ ପଡ଼ିଲା, ତାଙ୍କ ଜୀବନ ଗଲା। ମା’କାଳୀଙ୍କ ରାଗ ଶାନ୍ତ କରିବା ପାଇଁ ସ୍ବୟଂ ଭଗବାନ୍‌ ଶିବଶଙ୍କର ଦ୍ୱାରବନ୍ଧରେ ଶୋଇପଡ଼ିଲେ। ମା’ବାହାରି ଯିବା ସମୟରେ ତାଙ୍କ ପ୍ରଥମ ପାଦ ପଡ଼ିଥିଲା ତାଙ୍କ ସ୍ବାମୀ ଶିବଶଙ୍କରଙ୍କ ଉପରେ। ସ୍ବାମୀଙ୍କ ଉପରେ ପାଦ ପଡ଼ିଥିବା ଦେଖି ମା’ଜିଭ କାମୁଡ଼ି ଅଟକି ଯାଇଥିଲେ। ଏହି ସୁନ୍ଦର ରୂପକୁ ଦେବଲୋକ ଓ ଭକ୍ତଗଣ ବିଭିନ୍ନ ନୈବେଦ୍ୟରେ ପୂଜା କରିଥିଲେ। ସେ ଦିନ ଥିଲା କାର୍ତ୍ତିକ ଅମାବାସ୍ୟା। ଏଣୁ ଦୀପାବଳିରେ ମା’କାଳୀଙ୍କୁ ପୂଜା କରାଯାଏ।
ଅତୀତର ମହାନ୍‌ ପରମ୍ପରାପୁଷ୍ଟ ଦୀପାବଳି ଓ ବର୍ତ୍ତମାନର ଆଭିଜାତ୍ୟପୂର୍ଣ୍ଣ ବାଣଫୁଟା ପର୍ବ ଦୀପାବଳି ପାଳନ ବ୍ୟବସ୍ଥାକୁ ତୁଳନା କଲେ ଆମେ କିପରି ଏହି ମହାନ୍‌ ପର୍ବର ଉଚ୍ଚ ସଂସ୍କୃତିଠାରୁ ଦୂରେଇ ଯାଉଛୁ, ତାହା ସ୍ପଷ୍ଟ ହୋଇଥାଏ । ପର୍ବ ପାଳନର ଆନନ୍ଦ ମଧ୍ୟରେ ଯଦି ଦୁଃଖ ଆସିଲା, ମଣିଷଙ୍କ ସମେତ ଧରାପୃଷ୍ଠରେ ବସବାସ କରୁଥିବା ଅସଂଖ୍ୟ ଜାତିର ଜୀବଜନ୍ତୁ ଭୟାତୁର ଓ କ୍ଷତିଗ୍ରସ୍ତ ହେଲେ, ପକ୍ଷୀ, କୀଟପତଙ୍ଗ ଆତଙ୍କିତ ହେଲେ, ତେବେ ଏଭଳି ଉତ୍ସବ ପାଳନ ମାଧ୍ୟମରେ ଆମେ ଲାଭ କରୁଛେ କି କ୍ଷତି ଆଣୁଛେ ତାହା ଏବର ପରିପ୍ରେକ୍ଷୀରେ ଗୁରୁତ୍ୱର ସହ ବିଚାର କରିବା କଥା। ଆଜିର ଏହି ପବିତ୍ର ଦିବସରେ ଆସନ୍ତୁ ସେହି ମହାନ୍‌ ଜ୍ୟୋତିକୁ ସ୍ବାଗତ କରିବା ଓ ବିଶ୍ୱରୁ ଅଜ୍ଞାନର ଅମା ଅନ୍ଧକାର ଦୂରେଇଦେବା ପାଇଁ ପ୍ରାର୍ଥନା କରି କାହାକୁ କ୍ଷତି ପହଞ୍ଚାଇବାଠାରୁ ଦୂରେଇ ରହି ଦୀପାବଳି ଉତ୍ସବ ପାଳନ କରିବାକୁ ଶପଥ ନେବା। ଦୀପାବଳିର ପବିତ୍ର ସନ୍ଧ୍ୟାରେ ପ୍ରଜ୍ୱଳିତ ପ୍ରଦୀପକୁ ସ୍ବାଗତ କରି କହିବା – ‘ସର୍ବେ ଭବନ୍ତୁ ସୁଖିନଃ, ସର୍ବେସନ୍ତୁ ନିରାମୟା…’।

ଡା. ଉମେଶ ଚନ୍ଦ୍ର ପାତ୍ର
– ପ୍ରତିଋତ୍ୱିକ ଓ ଅବସରପ୍ରାପ୍ତ ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ, ମେଡିକାଲ କଲେଜ, କଟକ, ମୋ: ୯୪୩୭୦୫୧୯୫୭

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri