କଷ୍ଟ ଦେଉଛି କ୍ରଶର ଗୁଣ୍ଡ

କାମାକ୍ଷାନଗର, ୩୦।୭ (ଡି.ଏନ୍‌.ଏ.) ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) କର୍ତ୍ତୃପକ୍ଷଙ୍କ ପରିଚାଳନାରେ ଥିବାବେଳେ ରାସ୍ତାର ଉନ୍ନତୀକରଣ ହୋଇପାରୁ ନ ଥିଲା। ଖାଲଖମାରେ ଭର୍ତ୍ତି ହୋଇଥିବା ସଡ଼କ ପାଲଟିଥିଲା ମରଣଯନ୍ତା। ସହରବାସୀଙ୍କ ଜୀବନରେଖା ପାଲଟିଥିବା ଏହି ସଡ଼କକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିଦେଲେ ସ୍ଥିତି ସୁଧୁରିବ ବୋଲି ଆଶା ଥିଲା। ହେଲେ ଏହାପରେ ସମସ୍ୟା ସୁଧୁରିବା ପରିବର୍ତ୍ତେ ଆହୁରି ବଢ଼ିଯାଇଛି। ରାସ୍ତା ଉନ୍ନତୀକରଣ ଦାୟିତ୍ୱରେ ଥିବା ଠିକାସଂସ୍ଥା ମରାମତି ନାମରେ ଖାଲଖମାରେ କ୍ରଶର ପଥରଗୁଣ୍ଡ ପକାଇ ଦାୟିତ୍ୱ ସାରି ଦେଇଥିବାବେଳେ ଜିରିଡ଼ାମାଳିଠାରୁ କାମାକ୍ଷାନଗର ଯାଏ ଦୀର୍ଘ ୩ କି.ମି. ରାସ୍ତା ଏବେ ପ୍ରଦୂଷଣ ବଳୟରେ ପରିଣତ ହୋଇଛି । ଏହି କାରଣରୁ ରାସ୍ତାପାର୍ଶ୍ୱ ବ୍ୟବସାୟୀଙ୍କ ବ୍ୟବସାୟ ବନ୍ଦ ହେବାକୁ ବସିଥିବାବେଳେ ଶ୍ୱାସଜନିତ ରୋଗର ଶିକାର ରୋଗୀ ବାହାରକୁ ବାହାରିବାକୁ ଭୟ କଲେଣି।
ଢେଙ୍କାନାଳ ଜିଲା କାମାକ୍ଷାନଗର ସହର ଦେଇ ଯାଇଛି ୫୩ନଂ. ଜାତୀୟ ରାଜପଥ। ଜିଲାର ଅନ୍ୟତମ ବ୍ୟସ୍ତବହୁଳ ଏହି ଏନ୍‌ଏଚ୍‌ର ଦୋହରୀକରଣ କାମ ଜାରି ରହିଛି। ସହର ଭିତରେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଏକ ବାଇପାସ୍‌ ରାସ୍ତା ମଧ୍ୟ ନିର୍ମାଣ କରାଯାଉଛି। ଏହି କାରଣରୁ ଆଳତୁମା ଛକ-ଜିରାଡ଼ାମାଳି ଭାୟା କାମାକ୍ଷାନଗର ରାସ୍ତାକୁ ଏନ୍‌ଏଚ୍‌ଏଆଇଠାରୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି। ପୂର୍ତ୍ତ ବିଭାଗ ଅଧୀନକୁ ଆସିବା ପରେ ଉକ୍ତ ୩ କିଲୋମିଟର ଦୀର୍ଘ ରାସ୍ତାର ଉନ୍ନତୀକରଣ ଦାୟିତ୍ୱ ଏକ ଠିକାସଂସ୍ଥାକୁ ଦିଆଯାଇଛି। ହେଲେ ଦୂରଦୃଷ୍ଟି ଅଭାବରୁ ଏବେ ସମସ୍ୟା ଅନେକାଂଶରେ ବଢ଼ିଯାଇଛି। କାରଣ ଦାୟିତ୍ୱଧାରୀ ଠିକାସଂସ୍ଥା ବଡ଼ବଡ଼ ଖାଲଖମାରେ କ୍ରଶର ଗୁଣ୍ଡ ପକାଇ ଫିଲିଂ କରିଥିବାବେଳେ ଭାରିଯାନ ଚଳାଚଳ ପରେ ସେସବୁ ରାସ୍ତାକୁ ଉଠିଯାଇଛି। ବର୍ଷା ହେଲେ ଖାଲଗୁଡ଼ିକରେ ପାଣି ଭର୍ତ୍ତି ହୋଇ ବିପଦକୁ ଆମନ୍ତ୍ରଣ କରୁଥିବାବେଳେ ଖରା ହେଲେ ସାମାନ୍ୟ ପବନରେ କିମ୍ବା ଯାନବାହନ ଚଳାଚଳ କଲେ ଭୟଙ୍କର ଧୂଳି ଉଡ଼ି ଦୋକାନରେ ପଶୁଛି। ପ୍ରଦୂଷଣ ଏତେ ମାତ୍ରାରେ ବଢିଯାଉଛି ଯେ, ରାସ୍ତା ପାର୍ଶ୍ୱରେ ବ୍ୟବସାୟ କରିବା କାଠିକର ପାଠ ହେଲାଣି। ବୈଦ୍ୟୁତିକ ସାମଗ୍ରୀରେ ଧୂଳି ପଶି ଯନ୍ତ୍ରାଂଶ ଖରାପ ହୋଇଯାଉଛି। ସେହିପରି ଘରେ ଧୂଳିର ବହଳ ଆସ୍ତରଣ ଜମିଯାଉଥିବା ଅଭିଯୋଗ ହେଉଛି। ଏହି ବ୍ୟସ୍ତବହୁଳ ସଡ଼କରେ ଧୂଳି ପ୍ରଦୂଷଣ ଅଞ୍ଚଳବାସୀଙ୍କୁ ଅଣନିଃଶ୍ୱାସୀ କରି ପକାଇଥିବାବେଳେ ଏହାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ରାସ୍ତା କାମ ଯେପରି ତ୍ୱରାନ୍ବିତ ହୋଇପାରିବ, ସେଥିଲାଗି ପଦକ୍ଷେପ ନେବାକୁ ସହରର ବୁଦ୍ଧିଜୀବୀ, ବ୍ୟବସାୟୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲା ୨ ଭାଇଙ୍କ ମୃତଦେହ

ପରଜଙ୍ଗ,୧୫।୯(ନିଗମାନନ୍ଦ ଦଳବେହେରା): ଦୁର୍ଘଟଣାରେ ୨ ଭାଇଙ୍କ ଜୀବନ ଚାଲିଗଲା। ହେଲେ ମୃତଦେହ ଘରକୁ ନେବାବେଳେ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଲା, ତାହା ସମସ୍ତଙ୍କୁ ବିଚଳିତ କରିଛି। ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?