Posted inUncategorized

ବିଶ୍ୱାସ ଓ ସହଯୋଗର ସଙ୍କଟ

ବିଲ୍‌ ଏମ୍ମୋଟ

ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ କପ୍‌୨୬ର ଅନିର୍ଣ୍ଣାୟକ ପରିଣାମରେ ଅନେକ ଦେଶ ହତୋତ୍ସାହିତ ହୋଇଯାଇଛନ୍ତି। ହେଲେ ସେମାନେ ନିକଟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଚାଇନା ପ୍ରତିପକ୍ଷ ଶି ଜିନ୍‌ପଙ୍ଗ୍‌ଙ୍କ ମଧ୍ୟରେ ଅନୁଷ୍ଠିତ ଭର୍ଚୁଆଲ ସମ୍ମିଳନୀ ନିଷ୍କର୍ଷ ପ୍ରତି ଗୁରୁତ୍ୱ ଦେବା ଉଚିତ କିମ୍ବା କୋଭିିଡ୍‌-୧୯ ଟିକାର ନିଷ୍ପକ୍ଷ ବଣ୍ଟନ ବ୍ୟବସ୍ଥାରେ ସାମିଲ ହୋଇ ସକ୍ରିୟତା ପ୍ରକାଶ କରିବା ଆବଶ୍ୟକ। ଏହା ନିଶ୍ଚିତ ଯେ, ସାମ୍ପ୍ରତିକ ପରିସ୍ଥିତିରେ ବୈଶ୍ୱିକ ଶାସନ ବ୍ୟବସ୍ଥାରେ ବହୁ ସମସ୍ୟା ଓ ନୈରାଶ୍ୟତା ଦେଖା ଦେଇଛି। ଏକ ନୂଆ ରିପୋର୍ଟ ‘ଆଓ୍ବାରା ଗ୍ଲୋବାଲ କଣ୍ଡିଶନ’ ଅନୁଯାୟୀ, ଗ୍ଲୋବାଲ କମିଶନ ଫର୍‌ ପୋଷ୍ଟ୍‌-ପାଣ୍ଡେମିକ୍‌ ପଲିସି ଉପରେ ମୁଁ ଓ ମୋର ସାଥୀମାନେ ଏହି ସବୁ ସମସ୍ୟା ୪ଟି ସଂକଟ ଯୋଗୁ ହୋଇଛି ବୋଲି ଜାଣିପାରିଛୁ। ଏହି ୪ଟି ସଂକଟର ପଞ୍ଝାରେ ଆମେ ପଡ଼ିଯାଇଛୁ। ଆଗକୁ ଏଥିରୁ ମୁକୁଳିବାକୁ ପଡ଼ିବ। ବିଶ୍ୱର ସାର୍ବଜନୀନ ସ୍ବାସ୍ଥ୍ୟ, ଜଳବାୟୁ ପରିବର୍ତ୍ତନ, ଜନସାଧାରଣଙ୍କ ବିଶ୍ୱାସ ହ୍ରାସ ଏବଂ ଗଣତାନ୍ତ୍ରିକ ବୈଧାନତା ଓ ଭୂ-ରାଜନୈତିକ ଅସ୍ଥିରତା ମଧ୍ୟରେ ଥିବା ସମ୍ପର୍କକୁ ଚିହ୍ନଟ କରିବା ସହ ଏଥିରେ ଜଡ଼ିତ ଜଟିଳ ସମସ୍ୟାଗୁଡ଼ିକୁ ମିଳିତ ଭାବେ ଆମକୁ ସମାଧାନ କରିବାକୁ ହେବ। ଏଗୁଡ଼ିକୁ ଯଦି ଆମେ ଭିନ୍ନ ଭିନ୍ନ ସମସ୍ୟା ଭାବେ ଦେଖିବା, ତେବେ କୌଣସି ଲକ୍ଷ୍ୟରେ ପହଞ୍ଚିପାରିବା ନାହଁି।
ପରିବେଶଗତ ଚାପ ବଢିବା ଦ୍ୱାରା ପ୍ରାଣୀଙ୍କଠାରୁ ମଣିଷଙ୍କୁ ସଂକ୍ରାମକ ରୋଗ ବ୍ୟାପୀ ମହାମାରୀ ରୂପ ନେବାର ସମ୍ଭାବନା ଅଧିକ। ମହାମାରୀ ହେଲେ ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ଚାପ ବଢିଯାଏ। ଏହା ଯୋଗୁ ସମାଜକୁ ଅଣଦେଖା କଲାଭଳି ମନୋଭାବ ଏବଂ ବ୍ୟବହାର ପ୍ରକାଶ ପାଏ, ଯଦ୍ଦ୍ବାରା ମହାମାରୀ ନିୟନ୍ତ୍ରଣରେ ବାଧା ଉପୁଜେ। କାର୍ବନ ନିର୍ଗମନ ହ୍ରାସରେ ଦୃଢ ପଦକ୍ଷେପ ନେବା ଲାଗି ଜନସାଧାରଣଙ୍କ ସମର୍ଥନ କିମ୍ବା ଭାଗୀଦାରି ପାଇବା ସରକାରଙ୍କ ପାଇଁ କଷ୍ଟକର ହୋଇଯାଏ। ଏଭଳି ସ୍ଥିତି ଏବେ ପ୍ରକାଶ ପାଇଛି। ୨୦୦୮ର ଅର୍ଥନୈତିକ ସଂକଟ ଏବଂ ସୋସିଆଲ ମିଡିଆର ଦ୍ୱାହି ଦେଇ ଯେଉଁ ଦେଶ କିମ୍ବା ରାଜନୈତିକ ବ୍ୟବସ୍ଥାଗୁଡ଼ିକ ବିଭିନ୍ନ ସଂସ୍ଥା ଓ ବିଶେଷଜ୍ଞକୈନ୍ଦ୍ରିକ ଅଧିକାରକୁ ଅଣଦେଖା କରିଛନ୍ତିି, ସେଠାରେ ସେମାନେ ନୂଆ ସଂକଟର ମୁକାବିଲା କରୁଛନ୍ତି । ସେମାନଙ୍କୁ ଏହି ସଂକଟର ସମାଧାନ କରିବା ଲାଗି ଅଧିକ ପଦକ୍ଷେପ ନେବାକୁ ପଡ଼ୁଛି। ବିଶେଷକରି ଏହା ଆମେରିକା ପାଇଁ ଉପଯୁକ୍ତ, ଯାହାର ନେତୃତ୍ୱ ଅନେକ ଦେଶ ଚାହଁିଥାଆନ୍ତି। କିନ୍ତୁ ଆମେରିକା ଉପରେ ଏବେ ସେମାନଙ୍କ ବିଶ୍ୱାସ କମିଯାଇଛି। ଏହି ବିଶ୍ୱାସର ସଙ୍କଟ ଆମେରିକାକୁ ଆଭ୍ୟନ୍ତରୀଣ ଓ ବୈଶ୍ୱିକ ସ୍ତରରେ ଦୁର୍ବଳ କରିଦେଇଛି । ଏହାଦ୍ୱାରା ପାଶ୍ଚାତ୍ୟ ଏବଂ ଚାଇନା ମଧ୍ୟରେ ସମ୍ପର୍କ ଖରାପ ହେଉଛି। ଏଭଳି ଗୋଳମାଳିଆ ତଥା ଜଟିଳ ବ୍ୟବସ୍ଥାର ପ୍ରତିକ୍ରିିୟା, ଉଭା ହୋଇଥିବା ମହାମାରୀ ଏବଂ ଜଳବାୟୁ ପରିବର୍ତ୍ତନର ଚାପ ବିଶ୍ୱରେ ସବୁଠୁ ମହତ୍ତ୍ୱପୂର୍ଣ୍ଣ ଭୂରାଜନୈତିକ ସଙ୍କଟ ସୃଷ୍ଟି କରିଛି। ତଥାପି ସଂକଟ ଟାଳିବା ଲାଗି ବିଶ୍ୱ ଆମେରିକା ଏବଂ ଚାଇନାର ଯୋଗଦାନ ଆଶା କରେ। ସେମାନଙ୍କ ପାରସ୍ପରିକ ବୁଝାମଣା ବ୍ୟତୀତ ମହାମାରୀ ହେଉ କିମ୍ବା ଜଳବାୟୁ ପରିବର୍ତ୍ତନ ମୁକାବିଲାରେ ସେଭଳି ପ୍ରଗତି ହୋଇପାରିବ ନାହିଁ। ଏହା ଏବେ ପ୍ରମାଣିତ ହୋଇଛି ଗରିବ ଦେଶଗୁଡ଼ିକୁ ପର୍ଯ୍ୟାପ୍ତ ଟିକା ଯୋଗାଣରେ ବିଫଳତାରୁ। ଦକ୍ଷିଣ ଆଫ୍ରିକାରେ କୋଭିଡ୍‌ର ନୂଆ ରୂପ ଓମିକ୍ରନ ପ୍ରକାଶ ପାଇବା ଦ୍ୱାରା ବାସ୍ତବରେ ଟିକା ଯୋଗାଣ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ଗ୍ଲୋବାଲ କମିଶନ୍‌ଙ୍କ ଟିକା ଅବଗଣନା ଅନୁଯାୟୀ ଏସିଆ, ୟୁରୋପ ଏବଂ ଆମେରିକା ମେ’ ୨୦୨୨ ସୁଦ୍ଧା ସେମାନଙ୍କର ୮୦% ଲୋକଙ୍କୁ ସମ୍ପୂର୍ଣ୍ଣ ଟିକା ଦେବାକୁ ଲକ୍ଷ୍ୟ ରଖିଥିବା ବେଳେ ଅଧିକାଂଶ ଆଫ୍ରିକୀୟ ଦେଶ ୨୦୧୫ ସୁଦ୍ଧା ସେହି ଲକ୍ଷ୍ୟରେ ପହଞ୍ଚି ପାରିବେ ନାହିଁ।
ଚାଇନା ଓ ଆମେରିକାର ମିଳିତ ସହଯୋଗ ହିଁ ଏହି ପ୍ରଭେଦ ଦୂର କରିପାରିବ। ଦୁଇ ଦେଶର ଅତୁଳନୀୟ ପୁଞ୍ଜି ଏବଂ ସଂସାଧନର ସୁବିନିଯୋଗ ତଥା ପରିଚାଳନା ପଦ୍ଧତିକୁ ଦେଖିଲେ ଏହା ସମ୍ଭବ ହୋଇପାରିବ। ଏଭଳି ସହଯୋଗ ୨୦୨୨ରେ ପ୍ରଥମେ ବିଶ୍ୱର ଗରିବ ଦେଶଗୁଡ଼ିକ ପ୍ରତି ରହିଥିବା ସମ୍ଭାବ୍ୟ ଋଣ ସଂକଟର ସମାଧାନ କରିବା ସହ ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ଏଥିତ୍ରୁ ମୁକ୍ତ କରିବାରେ ସାହାଯ୍ୟ କରିବ। ଦୁର୍ଭାଗ୍ୟର କଥା, ଏଭଳି ବୁଝାମଣା ଶୀଘ୍ର ହେବାର କୌଣସି ସମ୍ଭାବନା ଦେଖାଯାଉ ନାହିଁ। ଆସନ୍ନ ବିପର୍ଯ୍ୟୟ ହେଉ କିମ୍ବା ବିଶ୍ୱରେ ପ୍ରକାଶ ପାଇଥିବା ନୈରାଶ୍ୟ ଏବଂ ଏହାର ପ୍ରଭାବ କ’ଣ ରହିବ ତାହା ଆକଳନ କରିବା କଷ୍ଟକର। କିନ୍ତୁ ଏହି ସ୍ଥିତିକୁ ମୁକାବିଲା କରିବା ପାଇଁ ୪ଟି ପ୍ରମୁଖ ସିଦ୍ଧାନ୍ତକୁ ଆଧାର କରି ଆମକୁ ଏକ ନୂଆ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ। ପ୍ରଥମେ ପ୍ରାଥମିକତା ଭିତ୍ତିରେ ସବୁ ଲୋକଙ୍କୁ ଟିକା ଦେବା ଆବଶ୍ୟକ। ଏହାଦ୍ୱାରା ଆମେ ମହାମାରୀକୁ ଆୟତ୍ତ କରି ସ୍ଥାନୀୟ ସ୍ବାସ୍ଥ୍ୟ ସମସ୍ୟା ଉପରେ ଅଧିକ ଦୃଷ୍ଟି ଦେଇପାରିବା। ଏକାକୀ ହେଉ କିମ୍ବା ମିଳିତ ଭାବେ ସବୁଦେଶ ଆଫ୍ରିକା ଓ ଅନ୍ୟ ଅଭାବୀ ଦେଶଗୁଡ଼ିକୁ ଟିକା ଯୋଗାଣ କ୍ଷେତ୍ରରେ ସର୍ବାଧିକ ପ୍ରାଥମିକତା ଦେବା ଦରକାର। ଏହାସହ ଟିକାକରଣ କାର୍ଯ୍ୟକ୍ରମକୁ ସେମାନେ ଚିକିତ୍ସା, ଆର୍ଥିକ, ସଂସ୍ଥା ଓ ଯୋଜନାଗତ ତଥା ପ୍ରଶାସନିକ ସହଯୋଗ ଯୋଗାଇ ଦେବା ଉଚିତ। ମହାମାରୀ ଯୋଗୁ ସୃଷ୍ଟି ହୋଇଥିବା ଅନିଶ୍ଚିତତା ଦୂର କରିବା ଦ୍ୱାରା ସ୍ଥାୟୀ ଜଳବାୟୁ ପଦକ୍ଷେପ ଏବଂ ମହାମାରୀ ପରବର୍ତ୍ତୀ ବିକାଶ ଲକ୍ଷ୍ୟ ହାସଲ ସକାଶେ ସ୍ଥିରୀକୃତ ନୀତିଗୁଡ଼ିକ ପ୍ରତି ବିଶ୍ୱାସ ସୃଷ୍ଟି କରିବା ସହ ଲୋକଙ୍କ ସହଯୋଗ ପାଇବାକୁ ନିଶ୍ଚିତ ଭାବେ ବାଟ ଖୋଲିପାରିବ। ଦ୍ୱିତୀୟ ସିଦ୍ଧାନ୍ତ ଅନୁଯାୟୀ ବିଶ୍ୱ ବ୍ୟାପାରରେ ଆମେରିକା- ଚାଇନା ଶତ୍ରୁତା ଏକ ମୁଖ୍ୟ ଭୂମିକା ନେଉଛି ବୋଲି ସ୍ବୀକାର କରିବାକୁ ହେବ। ସେମାନଙ୍କ ମଧ୍ୟରେ ଶତ୍ରୁତାକୁ ଆଡ଼କରି ସେହି ଦୁଇ ମହାଶକ୍ତିଙ୍କୁ ବୈଶ୍ୱିକ ଆହ୍ବାନଗୁଡ଼ିକ ଉପରେ ପରସ୍ପର ଆଲୋଚନା ଓ ସହଯୋଗ ପାଇଁ ଏକ ପ୍ରକ୍ରିୟା ଆରମ୍ଭ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ଏକ କାର୍ଯ୍ୟସୂଚୀ ସ୍ଥିର କରିବା ମଧ୍ୟ ଅତ୍ୟନ୍ତ ଜରୁରୀ। ଅନ୍ୟସବୁ କ୍ଷେତ୍ରରେ ସେମାନେ ପ୍ରତିଦ୍ୱନ୍ଦ୍ୱିତା ଜାରି ରଖି ବି ଏହା କରିପାରିବେ। ଆମେରିକା ଓ ସୋଭିିଏଟ୍‌ ସଂଘ ଶୀତଳ ଯୁଦ୍ଧ ସମୟରେ ଏଭଳି ସିଦ୍ଧାନ୍ତ କାର୍ଯ୍ୟକାରୀ କରିଥିତ୍ଲେ। କିନ୍ତୁ ସେଥିରୁ ଶିକ୍ଷା କରିବାକୁୁ ଆମକୁ ବହୁ ଦଶନ୍ଧି ଲାଗିଗଲା। ଏଥିପାଇଁ ଜଳବାୟୁ ପରିବର୍ତ୍ତନ କିମ୍ବା ଅନ୍ତର୍ଜାତୀୟ ସୁରକ୍ଷା ବା ପ୍ରଭାବୀ ଶାସନ ବ୍ୟବସ୍ଥା ଅପେକ୍ଷା କଲା କି? ସବୁଥିରେ ବ୍ୟତିକ୍ରମ ପ୍ରକାଶ ପାଇଛି।
ତୃତୀୟ ସିଦ୍ଧାନ୍ତଟି ହେଲା ପାଶ୍ଚାତ୍ୟରେ ଦେଖାଦେଇଥିବା ବିଶ୍ୱାସ ଓ ବୈଧାନିକ ସଂକଟ। ଏହାକୁ ଗୁରୁତ୍ୱର ସହ ବିଚାର କରିବାକୁ ପଡ଼ିବ। ପାଶ୍ଚାତ୍ୟ ଗଣତନ୍ତ୍ରଗୁଡ଼ିକର ବର୍ଦ୍ଧିତ କଟରବାଦୀ ରାଜନୀତି ଯୋଗୁ କେବଳ ସେମାନଙ୍କ ଉପରେ ବିପଦ ଦେଖାଯାଇନାହିଁ, ବରଂ ବିଶ୍ୱରେ ସ୍ଥରତା ଓ ସୁରକ୍ଷା ପ୍ରତି ସଂକଟ ସୃଷ୍ଟି କରିଛି। ଏଣୁ ସେଠାରେ ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଶାସନ ପ୍ରତିଷ୍ଠା କରିବା ଦାୟିତ୍ୱ ତୁରନ୍ତ ନିର୍ବାହ କରିବା ଉଚିତ ଓ ସୋସିଆଲ ମିଡିଆକୁ ଅଧିକ ଉତ୍ତରଦାୟୀ କରିବା ଲାଗି ଶୀଘ୍ର ଚାଲୁ କରିବା ଜରୁରୀ। ଏହାସହ ନୂଆ ସହଯୋଗଭିତ୍ତିକ ଧାରାରେ ନାଗରିକତ୍ୱକୁ ଉଜାଗର କରିବାକୁ ହେବ ଏବଂ ଚିକିତ୍ସା ଓ ସୁଯୋଗରେ ବ୍ୟାପକ ସମାନତା ନିଶ୍ଚିତ କରିବାକୁ ପଡ଼ିବ। ଚତୁର୍ଥ ସିଦ୍ଧାନ୍ତ ସମ୍ପୂର୍ଣ୍ଣ ବ୍ୟାବହାରିକ। ଟିକା କ୍ଷେତ୍ରରେ ବିଶ୍ୱରେ ଦେଶଗୁଡ଼ିକ ହାତ ବାନ୍ଧି ବସିପାରିବେ ନାହିଁ କି ଏହାର ସମାଧାନ କରିବାକୁ ଏକ ବୈଶ୍ୱିକ ବ୍ୟବସ୍ଥାକୁ ଅପେକ୍ଷା କରି ରହିପାରିବେ ନାହିଁ। ଏଣୁ ଏବେ ରେକର୍ଡ ସମୟ ମଧ୍ୟରେ ସୁରକ୍ଷିତ ଏବଂ ଅତ୍ୟଧିକ ପ୍ରଭାବୀ ଟିକା ଯୋଗାଇଥିବା, ଜଟିଳ ସମସ୍ୟାଗୁଡ଼ିକ ବିରୋଧରେ ଲଢ଼େଇ ଜାରି ରଖିଥିବା ସରକାରୀ ଓ ଘରୋଇ ସହଭାଗିତା ସମସ୍ୟାଗୁଡ଼ିକର ସମାଧାନ ପାଇଁ ଏକ ମିଳିତ ଇଚ୍ଛାଶକ୍ତି ଆଶା କରୁଛି। ନୂଆ ଭୂତାଣୁ ଏବଂ ନ୍ୟୁକ୍ଲିୟର ଫ୍ୟୁଜନ ଭଳି ଅଣକାର୍ବନ ଏନର୍ଜି ଟେକ୍‌ନୋଲୋଜିରେ ଉପଲବ୍ଧ ସୁଯୋଗର ସନ୍ଧାନ ଓ ସଞ୍ଚାଳନ କରିବା ଲାଗି ବହୁ ଦେଶୀୟ ସହଯୋଗଭିତ୍ତିକ ଟେକ୍‌ନୋଲୋଜିିକୁ ତୀବ୍ର କଲେ ସେଥିରୁ ଲାଭ ମିଳିପାରିବ। ଆମ ସମ୍ମୁଖରେ ଥିବା ଜଟିଳ ସଂକଟ ଦୂର କରିବା ଲାଗି ଆମକୁ ଏକ ସମ୍ମିଳିତ ଓ ଦୃଢ଼ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଯଦି ଏହା ସମ୍ଭବ ହୁଏ,ତେବେ ସଫଳତା ମିଳିବ। ଯଦି ଏହା ସମ୍ଭବ ନ ହୁଏ ଓ ଦେଶଗୁଡ଼ିକ ସେମାନଙ୍କ ପକ୍ଷରୁ ସହମତି ପ୍ରକାଶ ନ କରନ୍ତି, ତେବେ ସଂକଟ ଦୂର ହୋଇପାରିବ ନାହିଁ ।
ଏଡିଟର୍‌ ଇନ୍‌ ଚିଫ୍‌, ଦି ଇକୋନୋମିଷ୍ଟ
ସହ ନିର୍ଦ୍ଦେଶକ, ଗ୍ଲୋବାଲ୍‌ କମିଶନ
ଫର୍‌ ପୋଷ୍ଟ୍‌-ପାଣ୍ଡେମିକ ପଲିସି


Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡ ବର୍ଷା କଲେ କୋହଲି-ଗିଲ୍‌: ଗୋଟିଏ ମ୍ୟାଚ୍‌ରେ ଭାଙ୍ଗିଦେଲେ ୭ ବଡ଼ ରେକର୍ଡ

ତିରୁଭାନନ୍ତପୁରମ,୨୮।୯: ପ୍ରଥମ ଦିନିକିଆ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜକୁ ୮ ଉଇକେଟ୍‌ରେ ପରାସ୍ତ କରିଛି ଭାରତ। ପ୍ରଥମ ୨୦ ଓଭର ମଧ୍ୟରେ ୱେଷ୍ଟଇଣ୍ଡିଜ୍‌ର ଓପନିଂ ଯୋଡ଼ି ୧୩୫ ରନ୍‌ର ଭାଗିଦାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?