କରୋନା ବେଳେ ସ୍ରଷ୍ଟା ମାନସ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

୯/୧୧ ଏକ ବିଶ୍ୱବିଦିତ ଦୁର୍ଘଟଣାର ଶିରୋନାମା ବହନ କରେ। ଯୁକ୍ତରାଷ୍ଟ୍ରର ନ୍ୟୁୟର୍କସ୍ଥିତ ମାନହଟନଠାରେ ଯେଉଁ ଆକର୍ଷଣୀୟ ଓ ବ୍ୟସ୍ତତମ ଟୁଇନ୍‌ ଟାଓ୍ବାର ଥିଲା, ୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖ ମଙ୍ଗଳବାର ସକାଳେ ଓ୍ବାହାବୀ ଅଲକାଏଦା ଆତଙ୍କବାଦୀଙ୍କ ବିମାନ ଆକ୍ରମଣରେ ଧୂଳିସାତ୍‌ ହୋଇଗଲା। ଏଥିରେ ୨୯୭୭ ଜଣ ମୃତ ଓ ୨୫ ହଜାରରୁ ଅଧିକ ବ୍ୟକ୍ତି ଆହତ ହୋଇଥିଲେ। ଅତି କମ୍‌ରେ ଦଶ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଥିଲା। ମାନବ ଇତିହାସରେ ଏହା ଥିଲା ସର୍ବାଧିକ ଭୟଙ୍କର ଆତଙ୍କବାଦୀ ଆକ୍ରମଣ। ଏହାର କୁପ୍ରଭାବରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବା ସହ ଆର୍ଥିକ ଓ ସାଂସ୍କୃତିକ କ୍ଷେତ୍ର ବିପର୍ଯ୍ୟସ୍ତ ହେଲା ଯୁକ୍ତରାଷ୍ଟ୍ରରେ। ଏହି ମର୍ମନ୍ତୁଦ ଘଟଣାର ଦୁଇ ମାସ ପରେ ସେଠାକାର ନିବାସୀମାନଙ୍କ ମାନସିକ ସ୍ଥିତି ସମ୍ପର୍କରେ ଏକ ସର୍ଭେ କରାଯାଇଥିଲା। ଏହାର ଆଲୋଚନା ନ୍ୟୁ ଇଂଲଣ୍ଡ ଜର୍ନାଲ ଅଫ ମେଡିସିନ, ୩୪୫(୨୦), ନଭେମ୍ବର ପନ୍ଦର ୨୦୦୧ରେ ପ୍ରକାଶିତ। ବିଭିନ୍ନ ଅନୁଧ୍ୟାନରୁ ସ୍ପଷ୍ଟ ଯେ, ଲୋକମାନେ (ପିଟିଏସ୍‌ଡି ଅର୍ଥାତ୍‌ ପୋଷ୍ଟ ଟ୍ରାମାଟିକ ଷ୍ଟ୍ରେଟସ୍‌ ଡିଜଅର୍ଡର) ବିପର୍ଯ୍ୟୟ ପରବର୍ତ୍ତୀ ଚାପଜନିତ ବିଶୃଙ୍ଖଳା ଦ୍ୱାରା ପୀଡ଼ିତ।
ଟୁଇନ୍‌ ଟାଓ୍ବାର ଆକ୍ରମଣର ଦୁଇ ମାସ ଭିତରେ ଗୋଟିଏ ଅନୁଧ୍ୟାନକାରୀ ଦଳ ଯୁକ୍ତରାଷ୍ଟ୍ରର ୨୭୩୩ ଜଣଙ୍କର ମାନସିକ ସ୍ଥିତି ପରୀକ୍ଷା କରି ଜାଣିପାରିଲେ ଯେ, ନ୍ୟୁୟର୍କର ଶତକଡା ୧୧.୨ ପିଟିଏସ୍‌ଡି ଦ୍ୱାରା ପୀଡିତ ହୋଇଥିବା ବେଳେ ସେଇ ଦେଶର ଅବଶିଷ୍ଟ ଅଞ୍ଚଳରେ ଏହି ହାର ଥିଲା ଶତକଡା ୪। ଅର୍ଥାତ୍‌ ଘଟଣା ସ୍ଥଳଠାରୁ ଦୂରବର୍ତ୍ତୀ ସ୍ଥାନରେ ଥିବା ବ୍ୟକ୍ତିମାନେ ଅପେକ୍ଷାକୃତ ଭାବେ କମ୍‌ ପରିମାଣରେ ମାନସିକ ବ୍ୟାଧିଗ୍ରସ୍ତ। ଲକ୍ଷ୍ୟ କରିବା କଥା ଯେ, ନ୍ୟୁୟର୍କ ସିଟିରେ ଧ୍ୱଂସଲୀଳା ସଂଘଟିତ ହୋଇଥିଲା। କିନ୍ତୁ ସାଂପ୍ରତିକ କୋଭିଡ୍‌-୧୯ କୌଣସି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ହୋଇ ରହି ନାହିଁ। ଏହି ସଂକ୍ରମଣ ସାରା ବିଶ୍ୱକୁ କବଳିତ କରିଛି। ପୁଣି ଏହାର ଯେ ଶୀଘ୍ର ବିଲୋପ ଘଟିବ, ସେମିତି ସୂଚନା ମିଳୁନାହିଁ। ବରଂ ଏହି ଭୂତାଣୁ ରୂପାନ୍ତରିତ ହୋଇ ନୂଆ ନୂଆ ଅବତାରରେ ଆବିର୍ଭୂତ ହେଉଚି ା
ତେଣ ପିଟିଏସ୍‌ଡିର କୁପ୍ରଭାବରୁ ସହଜେ ମୁକ୍ତି ମିଳିବ ନାହିଁ। ଫଳରେ ମାନବ ସମାଜ ନିରାଶ, ଉଦ୍‌ବିଗ୍ନ, ଚାପଗ୍ରସ୍ତ, ଅସ୍ଥିର ଇତ୍ୟାଦି ବିଭିନ୍ନ ନକାରାତ୍ମକ କାରକ ଦ୍ୱାରା ଅହରହ ଜର୍ଜରିତ। ଉକ୍ତ ମାନସିକ ବିଶୃଙ୍ଖଳାର ପ୍ରତିକ୍ରିୟା ଅଧିକାଂଶ କ୍ଷେତ୍ରରେ ଅଧୋଗତି ଘଟାଏ। କିନ୍ତୁ କେତେକ ବ୍ୟକ୍ତିଙ୍କୁ ସତ୍‌ପଥରେ ମଧ୍ୟ ନେଇଥାଏ। ଅବଶ୍ୟ ମୋଟାମୋଟି ଭାବେ ଯେ କୌଣସି ବ୍ୟକ୍ତି ହେଉ ନା କାହିଁକି, ସେ ପରିବର୍ତ୍ତିତ ହୁଏ, ଯଦିଚ ପରିଣାମ ଭିନ୍ନ।
ଏକଦା ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତି ତାଙ୍କର ଏକମାତ୍ର ସନ୍ତାନକୁ ହରାଇଲେ। ଦଶଦିଗ ଶୂନ୍ୟ ହୋଇ ସେ ହୁଏତ ମ୍ରିୟମାଣ ହୋଇପାରନ୍ତି ଏବଂ ଚରମ ପଦକ୍ଷେପ ସ୍ବରୂପ ଆମତ୍ହତ୍ୟା ମଧ୍ୟ କରିପାରନ୍ତି। କିନ୍ତୁ ଦେଖାଯାଏ ଯେ, ଏମିତି ପିଟିଏସ୍‌ଡିରେ ଆକ୍ରାନ୍ତ ହୋଇ ମଧ୍ୟ ଜଣେ ବ୍ୟକ୍ତି ସଡ଼କ ଦୁର୍ଘଟଣା ଏଡାଇବା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ନିଷ୍ଠାପର ଉଦ୍ୟମ ଆରମ୍ଭ କଲେ। ତେଣୁ ବିପର୍ଯ୍ୟୟର ପ୍ରତିକ୍ରିୟା ଏକାନ୍ତ ବ୍ୟକ୍ତିଗତ।
ଠିକ୍‌ ସେମିତି ସ୍ରଷ୍ଟା ମାନସ। ହୁଏତ ମାନସିକ ଚାପ ଦ୍ୱାରା ଅବସାଦଗ୍ରସ୍ତ ହୋଇ କେହି କେହି ସାହିତି୍ୟକ ଲେଖନୀକୁ ପରିହାର କରିପାରନ୍ତି। କିନ୍ତୁ ଅନ୍ୟ କେତେକ ଲେଖକଙ୍କୁ ଏହି କରୋନା କାଳ ଅଧିକ ଉଜ୍ଜୀବିତ କରେ। ଏହା ଏକ ତ୍ୱରକ ପରି କାମ କରେ। ନିମ୍ନରେ ଏମିତି ବିପର୍ଯ୍ୟୟ ବେଳେ ସକ୍ରିୟ ଥିପା କେତେକ ଲେଖକଙ୍କ କାର୍ଯ୍ୟ କଳାପ ଉପରେ ଆମେ ଦୃଷ୍ଟି ନିବଦ୍ଧ କରିବା।
୧୯୫୭ରେ ବ୍ରିଟେନରେ ଜନ୍ମଗ୍ରହଣ କରିଥିବା ପିକୋ ଆୟାର ଜଣେ ପ୍ରସିଦ୍ଧ ଭ୍ରମଣଶୀଳ ଔପନ୍ୟାସିକ ଓ ପ୍ରାବନ୍ଧିକ। ତାଙ୍କର ଦୁଇଟି ଉଲ୍ଲେଖନୀୟ ବହି ହେଉଛି ‘ଭିଡିଓ ନାଇଟ ଇନ କାଠମାଣ୍ଡୁ’ ଓ ‘ଦା ଲେଡି ଆଣ୍ଡ ଦା ମଙ୍କ’। ତାଙ୍କ ରଚନାବଳୀର ବିଶେଷତ୍ୱ ହେଉଛି ଭ୍ରମଣଭିତ୍ତିକ ପ୍ରତ୍ୟକ୍ଷ ଅନୁଭୂତି। ୨୦୦୦ ମସିହାରେ ରଚିତ ‘ଦା ଗ୍ଲୋବାଲ ସୋଲ’ରେ ଗୋଟିଏ ଆନ୍ତର୍ଜାତିକ ବିମାନବନ୍ଦର ତାଙ୍କ ମୁଖ୍ୟ ଚରିତ୍ର ହୋଇଛି। ଭୂଟାନ, ନେପାଳ, ଇଥିଓପିଆ, କ୍ୟୁବା, ଆର୍ଜେଣ୍ଟିନା, ଜାପାନ, ଉତ୍ତର କୋରିଆ ଇତ୍ୟାଦି ବିଦେଶ ସମ୍ବନ୍ଧରେ କାହାଣୀ ତାଙ୍କ ପୁସ୍ତକଗୁଡ଼ିକରେ ସ୍ଥାନିତ। ନିଜ ସମ୍ପର୍କରେ ସେ କହନ୍ତି-”ମୁଁ ଜଣେ ବହୁରାଷ୍ଟ୍ରୀୟ ବ୍ୟକ୍ତି। ଏହି ବହୁଦେଶୀୟ ପୃଥିବୀରେ ଅଧିକରୁ ଅଧିକ ରାଷ୍ଟ୍ର ବିମାନବନ୍ଦର ପରି ବହୁଭାଷୀ ଓ ବିଶ୍ରାମହୀନ। ଲୋକଙ୍କ ପାଇଁ ଫୋନ ଯେମିତି, ବିଭିନ୍ନ ବିମାନ ଧରିବା ମୋ ପାଇଁ ସେମିତି ସ୍ବାଭାବିକ। ପଢୁଥିବା ପିଲା ସ୍କୁଲକୁ ଯିବା ପରି ମୁଁ ମୋ ବ୍ୟାଗ ଦିନରାତି ଧରି ବିମାନରୁ ବିମାନ ଚଢୁଛି।“ ସଦାସର୍ବଦା ଭ୍ରମଣଶୀଳ ଜଣେ ଲେଖକ କରୋନା କାଳରେ ଯେମିତି ଏକପ୍ରକାର ଗୃହବନ୍ଦୀ ଭାବେ ଚବିଶ ଘଣ୍ଟା ରହିବାକୁ ବାଧ୍ୟ, ତାଙ୍କ ମନୋଭାବ କ’ଣ- ତାହା କୌତୁହଳଜନକ ମନେହୁଏ। ୯ ନଭେମ୍ବର ୨୦୨୦ରେ ସେ ଏକ ସାକ୍ଷାତ୍‌କାର ବେଳେ ଯାହା କହିଥିଲେ, ତା’ର ସାରାଂଶ ପ୍ରଣିଧାନଯୋଗ୍ୟ: ”ମୁଁ ଛଅବର୍ଷ ପୂର୍ବେ ‘ଦା ଆର୍ଟ ଅଫ ଷ୍ଟିଲନେସ’ ନାମକ ଗୋଟିଏ ବହି ଲେଖିଥିଲି । ସେଥିରେ ‘କେଉଁ ଜାଗାକୁ ମଧ୍ୟ ନ ଯିବାର ସାହସିକତା’ ଶୀର୍ଷକ ଗୋଟିଏ ଅଧ୍ୟାୟ ରହିଛି। ମୋ ଅସରନ୍ତି ଭ୍ରମଣ ବେଳେ ମୁଁ ଥରେ ଥରେ ଅନୁଭବ କରେ ଯେ, ମୋ ଜୀବନ ନିୟନ୍ତ୍ରଣହୀନ। ଆମେ ଅନ୍ଧ ପରି ଓ ଅନ୍ୟମନସ୍କ ହୋଇ ଏପଟେସେପଟେ ଦୌଡୁଛେ। ମନର ଏହି ତାଡନା ମୋତେ କିଛି ନ ବୁଲି ଚୁପଚାପ ରହିବାକୁ ଇଙ୍ଗିତ ଦେଉଥାଏ। ବର୍ତ୍ତମାନ ଏହି ସଂକ୍ରମଣ ସମୟ ଏମିତି ଶାନ୍ତ ଓ ସ୍ଥିର ମନରେ ମୋର ଭ୍ରମଣ-ଅନୁଭୂତି ଉପରେ ଚିନ୍ତା କରିବା ସୁଯୋଗ ଦେଇଛି ା ତା’ର ଅର୍ଥ ବୁଝିବାକୁ ପ୍ରେରିତ କରିଛି ।“
ମୋର ‘ଆଟମନ ଲାଇଟ’ ବହିରେ ମୁଁ ଲେଖିଛି ଯେ, କହିବା ଅପେକ୍ଷା ନୀରବତା ଅଧିକ ବିଷୟ କହେ। କହିଲେ କିଛି ବାକି ରହିଯିବା ଭଳି ଲାଗେ। କିନ୍ତୁ ଚୁପ୍‌ଚାପ ଏହି ଜଞ୍ଜାଳରୁ ମୁକ୍ତ। ବାସ୍ତବିକ ଅନୁପସ୍ଥିତି ‘ଉପସ୍ଥିତି’ ଠାରୁ ଅଧିକ ଶକ୍ତିଶାଳୀ। ଏହି ପରିପ୍ରେକ୍ଷୀରେ ମୋତେ ଲାଗେ ଯେ, ବିଭିନ୍ନ ବିଳାସ ସାମଗ୍ରୀ ପରିପୂର୍ଣ୍ଣ ଆକର୍ଷଣୀୟ ହୋଟେଲ ପ୍ରକୋଷ୍ଠ ଗୋଟିଏ ମାତ୍ର ଗୋଲାପ ଫୁଲ ଥିବା ଧଳା ସାଦାସିଧା ରୁମଠାରୁ ଢେର ନିକୃଷ୍ଟ ଏବଂ ମନୋଜ୍ଞ ଭାବେ ବେଶ୍‌ ପରିପୂର୍ଣ୍ଣ।
ପ୍ରକୃତି କବି ଓ୍ବିଲିଅମ ଓ୍ବାର୍ଡସଓ୍ବାର୍ଥ (ଜନ୍ମ କୋକେର-ମାଉଥ, ୟୁକେ-୧୭୭୦, ଦେହାନ୍ତ ୧୮୫୦) ଟୁ ଡାଫୋଡିଲସ ବୋଲି ଗୋଟିଏ କାଳଜୟୀ କବିତା ପାରିପାର୍ଶ୍ୱିକ ଯୁଗ ସ୍ବାଭାବିକ ଥିବା ବେଳେ ଲେଖିଥିଲେ। ସେଥିରେ କବି ଲେଖିଛନ୍ତି ଯେ, ସେ ମେଘ ପରି ବିନା ଲକ୍ଷ୍ୟରେ ଏକା ବୁଲୁଥିବା ବେଳେ ଡାଫୋଡିଲସ୍‌ ନାମକ ଛୋଟ ହଳଦିଆ ଫୁଲରେ ପରିପୂର୍ଣ୍ଣ ଗୋଟିଏ ବଗିଚା ଦେଖି ଆନନ୍ଦରେ ଅଭିଭୂତ ହୋଇଗଲେ। ଏହାକୁ ଭିତ୍ତି କରି ସେ ଉକ୍ତ କବିତା ରଚନା କରିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ସେ ତାଙ୍କ କଂକ୍ରିଟ ବାସଭବନର ଶୟନ କକ୍ଷରେ ଚୁପଚାପ ଗଡପଡ ହେଉଥିବା ବେଳେ ଡାଫୋଡିଲସର ମନୋରମ ଦୃଶ୍ୟ ମନେପକାଇ ସ୍ବର୍ଗୀୟ ଆନନ୍ଦ ଅନୁଭବ କରୁଥିଲେ। ବାହାର ଦୁନିଆରେ ଭ୍ରମଣଶୀଳ ଜଣେ ସ୍ରଷ୍ଟା ଘରୁ ନ ବାହାରି ମଧ୍ୟ ତା’ର ଲେଖନୀର ସଦ୍‌ ବିନିଯୋଗ କରିପାରେ। ସୃଜନର ଆନନ୍ଦ ଲଭିପାରେ। ତେଣୁ କୋଭିଡ କଟକଣାମାନ ଜଣେ ସ୍ରଷ୍ଟାକୁ ନିଷ୍କ୍ରିୟ ବା ସ୍ଥାଣୁ କରିବାକୁ ବାଧ୍ୟ- ଏହା ଏକ ନକାରାମତ୍କ ଦୁର୍ଭାବନା ମାତ୍ର ା କରୋନାର ଧମକ ଚମକ ତା’ ପାଇଁ ଅଲଂଘ୍ୟ ନୁହେଁ।
ମୋ-୯୦୭୮୭୪୩୮୪୩


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri