କୋର୍ଟଙ୍କ ଆଦେଶ ଜୁଡିସିଆଲ ଅଧିକାରୀ ମାନୁନାହାନ୍ତି

କଟକ ଅଫିସ,୪ା୮:କୋର୍ଟଙ୍କ ଆଦେଶକୁ ଜୁଡିସିଆଲ ଅଧିକାରୀ ମାନୁ ନ ଥିବା ନେଇ ମଙ୍ଗଳବାର ହାଇକୋର୍ଟରେ ଏକ ପିଟିଶନ ଦାଖଲ ହୋଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଶିଷ କୁମାର ମିଶ୍ର ପିଟିଶନରେ ଦର୍ଶାଇଛନ୍ତି, ବଲାଙ୍ଗୀର ଜିଲା କୋର୍ଟ ଓ ପାଟଣାଗଡ଼ କୋର୍ଟରେ ୨୫ବର୍ଷ ଧରି ତରୁଣ କୁମାର ପାତ୍ର ଓକିଲାତି ପ୍ରାକ୍ଟିସ କରୁଛନ୍ତି। ସେ ଭିନ୍ନକ୍ଷମ ହୋଇଥିବାରୁ ସ୍ବତନ୍ତ୍ର ଗାଡ଼ିରେ କୋର୍ଟକୁ ଯିବାଆସିବା କରୁଛନ୍ତି। କୌଣସି ନୂତନ ସରକାରୀ କୋଠାରେ ଭିନ୍ନକ୍ଷମଙ୍କ ଯାତାୟାତ ପାଇଁ ସୁବିଧା କରାଯିବାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। କିନ୍ତୁ ୪ବର୍ଷ ତଳେ ଉଦ୍‌ଘାଟନ ହୋଇଥିବା ପାଟଣାଗଡ଼ ଅତିରିକ୍ତ ସେସନ ଜଜ୍‌ କୋର୍ଟରେ ଭିନ୍ନକ୍ଷମଙ୍କ ନିମନ୍ତେ କୌଣସି ବ୍ୟବସ୍ଥା ନାହିଁ। ଏହି କୋର୍ଟରେ ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବାକୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପରେ ହାଇକୋର୍ଟ ଗତ ଜୁନ୍‌ ୧୧ରେ ୬ ସପ୍ତାହ ମଧ୍ୟରେ ପଦକ୍ଷେପ ନେବାକୁ ବଲାଙ୍ଗୀର ଜିଲା କୋର୍ଟ ରେଜିଷ୍ଟ୍ରାର(ଜୁଡିସିଆଲ)ଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସମୟ ଅବଧି ବିତିଯାଇଥିଲେ ମଧ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯାଉନାହିଁ। ଏ ନେଇ ମଙ୍ଗଳବାର ଅଦାଲତ ଅବମାନନା ନେଇ ତରୁଣ ହାଇକୋର୍ଟରେ ପିଟିଶନ ଦାଖଲ କରିଛନ୍ତି।