ଆମ ସୌରଜଗତରେ ମଙ୍ଗଳ ଓ ବୃହସ୍ପତି ଗ୍ରହଦ୍ୱୟ କକ୍ଷ ମଝିରେ ଅନେକଗୁଡିଏ କ୍ଷୁଦ୍ର ଜ୍ୟୋତିର୍ବିଦୀୟ ପିଣ୍ଡ ସୂର୍ଯ୍ୟଙ୍କୁ ପରିକ୍ରମଣ କରୁଛନ୍ତି। ଏଗୁଡିକ ଗ୍ରହାଣୁ ବା ଗୌଣଗ୍ରହ କୁହାଯାଏ। ଯେଉଁ ଅଞ୍ଚଳରେ ଏଗୁଡିକ ସୂର୍ଯ୍ୟଙ୍କୁ ପରିକ୍ରମଣ କରୁଛନ୍ତି, ତାକୁ ଗ୍ରହାଣୁ ବଳୟ କୁହାଯାଏ। ବିଶ୍ୱାସ କରାଯାଏ ଯେ ପୂର୍ବରୁ ଏଠାରେ ଗୋଟିଏ ବଡ ଗ୍ରହ ସୂର୍ଯ୍ୟକୁ ପରିକ୍ରମଣ କରୁଥିଲା, ମାତ୍ର କୌଣସି କାରଣରୁ ଏହା ଭାଙ୍ଗି ଛୋଟ ଛୋଟ ଖଣ୍ଡରେ ପରିଣତ ହୋଇଛି। ଗୌଣ ଗ୍ରହଗୁଡିକର ସଂଖ୍ୟା ଦଶ ଲକ୍ଷରୁ ଅଧିକ ହୋଇପାରେ। ଏଗୁଡିକ ଆକାରରେ ଏକ କିମିରୁ ଆରମ୍ଭ କରି କେତେ ଶହ କିମି ପର୍ଯ୍ୟନ୍ତ ଅଛି।
କେତେଗୁଡିଏ ଗ୍ରହାଣୁ ପୃଥିବୀ କକ୍ଷ ନିକଟକୁ ଆସି ଯାଆନ୍ତି ଏବଂ ପୃଥିବୀ ସହିତ ଧକ୍କା ହେବାର ଆଶଙ୍କା ଦେଖାଦିଏ। ପୃଥିବୀ ସହିତ ଗ୍ରହାଣୁ ଧକ୍କା ହେଲେ ପୃଥିବୀର ଅପୂରଣୀୟ କ୍ଷତି ଘଟିବ। ଅନୁମାନ କରାଯାଉଛି ଯେ ଆଜକୁ ୬୫ ନିୟୁତ ବର୍ଷ ପୂର୍ବେ ପୃଥିବୀ ସହିତ ଗୋଟିଏ ଗ୍ରହାଣୁର ସଂଘର୍ଷ ଫଳରେ ପୃଥିବୀରୁ ଡାଇନୋସର ବଂଶ ଲୋପ ପାଇଯାଇଥିଲା। ଯେଉଁ ଗ୍ରହାଣୁଗୁଡିକ କକ୍ଷ ନିକଟକୁ ଆସିଯାଆନ୍ତି, ସେଗୁଡିକୁ ଭୂମିସମୀପବର୍ତ୍ତୀ ଗ୍ରହାଣୁ କୁହାଯାଏ। ଆମେରିକାର ମହାକାଶ ସଂସ୍ଥା ‘ନାସା’ ଏହିପରି ଗ୍ରହାଣୁଗୁଡିକର ତାଲିକା ପ୍ରସ୍ତୁତ କରି ପୃଥିବୀ ସହିତ ସେଗୁଡିକର ସଂଘର୍ଷ ସମ୍ଭାବ୍ୟତାକୁ ମାପ କରିଛି।
ଏହିପରି ଏକ ଗ୍ରହାଣୁ ପୃଥିବୀ ସହିତ ୨୦୨୯ ମସିହାରେ ସଂଘର୍ଷ କରିବ ବୋଲି ପ୍ରକାଶ ପାଇବା ପରେ ସମଗ୍ର ପୃଥିବୀରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଏହି ଗ୍ରହାଣୁର ନାମ ହେଉଛି ଆପୋଫିସ୍ (Apophis) ଏବଂ ଏହାର ଗ୍ରହାଣୁ କ୍ରମାଙ୍କ ହେଉଛି ‘୯୯୯୪୨’। ଫଳରେ ଏହା ‘୯୯୯୪୨ ଆପୋଫିସ୍’ ଭାବରେ ଜଣା। ମାତ୍ର ବିଶଦ ଗଣନା କରିବା ପରେ ଜଣାପଡିଛି ଯେ ଏହା ୨୦୨୯ ମସିହାରେ ପୃଥିବୀ ସହିତ ଧକ୍କା ହେବ ନାହିଁ, କିନ୍ତୁ ଏହାର ନିକଟ ଦେଇ ଗତି କରିବ। ଏହା ସେହି ବର୍ଷ (୨୦୨୯) ଏପ୍ରିଲ ୧୩ ତାରିଖରେ ପୃଥିବୀ ପୃଷ୍ଠରୁ ପ୍ରାୟ ୩୦,୦୦୦ କିମି ଉପରେ ଚାଲିଯିବ। ସୂଚନାଯୋଗ୍ୟ ଯେ ପୃଥିବୀଠାରୁ ଚନ୍ଦ୍ରର ଦୂରତା ହେଉଛି ୩,୮୪,୦୦୦ କିମି। ଅର୍ଥାତ୍ ପୃଥିବୀଠାରୁ ଚନ୍ଦ୍ର ଦୂରତାର ଏକ ଦଶମାଂସ ଉଚ୍ଚରେ ଏହା ପୃଥିବୀ ନିକଟକୁ ଆସିବ। ଅନ୍ୟ ଏକ ଚିନ୍ତାଜନକ ବିଷୟ ହେଉଛି ଯେ ଆମ ଯୋଗାଯୋଗ ଉପଗ୍ରହଗୁଡିକ ପୃଥିବୀଠାରୁ ୩୬,୦୦୦ କିମି ଉଚ୍ଚରେ ଅବସ୍ଥାପିତ ହୋଇଛନ୍ତି ଏବଂ ଗ୍ରହାଣୁଟି ସେମାନଙ୍କ ତଳେ ତଳେ ଗତି କରିବ।
ଆଫୋଫିସ୍ ହେଉଛି ଷ୍ଟାଡିୟମ ଆକାରର ଗୋଟିଏ ଛୋଟ ଗ୍ରହାଣୁ। ଏହାର ବ୍ୟାସ ହେଉଛି ୩୪୦ ମିଟର। ଯୁକ୍ତରାଷ୍ଟ୍ର ଆମେରିକାର ଆରିଜୋନା ରାଜ୍ୟର ତୁସ୍କନଠାରେ ଥିବା ପର୍ଯ୍ୟବେକ୍ଷଣାଗାରରୁ ଜ୍ୟୋତିର୍ବିଦମାନେ ଏହାକୁ ୨୦୦୪ ଜୁନ୍ ୧୯ ତାରିଖରେ ଆବିଷ୍କାର କରିଥିଲେ। ଏହା ସୂର୍ଯ୍ୟଙ୍କୁ ପରିକ୍ରମଣ କରିବା ପାଇଁ ୩୨୩.୬ ଦିନ ନେଇଥାଏ। ତୁଳନାତ୍ମକ ଭାବେ ପୃଥିବୀର ପରିକ୍ରମଣ ସମୟ ହେଉଛି ୩୬୫.୨୫ଦିନ। ଏଣୁ ଆପୋଫିସ୍ ପୃଥିବୀ କକ୍ଷ ନିକଟକୁ ଆସିଯାଇଥାଏ। ଆବିଷ୍କାର ପରେ ଗବେଷଣାରୁ ଜ୍ୟୋତିର୍ବିଦମାନେ ଜାଣିପାରିଲେ ଯେ ପୃଥିବୀ ସହିତ ଏହାର ସଂଘର୍ଷର ସମ୍ଭାବନା ହେଉଛି ୨.୭ ପ୍ରତିଶତ। ତୁରନ୍ତ ଜ୍ୟୋତିର୍ବିଦମାନେ ଏହା ଉପରେ କଡା ନଜର ରଖିଲେ।
୨୦୧୩ରେ ଆପୋଫିସ୍ ପୃଥିବୀର ୧୭ନିୟୁତ କିମି ନିକଟକୁ ଆସିଯାଇଥିଲା। ଏହାପରେ ନାସା ବୈଜ୍ଞାନିକମାନେ ବିଶଦ ଗଣନା କରି ୨୦୨୧ ମସିହା ମାର୍ଚ୍ଚ ୨୬ ତାରିଖରେ ପ୍ରକାଶ କଲେ ଯେ ପୃଥିବୀ ସହିତ ଏହାର ସଂଘର୍ଷ ହେବ ନାହିଁ। କେବଳ ୨୦୨୯ ମସିହା ନୁହେଁ, ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ପୃଥିବୀ ଏହାଠାରୁ ନିରାପଦ ଦୂରତାରେ ରହିବ। ୨୦୨୯ ମସିହା ପରେ ଏହା ୨୦୩୬ ମସିହାରେ ପୁଣି ଥରେ ପୃଥିବୀର ଅତି ନିକଟକୁ ଆସିବ।
୨୦୨୯ ମସିହାରେ ପୃଥିବୀ ନିକଟ ଦେଇ ଯିବା ପରେ ଆପୋଫିସ୍ର କକ୍ଷରେ କିଛି ପରିବର୍ତ୍ତନ ହେବ ଏବଂ ଏହା ଆଟେନ୍ ଶ୍ରେଣୀୟ ଗ୍ରହାଣୁରୁ ଆପୋଲୋ ଶ୍ରେଣୀୟ ଗ୍ରହାଣୁରେ ପରିଣତ ହେବ। ଯେଉଁ ଗ୍ରହାଣୁଗୁଡିକର କକ୍ଷର ବ୍ୟାସ ପୃଥିବୀ କକ୍ଷର ବ୍ୟାସଠାରୁ କମ୍ ହୋଇଥାଏ, ତାକୁ ଆଟେନ୍ ଗ୍ରହାଣୁ କୁହାଯାଏ। ଆପୋଫିସ୍ର କକ୍ଷର ବ୍ୟାସ ବର୍ତ୍ତମାନ ପୃଥିବୀ କକ୍ଷର ବ୍ୟାସଠାରୁ କମ୍ ଥିବାରୁ ଏହା ହେଉଛି ଗୋଟିଏ ଆଟେନ ଗ୍ରହାଣୁ। ଏହା ସତ୍ତ୍ୱେ ମଧ୍ୟ ଏହି ଶ୍ରେଣୀର ଗ୍ରହାଣୁଗୁଡିକ ପୃଥିବୀର କକ୍ଷ ପଥକୁ ଅତିକ୍ରମ କରିପାରନ୍ତି।
୨୦୨୯ ମସିହା ଏପ୍ରିଲ ମାସରେ ଆପୋଫିସ୍ ପୃଥିବୀର ଅତି ନିକଟକୁ ଆସିବା ପରେ ଏହାର ପୃଥିବୀ ଆଡକୁ ଥିବା ପାର୍ଶ୍ୱରେ ଦୁଇ ପାର୍ଶ୍ୱ ଅପେକ୍ଷା ପୃଥିବୀର ମାଧ୍ୟାକର୍ଷଣ ବଳ ଅଧିକ କାର୍ଯ୍ୟ କରିବ। ଫଳରେ ଏହା ଗୋଟିଏ ପାର୍ଶ୍ୱରେ ଚାପି ହୋଇଯିବ ଓ ଅନ୍ୟ ପାର୍ଶ୍ୱଟି ଟାଣି ହୋଇଯିବ। ଏହାଫଳରେ ପୃଥିବୀର ଭୂକମ୍ପ ଭଳି ସେଠାରେ କମ୍ପନ ସୃଷ୍ଟି ହେବ ଏବଂ ଭୂକମ୍ପ ମାପଯନ୍ତ୍ରରେ ଏହାକୁ ମାପ କରାଯାଇପାରିବ ବୋଲି ଜ୍ୟୋତିର୍ବିଦମାନେ ପ୍ରକାଶ କରିଛନ୍ତି। ପୃଥିବୀର ତୀବ୍ର ମାଧ୍ୟାକର୍ଷଣ ବଳ ଗ୍ରହାଣୁ କକ୍ଷର ବ୍ୟାସକୁ ବଢ଼ାଇ ଦେବ। ଫଳରେ ଏହାର କକ୍ଷର ବ୍ୟାସ ପୃଥିବୀ କକ୍ଷର ବ୍ୟାସଠାରୁ ଅଧିକ ହୋଇଯିବ। ଏହାପରେ ଏହା ଆପୋଲୋ ଶ୍ରେଣୀୟ ଗ୍ରହାଣୁରେ ପରିଣତ ହେବ। ଯେଉଁ ଗ୍ରହାଣୁର ବ୍ୟାସ ପୃଥିବୀ କକ୍ଷର ବ୍ୟାସଠାରୁ ଅଧିକ ଥାଏ, ତାକୁ ଆପୋଲୋ ଗ୍ରହାଣୁ କୁହାଯାଏ। ଏଗୁଡିକର କକ୍ଷ ସର୍ବଦା ପୃଥିବୀ କକ୍ଷକୁ ଅତିକ୍ରମ କରିଥାଏ। ଆପୋଫିସ୍ ବର୍ତ୍ତମାନ ଖାଲି ଆଖିକୁ ଦେଖାଯାଉ ନାହିଁ। କିନ୍ତୁ ୨୦୨୯ ମସିହା ଏପ୍ରିଲରେ ଏହାକୁ ଖାଲି ଆଖିରେ ଦେଖିହେବ।
ନାସାର ଓସିରିସ୍-ରେକ୍ସ ହେଉଛି ଏକ ଐତିହାସିକ ମହାକାଶ ଅଭିଯାନ। ଏହା ବେଣୁ ଗ୍ରହାଣୁର ପ୍ରଥମ ନମୁନା ପୃଥିବୀକୁ ପଠାଇଛି। ଏହାପରେ ଯାନଟି ଭଲ ଅବସ୍ଥାରେ ଅଛି ଏବଂ ସେଥିରେ ତଥାପି ଏକ-ଚତୁର୍ଥାଂଶ ଇନ୍ଧନ ଅଛି। ଏଣୁ ନାସା ଏହାକୁ ବର୍ତ୍ତମାନ ଆପୋଫିସ୍ ପାଖକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଛି। ଏକ ଦୀର୍ଘ ଯାତ୍ରା ପରେ ଯାନଟି ଆପୋଫିସ୍ ନିକଟରେ ୨୦୨୯ ଅପ୍ରେଲରେ ପହଞ୍ଚତ୍ବ, ସେତେବେଳେ ଗ୍ରହାଣୁ ପୃଥିବୀର ଅତି ନିକଟତର ହୋଇଥିବ। ସେପର୍ଯ୍ୟନ୍ତ ଆପୋଫିସ୍ ଚର୍ଚ୍ଚାରେ ରହିବ।
ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର, ଫେଜ୍-୧, ଭୁବନେଶ୍ୱର
ମୋ :୯୪୩୮୬୯୩୭୨୪

