ପ୍ରତି ଶିକ୍ଷା ବର୍ଷ ଆରମ୍ଭରେ ପିଲାମାନେ ସାର୍ଙ୍କୁ ଖୋଜନ୍ତି। କାହଁିକିନା ସେମାନଙ୍କର ପାଠପଢ଼ା ଆରମ୍ଭ ହେବ। ସାର୍ ନ ଥିଲେ ପାଠପଢ଼ା ସମ୍ଭବ ନୁହେଁ। ଅବଶ୍ୟ ଆଜିକାଲି ଅନେକ ପିଲା ଟିଉଶନ କରି ଟିଉଶନ ସାର୍ଙ୍କ ପାଖରୁ ସବୁ ପାଠ ଆଗତୁରା ପଢି ନେଉଛନ୍ତି। କିନ୍ତୁ ତାହା ସବୁ ପିଲାଙ୍କ ପାଇଁ ସମ୍ଭବ ନୁହେଁ। ଅନେକ ପିଲା ଟିଉଶନ ନ ହୋଇ ସ୍କୁଲ ପଢ଼ା ଉପରେ ନିର୍ଭର କରନ୍ତି। ଟିଉଶନ ଏକ ବ୍ୟକ୍ତଗତ କଥା। ହେଲେ ସ୍କୁଲରେ ପାଠପଢ଼ା ନ ହେଲେ ସବୁ ପିଲା ଉପକୃତ ହୋଇପାରନ୍ତି ନାହଁି। ସ୍କୁଲ ପିଲାଙ୍କ ପାଇଁ ପାଠପଢ଼ାର ଏକ ଉତ୍ତମ ପରିବେଶ। ସାଙ୍ଗ ସାଥୀ ମେଳରେ ବିଭିନ୍ନ ସାର୍ଙ୍କଠାରୁ ଭିନ୍ନ ଭିନ୍ନ ଶୈଳୀରେ ପାଠ ପଢ଼ିବାର ପରିବେଶ କେବଳ ସ୍କୁଲରେ ମିଳିପାରେ। ଟିଉଶନରେ ମିଳେ ନାହଁି। ଟିଉଶନରେ ଏକ ସୀମିତ ପରିବେଶ ଭିତରେ ଅଧିକ ପିଲା ଖୁନ୍ଦାଖୁନ୍ଦି ହୋଇ ବସି ଅଣନିଃଶ୍ୱାସୀ ହୋଇ ପଡ଼ନ୍ତି। କାରଣ ଏହା ବ୍ୟବସାୟିକ ଉଦ୍ଦେଶ୍ୟରେ କରାଯାଇଥାଏ। ତେଣୁ ସ୍କୁଲ ଭଳି ଏକ ଖୋଲା ମେଲା ମୁକ୍ତ ପରିବେଶରେ ପାଠ ପଢ଼ିବାର ମଜାକୁ ପିଲାମାନେ ବହୁତ ଉପଭୋଗ କରନ୍ତି।
ରାଜ୍ୟ ସରକାରଙ୍କ ଯୋଜନା ଅନୁସାରେ ଆମ ରାଜ୍ୟରେ ବିଭିନ୍ନ ପ୍ରକାର ସ୍କୁଲ ରହିଛି। ପୁରୁଣା ସରକାରୀ ସ୍କୁଲ, ନୂଆ ସରକାରୀ ସ୍କୁଲ, ବେସରକାରୀ ସ୍କୁଲ, ସରକାରୀ ସାହାଯ୍ୟପ୍ରାପ୍ତ ସ୍କୁଲ ଏବଂ ବ୍ଲକ୍ଗ୍ରାଣ୍ଟ ସ୍କୁଲ ଭଳି ଅନେକ ପ୍ରକାର ସ୍କୁଲ ରହିଛି। ସବୁ ସ୍କୁଲ ପାଇଁ ଶିକ୍ଷକ ନିଯୁକ୍ତି ହେଉଥିବା ବେଳେ ବ୍ଲକ୍ଗ୍ରାଣ୍ଟ ସ୍କୁଲ ପାଇଁ ଶିକ୍ଷକ ନିଯୁକ୍ତି ହେଉନାହଁି। ଏହି ସ୍କୁଲରେ ମୂଳରୁ ଯେଉଁ ସାର୍ମାନେ ଥିଲେ, ସେମାନେ ଅଦ୍ୟାବଧି କାର୍ଯ୍ୟରତ। ସେମାନଙ୍କ ମଧ୍ୟରୁ କେତେଜଣ ସାର୍ ଅବସର ନେଇସାରିଲେଣି। ଯେଉଁମାନେ ଅବସର ନେଲେ ସେମାନଙ୍କ ସ୍ଥାନ ଖାଲିରହୁଛି। ସେମାନଙ୍କ ସ୍ଥାନରେ ଏବେ ସରକାର ଅତିଥି ଶିକ୍ଷକ ନିଯୁକ୍ତ କରି ପିଲାଙ୍କ ପାଠପଢ଼ା ସମସ୍ୟାକୁ କିଛି ପରମାଣରେ ସମାଧାନ କରିଛନ୍ତି। କିନ୍ତୁ ଅତିଥି ଶିକ୍ଷକ ନିଯୁକ୍ତିରେ ସରକାରଙ୍କର ଆନ୍ତରିକତାର ଅଭାବ ରହିଥିବାର ଅନୁମାନ କରାଯାଏ। କାରଣ ଏମାନଙ୍କୁ ନିଯୁକ୍ତି ଦେଲା ବେଳକୁ ସେପ୍ଟେମ୍ବର ମାସ ହୋଇଯାଏ। ପୁଣି ମାର୍ଚ୍ଚ ମାସରେ ତାଙ୍କର କାର୍ଯ୍ୟକାଳ ସରିଯାଏ। ସେମାନେ ମାତ୍ର ୭ ମାସ ପଢ଼ାନ୍ତି। ପିଲାଙ୍କ ପାଠ ପଢ଼ାର ଅବଧି କିନ୍ତୁ ୧୦ ମାସ। ତେବେ ୧୦ ମାସର ପାଠକୁ ପିଲାମାନେ ୭ ମାସରେ ପଢ଼ିବେ। ଅନେକ ବ୍ଲକ୍ ଗ୍ରାଣ୍ଟ ସ୍କୁଲରେ ଏବେ ଶିକ୍ଷକ ପଦବୀ ଖାଲି ପଡିଛି। ସ୍ଥାୟୀ ଶିକ୍ଷକ ନାହାନ୍ତି। ପିଲାମାନେ ଅପେକ୍ଷା କରି ରହିଛନ୍ତି ସେହି ଅତିଥି ଶିକ୍ଷକଙ୍କୁ। ସେମାନେ ଆସିଲେ ତାଙ୍କର ପାଠପଢ଼ା ଆରମ୍ଭ ହେବ। ନିକଟରେ ଏକ ଖବରକାଗଜ ପୃଷ୍ଟାରେ ଦେଖିବାକୁ ମିଳିଲା ଯେ ପୁରୀ ଜିଲାର ଏକ ବ୍ଲକ୍ଗ୍ରାଣ୍ଟ ସ୍କୁଲରେ ଜଣେ ହେଲେ ସ୍ଥାୟୀ ଶିକ୍ଷକ ନାହାନ୍ତି। ନିକଟସ୍ଥ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଦାୟିତ୍ୱ ତୁଲାଇବା ପାଇଁ ଦିଆଯାଇଛି। ସେଠି କେବଳ ଅତିଥି ଶିକ୍ଷକମାନେ ଆସିଲେ ପାଠପଢ଼ା ହେବ। ପିଲାମାନେ ସବୁ ଦିନ ସ୍କୁଲ ଆସି ବସି ବସି ଯାଉଛନ୍ତି। ସମଗ୍ର ରାଜ୍ୟର ପ୍ରାୟ ଅନେକ ବ୍ଲକ୍ଗ୍ରାଣ୍ଟ ସ୍କୁଲରେ ଏହି ଚିତ୍ର ଦେଖିବାକୁ ମିଳୁଛି। ଏହି ସ୍କୁଲରେ ପିଲା ଖୋଜୁଛନ୍ତି ସାର୍ଙ୍କୁ।
ଗ୍ରୀଷ୍ମ ଛୁଟି ପରେ ଏବେ ପିଲାମାନେ ଆଗ୍ରହର ସହ ସ୍କୁଲମୁହଁା ହୋଇଛନ୍ତି। ବ୍ଲକ୍ ଗ୍ରାଣ୍ଟ ହାଇସ୍କୁଲର ନବମ ଶ୍ରେଣୀରେ ଯେଉଁମାନେ ଗତ ବର୍ଷ ପଢୁଥିଲେ ସେମାନେ ଏବର୍ଷ ଦଶମ ବୋର୍ଡ ପରୀକ୍ଷା ଦେବେ। ଏପଟେ ସ୍କୁଲରେ ସାର୍ ନାହାନ୍ତି। ପାଠ କେମିତି ପଢ଼ାହେବ ସେଇ ଚିନ୍ତାରେ ପିଲା ରହିଛନ୍ତି। ଅଭିଭାବକମାନେ ମଧ୍ୟ ପିଲାଙ୍କ ପାଠପଢ଼ା ଚିନ୍ତାରେ ଅଛନ୍ତି। କାହାକୁ କହିଲେ କେହି ଶୁଣିବାକୁ ପ୍ରସ୍ତୁତ ନୁହନ୍ତି। ଶିକ୍ଷକ ସମସ୍ୟା ଦୂର କରିବା ପାଇଁ ଆଗରୁ ଅନେକ ଥର ଶିକ୍ଷା ଅଧିକାରୀଙ୍କୁ ଜଣାଇଛନ୍ତି। କିନ୍ତୁ ସବୁ ଆଶ୍ୱାସନା ପାଣିରଗାର। ଜିଲାପାଳଙ୍କୁ ଜଣାଇଲା ପରେ ମଧ୍ୟ କିଛି ସୁଫଳ ମିଳୁନାହଁି। ତେଣୁ ଯଦି ଅଭିଭାବକମାନେ ସ୍କୁଲରେ ତାଲା ପକାଇବେ, ହୁଏତ କିଛି ସମାଧାନ ହୋଇପାରେ। ସମାଧାନର ଏକ ମାତ୍ର ଉପାୟ ହେଲା, ଅତିଥି ଶିକ୍ଷକ ନିଯୁକ୍ତି କିମ୍ବା ନିକଟସ୍ଥ ସ୍କୁଲରୁ ଡେପୁଟେଶନରେ ଶିକ୍ଷକ ଆଣି ପାଠପଢ଼ାରେ ନିୟୋଜିତ କରିବା। କାହଁିକି ନା ବ୍ଲକ ଗ୍ରାଣ୍ଟ ସ୍କୁଲଗୁଡିକ ପାଇଁ ସ୍ଥାୟୀ ନିଯୁକ୍ତି ପ୍ରକ୍ରିୟା କରାଯାଇ ନାହଁି। ଯଦି ସରକାର ଏହି ସ୍କୁଲଗୁଡ଼ିକରେ ସ୍ଥାୟୀ ନିଯୁକ୍ତି ଦେବେ, ତା’ହେଲେ ସମସ୍ୟା ସମାଧାନ ହୋଇପାରନ୍ତା। ଏବେ ତ ସମଗ୍ର ରାଜ୍ୟରେ ସବୁ ବର୍ଗର ସ୍କୁଲରେ ଅନେକ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଏପରି ସ୍ଥଳେ ଏହି ହାତଗଣତି କିଛି ବ୍ଲକ୍ଗ୍ରାଣ୍ଟ ସ୍କୁଲ କଥା କିଏ ପଚାରେ। ଏହି ସ୍କୁଲର ଛାତ୍ରୀଛାତ୍ରମାନେ କେବଳ ସେହି ଅତିଥି ଶିକ୍ଷକମାନଙ୍କ ଆସିବା ବାଟକୁ ଅନାଇ ରହିବା ସାର ହେବ। ସବୁଦିନ ସ୍କୁଲ ଆସି ମଧ୍ୟାହ୍ନ ଭୋଜନ ଖାଇ ହୋହଲ୍ଲା କରି ଘରକୁ ଫେରିବା ବ୍ୟତୀତ ସେମାନଙ୍କ ନିକଟରେ ଅନ୍ୟ ବାଟ ନାହଁି।
ସାର୍ମାନଙ୍କ ଅଭାବରେ ପିଲାମାନେ ପାଠ ପଢ଼ିବା ସମ୍ଭବ ନୁହେଁ। ସାହିତ୍ୟ, ଇତିହାସ, ଭୂଗୋଳ, ହିନ୍ଦୀ,ସଂସ୍କୃତ ଇତ୍ୟାଦି ପାଠ ନିଜେ ପଢ଼ିଲେ ହେବ। କିନ୍ତୁ ଗଣିତ, ବିଜ୍ଞାନ, ଇଂଲିଶ ଭଳି ପାଠ ପାଇଁ ପିଲାମାନେ ସାର୍ମାନଙ୍କୁ ଖୋଜନ୍ତି। ଆମ ରାଜ୍ୟର ଅନେକ ପିଲା ଇଂଲିଶରେ ଦୁର୍ବଳ କାରଣ ଇଂଲିଶରେ ସେମାନଙ୍କର ମୂଳ ଭିତ୍ତି ଦୁର୍ବଳ ହୋଇଯାଇଥାଏ। ଇଂଲିଶ ଯେଉଁ କ୍ଲାସ୍ରୁ ଆରମ୍ଭ ହୁଏ ସେହିଠାରୁ ସଫଳତାର ସହିତ ପିଲା ଏହି ଭାଷାକୁ ଶିକ୍ଷା କରିପାରନ୍ତି ନାହଁି। ଆମ ରାଜ୍ୟରେ ସ୍କୁଲଗୁଡ଼ିକରେ ଇଂଲିଶକୁ ଓଡ଼ଆରେ ଅନୁବାଦ କରି ପଢ଼ାଯାଏ। ଫଳରେ ଇଂଲିଶ ଭାଷାର ମୌଳିକତା ନଷ୍ଟ ହୋଇଯାଏ। ଇଂଲିଶକୁ ଇଂଲିଶରେ ହଁି ପଢ଼ାଇବାର ଅଭ୍ୟାସ କଲେ ପିଲାମାନେ ଭଲ ଇଂଲିଶ ଦକ୍ଷତା ହାସଲ କରିପାରନ୍ତେ। ପିଲାମାନେ ହାଇସ୍କୁଲରେ ଯେଉଁ ତିନୋଟି ଭାଷା ପଢୁଛନ୍ତି, ସବୁ ଭାଷାର ମୌଳିକତା ବଜାୟ ରହିଲେ ଭାଷା ଶିକ୍ଷା ସଫଳ ହେବ।
ଏସବୁ ବ୍ୟତୀତ ଖେଳ ସାର୍ଙ୍କ ବିଭିନ୍ନ ଖେଳପାଇଁ ଶିକ୍ଷାଦାନ ପିଲାଙ୍କୁ ସବୁବେଳେ ଆନନ୍ଦ ଦେଇଥାଏ। କାରଣ ପିଲାମାନେ ଭାରି ଖେଳପ୍ରିୟ। ଖେଳ ସାର୍ ଯେତେବେଳେ ପଡ଼ିଆରେ ବିଭିନ୍ନ ପ୍ରକାର ଖେଳ ଖେଳାନ୍ତି ପିଲାଙ୍କ ଆନନ୍ଦ କହିଲେ ନ ସରେ। ତେବେ ଖେଳ ସାର୍ଙ୍କ ଅଭାବ ମଧ୍ୟ ପିଲାଙ୍କୁ ବହୁତ କଷ୍ଟ ଦେଇଥାଏ।
ସତ୍ୟନାରାୟଣ ଦେହୁରୀ
ରାଧାନଗର, ବୌଦ୍ଧ
ମୋ: ୯୯୩୮୭୫୮୩୫୩