ଛାତ୍ରୀଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ବର,୭।୨(ବ୍ୟୁରୋ): ପ୍ରାୟ ଦୁଇ ବର୍ଷ ପରେ ଆଜି ରାଜ୍ୟରେ ସ୍କୁଲ ଖୋଲିଛି। ଅଷ୍ଟମ ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିଥିବା ବେଳେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ୧୪ ତାରିଖରେ ଖୋଲିବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରୀଛାତ୍ରଙ୍କୁ ବାର୍ତ୍ତା ଦେଇଛନ୍ତି । ଆଜି ଆମ ସମସ୍ତଙ୍କ ପାଇଁ ଏକ ଐତିହାସିକ ଦିନ। ପ୍ରାୟ ଦୁଇ ବର୍ଷ ପରେ ଆଜି ସ୍କୁଲ ଘଣ୍ଟା ବାଜିଲା । ପିଲାମାନେ ଆଜି ସ୍କୁଲ ଗଲେ । ମହାପ୍ରଭୁଙ୍କ ଆଶୀର୍ବାଦ, ଆପଣମାନଙ୍କ ସହଯୋଗ ଓ କୋଭିଡ ଯୋଦ୍ଧାଙ୍କ ତ୍ୟାଗ ଯୋଗୁ ଏହା ସମ୍ଭବ ହୋଇପାରିଛି । ଗତ ଦୁଇ ବର୍ଷ ହେଲା କରୋନା ଯୋଗୁ ଜୀବନ ଯାତ୍ରା ପ୍ରଭାବିତ ହୋଇଥିଲା । ସ୍କୁଲ ଖୋଲିବା ହେଉଛି, ସୱଭାବିକ ଅବସ୍ଥା ଫେରିବାର ଶୁଭ ସୂଚନା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆହୁରି ମଧ୍ୟ କହିଛନ୍ତି, ପ୍ରତି ଶହେ ବର୍ଷରେ ଥରେ ଏହିଭଳି ମହାମାରୀ ଆସେ,କିନ୍ତୁ ପିଲାମାନେ ଭୟ ନ କରି କୋଭିଡ୍‌ ଗାଇଡ୍‌ଲାଇନ୍‌ ଠିକ୍‌ ଭାବରେ ପାଳନ କରିବ,ମାସ୍କ ପିନ୍ଧିବା ସହ ବାରମ୍ବାର ସାବୁନ୍‌ରେ ହାତ ଧୋଇବ। କୋଭିଡ୍‌ ନିୟମ ପାଳନରେ କେବେ ବି ହେଳା କରିବନି ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।