କେନୋପନିଷଦର ପ୍ରତିପାଦ୍ୟ ସିଦ୍ଧାନ୍ତ

ଡା. ଗୋପାଳ ଚନ୍ଦ୍ର ଦାଶ

କେନୋପନିଷଦର ବିଷୟବସ୍ତୁ ବ୍ରହ୍ମ ସିଦ୍ଧାନ୍ତ ଉପରେ ପର୍ଯ୍ୟବସିତ। ଏହି ଉପନିଷଦର ମୁଖ୍ୟ ଆଲୋଚ୍ୟ ବିଷୟ ହେଉଛି ସଂସାରର ସମସ୍ତ ଜଡ଼ ଓ ଚେତନ ପଦାର୍ଥ ବ୍ରହ୍ମଙ୍କ ଶକ୍ତି ଦ୍ୱାରା ପରିଚାଳିତ। ଅର୍ଥାତ୍‌ ବ୍ରହ୍ମ ସର୍ବଶକ୍ତିମାନ୍‌। ଏହି ଉପନିଷଦ ସାମବେଦର ଜୈମନୀୟ ବ୍ରାହ୍ମଣ ଶାଖାର ନବମ ଅଧ୍ୟାୟରୁ ସୃଷ୍ଟି। ଏହାର ପ୍ରାଚୀନ ନାମ ତଲବକାର ଉପନିଷଦ ଥିଲା। କେନଷିତଂ (କାହାଦ୍ୱାରା) ଶବ୍ଦରୁ ଏହି ଉପନିଷଦ ଆରମ୍ଭ ହୋଇଥିବାରୁ ପରବର୍ତ୍ତୀ କାଳରେ ଏହାକୁ କେନୋପନିଷଦ ନାମରେ ନାମିତ କରାଗଲା। ଏହି ଉପନିଷଦ ୪ ଖଣ୍ଡରେ ବିଭକ୍ତ ଓ ଏହାର ମନ୍ତ୍ର ସଂଖ୍ୟା ୩୪। ଗୁରୁଶିଷ୍ୟ ସମ୍ବାଦ ରୂପରେ ବ୍ରହ୍ମଙ୍କ ଶକ୍ତି, ମହିମା, ସ୍ବରୂପ ଓ ଉପାସନା ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି। ପ୍ରଥମ ଖଣ୍ଡରେ ବ୍ରହ୍ମଙ୍କ ସମ୍ବନ୍ଧରେ ବର୍ଣ୍ଣନା କରି ଉପନିଷଦକାର କହିଛନ୍ତି, ସମସ୍ତ ଇନ୍ଦ୍ରିୟଗଣ, ମନ ଓ ପ୍ରାଣକୁ ଯିଏ ଶକ୍ତି ପ୍ରଦାନ କରନ୍ତି ସେ ହେଉଛନ୍ତି ବ୍ରହ୍ମ। ବାକ୍ୟ ଯାହାକୁ ପ୍ରକାଶ କରିପାରେ ନାହିଁ, ମନ ଯାହାକୁ ଅନୁଭବ କରିପାରେ ନାହିଁ, ଆଖି ଯାହାକୁ ଦେଖିପାରେ ନାହିଁ, କର୍ଣ୍ଣ ଯାହାକୁ ଶୁଣିପାରେ ନାହିଁ, ପ୍ରାଣ ଯାହାକୁ ସଞ୍ଚାଳନ କରିପାରେ ନାହିଁ ମାତ୍ର ଯାହାର ଶକ୍ତି ଦ୍ୱାରା ବାଣୀ ପ୍ରକଟ ହୋଇଥାଏ, ମନ ଅନୁଭବ କରିଥାଏ, ଚକ୍ଷୁ ଦେଖିପାରେ, କର୍ଣ୍ଣ ଶୁଣିପାରେ ଓ ପ୍ରାଣଶକ୍ତି ସଞ୍ଚାଳିତ ହୋଇଥାଏ, ସେ ହେଉଛନ୍ତି ବ୍ରହ୍ମ। ଅର୍ଥାତ୍‌ ପରମାତ୍ମା ବ୍ରହ୍ମ ଇନ୍ଦ୍ରିୟାତୀତ, ପ୍ରାଣାତୀତ ଓ ମନନାତୀତ। ବ୍ରହ୍ମଙ୍କ ଶକ୍ତି ବଳରେ ଇନ୍ଦ୍ରିୟମାନେ ଶକ୍ତିମାନ୍‌ ହୋଇ ଜୀବାତ୍ମା ପାଇଁ କାର୍ଯ୍ୟ କରନ୍ତି। ତେଣୁ ଇନ୍ଦ୍ରିୟାଦି ଜଡ଼ବସ୍ତୁ ଉପାସନୀୟ ନୁହେଁ ବରଂ ଜଡ଼ର ନିୟନ୍ତା ବ୍ରହ୍ମ ହିଁ ଉପାସ୍ୟ।
ଦ୍ୱିତୀୟ ଅଧ୍ୟାୟରେ କୁହାଯାଇଛି ଯେ ପୂର୍ଣ୍ଣବ୍ରହ୍ମଙ୍କୁ ସୀମିତ ଜ୍ଞାନ ମାଧ୍ୟମରେ ଜାଣିବା ସମ୍ଭବ ନୁହେଁ। ତେଣୁ ଉପନିଷଦକାର କହିଛନ୍ତି, ଯେଉଁ ବ୍ୟକ୍ତି ଅଭିମାନ କରି କହେ ଯେ ସେ ବ୍ରହ୍ମଙ୍କୁ ଜାଣିଛି, ପ୍ରକୃତରେ ସେ ବ୍ରହ୍ମଙ୍କ ବିଷୟରେ କିଛି ଜାଣି ନ’ଥାନ୍ତି। ମାତ୍ର ଯେଉଁ ବ୍ୟକ୍ତି କହେ ଯେ ପୂର୍ଣ୍ଣ ବ୍ରହ୍ମଙ୍କୁ ଜାଣିହେବ ନାହିଁ, ପ୍ରକୃତରେ ସେ ବ୍ରହ୍ମଙ୍କୁ ଜାଣିଛି। ଏହାର ଅର୍ଥ ପୂର୍ଣ୍ଣବ୍ରହ୍ମଙ୍କୁ ଭଲଭାବରେ ଜାଣିଛି ବୋଲି କହିବା ବା ଆଦୌ ଜାଣିହେବ ନାହିଁ ବୋଲି କହିହେବ ନାହିଁ। ମାତ୍ର ବ୍ରହ୍ମ ସତ୍ତାକୁ କିଛି ପରିମାଣରେ ଉପଲବ୍ଧି କରିହେବ। ବ୍ୟକ୍ତିର ଲବ୍ଧ ଜ୍ଞାନ ଦ୍ୱାରା ପୂର୍ଣ୍ଣବ୍ରହ୍ମଙ୍କୁ ପୂର୍ଣ୍ଣଭାବରେ ଜାଣିବା ଅସମ୍ଭବ। ଅହଂକାର ବିନାଶ ନ ହେଲେ ବ୍ରହ୍ମ ଦର୍ଶନ ଅସମ୍ଭବ। କହିବା ଓ ଶୁଣିବାରେ ବ୍ରହ୍ମତତ୍ତ୍ୱ ଯେତିକି ସୁଗମ, ଅନୁଭୂତିରେ ତାହା ସେତିକି ଦୁରୂହ।
ତୃତୀୟ ଖଣ୍ଡରେ ଦେବ ଓ ଯକ୍ଷ ବିଷୟକ ଏକ ଆଖ୍ୟାୟିକା (ଦୃଷ୍ଟାନ୍ତ) ମାଧ୍ୟମରେ ବ୍ରହ୍ମଙ୍କର ଶକ୍ତି ଆଲୋଚନା କରାଯାଇଛି। ବ୍ରହ୍ମଙ୍କ ଶକ୍ତିରେ ବଳବାନ୍‌ ହୋଇ ଅସୁରମାନଙ୍କ ଉପରେ ବିଜୟ ଲାଭ କରିଥିବା ଦେବତାମାନେ ଏକଦା ଅହଂକାରୀ ହୋଇଗଲେ। ଅଗ୍ନି, ବାୟୁ ଓ ଇନ୍ଦ୍ର ଆଦି ଦେବତାମାନଙ୍କର ଅହଂକାରକୁ ଭଙ୍ଗ କରିବାକୁ ଯାଇ ବ୍ରହ୍ମ ଯକ୍ଷ ରୂପରେ ପ୍ରକଟିତ ହୋଇ ସେମାନଙ୍କର ଶକ୍ତିକୁ ଅପହରଣ କରିନେଲେ। ଯଦ୍ଦ୍ବାରା ଅଗ୍ନିଦେବତା ସାମାନ୍ୟ ତୃଣଖଣ୍ଡକୁ ଭସ୍ମ କରିପାରିଲେ ନାହିଁ କି ବାୟୁଦେବତା ଉଡ଼ାଇ ପାରିଲେ ନାହିଁ। ଦେବତାମାନଙ୍କର ଶକ୍ତିହୀନତାର କାରଣ ହିଁ ଯକ୍ଷରୂପୀ ବ୍ରହ୍ମ ବୋଲି ଇନ୍ଦ୍ର ଦେବତା ଉମାଦେବୀଙ୍କଠାରୁ ଜାଣିପାରିଥିଲେ। ଦୃଶ୍ୟମାନ ଅଗ୍ନି ଓ ଅଦୃଶ୍ୟ ବାୟୁଦେବତା ଭୌତିକ ତଥା ଜଡ଼ ଜଗତର ପ୍ରତିନିଧି। ଅଜ୍ଞାନତା ଯୋଗୁ ସେମାନେ ମହାଶକ୍ତିମାନ ବ୍ରହ୍ମ (ଯକ୍ଷ)ଙ୍କୁ ଚିହ୍ନିବାରେ ସକ୍ଷମ ନୁହନ୍ତି। ପରନ୍ତୁ ଜୀବାତ୍ମା (ଇନ୍ଦ୍ର) ନିଜର ବୁଦ୍ଧି ଓ ମେଧା (ଉମା) ବଳରେ ବ୍ରହ୍ମଙ୍କୁ ଚିହ୍ନି ପାରନ୍ତି। ଏହି ଉପାଖ୍ୟାନ ମାଧ୍ୟମରେ ଉପନିଷଦକାର ଜଣାଇବାକୁ ଚାହାନ୍ତି ବ୍ରହ୍ମ ସର୍ବଶକ୍ତିମାନ୍‌ ଓ ସମସ୍ତ ଜଡ଼ ତଥା ଚେତନ ଜଗତ ତାଙ୍କରି ଶକ୍ତିରେ କାର୍ଯ୍ୟଶୀଳ ହୋଇଥାଆନ୍ତି।
ଚତୁର୍ଥ ଖଣ୍ଡରେ ପରଂବ୍ରହ୍ମଙ୍କର ଉପାସନା ଶୈଳୀ ଓ ଫଳ ଉଲ୍ଲେଖ କରାଯାଇ ବ୍ରହ୍ମବିଦ୍ୟା ସାଧନାର ରହସ୍ୟ ଓ ବ୍ରହ୍ମ ଶକ୍ତିର ମହିମା ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି। ଯେଉଁ ଜ୍ଞାନୀ ସାଧକ ବ୍ରହ୍ମକୁ ‘ତଦ୍‌ବନ’ ଅର୍ଥାତ୍‌ ପୂଜନୀୟ, ବନ୍ଦନୀୟ ଓ ଉପାସ୍ୟ ବୋଲି ବିବେଚନା କରେ ସେ ସମସ୍ତ ପ୍ରାଣୀଙ୍କର ପ୍ରିୟ ହୁଏ। ବ୍ରହ୍ମ ଦର୍ଶନ ଅଭ୍ୟାସୀଙ୍କ ପାଇଁ ତିନିଗୋଟି ସାଧନ ଆବଶ୍ୟକ। ସେଗୁଡ଼ିକ ହେଲା ତପ (ଦ୍ୱନ୍ଦ୍ୱ ସହନ), ଦମ (ମନ ଓ ଇନ୍ଦ୍ରୀୟ ଉପରେ ନିୟନ୍ତ୍ରଣ) ଓ ନିଷ୍କାମ କର୍ମ (ଆସକ୍ତି ରହିତ କର୍ମ)। ‘ପ୍ରତିବୋଧ’ ଅର୍ଥାତ୍‌ ଇନ୍ଦ୍ରିୟଗୁଡ଼ିକର ଅନ୍ତର୍ମୁଖୀ ଦ୍ୱାରା ବ୍ରହ୍ମର ସ୍ବରୂପକୁ ଉପଲବ୍ଧି କରାଯାଇପାରେ। ବେଦ ଓ ବେଦାଙ୍ଗରେ ଏହି ବିଦ୍ୟା ବିସ୍ତାର ଭାବରେ ଆଲୋଚନା କରାଯାଇଛି। ଏହି ବ୍ରହ୍ମବିଦ୍ୟା ରହସ୍ୟକୁ ଜାଣିବାବାଲା ସାଧକ ନିଜର ସମସ୍ତ ପାପ ସମୂହକୁ ବିନଷ୍ଟ କରି ଅବିନାଶୀ, ଅସୀମ ଓ ସର୍ବଶ୍ରେଷ୍ଠ ସ୍ଥିତିରେ ପହଞ୍ଚିଥାଏ- ଅର୍ଥାତ୍‌ ପରମ ଧାମକୁ ପ୍ରାପ୍ତ ହୁଏ।
ମୋ: ୭୮୪୮୮୫୦୯୫୦


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?