କେନାଲ ପୋତି ହୋଇଗଲାଣିି, ଜମିକୁ ମାଡୁନି ପାଣି

ପଟ୍ଟାମୁଣ୍ଡାଇ,୨୬ା୯(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜଳସମ୍ପଦ ବିଭାଗର ଅପାରଗତା ପଦାରେ ପଡିଛି। କୃଷକଙ୍କ ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ମାତ୍ର ଚାଷୀ ସବୁବେଳେ ବିଭାଗୀୟ ଅଧିକାରୀଙ୍କ ରୋଶର ଶିକାର ହେଉଛନ୍ତି। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜଳସେଚନ ପାଇଁ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲ ଓ ଏହାର ଶାଖା କେନାଲମାନ ଖୋଳାଯାଇ ଜଳସେଚନ କରାଯାଉଛି। ହେଲେ ବିଭାଗର ଅଣଦେଖା ଓ ମରାମତି ଅଭାବରୁ କେନାଲ ପୋତି ହୋଇ ଚାଷ ଜମିକୁ ପାଣି ଯାଉନାହିଁ। ମାତ୍ର ରାଜସ୍ବ ବିଭାଗ ଖାତାରେ ଥିବା ଜଳସେଚନ ଅଞ୍ଚଳର ଜଳକର ନେବାରେ ହେଳା କରୁ ନ ଥିବା କୃଷକମାନେ ଅଭିଯୋଗ କରିଛନ୍ତି। ପଟ୍ଟାମୁଣ୍ଡାଇ ଜଳସମ୍ପଦ ସବ୍‌ଡିଭିଜନ ଅଧୀନରେ ଥିବା କେନ୍ଦ୍ରାପଡ଼ା ତହସିଲ ଅନ୍ତର୍ଗତ ଦୋବନ୍ଧା, ସୋବଳା, ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ଚନ୍ଦନପୁର, ତମାଳଶାସନ, ଅରୁଆ, କେଶପୁର ଆଦି ଅଞ୍ଚଳର ଜମିକୁ କେନାଲ ନାହିଁ। ସେହିପରି ପଟ୍ଟାମୁଣ୍ଡାଇର ଭାତହାଣ୍ଡି ଉତିକଣ ଅଞ୍ଚଳର ଖଣନ୍ତା, ଓଉପଦା, ସଂସାରପାଳ ଆଦି ପଞ୍ଚାୟତର କେତେକ ଅଞ୍ଚଳର ଜମିକୁ କେନାଲ ପାଣି ଯାଉନାହିଁ। ପଟ୍ଟାମୁଣ୍ଡାଇ ମେନ୍‌ କେନାଲରୁ ବାହାରି ଥିବା ଶାଖା କେନାଲର ଉପଯୁକ୍ତ ରକ୍ଷାଣବେକ୍ଷଣ ଅଭାବରୁ ପୋତି ହୋଇ ପାଣି ଜମିକୁ ପହଞ୍ଚତ୍ ପାରୁନାହିଁ। କିନ୍ତୁ ରାଜସ୍ବ ବିଭାଗ ଏହି ଅଞ୍ଚଳର ଅଧିବାସୀଙ୍କୁ ଜଳକର ଦାବି କରୁଛି। ଏହାକୁ ସ୍ଥାନୀୟ ଗ୍ରାମବାସୀ ବିରୋଧ କରିବା ସହ କେନାଲ ଖନନ ଅଥବା ଜଳକର ଉଚ୍ଛେଦ ପାଇଁ ଦାବି କରୁଛନ୍ତି।
ସାମାଜିକ କର୍ମୀ ରଞ୍ଜନ କୁମାର ସାହୁ କହିଛନ୍ତି, ୨୦୦୬ରେ ରାଜ୍ୟ ସରକାର ଘୋଷଣା କରିଥିଲେ ଯେ ରାଜ୍ୟର ପ୍ରତି ବ୍ଲକରେ ସର୍ବନିମ୍ନ ୩୫ ପ୍ରତିଶତ ଜମିକୁ ଜଳସେଚିତ କରାଯିବ। ଘୋଷଣାର ୧୬ବର୍ଷ ପରେ ବାସ୍ତବରେ କେତେ ବ୍ଲକରେ ଏହି ଲକ୍ଷ୍ୟ ହାସଲ ହେଲା ତାହା ଯେତିକି ବିବାଦୀୟ, ସେତିକି କୁହେଳିକା ଭିତରେ ରହିଛି। ଗତ ବିଧାନସଭାରେ ରାଜ୍ୟରେ ମୋଟ ୩୧୪ଟି ବ୍ଲକ ମଧ୍ୟରୁ ୨୬୫ଟିରେ ୩୫ ପ୍ରତିଶତ ଜଳସେଚନ ସୁବିଧା ରହିଛି ବୋଲି ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ। ମାତ୍ର ନିୟମତଃ କେତେ ଜମି ଜଳସେଚନଭୁକ୍ତ ହୋଇଛି ତାହା ଯୁଗ୍ମ (ରାଜସ୍ବ ଓ ଜଳସେଚନ ବିଭାଗ) ସର୍ଭେ ଜରିଆରେ ନିର୍ଦ୍ଧାରିତ ହୋଇଥାଏ। ବିଡ଼ମ୍ବନା ହେଲା, ଜଳସେଚନ ବିଭାଗ ଯେତେ ଜମିରେ ୩୫ ପ୍ରତିଶତ ଜଳସେଚନ କଥା କହୁଛନ୍ତି, ତାହା ସରକାରଙ୍କ ଉଭୟ ବିଭାଗ ମିଳିତ ସର୍ଭେ କରିନାହାନ୍ତି। ପଟ୍ଟାମୁଣ୍ଡାଇ ବ୍ଲକରେ କେନାଲ ଖନନ ବେଳେ ଯେଉଁ ଜମିରେ ଜଳ ଯୋଗାଇ ଦିଆଯାଉଥିଲା ଏବେ ସେଠାକୁ ପାଣି ମାଡୁନାହିଁ ନା କେନାଲ ନାହିଁ। ଜମି ମାଲିକମାନେ ଜଳକର ଦେଉଥିବା ଅଭିଯୋଗ କରିଛନ୍ତି। ଗୋଗୁଆ ଅଞ୍ଚଳର ପବିତ୍ର ସାମଲ କହିଛନ୍ତି, ଦୀର୍ଘଦିନ ହେବ ରାଜସ୍ବ ବିଭାଗ ପକ୍ଷରୁ ଚାଷୀକୁଳ ଜଳକର ଦେବାକୁ କର ଧାର୍ଯ୍ୟ ହୋଇଥିଲା। ଏହାକୁ ନେଇ ଆପତ୍ତି ପରେ ୧୯୯୭ ଜୁଲାଇ ୨୨ରେ ଚିଠି ନଂ.୩୩୨୮୪ରେ ଜିଲାପାଳ ତଦନ୍ତ କରିବାକୁ ସୁପାରିସ ହୋଇଥିଲା। ସେହିବର୍ଷ ଅଗଷ୍ଟ ୪ରେ ତତ୍କାଳୀନ ଜିଲାପାଳ ଚିଠି ନଂ.୯୩୫୪ରେ ପଟ୍ଟାମଣ୍ଡାଇ ତହସିଲଦାରଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତହସିଲଦାର ଏ ନେଇ ପ୍ରକୃତ ଯାଞ୍ଚ ନ କରିବାରୁ ୧୯୯୮ରୁ ଏପର୍ଯ୍ୟନ୍ତ ଜଳକର ନ ନେବା ପାଇଁ ପରାମର୍ଶ ଦେଇଥିଲେ। ସେବେଠାରୁ ଗ୍ରାମବାସୀ କେବଳ ଭୂମିକର ଦେଇ ଆସୁଛନ୍ତି। ମାତ୍ର ଏବେ ରାଜସ୍ବ ବିଭାଗ ବକେୟା ଜଳକର ଦାବି କରିଛି। ଜଳକର ନ ଦେଲେ ଜାତି ଓ ଅନ୍ୟାନ୍ୟ ପ୍ରମାଣପତ୍ର ଯୋଗାଇ ଦିଆଯାଉନାହିଁ, ଯାହା ଅନ୍ୟାୟ ବୋଲି ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ତହସିଲଦାର ଦିଲୀପ ସେଠୀଙ୍କୁ ପଚାରିବାରେ ଘଟଣା ସମ୍ପର୍କରେ ଅଭିଯୋଗ ହୋଇନାହିଁ। ଅଭିଯୋଗ ହେଲେ ରାଜସ୍ବ ବିଭାଗ ତଦନ୍ତ କରି ଆବଶ୍ୟକ ପ୍ରମାଣପତ୍ର ଯୋଗାଇଦେବାର ବ୍ୟବସ୍ଥା କରିବ। ଏଥିସହ ଜଳସେଚନ ସମସ୍ୟା ଦୂର କରିବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି।