ବ୍ରିଟିଶମାନେ ଗଣିତରେ ଦୁର୍ବଳ

କଲ୍‌ଚେଷ୍ଟର(ବ୍ରିଟେନ), ୭।୧: ବ୍ରିଟିଶମାନଙ୍କଠାରେ ଗାଣିତିକ ଦକ୍ଷତାର ଅଭାବ ରହିଥିବା ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ସ୍ବୀକାର କରିଛନ୍ତି। ବର୍ତ୍ତମାନର ଡେଟା ଯୁଗରେ ପ୍ରତି କାମ ପାଇଁ ପରିସଂଖ୍ୟାନର ଆବଶ୍ୟକତା ପଡ଼ୁଛି। ସେଥିପାଇଁ ଯୁବଗୋଷ୍ଠୀଙ୍କୁ ସହାୟତା ନିମନ୍ତେ ୧୮ ବର୍ଷ ପର୍ଯ୍ୟନ୍ତ ସବୁ ପିଲାଙ୍କ ପାଇଁ ଗଣିତ ଶିକ୍ଷା ବାଧ୍ୟତାମୂଳକ କରିବାକୁ ସୁନକ ପ୍ରସ୍ତାବ ଦେଇଛନ୍ତି। ବାଧ୍ୟତାମୂଳକ ଗଣିତ ଶିକ୍ଷା ପ୍ରସ୍ତାବ ନୂଆ ନୁହେଁ। ପୂର୍ବରୁ କେତେଜଣ ମନ୍ତ୍ରୀ ଏଭଳି ପ୍ରସ୍ତାବ ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ। ତେବେ ବ୍ରିଟେନରେ ଗଣିତ ଦକ୍ଷତାର ଅଭାବ ଦର୍ଶାଇ ସୁନକ ଏହାକୁ ବାଧ୍ୟତାମୂଳକ ଶିକ୍ଷା କରିବାକୁ ପ୍ରସ୍ତାବ ଦେଇଛନ୍ତି।
୨୦୧୭ର ସ୍ମିଥ୍‌ ରିଭ୍ୟୁ ଅନୁଯାୟୀ ଉଚ୍ଚ ଶିକ୍ଷାରେ ନନ୍‌-ଷ୍ଟେମ୍‌ ଡିଗ୍ରୀ କରୁଥିବା ମାତ୍ର ୨୦ ପ୍ରତିଶତ ପିଲା ୧୬ ବର୍ଷ ବୟସ ପରେ ଗଣିତ ଶିକ୍ଷା କରିଥାନ୍ତି। ଇଂଲଣ୍ଡ, ସ୍କଟଲାଣ୍ଡ, ଉତ୍ତର ଆୟର୍ଲାଣ୍ଡ, ଓ୍ବେଲ୍ସ ସମେତ ୬ଟି ଦେଶ ୧୬ ବର୍ଷ ବୟସ ପରେ ଗଣିତ ଶିକ୍ଷା ଆବଶ୍ୟକ କରୁ ନ ଥିବା ନୁଫିଲ୍ଡ ଫାଉଣ୍ଡେଶନ ରିପୋର୍ଟରେ କୁହାଯାଇଛି। ଫଳରେ ବ୍ରିଟେନର ପ୍ରାୟ ୫୦ପ୍ରତିଶତ ବୟସ୍କଙ୍କର ଗଣିତ ଜ୍ଞାନ ପ୍ରାଥମିକ ସ୍କୁଲ୍‌ ପିଲାଙ୍କ ସହ ସମାନ। ଗଣିତ ଦକ୍ଷତା ଅଭାବରୁ ବ୍ରିଟେନକୁ ପ୍ରତିବର୍ଷ ୨୦ ବିଲିୟନ ପାଉଣ୍ଡ ହରାଇବାକୁ ପଡ଼ୁଥିବା କୁହାଯାଇଛି। ତେବେ ସୁନକଙ୍କ ଯୋଜନା କାର୍ଯ୍ୟକାରୀ କରିବାରେ ବିଭିନ୍ନ ପ୍ରତିବନ୍ଧକ ରହିଛି। ପ୍ରଥମ ପ୍ରତିବନ୍ଧକ ହେଲା ଗଣିତ ଶିକ୍ଷକଙ୍କ ଅଭାବ। ଏକତୃତୀୟାଂଶ ଗଣିତ ଶିକ୍ଷକ ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ହେବାର ୫ ବର୍ଷ ମଧ୍ୟରେ ଉକ୍ତ ପେସା ଛାଡ଼ିଦେଉଛନ୍ତି। ସ୍କୁଲ୍‌ଗୁଡ଼ିକ ଖର୍ଚ୍ଚକାଟ୍‌ କରୁଥିବାରୁ ଗଣିତ ଶିକ୍ଷକ ନିଯୁକ୍ତି ଦେବାରେ ପାଣ୍ଠି ମଧ୍ୟ ଏକ ସମସ୍ୟା। ୧୬ ବର୍ଷରୁ ଊର୍ଦ୍ଧ୍ୱ ପିଲାଙ୍କ ପାଇଁ ଗଣିତକୁ କିଭଳି ବାଧ୍ୟତାମୂଳକ ପାଠ୍ୟକ୍ରମ ଭାବେ ସାମିଲ କରାଯିବ, ସେ ନେଇ ସରକାର ନିର୍ଦ୍ଦିଷ୍ଟ ଯୋଜନା ପ୍ରସ୍ତୁତ କରି ନ ଥିବା ଜଣାପଡ଼ିଛି।

Share