୬୨ବର୍ଷ ପରେ ଜାଣିଲେ ଦେଶର ନାଗରିକ ନୁହଁନ୍ତି, ଏବେ କୋର୍ଟ ଧାଉଁଛନ୍ତି ଡାକ୍ତର…

ଓ୍ବାଶିଂଟନ୍‌,୧।୧୨: ଆମେରିକାର ଉତ୍ତର ଭର୍ଜିନିଆରେ ଆଶ୍ଚର୍ଯ୍ୟ କରିଦେବା ଘଟଣା ସାମ୍ନାକୁ ଆସିଛି। ଏଠାରେ ରହୁଥିବା ଜଣେ ଡାକ୍ତର ଦୀର୍ଘ ୬୨ବର୍ଷ ପରେ ଦେଶର ନାଗରିକ ନୁହଁନ୍ତି ବୋଲି ଜାଣିବାକୁ ପାଇଛନ୍ତି। ଏତେବର୍ଷ ପରେ ସେ ଯେତେବେଳେ ପାର୍ସପୋର୍ଟ ନବୀକରଣ କରିବାକୁ ବିଭାଗରେ ପହଞ୍ଚିଥଲେ, ସେଠାରେ ସେ ଜାଣିବାକୁ ପାଇଥିଲେ ଯେ, ପିଲାଟିବେଳରୁ ତାଙ୍କ ନାଗରିକତା ସରିଯାଇଛି। ଡାକ୍ତର ଜଣକ ହେଉଛନ୍ତି, ୬୨ବର୍ଷିୟ ସିୟାବଶ ସୋଭାନି।
ଆମେରିକାର ବିଦେଶ ବିଭାଗ ଏ ନେଇ କହିଛି ଯେ, ସୋଭାନିଙ୍କୁ ନାଗରିକତା ଦିଆଯିବା ଉଚିତ ନ ଥିଲା। ତାଙ୍କୁ ଏହା ଭୂଲ ବଶତଃ ମିଳିଯାଇଛି। ତାଙ୍କ ଜନ୍ମ ସମୟରେ ତାଙ୍କ ବାପା ଇରାନ ଦୂତାବାସର ରାଷ୍ଟ୍ରଦୂତ ଥିଲେ।
ସୋଭାନି କହିଛନ୍ତି, ନୂଆ ପାର୍ସପୋର୍ଟ ପାଇଁ  ଯେତେବେଳେ ବିଭାଗରେ ପହଞ୍ଚିଥିଲି ଏ ସମ୍ପର୍କରେ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲି। ବିଦେଶ ବିଭାଗ ଦ୍ୱାରା ମିଳିଥିବା ଚିଠି ଅନୁସାରେ, ଆମେରିକାରେ ଯେଉଁ ଅଭିଭାବକ ରାଷ୍ଟ୍ରଦୂତ ଅଛନ୍ତି ସେମାନଙ୍କ ସନ୍ତାନଙ୍କୁ ଦେଶରେ ନାଗରିକତା ମିଳି ନ ଥାଏ। ଭୂଲବଶତଃ ତାଙ୍କୁ ଆମେରିକାରେ ନାଗରିକତା ମିଳି ଯାଇଥିଲା।

ସୂଚନାଯୋଗ୍ୟ, ସୋଭାନି ଗତ ୩୦ରୁ ଅଧିକ ବର୍ଷ ଧରି ଆମେରିକାରେ ଡାକ୍ତର ଅଛନ୍ତି। ଏତେବର୍ଷ ଭିତରେ ବିଦେଶ ବିଭାଗ ତାଙ୍କ ପାର୍ସପୋର୍ଟକୁ ବହୁବାର ନବୀକରଣ କରିଛି ଯେଉଁଥିରେ ଏପରି ସମସ୍ୟା ଦେଖାଯାଇ ନ ଥିଲା। କିନ୍ତୁ ବର୍ତ୍ତମାନ ବିଭାଗ ଏପରି କାରଣ ଦର୍ଶାଉଛି ବୋଲି ସୋଭାନି କହିଛନ୍ତି। ଏନେଇ ସେ କୋର୍ଟରେ ଯାଚିକା ଦାଖଲ କରିଛନ୍ତି। କୋର୍ଟରେ କେସ୍‌ ଲଢିବା ପାଇଁ ସେ ୪୦ହଜାର ଆମେରିକା ଡଲାର ଖର୍ଚ୍ଚ କରି ସାରିଛନ୍ତି। ତେବେ ତାଙ୍କ ମାମଲାର ଫଇସଲା କେବେ ହେବ ଏନେଇ ସେ ଚିନ୍ତା ବ୍ୟକ୍ତ କରିଛନ୍ତି।

Share