କର୍ମଚାରୀମାନେ ଦିଅନ୍ତୁ ସ୍ବତଃ ପ୍ରବୃତ୍ତ ଇସ୍ତଫା! ଦୁର୍ଗମ ପାହାଡିଆ ଇଲାକାକୁ ଶିଫ୍ଟ ହୋଇଗଲା କମ୍ପାନୀ, ତା’ପରେ…

ଶିଆନ,୧୬।୧: କର୍ମଚାରୀଙ୍କୁ କମ୍ପାନୀରୁ ବାହାର କରିବା ପାଇଁ ଅଧିକାଂଶ ସ୍ଥାନରେ ସେମାନଙ୍କ କାମରେ ଭୁଲ ବାହାର କରାଯାଇଥାଏ କିମ୍ବା ଅନ୍ୟ କୌଣସି ଉପାୟରେ ହଇରାଣ କରାଯାଏ ଯାହାଦ୍ୱାରା ସେମାନେ ନିଜେ ଇସ୍ତଫା ଦେଇଦେବେ। କିନ୍ତୁ ଚାଇନାର ଏକ କମ୍ପାନୀ ଏପରି କିଛି କରିଛି ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଚାଇନାର ଶିଆନ ସହରସ୍ଥିତ ଏକ ବିଜ୍ଞାପନ କମ୍ପାନୀ ନିଜ କର୍ମଚାରୀଙ୍କୁ ସ୍ବତଃ ପ୍ରବୃତ୍ତ ଇସ୍ତଫା ଦେବା ପାଇଁ କିଛି ଏପରି ପଦକ୍ଷେପ ନେଇଛି। ଯାହାଯୋଗୁ ସବୁ କର୍ମଚାରୀ କମ୍ପାନୀରୁ ଇସ୍ତଫା ଦେଇଛନ୍ତି।
ଅଫିସର ଜଣେ ପୂର୍ବ କର୍ମଚାରୀ ଏନେଇ ଖୁଲାସା କରିଛନ୍ତି। ସେ କହିଛନ୍ତି, ପ୍ରଥମେ ଅଫିସକୁ ସହରରୁ ଏକ ଦୁର୍ଗମ  ପାହାଡିଆ କ୍ଷେତ୍ରକୁ ଶିଫ୍ଟ କରାଯାଇଥିଲା। କମ୍ପାନୀ ସବୁ କର୍ମଚାରୀଙ୍କୁ ସୂଚିତ କରାଇଲା ଯେ, କ୍ୱିନଲିଂ ପାହାଡ କ୍ଷେତ୍ରକୁ କମ୍ପାନୀ ସବୁଦିନ ପାଇଁ ଶିଫ୍ଟ ହୋଇଯାଇଛି। ତେଣୁ ସେଠାକୁ ସମସ୍ତଙ୍କୁ ଟ୍ରାଭେଲ କରିବାକୁ ପଡିବ।
ତେବେ ଯିବା ଆସିବା ପାଇଁ କର୍ମଚାରୀଙ୍କୁ ବହୁତ ହଇରାଣ ହରକତ ହେବାକୁ ପଡିଲା। ଯାତାୟତ ପାଇଁ ୨ଘଣ୍ଟା ସମୟ ଲାଗୁଥିବାବେଳେ ଯାନବାହନ ନ ଥିଲେ ଆହୁରି ଅସୁବିଧା ଭୋଗିବାକୁ ପଡୁଥିଲା। କାରଣ, ସେହି ଇଲାକାକୁ ପବ୍ଲିକ ଟ୍ରାନ୍ସପୋର୍ଟ ସୀମିତ ଥିଲା। ଅଫିସର ସ୍ଥାନ ବଦଳିବା ପରେ ନିଜ ଗାଡି ନ ଥିବା କର୍ମଚାରୀଙ୍କୁ ଏକ ବସ୍‌ ଉପରେ ନିର୍ଭର କରିବାକୁ ପଡୁଥିଲା। ଯାହା ୩ଘଣ୍ଟାରେ ଥରେ ଆସୁଥିଲା। ସେହି ପାହାଡିଆ ଇଲାକାରେ ପହଞ୍ଚିବା ପରେ ଅଫିସ ଯାଏଁ ଯିବାକୁ ୩କିମି ପାଦରେ ଚାଲିବାକୁ ପଡୁଥିଲା। ଅଫିସ ପାଖରେ ଥିବା ରେଲଓ୍ବେ ଷ୍ଟେଶନରୁ ଟ୍ୟାକ୍ସି ନେଇ ଯିବାକୁ ହେଲେ ୬୦ୟୁଆନ ଲାଗୁଥିଲା। ଏପରି ସ୍ଥିତିରେ କମ୍ପାନୀ ମଧ୍ୟ ଟ୍ରାନ୍ସପୋର୍ଟ ଚାର୍ଜ ବହନ ପାଇଁ ମନା କରି ଦେଇଥିଲା। ସେହିପରି ପରିସ୍ରା ଯିବାକୁ ହେଲେ ପାଖ ଗାଁକୁ ଯିବାକୁ ପଡୁଥିଲା।

ସ୍ଥିତି ଏପରି ହେଲା କି, କମ୍ପାନୀର ଅଧାରୁ ଅଧିକ କର୍ମଚାରୀ ଇସ୍ତଫା ଦେଇଥିଲେ। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ସବୁ କର୍ମଚାରୀ ଇସ୍ତଫା ଦେବା ପରେ କମ୍ପାନୀ ପୁଣି ଥରେ ସହରକୁ ଶିଫ୍ଟ ହୋଇଯାଇଥିଲା। ଏହାପରେ କମ୍ପାନୀ ନୂଆ କର୍ମଚାରୀ ନିଯୁକ୍ତି କରିବାରେ ଲାଗି ପଡିଥିଲା।

ଏସବୁ ଜଣାପଡିବା ପରେ କମ୍ପାନୀର ପୂର୍ବ କର୍ମଚାରୀମାନେ କମ୍ପାନୀ ବିରୋଧରେ ମକଦମା ଦାଖଲ କରିଥିଲେ। ବିନା କ୍ଷତିପୂରଣରେ ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିବା କମ୍ପାନୀ ବିରୋଧରେ ଅଭିଯୋଗ ଆଣିଥିଲେ। କିନ୍ତୁ ଏହି ସବୁ ଅଭିଯୋଗକୁ କମ୍ପାନୀ ଖଣ୍ଡନ କରିଥିଲା। ରିନୋଭେଶନ ପାଇଁ ଅଫିସକୁ ସପ୍ତାହ ଯାଏଁ ପାହାଡିଆ କ୍ଷେତ୍ରକୁ ଶିଫ୍ଟ କରାଯାଇଥିବା କମ୍ପାନୀ କହିଥିଲା।

Share