ସ୍ବାଧୀନୋତ୍ତର ଭାରତର ସରକାରମାନେ ଶିକ୍ଷାର ପ୍ରସାର ଦିଗରେ କାମ କରିଚାଲିଛନ୍ତି। ବହୁ ଶିକ୍ଷା କମିଶନ ବସିଛି। ବହୁ ଆଇନ ପ୍ରଣୟନ ହୋଇଛି। ସେଥିମଧ୍ୟରୁ ବିଳମ୍ବରେ ହେଲେ ମଧ୍ୟ ଶିକ୍ଷା ଅଧିକାର ଆଇନ ଆସିଛି। ଅନେକ ଯୋଜନା ସରକାର ହାତକୁ ନେଇଛନ୍ତି। ପ୍ରଥମେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ଶିକ୍ଷାର ବ୍ୟବସ୍ଥା ଥିଲା। ତା’ପରେ ଏହାକୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଗଲା। ଏବେ ସରକାର ଘୋଷଣା କରିଛନ୍ତି କେଜିରୁ ପିଜି ସମ୍ପୂର୍ଣ୍ଣ ମାଗଣା ଶିକ୍ଷା ଦିଆଯିବ। କେଉଁମାନେ ଏହି ମାଗଣା ଶିକ୍ଷା ନେବାକୁ ଆସିବେ ତାହା ହିଁ ମୁଖ୍ୟ ପ୍ରଶ୍ନ। ମାଗଣା ଶିକ୍ଷା ଯେଉଁମାନେ ଦେବେ ସେମାନେ ଥିଲେ ତ ? ମନେହୁଏ ମାଗଣା ଶିକ୍ଷା କହିଲେ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ବହିପତ୍ର ସରକାର ଦେବେ ନିମ୍ନ ଶ୍ରେଣୀ ପାଇଁ। ଉଚ୍ଚ ଶ୍ରେଣୀ ପାଇଁ ପୁସ୍ତକ ଦେବେ କି ନାହିଁ, ଯଦି ଦେବେ କେମିତି ଦେବେ ପରବର୍ତ୍ତୀ ସମୟରେ ଜଣାପଡ଼ିବ। ପୁଣି କେଜିରୁ ପିଜି ଭିତରେ ବୈଷୟିକ ଶିକ୍ଷା ଅନ୍ତର୍ଭୁକ୍ତ ନା ନାହିଁ ? ପ୍ରଯୁକ୍ତି ବିଦ୍ୟା, ଡାକ୍ତରୀ ପାଠ ଏସବୁ ବାବଦରେ ଆଭିମୁଖ୍ୟ କ’ଣ ଏହା ଏଯାଏ ସ୍ପଷ୍ଟ ହୋଇ ନାହିଁ। ତେବେ ଏହି ଆଲେଖ୍ୟରେ ଏସବୁ କଥା ଆଲୋଚନା କରିବା ଉଦ୍ଦେଶ୍ୟ ନୁହେଁ। ଆଲୋଚନା କରିବା ଆମ ଶିକ୍ଷା ବ୍ୟବସ୍ଥା କେମିତି ସମାଜକୁ ବିଭକ୍ତୀକରଣ କରୁଛି ? ଶିକ୍ଷାର ମହତ୍ ଉଦ୍ଦେଶ୍ୟଠାରୁ ବ୍ୟବସ୍ଥାଟି କେମିତି ଅପସରି ଯାଉଛି।
ଶିକ୍ଷା ବାବଦରେ ଯେଉଁସବୁ ନିଷ୍ପତ୍ତି ନିଆଯାଉଛି ତାହା ଯେ ସମସ୍ତଙ୍କ ପାଇଁ ନୁହେଁ ଏକଥା ସମସ୍ତେ ଜାଣିଛନ୍ତି। ଆର୍ଥିକ ଦୃଷ୍ଟିକୋଣରୁ ସ୍ବଚ୍ଛଳ ବର୍ଗଙ୍କ ପିଲାମାନେ ଯେ ସରକାରୀ ଶିକ୍ଷାନୁଷ୍ଠାନରେ ନାହାନ୍ତି ଏକଥା କାହାକୁ ବା ଅଛପା। ଅବଶ୍ୟ କିଏ କେଉଁ ବିଦ୍ୟାଳୟରେ ବା ମହାବିଦ୍ୟାଳୟରେ ପିଲାଙ୍କୁ ପାଠ ପଢ଼ାଇବେ ତାହା ସେମାନଙ୍କ ନିଜସ୍ବ ଅଧିକାର। ସରକାର କାହାକୁ ବାଧ୍ୟ କରିପାରିବେ ନାହିଁ। କିନ୍ତୁ ଦେୟ ଯୁକ୍ତ ଶିକ୍ଷାନୁଷ୍ଠାନ କେହି ନିଜ ଇଚ୍ଛା ଅନୁସାରେ ଖୋଲିପାରିବେ ନାହିଁ। ସରକାରଙ୍କଠାରୁ ଅନୁମତି ନେବାକୁ ପଡ଼ିବ। ସାର୍ବଜନୀନ ଶିକ୍ଷା କଥା କୁହାଯାଉଥିବା ବେଳେ ଏହିସବୁ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଇଛିି କାହିଁକି ? ଏହାର ପ୍ରଚ୍ଛଦପଟରେ ଯେଉଁ ସବୁ କାରଣ ଅଛି ସେଗୁଡ଼ିକୁ ଯଦି ବିଶ୍ଳେଷଣ ନ କରିବା ତେବେ ଆମ ଶିକ୍ଷା ବ୍ୟବସ୍ଥା କେମିତି ସମାଜକୁ ବିଭାଜିତ କରୁଛି ତାହା ଆମେ ବୁଝିବାକୁ ସକ୍ଷମ ହେବା ନାହିଁ।
ପ୍ରଥମତଃ ସରକାରଙ୍କୁ ସମସ୍ତ ପିଲାଙ୍କ ଦାୟିତ୍ୱ ନେବାକୁ ପଡ଼ିବ ନାହିଁ, ଯାହା ଫଳରେ ଶିକ୍ଷା ବାବଦରେ ବ୍ୟୟଭାର କମିଯିବ। ଦ୍ୱିତୀୟରେ ଆମ ସମାଜରେ ଉଚ୍ଚବର୍ଗ ଏବଂ ସ୍ବଚ୍ଛଳ ବର୍ଗଙ୍କର ଏକ ବିଶେଷ ଆଧିପତ୍ୟ ଅଛି। ଏମାନଙ୍କର ପିଲାମାନେ ଗୋଟିଏ କକ୍ଷରେ ସମସ୍ତ ପିଲାଙ୍କ ସହିତ ବସି ପାଠ ପଢ଼ିବାକୁ ଚାହିଁଲେ ନାହିଁ। ଏମାନଙ୍କ ପାଇଁ ଆବଶ୍ୟକ ପଡ଼ିଲା ସମସ୍ତ ସୁବିଧା ସୁଯୋଗ ଥିବା ସ୍ବତନ୍ତ୍ର ଶିକ୍ଷାନୁଷ୍ଠାନ, ହେଉ ପଛେ ଯେତେ ମହଙ୍ଗା। ସରକାର ଏଥିରେ ରାଜି ହେଲେ, ଏମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ। ତୃତୀୟରେ ଏହି ଧରଣର ଶିକ୍ଷାନୁଷ୍ଠାନଗୁଡ଼ିକ ଯେଉଁମାନେ ଖୋଲିଛନ୍ତି ସେମାନଙ୍କର ଏକ ବିଶେଷ ଚାପ ସରକାର ଉପରେ ଅଛି। ଚତୁର୍ଥରେ ଯୋଜନା ପ୍ରଣୟନ କରୁଥିବା ଲୋକ ତାଙ୍କ ପିଲାଙ୍କୁ ସରକାରୀ ବିଦ୍ୟାଳୟରେ ପାଠ ପଢ଼ାନ୍ତି ନାହିଁ। ଯେଉଁ ସବୁ ବିଦ୍ୟାଳୟରେ ପଢ଼ାନ୍ତି ତା’ ପ୍ରତି ଦୁର୍ବଳତା ରହିବା ସ୍ବାଭାବିକ।
ଏହି ସବୁ ଶିକ୍ଷାନୁଷ୍ଠାନରେ ମେଧାକୁ ଯେତିକି ଗୁରୁତ୍ୱ ଦିଆଯାଏ ନାହିଁ ତା’ଠାରୁ ଅଧିକ ଦେଖାଯାଏ ମାତାପିତାଙ୍କର ଆୟର ଉତ୍ସ କ’ଣ। ଅର୍ଥ ଖର୍ଚ୍ଚ କରିବାରେ ସେମାନଙ୍କର ସାମର୍ଥ୍ୟ କେତେ। ଏବେ ଭାବନ୍ତୁ ଦେୟଯୁକ୍ତ ଶିକ୍ଷାନୁଷ୍ଠାନରୁ ମହଙ୍ଗା ଦରରେ ଶିକ୍ଷା କ୍ରୟ କରୁଥିବା ମଣିଷଟି ଭିତରେ ବ୍ୟବସାୟିକ ମନୋବୃତ୍ତି ଜନ୍ମ ନେବ ନା ସମ୍ବେଦନଶୀଳତା ସୃଷ୍ଟି ହେବ ? ସମାଜ ପ୍ରତି ଯେଉଁ ଉତ୍ତରଦାୟିତ୍ୱ ରହିବା କଥା ତାହା ସେମାନଙ୍କ ନିକଟରେ ରହିବ ନା ସେମାନେ ଅଧିକ ଆତ୍ମକୈନ୍ଦ୍ରିକ ହେବେ ? ସ୍ବାଭାବିକ ଭାବେ ସେମାନଙ୍କ ମନରେ ଏକ ଆଭିଜାତ୍ୟର ଆତ୍ମବଡ଼ିବା ଆତ୍ମପ୍ରକାଶ କରିବ। ସେ ଏକ ଭିନ୍ନ ବର୍ଗର ବୋଲି ନିଜକୁ ଧରିନେବ। ଆଉ ଯେଉଁମାନେ ସରକାରୀ ବିଦ୍ୟାଳୟରେ ନିଃଶୁଳ୍କ ଅଧ୍ୟୟନ କଲେ, ଅଧିକନ୍ତୁ ମଧ୍ୟାହ୍ନଭୋଜନ ଖାଇଲେ, ମାଗଣା ପୁସ୍ତକ ପାଇଲେ, ବିନା ଶିକ୍ଷକରେ ପାଠ ପଢ଼ିଲେ ସେମାନେ ଆଉ ଏକ ଶ୍ରେଣୀରେ ଗଣନା ହୋଇଗଲେ। ଯେଉଁମାନେ ଦେୟଯୁକ୍ତ ବିଦ୍ୟାଳୟରେ ପଢ଼ିଲେ ସେମାନେ ନିଜକୁ ଗଢ଼ିବାର ସୁଯୋଗ ପାଇଲେ। ଯୋଗ୍ୟତାର ମାପକାଠିରେ ଆଗକୁ ରହିଲେ। ଯେଉଁମାନେ ଦେୟମୁକ୍ତ ବିଦ୍ୟାଳୟରେ ପଢ଼ିଲେ ସେମାନେ ବଢ଼ିଲେ। ‘ରୁଚୁ ନ ରୁଚୁ ଖାଅ ପିତା, ବୁଝ ନ ବୁଝ ପଢ଼ ଗୀତା’ ନ୍ୟାୟରେ ପଢ଼ିଲେ, ମାତ୍ର ନିଜକୁ ଗଢ଼ିବାର ସୁଯୋଗରୁ ବଞ୍ଚିତ ହେଲେ। ଏହାଦ୍ୱାରା ସମାଜ ଦୁଇଟି ଶ୍ରେଣୀରେ ବିଭକ୍ତ ହୋଇଗଲା। କେବଳ ଏତିକିରେ ବିଭାଜନ ଥମିଲା ନାହିଁ। ସରକାରୀ ଶିକ୍ଷା ବ୍ୟବସ୍ଥାରେ ଆହୁରି କିଛି ପାଚେରି ତୋଳାଯାଇଛି। ନବୋଦୟ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ, ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଆଉ ସାର୍ବଜନୀନ ଶିକ୍ଷା ଯୋଗାଉଥିବା ସାଧାରଣ ବିଦ୍ୟାଳୟ। ପାଚେରି ଆଢ଼ୁଆଳରେ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ। ଯେଉଁ ଶିକ୍ଷା ସମତାର ମନ୍ତ୍ର ଗାଇବା କଥା, ସଂହତିର ବାର୍ତ୍ତା ଦେବା କଥା, ଏକତାର ବୀଜ ବୁଣିବା କଥା, ଛାତ୍ରୀଛାତ୍ରଙ୍କ ଭିତରେ ଜାତୀୟତାବୋଧ, ମାନବୀୟ ମୂଲ୍ୟବୋଧ ସୃଷ୍ଟି କରିବା କଥା ତାହା ହେଲା ନାହିଁ। ପରନ୍ତୁ ଏହି ତ୍ରୁଟିପୂର୍ଣ୍ଣ ଶିକ୍ଷା ପଦ୍ଧତି ଯୋଗୁ ବାଲ୍ୟକାଳରୁ ପିଲାଙ୍କ ଭିତରେ ଘୃଣା, ବିଦ୍ୱେଷ, ହୀନମନ୍ୟତା, ଶତ୍ରୁତା ତିଆରି ହୋଇଯାଉଛି।
ସେଥିପାଇଁ ଜି.ଏସ୍. କୋଠାରୀ କହିଥିଲେ, ଜାତି, ଧର୍ମ, ବର୍ଣ୍ଣ, ସ୍ତ୍ରୀ, ପୁରୁଷ, ଧନୀ ଦରିଦ୍ର ନିର୍ବିଶେଷରେ ସମସ୍ତ ପିଲା ଗୋଟିଏ ଶ୍ରେଣୀକକ୍ଷରେ ସମାନ ସୁବିଧା ସୁଯୋଗ ଥାଇ ପାଠପଢ଼ିବା ଉଚିତ। ଫଳରେ ସମସ୍ତଙ୍କ ଭିତରେ ଭ୍ରାତୃତ୍ୱ, ସମ୍ବେଦନଶୀଳତା, ସହଯୋଗ, ସହଭାଗିତାର ଉର୍ବର ମାନସିକତା ସୃଷ୍ଟି ହେବ। ଅର୍ଥାତ୍ ପ୍ରତ୍ୟେକଟି ଶ୍ରେଣୀ କକ୍ଷ ଗୋଟିଏ ଗୋଟିଏ କ୍ଷୁଦ୍ର ଭାରତର ଚିତ୍ର ବହନ କରିବ। ଭିନ୍ନତା ଭିତରେ ଏକତାର ମନ୍ତ୍ର ପ୍ରତିକ୍ଷଣରେ ଗୁଞ୍ଜରିତ ହେଉଥିବ ପିଲାଙ୍କ ଭିତରେ। କିଶୋର ଅବସ୍ଥାରୁ ସେମାନେ ସେହି ରାସ୍ତାରେ ବଢ଼ିବେ ଓ ନିଜକୁ ଗଢ଼ିବେ। କିନ୍ତୁ ବିଡ଼ମ୍ବନା ହେଲା ପୁରାଣରେ ବର୍ଣ୍ଣନା ଅନୁଯାୟୀ ଏକଲବ୍ୟ ଯେମିତି ରାଜପୁତ୍ରମାନଙ୍କ ସହିତ ଏକାଠି ବସି ଶିକ୍ଷାଲାଭ କରିବାର ସୁଯୋଗ ପାଇ ନ ଥିଲା ଆଜି ହୁଏତ ସିଧାସଳଖ ସେମିତି ହେଉ ନାହିଁ, ମାତ୍ର ବ୍ୟବସ୍ଥାଟି ପରୋକ୍ଷରେ ଧନୀ ଦରିଦ୍ର ମଝିରେ ଏମିତି ଲକ୍ଷ୍ମଣରେଖା ଟାଣି ଦେଇଛି ଯେ ଗୋଟିଏ ଶିକ୍ଷିତ ତଥା ସ୍ବାବଲମ୍ବୀ ଲୋକର ବିକଶିତ ଭାରତ ଓ ଅନ୍ୟ ପଟେ ସ୍ବାକ୍ଷରରେ ସକ୍ଷମ ସରକାରୀ ଯୋଜନା ଉପରେ ନିର୍ଭରଶୀଳ ବଞ୍ଚିତ ଲୋକଙ୍କ ଭାରତ।
ଦେୟମୁକ୍ତ ଓ ଦେୟଯୁକ୍ତ ବିଦ୍ୟାଳୟ ନାମରେ ଶିକ୍ଷାକୁ ଦୋଛକିରେ ଛିଡ଼ା କରାଇ ଦିଆ ନ ଯାଉ। ଗୋଟିଏ ପଟେ ପଲାଉ ଖାଅ ଏବଂ ଚିକ୍କଣ, ହୃଷ୍ଟପୁଷ୍ଟ ହୁଅ, ଅନ୍ୟପଟେ ମାଗଣାରେ ଡାଲମା ଭାତ ଖାଇ ହଇଜାରେ ପଡ଼ି ମୃତ୍ୟୁବରଣ କର ଏମିତି କାହିଁକି ହେବ ? ସମସ୍ତଙ୍କ ପାଇଁ ସମାନ ବ୍ୟବସ୍ଥା ହେବା ଜରୁରୀ। ଶିକ୍ଷା ଦ୍ୱାରା ଯେମିତି ଆର୍ଥିକ ଓ ସାମାଜିକ ସମତା ଅଣାଯାଇପାରିବ ସେହି ଶିକ୍ଷାକୁ ବ୍ୟବସ୍ଥିତ ଢଙ୍ଗରେ ପ୍ରଦାନ ନ କଲେ ସମାଜ ବିଭକ୍ତୀକରଣ ହେବାର ଅନ୍ତୁଡ଼ିଶାଳ ପାଲଟି ଯିବ ଏଥିରେ ସନ୍ଦେହ ନାହିଁ।
ଅକ୍ଷୟ କୁମାର ମିଶ୍ର
ସଭାପତି, ଓଷ୍ଟା
ମୋ : ୯୯୩୮୭୬୩୨୩୭