ବିପଦରେ ଚିଲିକା, ସୌନ୍ଦର୍ଯ୍ୟ କମୁଛି

ଛତ୍ରପୁର,୮।୬(ଡି.ଏନ୍‌.ଏ.): ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରି ଓ ଚିଙ୍ଗୁଡ଼ି ଚାଷ ଲାଗି ହ୍ରଦର ସୌନ୍ଦର୍ଯ୍ୟ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଏଥିନେଇ ଏହାକୁ ଉଚ୍ଛେଦ କରିବା ଲାଗି ଖଲ୍ଲିକୋଟ ଓ ଗଞ୍ଜାମ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ କେତେ ପରିମାଣର ଉଚ୍ଛେଦ ହୋଇଛି ସେନେଇ ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଖଲ୍ଲିକୋଟ ଅଧିନରେ ୮୬.୦୫୩ ଏକର ଓ ଗଞ୍ଜାମ ତହସିଲ ଅଧିନରେ ୬୦.୯୪୭ ଏକର ସମୁଦାୟ ୧୪୭ ଏକର ଚିଙ୍ଗୁଡ଼ି ଘେରି ରହିଥିବା ବେଳେ ସମସ୍ତ ଚିଙ୍ଗୁଡ଼ି ଘେରିକୁ ଉଚ୍ଛେଦ କରାଯାଇଥିବା ବୈଠକରେ କୁହାଯାଇଛି। କିନ୍ତୁ ଏହି ଦୁଇ ତହସିଲ ଅଧିନରେ ୯୭.୨୦୮ ଏକର ବେଆଇନ୍‌ ପୋଖରୀ କରି ଚିଙ୍ଗୁଡ଼ି ଚାଷ କରାଯାଉଥିବାରୁ ଦୁଇ ତହସିଲଦାର ଓ ମତ୍ସବିଭାଗ ଏହାକୁ ଉଚ୍ଛେଦ କରିବା ପାଇଁ ଉପଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ଆସିଷ୍ଟାଣ୍ଟ କଲେକ୍ଟର ଅଶୋକ କୁମାର ପ୍ରଧାନ, ଦୁଇ ତହସିଲଦାର ଓ ମତ୍ସ ବିଭାଗ ଉପସ୍ଥିତ ଥିଲେ।