Categories: ଖେଳ

୧୧ ଏନସିଏ କୋଚ୍‌ଙ୍କ ଚୁକ୍ତି ନବିକରଣ କରିବନି ବିସିସିଆଇ

ନୂଆଦିଲ୍ଲୀ, ୨୪।୯- କରୋନା ଭାଇରସ ସଂକ୍ରମଣ ଜନିତ କାରଣରୁ ଜାତୀୟ କ୍ରିକେଟ ଏକାଡେମୀ(ଏନସିଏ)ରେ ଗତ କିଛି ମାସଧରି କୌଣସି କାର୍ଯ୍ୟକଳାପ ସମ୍ଭବ ହୋଇନାହିଁ। ନିକଟ ଅତୀତରେ ମଧ୍ୟ ଆରମ୍ଭ ହେବାର ସମ୍ଭାବନା ନାହିଁ। ତେଣୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୧୧ ଏନସିଏ କୋଚ୍‌ଙ୍କ ଚୁକ୍ତିର ନବିକରଣ ନ କରିବାକୁ ନିଷ୍ପତ୍ତି ନେଇଛି। ଏହା ମଧ୍ୟରେ ଓଡ଼ିଶାର ଶିବସୁନ୍ଦର ଦାସଙ୍କ ସମେତ ୪ ଜଣ ପୂର୍ବତନ ଭାରତୀୟ ଖେଳାଳି ରହିଛନ୍ତି। ଯେଉଁ କୋଚ୍‌ମାନଙ୍କର ଚୁକ୍ତି ନବିକରଣ କରାଯାଇ ନାହିଁ ବିଜ୍ଞାପନ ପ୍ରକାଶ କରାଗଲେ ସେମାନଙ୍କୁ ଆଉଥରେ ଆବେଦନ କରିବାକୁ ପଡ଼ିବ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ପ୍ରକାଶ କରିଛନ୍ତି। ଶିବସୁନ୍ଦରଙ୍କ ବ୍ୟତୀତ ପୂର୍ବତନ ଖେଳାଳି ସୁବ୍ରତ ବାନାର୍ଜୀ, ହୃଷିକେଶ କାନିତକର, ରମେଶ ପାଓ୍ବାର ଏବଂ ଘରୋଇ କ୍ରିକେଟର ମନସୁର ଅଲର ଖାନ୍‌, ସୀତାଂଶୁ କୋଟାକ ପ୍ରମୁଖ ଖେଳାଳିଙ୍କ ସହିତ ୩୦ରୁ ୫୦ ଲକ୍ଷ ଟଙ୍କା ଦରମା ଭିତ୍ତିରେ ଏକବର୍ଷିଆ ଚୁକ୍ତି ହୋଇଥିଲା। ସେପ୍ଟେମ୍ବର ୩୦ରେ ଚୁକ୍ତି ସମୟସୀମା ଶେଷ ହେବାପରେ ସେମାନଙ୍କର ଆଉ ଆବଶ୍ୟକ ପଡ଼ିବ ନାହିଁ ବୋଲି ଏନସିଏ ମୁଖ୍ୟ ରାହୁଲ ଡ୍ରାଭିଡ ଜଣାଇ ଦେଇଛନ୍ତି। ଚାକିରି ହରାଇଥିବା ଅନ୍ୟ କୋଚିଂ ଷ୍ଟାଫ୍‌ଙ୍କ ମଧ୍ୟରେ ଅଛନ୍ତି ରାଜୀବ ଦତ୍ତ, ଅପୂର୍ବ ଦେସାଇ, ଅତୁଲ ଗାଏକ୍ୱାଡ, ଶୁଭଦୀପ ଘୋଷ ଓ ଟି. ଦିଲୀପ। ବିସିସିଆଇ ସମ୍ବିଧାନ ଅନୁସାରେ ସମସ୍ତ ନିୟମକୁ ପାଳନ କରାଯିବ। କାର୍ଯ୍ୟକାଳ ଶେଷ ହେବାପରେ ସେମାନଙ୍କୁ ଆଉଥରେ ଆବେଦନ କରିବାକୁ ପଡ଼ିବ ବୋଲି ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି।

Share