Categories: ଖେଳ

ବିସିସିଆଇ ଆପେକ୍ସ କାଉନ୍‌ସିଲ ବୈଠକ ୧୭ରେ

ନୂଆଦିଲ୍ଲୀ, ୧୦ା୧୦ (ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆପେକ୍ସ କାଉନ୍‌ସିଲ ବୈଠକ ଅକ୍ଟୋବର ୧୭ରେ ହେବ। ଏହା ଅନ୍‌ଲାଇନ୍‌ରେ ହେବ। କୋଭିଡ୍‌ର ବର୍ତ୍ତମାନ ପରିସ୍ଥିତି ଇଂଲଣ୍ଡ ବିପକ୍ଷ ଭାରତର ଘରୋଇ ସିରିଜ ବ୍ୟତୀତ ଅଷ୍ଟ୍ରେଲିଆ ଟୁର୍‌ ଏବଂ ଘରୋଇ ସିଜନ ଆୟୋଜନ ସମ୍ପର୍କରେ ଆଲୋଚନା ହେବ। ଭାରତରେ କୋଭିଡ୍‌ ସଂକ୍ରିମତଙ୍କ ସଂଖ୍ୟା ପାଖା ପାଖି ୭୦ଲକ୍ଷ ଏବଂ ଏଥିରେ ମୃତ୍ୟୁ ସଂଖ୍ୟା ୧ଲକ୍ଷ ତଳେ ରହିଛି। ଇଂଲଣ୍ଡ ଆସନ୍ତା ବର୍ଷ ଜାନୁୟାରୀ ଓ ମାର୍ଚ୍ଚ ମଧ୍ୟରେ ୫ ଟେଷ୍ଟ, ୩ ଅନ୍ତର୍ଜାତୀୟ ଦିନିକିଆ ଏବଂ ୩ ଟି୨୦ ଖେଳିବା କାର୍ଯ୍ୟକ୍ରମ ରହିଛି। ଭାରତରେ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚଳିତବର୍ଷ ଆଇପିଏଲ୍‌ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ହେଉଛି। ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ ପାଇଁ ୟୁଏଇକୁ ବିକଳ୍ପ ଭେନ୍ୟୁ ଭାବେ ରଖାଯାଇଛି। ଭାରତ ଯଦି ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ ଆୟୋଜନ କରିବାକୁ ସମର୍ଥ ହୁଏ ତେବେ ଏହା ମୁମ୍ବାଇରେ ହେବ। ଏହି ସହରରେ ତିନୋଟି ଅନ୍ତର୍ଜାତୀୟ ଭେନ୍ୟୁ ଓ୍ବାଙ୍ଖଡେ ଷ୍ଟାଡିୟମ, କ୍ରିକେଟ କ୍ଲବ ଅଫ୍‌ ଇଣ୍ଡିଆ ଏବଂ ଡିଓ୍ବାଇ ପାଟିଲ ଷ୍ଟାଡିୟମ। ଅହମ୍ମଦାବାଦ୍‌ସ୍ଥିତ ନ୍ୟୁ ମୋଟେରା ଷ୍ଟାଡିୟମ ବୋର୍ଡ ପାଇଁ ବିକଳ୍ପ ରହିଛି। ଘରୋଇ ଟୁର୍ନାମେଣ୍ଟ ଦେଖିବାକୁ ଗଲେ ନଭେମ୍ବର ୧୯ରୁ ସୟେଦ ମୁସ୍ତାକ ଅଲି ଟ୍ରଫି ଆରମ୍ଭ ଯୋଜନା ରହିଛି। କିନ୍ତୁ କରୋନା ମହାମାରୀ ଯେପରି ଭାବେ ବ୍ୟାପିବାରେ ଲାଗିଛି ଆୟୋଜନ ନେଇ ସନ୍ଦେହ ରହିଛି। ଯୋଜନାକୁ କାର୍ଯ୍ୟକାରୀ କରିବାକୁ ହେଲେ କେତୋଟି ପଦକ୍ଷେପ ନେବାକୁ ହେବ ଯଥା ଘରୋଇ ସିଜନକୁ ସଂକ୍ଷିପ୍ତ କରିବାକୁ ହେବ।

Share