ଧବଳେଶ୍ୱରଙ୍କ ପୀଠକୁ ଯିବା ପ୍ରତିବନ୍ଧକ ହଟିଲା

ଖୁଣ୍ଟୁଣୀ,୧୨ା୧(ଡି.ଏନ୍‌.ଏ.): କଟକ ଜିଲା ଧବଳେଶ୍ୱରଙ୍କ ପୀଠକୁ ଯିବାକୁ ଏଣିକି ସମସ୍ତ ପ୍ରତିବନ୍ଧକ ହଟିଛି। ପ୍ରାୟ ୩୫ ଲକ୍ଷ ଟଙ୍କା ବ୍ୟୟରେ ମଞ୍ଚେଶ୍ୱରର ପାଇକେରାପୁର ମହାନଦୀ ତୁଠଠାରୁ ଧବଳେଶ୍ବର ପର୍ଯ୍ୟଟନ କମ୍ୟୁନିଟି କେନ୍ଦ୍ର ଯାଏ ଦୀର୍ଘ ୨ କିମିରୁ ଊର୍ଦ୍ଧ୍ୱ ବାଲିରେ ନିର୍ମିତ ରାସ୍ତାକୁ ବୁଧବାର କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉଦ୍‌ଘାଟନ କରିଥିଲେ। ପୂଜକ ସମାଜ ସଭାପତି ବିଷ୍ଣୁଚରଣ ପତ୍ରୀ ମନ୍ତ୍ର ଉଚ୍ଚାରଣ କରିଥିଲେ। ବାଲି ଉପରେ ମୋରମ ବିଛାଯାଇଥିବା ଏକ ୪ ମାସିଆ ଅସ୍ଥାୟୀ ରାସ୍ତାରେ ଶ୍ରଦ୍ଧାଳୁମାନେ ଚାଲି ଚାଲି ଯାଇ ବାବାଙ୍କୁ ଦର୍ଶନ କରିବେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଠଗଡ଼ ଉପଜିଲାପାଳ ହେମନ୍ତ କୁମାର ସ୍ବାଇଁ, ତହସିଲଦାର ପ୍ରିୟବ୍ରତ ଦାସ, ଦେବୋତ୍ତର ସୁପରଭାଇଜର ଭବାନୀ ଶଙ୍କର ପଣ୍ଡା, ମଞ୍ଚେଶ୍ୱର ସରପଞ୍ଚ ପ୍ରିୟବ୍ରତ ସାହୁ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ପରେ ଉଦ୍‌ଘାଟନ ସ୍ଥଳରେ ଏକ ସଭାରେ ମନ୍ତ୍ରୀ ସ୍ବାଇଁ ଦର୍ଶନାର୍ଥୀଙ୍କ ସୁବିଧା ନିମନ୍ତେ ଏହି ଭଳି ନିର୍ମିତ ରାସ୍ତାର ଆବଶ୍ୟକ ଥିଲା ବୋଲି କହିଥିଲେ। ଏଥିରେ ଉପଜିଲାପାଳ ସ୍ବାଇଁ ଅଧ୍ୟକ୍ଷତା କରିଥିଲେ। ଉଦ୍‌ଘାଟନ ପୂର୍ବରୁ ଏହି ରାସ୍ତାରେ ଶ୍ରଦ୍ଧାଳୁଙ୍କ ସମେତ ଆଖପାଖରୁ ବହୁ ଲୋକ ସକାଳୁ ମଧ୍ୟାହ୍ନ ୧୨ଟା ଯାଏ ବାଇକ୍‌ ଓ ଚାଲି କରି ଯାଉଥିବା ଦେଖିବାକୁ ମିଳିଥିଲା। ଏହି ଉପଲକ୍ଷେ ପୂଜକ ସମାଜର ପୂର୍ବ ଦାବି ମୁତାବକ ୧୧୭ ପୂଜକ ପରିବାରଙ୍କୁ ମନ୍ତ୍ରୀ ସ୍ବାଇଁ ପ୍ରତ୍ୟେକଙ୍କୁ ୧୬ ହଜାର ଟଙ୍କାର ଚେକ୍‌ ପ୍ରଦାନ କରିଥିଲେ। ତେବେ ଅସ୍ଥାୟୀ ହେଉ ଅବା ବର୍ଷାରେ ରାସ୍ତା ଧୋଇଯାଉ ପଛେ ଆମେ ଧବଳେଶ୍ୱରଙ୍କ ପୀଠକୁ ହଜାର ହଜାର ବର୍ଷ ପରେ ପ୍ରଥମ କରି ବାଇକ୍‌ ଓ ଅଟୋରେ ଆସିବାର ସୁଯୋଗ ପାଇଥିବାରୁ ଅତ୍ୟନ୍ତ ଖୁସି ବୋଲି ଜଣେ ଭକ୍ତ କହିଥିଲେ। ଅପରପକ୍ଷେ ଧବଳେଶ୍ୱର ପୀଠକୁ ଝୁଲାପୋଲ, ଭୋଗମଣ୍ଡପ ନିଲାମ, ସାଇକେଲ ଷ୍ଟାଣ୍ଡ, ଜୋତା ଷ୍ଟାଣ୍ଡ ନିଲାମ ଆଦି ଅନେକ ବାଟରେ ଅର୍ଥ ଆଦାୟ ହେଉଥିବା ବେଳେ ପୂଜକ ପରିବାରଙ୍କ ଅନେକ ଦାବି ମୁତାବକ ପ୍ରାପ୍ୟ ମିଳି ନ ଥିବାରୁ ସେମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।