Categories: ଖେଳ

ଅଷ୍ଟ୍ରେଲିଆନ ଓପନ ତାରିଖ ଦୁଇ ସପ୍ତାହରେ ସ୍ପଷ୍ଟ ହେବ

ମେଲବୋର୍ନ, ୨୩ା୧୧ (ଏପି)-ଆସନ୍ତାବର୍ଷ ମେଲବୋର୍ନରେ ଅଷ୍ଟ୍ରଲିଆନ ଓପନ କେବେ ହେବ ତାହା ଦୁଇ ସପ୍ତାହ ମଧ୍ୟରେ ସ୍ପଷ୍ଟ ହୋଇଯିବ। ଟେନିସ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟନିର୍ବାହୀ କ୍ରେଗ୍‌ ଟିଲେ ରବିବାର ସୂଚନା ଦେଇଛନ୍ତି। କୋଭିଡ୍‌ ପାଇଁ ସିଜନ ଆରମ୍ଭ ଗ୍ରାଣ୍ଡସ୍ଲାମ ଆବଶ୍ୟକ ସ୍ଥଳେ ଫେବୃୟାରୀ, ମାର୍ଚ୍ଚ କିମ୍ବା ଆହୁରି ପଛକୁ ଘୁଞ୍ଚାଇ ଦିଆଯାଇ ପାରେ ବୋଲି ସେ କହିଛନ୍ତି। ଏହି ଟୁର୍ନାମେଣ୍ଟ ଜାନୁୟାରୀ ୧୮ରେ ଆରମ୍ଭ ହୋଇଥାନ୍ତା। କିନ୍ତୁ ଟୁର୍ନାମେଣ୍ଟ ସହ ସମ୍ପୃକ୍ତ ଖେଳାଳି ଓ ଅନ୍ୟମାନ୍ୟଙ୍କ ଲାଗି କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା କରିବା ଏକ ବଡ଼ ସମସ୍ୟା। ଏମାନଙ୍କ ସଂଖ୍ୟ ପ୍ରାୟ ୨,୫୦୦ ହେବ। ଟିଲେ କହିଛନ୍ତି, ଚଳିତ ଗ୍ରୀଷ୍ମଋତୁରେ ଟୁର୍ନାମେଣ୍ଟ ଆୟୋଜନ କରିବା ଲାଗି ଟେନିସ ଅଷ୍ଟ୍ରେଲିଆ ଯଥାସମ୍ଭବ ପ୍ରୟାସ ଜାରି ରଖିଛି। ଭିକ୍ଟୋରିଆ ପ୍ରଦେଶ ମୁଖ୍ୟ ଡାନିଏଲ୍‌ ଆଣ୍ଡ୍ର୍ୟୁସ କହିଛନ୍ତି, କ୍ୱାରାଣ୍ଟାଇନ୍‌ ସମସ୍ୟାର କିପରି ସମାଧାନ ହୋଇପାରିବ ସେ ଦିଗରେ ସରକାର କାର୍ଯ୍ୟ କରୁଛନ୍ତି। ସରକାର ଜାନୁୟାରୀ ୧ ପୂର୍ବରୁ ଖେଳାଳିମାନଙ୍କ ଅଷ୍ଟ୍ରେଲିଆରେ ପହଞ୍ଚତ୍ବା ଲାଗି ଅନୁମତି ଦେବା କ୍ଷେତ୍ରରେ କୁଣ୍ଠା ପ୍ରକାଶ କରିଥିଲେ। ତେଣୁ ଟୁର୍ନାମେଣ୍ଟ ତାରିଖ ପ୍ରକାଶ କରିବା ସମ୍ଭବପର ନ ଥିଲା।

Share