ଅଗଷ୍ଟ ବିପ୍ଳବ ଓ ଓଡ଼ିଶାର ବଳିଦାନ

ଡ. ପ୍ରଫୁଲ୍ଲ କୁମାର ସାହୁ

ଅଗଷ୍ଟ ବିପ୍ଳବ ଆମ ସ୍ବାଧୀନତା ସଂଗ୍ରାମ ଇତିହାସର ଏକ ଯୁଗାନ୍ତକାରୀ ଅଧ୍ୟାୟ। ୧୯୪୨ ମସିହା ଅଗଷ୍ଟ ୮ ତାରିଖ ବମ୍ବେର ଗ୍ବାଲିୟର ଟ୍ୟାଙ୍କ (ଅଗଷ୍ଟ କ୍ରାନ୍ତି) ମଇଦାନରେ ଅନୁଷ୍ଠିତ କଂଗ୍ରେସର ଖୋଲା ଅଧିବେଶନରେ ଗାନ୍ଧିଜୀ ଭାରତଛାଡ଼ ଆନ୍ଦୋଳନ ଡାକରା ଦେବା ସହିତ ସ୍ବାଧୀନତାର ଅନ୍ତିମ ଲଢ଼େଇ ଲଢ଼ିବା ପାଇଁ ସତ୍ୟାଗ୍ରହୀମାନଙ୍କୁ ଶୁଣେଇଲେ ‘କର ବା ମର’ ମନ୍ତ୍ର। ସେ ମନ୍ତ୍ର ପ୍ରତିଧ୍ୱନିତ ହେଲା ଆକୁମାରୀ ହିମାଚଳ। ଚାରିଆଡ଼େ ଖେଳିଗଲା ଦେଶପ୍ରେମର ଏକ ଅଦ୍ଭୁତ ଆଲୋଡ଼ନ। ଏଥିରେ ଭୟଭୀତ ହୋଇ ଦମନଲୀଳା ଆରମ୍ଭ କରିଦେଲା ବ୍ରିଟିଶ୍‌ ସରକାର। ଆନ୍ଦୋଳନକୁ ଦବାଇଦେବା ଉଦ୍ଦେଶ୍ୟରେ ତତ୍କାଳ ଆରମ୍ଭ ହେଲା ବ୍ୟାପକ ଗିରଫଦାରି। ଅଗଷ୍ଟ ୯ ତାରିଖ ସକାଳ ହେବା ଆଗରୁ ଗିରଫ ହୋଇ ସାରିଥିଲେ ଗାନ୍ଧିଜୀ ଓ କଂଗ୍ରେସ କାର୍ଯ୍ୟକାରୀ କମିଟିର ଅଧିକାଂଶ ସଦସ୍ୟ। କଂଗ୍ରେସକୁ ବେଆଇନ ଘୋଷଣା କରିବା ସହିତ ଅନେକ କଂଗ୍ରେସ ଅଫିସ୍‌ରେ ଝୁଲାଇ ଦିଆଗଲା ତାଲା। ଏ ଖବର ଚାରିଆଡ଼େ ବ୍ୟାପିଗଲା ତଡ଼ିତ୍‌ ବେଗରେ। ସାରା ଦେଶରେ ପ୍ରତିଧ୍ୱନିତ ହେଲା ଗାନ୍ଧିଜୀଙ୍କର ‘କର ବା ମର’ ମନ୍ତ୍ର। ସେ ପଞ୍ଚାକ୍ଷରୀ ମନ୍ତ୍ରରେ କି ଅଦ୍ଭୁତ ଶକ୍ତି ଥିଲା କେଜାଣି ଦେଶର ପୁରପଲ୍ଲୀରେ ତେଜି ଉଠିଲା ବ୍ରିଟିଶ୍‌ ବିରୋଧୀ ଗଣଆନ୍ଦୋଳନ। ପୋଲିସ୍‌ ଗୁଳିକୁ ଖାତିର ନ କରି ରାଜରାସ୍ତାକୁ ଓହ୍ଲାଇ ଆସିଲେ ଲକ୍ଷ ଲକ୍ଷ ଲୋକ। ଏହି ମୁକ୍ତି ଆନ୍ଦୋଳନର ଇତିହାସରେ ଓଡ଼ିଶା ଯୋଡ଼ିଲା ବଳିଦାନର ଏକ ସ୍ବତନ୍ତ୍ର ଅଧ୍ୟାୟ। ବୀରତ୍ୱ ଓ ବଳିଦାନର ମାଟି ଓଡ଼ିଶା। ଏହି ଓଡ଼ିଶା ମାଟିରୁ ହିଁ ଲେଖାଯାଇଛି ଭାରତୀୟ ମୁକ୍ତି ସଂଗ୍ରାମର ପ୍ରଥମ ଇତିହାସ। ୧୮୫୭ ମସିହା ସିପାହୀ ବିଦ୍ରୋହର ୪୦ ବର୍ଷ ପୂର୍ବରୁ ଖୋରଧାର ପାଇକମାନେ ବଜେଇ ସାରିଥିଲେ ବ୍ରିଟିଶ୍‌ ସାମ୍ରାଜ୍ୟବାଦ ବିରୋଧରେ ବିଦ୍ରୋହର ବିଗୁଲ୍‌। ତେଣୁ ଭାରତଛାଡ଼ ଆନ୍ଦୋଳନ ପରିପ୍ରେକ୍ଷୀରେ ଓଡ଼ିଶାର ପୁରପଲ୍ଲୀରେ ଏପରିକି ବଣ ପାହାଡ଼ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବି ତେଜି ଉଠିଥିଲା ବ୍ରିଟିଶ୍‌ ସାମ୍ରାଜ୍ୟବାଦ ବିରୋଧୀ ଗଣଆନ୍ଦୋଳନ। ଏ ଆନ୍ଦୋଳନରେ ଭଦ୍ରକ (ନବଗଠିତ) ଜିଲା ଥିଲା ସବା ଆଗରେ। ଇତିହାସ କହେ- ୧୯୪୨ ମସିହା ଅଗଷ୍ଟ ୧୭ ତାରିଖ ଦିନ ଭଦ୍ରକଠାରେ ୧୬ କି.ମି. ଦୂରରେ ଅବସ୍ଥିତ ଭଣ୍ଡାରିପୋଖରୀ ଥାନାପୋଡ଼ି ଘଟଣା ଥିଲା ବ୍ରିଟିଶ୍‌ କୁଶାସନ ବିରୋଧରେ ଓଡ଼ିଶାର ସର୍ବପ୍ରଥମ ହିଂସାମତ୍କ ଆନ୍ଦୋଳନ। ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ବୈଷ୍ଣବ ଚରଣ ନାୟକ, କୁଶଧ୍ୱଜ ପଣ୍ଡା ଓ କୃପାସିନ୍ଧୁ ସାହୁ ପ୍ରମୁଖ କେତେଜଣ ସତ୍ୟାଗ୍ରହୀ ନେତାଙ୍କୁ ଗିରଫ କରିନେଇଥିଲା ପୋଲିସ। ପିଟୁଣି ଟିକସ (ଜରିମାନା) ବାବଦକୁ ପାର୍ଶ୍ୱବର୍ତ୍ତୀ ୧୨ଟି ଗ୍ରାମର ଲୋକଙ୍କଠାରୁ ଆଦାୟ କରାଯାଇଥିଲା ୬ ହଜାର ଟଙ୍କା। ବ୍ରିଟିଶ୍‌ ପ୍ରଶାସନର ଏଭଳି ଦମନମୂଳକ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଭଦ୍ରକ ଅଞ୍ଚଳର ବିଭିନ୍ନ ସ୍ଥାନରେ ତେଜି ଉଠିଥିଲା ଆନ୍ଦୋଳନ।
କୋରାପୁଟର ଗାନ୍ଧୀ ଭାବରେ ପରିଚିତ ଓଡ଼ିଶାର ବୀରପୁତ୍ର ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ କୋରାପୁଟ ଭଳି ଅଞ୍ଚଳରେ ମଧ୍ୟ ଉଗ୍ର ରୂପ ନେଇଥିଲା ଭାରତଛାଡ଼ ଆନ୍ଦୋଳନ। ସେଦିନ ଥିଲା ୧୯୪୨ ମସିହା ଅଗଷ୍ଟ ୨୧ ତାରିଖ। ମାଲକାନଗିରି ଜିଲା (ନବଗଠିତ)ର ହାଟପଦାରେ ଶତାଧିକ ଲୋକ ଏକାଠି ହେଲେ ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ। ସେଠାରୁ ଶୋଭାଯାତ୍ରା କରି ବଢ଼ିଲେ ମାଥିଲି ଥାନା ଉପରେ ଜାତୀୟ ପତାକା ଉଡ଼ାଇବାର ସଂକଳ୍ପ ନେଇ। ପୋଲିସର ନିଷେଧାଦେଶ ଅମାନ୍ୟ କରି ସେମାନେ ଥାନା ଭିତରକୁ ଧସେଇ ପଶିବାମାତ୍ରେ ପୋଲିସ୍‌ ପକ୍ଷରୁ ଆରମ୍ଭ ହେଲା ଲାଠିିମାଡ଼। ସେଥିରେ ଅନେକ ସଂଗ୍ରାମୀ ଆହତ ହେବା ସହିତ ସଂଜ୍ଞାହୀନ ହୋଇ ପଡ଼ିଲେ ଲକ୍ଷ୍ମଣ ନାୟକ। ଫଳରେ ଉତ୍ତେଜନା ବଢ଼ିବା ସହିତ ଚାଲିଲା ପୋଲିସ ଓ ସତ୍ୟାଗ୍ରହୀଙ୍କ ମଧ୍ୟରେ ଧସ୍ତାଧସ୍ତି। ଏଥିରେ ଉତ୍‌କ୍ଷିପ୍ତ ହୋଇ ଆଖିବୁଜା ଗୁଳିଚାଳନା କଲା ପୋଲିସ୍‌। ଘଟଣା ସ୍ଥଳରେ ୫ ମୃତ୍ୟୁବରଣ କଲେ ଏବଂ ଗୁରୁତର ହେଲେ ୧୭ ସଂଗ୍ରାମୀ। ମାଥିଲି ଗଣହତ୍ୟାର ଦୁଇଦିନ ପରେ (୨୪ା୦୮ା୧୯୪୨) ମାଧବ ପ୍ରଧାନୀଙ୍କ ନେତୃତ୍ୱରେ ଗୁମାଗୁଡ଼ାଠାରେ ଏକାଠି ହେଲେ ଶତାଧିକ ଆଦିବାସୀ। ନବରଙ୍ଗପୁର ତାଲୁକର ପାପଡ଼ାହାଣ୍ଡି ଥାନା ଆକ୍ରମଣ ଉଦ୍ଦେଶ୍ୟରେ ଆରମ୍ଭ ହେଲା ଶୋଭାଯାତ୍ରା। ସେଠାକାର ଥାନାଧିକାରୀ ଏକଥା ଜାଣିପାରି ପୋଲିସ୍‌ ଫୌଜ ଧରି ପହଞ୍ଚତ୍ଲେ ତୁରୀ ନଦୀ ନିକଟରେ। ସଂଗ୍ରାମୀମାନେ ନଦୀର କାଠପୋଲ ପାରିହେବା ସମୟରେ ମୁହଁାମୁହିଁ ହେଲେ ପୋଲିସ୍‌ ଓ ସଂଗ୍ରାମୀ। ପୋଲିସର ପ୍ରତିରୋଧ ସତ୍ତ୍ୱେ ସଂଗ୍ରାମୀମାନେ ଆଗକୁ ବଢ଼ିବାରୁ ଆଖିବୁଜା ଗୁଳିଚାଳନା କଲା ପୋଲିସ। ଘଟଣାସ୍ଥଳରେ ୧୨ ଜଣ ସଂଗ୍ରାମୀ ମୃତ୍ୟୁବରଣ କଲେ ଏବଂ ଅନ୍ୟ ୧୪ ଜଣ ପ୍ରାଣହରାଇଲେ ଡାକ୍ତରଖାନା ଯିବା ବାଟରେ।
ପାପଡ଼ାହାଣ୍ଡି ଗଣହତ୍ୟାର ଦୁଇଦିନ ପରେ (ଅଗଷ୍ଟ ୨୬) ବର୍ତ୍ତମାନର ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ କାଇପଡ଼ା-କଳାମାଟିରେ ଶହୀଦ ହେଲେ ୪ ଜଣ ସତ୍ୟାଗ୍ରହୀ। ୧୯୪୨ ସେପ୍ଟେମ୍ବର ୫ ତାରିଖରେ ଭଦ୍ରକଠାରୁ ୨୦ କି.ମି. ଦୂର ଧାମନଗର ଥାନା ଧୁଷୁରୀଠାରେ ସତ୍ୟାଗ୍ରହୀମାନେ ଏକତ୍ର ହୋଇ ଧାମନଗର ଅଞ୍ଚଳକୁ ସ୍ବାଧୀନ ଘୋଷଣା କଲେ ସର୍ଦ୍ଦାର ମୁରଲୀଧର ପଣ୍ଡା ଓ ମୁରଲୀଧର ଜେନାଙ୍କ ନେତୃତ୍ୱରେ। ଏଥିରେ ଉତ୍‌କ୍ଷିପ୍ତ ହୋଇ (ସେପ୍ଟେମ୍ବର ୨୨) ଲୁଣିଆ କଟସାହି ଗଁାରେ ପହଞ୍ଚତ୍ ସର୍ଦ୍ଦାର ମୁରଲୀଧର ପଣ୍ଡାଙ୍କ ଘର ଘେରାଉ କଲା ପୋଲିସ୍‌। ଏ ଖବର ବ୍ୟାପିଗଲା ପରେ ଠେଙ୍ଗାବାଡ଼ି ଧରି ମାଡ଼ିଆସିଲେ ହଜାର ହଜାର ଲୋକ। ଆରମ୍ଭହେଲା ପୋଲିସ୍‌-ଜନତାଙ୍କ ମଧ୍ୟରେ ଛକାପଞ୍ଝା। ପୋଲିସର ଆଖିବୁଜା ଗୁଳିଚାଳନା ଫଳରେ ଶହୀଦ ହେଲେ ୯ ସତ୍ୟାଗ୍ରହୀ। ନିରୀହ ମଣିଷରକ୍ତରେ ଲାଲ ହେଲା ଚାନ୍ଦିଆପସି ପଡ଼ିଆ। ଏ ବଳିଦାନର ମାଟି ଏବେ ଶହିଦନଗର ନାମରେ ପରିଚିତ।
୧୯୪୨, ସେପ୍ଟେମ୍ବର ୨୮ ଆମ ମୁକ୍ତି ସଂଗ୍ରାମ ଇତିହାସର ଏକ ଲୋମହର୍ଷଣକାରୀ ଅଧ୍ୟାୟ। ସେଦିନ ବାଲେଶ୍ୱର ଜିଲା ତୁଡ଼ିଗଡ଼ିଆ- ଖଇରାଡିହି ଗୁଳିକାଣ୍ଡରେ ୩ ଜଣ ଶହୀଦ ହେବା ସହିତ କବି ବାଞ୍ଛାନିଧି ମହାନ୍ତିଙ୍କ ଜନ୍ମମାଟି ଇରମ (ଭଦ୍ରକ) ଲେଖିଲା ସ୍ବାଧୀନତା ସଂଗ୍ରାମର ରକ୍ତାକ୍ତ କବିତା। ଭଦ୍ରକ ଜିଲାର ବାସୁଦେବପୁରଠାରୁ ୧୬ କି.ମି. ଦୂର ରକ୍ତତୀର୍ଥ ଇରମ ଥିଲା ମୁକ୍ତି ଆନ୍ଦୋଳନର ଏକ ପ୍ରୟୋଗଶାଳା। ଘଟଣା ଦିନ ଇରମ ମେଳନ ପଡ଼ିଆରେ ଅନୁଷ୍ଠିତ ସଭାରେ ସମ୍ମିଳିତ ହୋଇଥିଲେ ପ୍ରାୟ ୬ ହଜାର ସତ୍ୟାଗ୍ରହୀ। ହଠାତ୍‌ ଜମିଦାର ଉଆସଆଡ଼ୁ ମାଡ଼ିଆସିଲା ପୋଲିସ ବାହିନୀ। ସଭାସ୍ଥଳ ଛାଡ଼ି ଚାଲିଯିବା ପାଇଁ ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ସତ୍ୟାଗ୍ରହୀମାନେ ସ୍ଥାନ ଛାଡ଼ିବା ପରିବର୍ତ୍ତେ ଆରମ୍ଭ କରିଦେଲେ ନାରାବାଜି। ଲୋକଙ୍କୁ ଘଉଡ଼ାଇବା ପାଇଁ ଗର୍ଜି ଉଠିଲା ପୋଲିସର ରକ୍ତମୁଖା ବନ୍ଧୁକ। ଘଟଣା ସ୍ଥଳରେ ୨୮ ଜଣ ଟଳି ପଡ଼ିବା ସହିତ ଗୁରୁତର ଭାବେ ଆହତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିଲେ ପ୍ରାୟ ୫୬ ଜଣରୁ ଅଧିକ ନିରସ୍ତ୍ର ମଣିଷ। ମୃତକମାନଙ୍କ ମଧ୍ୟରେ ଥିଲେ ବିଜୁଳି ଦାସ ନାମକ ୧୫ ବର୍ଷର ଜଣେ ନାବାଳକ ଏବଂ ସ୍ବାଧୀନତା ସଂଗ୍ରାମ ଇତିହାସରେ ଓଡ଼ିଶାର ଏକମାତ୍ର ମହିଳା ଶହୀଦ ପରିବେୱା। ପବନ ବେଗରେ ଚାରିଆଡ଼କୁ ବ୍ୟାପିଗଲା ଏ ପୈଶାଚିକ ନରସଂହାର ବାର୍ତ୍ତା। ଅତ୍ୟନ୍ତ ହୃଦୟବିଦାରକ ଥିଲା ଲୁହ ଲହୁର ଏ ଅଭାବନୀୟ ଦୃଶ୍ୟ। ପଞ୍ଜାବର ଜାଲିଆନାୱାଲାବାଗ୍‌ ପରେ ଇଏ ହେଉଛି ବଳିଦାନର ଦ୍ୱିତୀୟ ସ୍ଥଳ, ଯେଉଁଠି ପରାଧୀନତାର ଶୃଙ୍ଖଳରୁ ଦେଶକୁ ମୁକ୍ତ କରିବା ପାଇଁ ଗୋଟିଏ ଦିନରେ ପୋଲିସ୍‌ ଗୁଳିରେ ଆମତ୍ବଳି ଦେଇଛନ୍ତି ୨୯ ଜଣ ଦେଶପ୍ରେମୀ। ସେଥିପାଇଁ ଇରମ ହତ୍ୟାକାଣ୍ଡର ବର୍ବରତାକୁ କୁହାଯାଏ ଦ୍ୱିତୀୟ ଜାଲିଆନାୱାଲାବାଗ ନରସଂହାର। ମାତ୍ର ବିଡ଼ମ୍ବନାର ବିଷୟ, ଇତିହାସରେ ଯଥାଯଥ ଭାବରେ ସ୍ଥାନ ପାଇନି ବଳିଦାନର ଏ ବିରଳ ଅଧ୍ୟାୟ।
ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ: ୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri