ଆମ ସମ୍ବିଧାନପ୍ରଣେତାଙ୍କ ବିଲାତୀ ମନୋଭାବ

ସହଦେବ ସାହୁ

 

ଗତ ପ୍ରବନ୍ଧ ‘ମୂଳ ଭାରତୀୟଙ୍କୁ ସମ୍ବିଧାନରେ ଉପେକ୍ଷା’ରେ ଆଲୋଚନା ଛଳରେ କହିଥିଲି କିପରି ଆମ ସମ୍ବିଧାନପ୍ରଣେତାମାନଙ୍କ ବିଲାତୀ ପାଠପଢ଼ା ସେମାନଙ୍କ ମାନସିକତାକୁ ଅଭାରତୀୟ କରିଦେଇଥିଲା – ତା’ ପଢ଼ି କେତେକ ପାଠକ ମନ୍ତବ୍ୟ ଦେଇଛନ୍ତି ଏ ଆମ ମାଟିର ଗୁଣ। କେବେ ଆମେ ଆମ ମାଟିର ଗୁଣକୁ ବଦଳାଇବା ତାହା ନିର୍ଭର କରେ ଆମ ନେତାମାନଙ୍କ ଉପରେ। କେବଳ ବ୍ରିଟିଶ୍‌ ନୁହେଁ, ସବୁ ୟୁରୋପୀୟମାନେ ସେମାନଙ୍କ ଉପନିବେଶରେ (ଆମେରିକାରେ ବି) ମୂଳ ଅଧିବାସୀମାନଙ୍କୁ ଘୃଣା କରିଆସିଛନ୍ତି, ବାଧାଦେଇଥିବା ମୂଳଅଧିବାସୀମାନଙ୍କୁ ହତ୍ୟା କରିଛନ୍ତି ଏବଂ ସେମାନଙ୍କୁ ‘ସଭ୍ୟ କରିବା’ ପାଇଁ ସେମାନେ ଜନ୍ମ ହୋଇଛନ୍ତି ଭାବି ଖ୍ରୀଷ୍ଟଧର୍ମୀୟ ଢାଞ୍ଚାରେ ବିଦ୍ୟାଳୟ ମାନ ଖୋଲିଛନ୍ତି, ମୂଳଅଧିବାସୀମାନଙ୍କ ପିଲାମାନଙ୍କୁ ଜବରଦସ୍ତ ଟେକିଆଣି ପଢ଼ାଇଛନ୍ତି ଓ ଅମାନିଆମାନଙ୍କୁ ସ୍କୁଲ ଭୂଇଁରେ କବର ଦେଇଛନ୍ତି ବୋଲି କାନାଡାରୁ ଏବେ ତଥ୍ୟ ମିଳିଛି । ଆମ ସମ୍ବିଧାନର ପ୍ରଣେତାମାନଙ୍କ ମାନସିକତାକୁ ୟୁରୋପୀୟ ଶିକ୍ଷାର ଚିନ୍ତାଧାରା ପ୍ରଭାବିତ କରିଥିଲା, ସେମାନେ ବ୍ରିଟିଶ୍‌ ଶାସନ ସମୟର ଆଇନଗୁଡ଼ିକୁ ଆଦର୍ଶ ମନେକରୁଥିଲେ, ତେଣୁ ସମ୍ବିଧାନରେ ୨୧ଶ ଅଧ୍ୟାୟ (ପାର୍ଟ ଏକ୍ସଏକ୍ସଆଇ) ଯୋଡ଼ି ‘ଟେମ୍ପରାରୀ, ଟ୍ରାଞ୍ଜିଶନାଲ୍‌ ଆଣ୍ଡ ସ୍ପେସାଲ୍‌ ପ୍ରୋଭିଜନ୍ସ’ ଶିରୋନାମା ତଳେ ଆର୍ଟିକ୍ଲ ୩୭୨ ରଖିଦେଲେ, ଯାହା କହୁଛି ପୂର୍ବରୁ ଚାଲିଆସିଥିବା ସବୁ ଆଇନ ପୂର୍ବବତ୍‌ ଚାଲୁ ରହିବ। ତାହା ସବୁ ଦମନକାରୀ ବ୍ୟବସ୍ଥାରେ ବି ଥିଲା ବୋଲି ପ୍ରଣେତାମାନେ ଭାବିଲେ ନାହିଁ। ସମ୍ବିଧାନ ତିଆରି କରି ଆମ ନେତାମାନେ ଶାସନପଦ୍ଧତିକୁ ‘ରିପବ୍ଲିକ୍‌’ କରିଦେଲେ, ମାନେ ଆମେ ଆମର ଦେଶମୁଖ୍ୟଙ୍କୁ ବାଛିବୁ, ସେତେବେଳର ବ୍ରିଟିଶ୍‌ ରାଣୀ ଆମର ରାଷ୍ଟ୍ରମୁଖ୍ୟ ରହିବେ ନାହିଁ। ମାତ୍ର ଯେଉଁସବୁ କଳା ଆଇନ ବିରୁଦ୍ଧରେ ଆମ ସ୍ବାଧୀନତା ସଂଗ୍ରାମୀମାନେ ଲଢୁଥିଲେ ତାହା ସବୁ ରହିଗଲା। ଗତ ଡିସେମ୍ବର ୨୨ରେ ଲୋକ ସଭାରେ ‘ଜନ ବିଶ୍ୱାସ ବିଲ୍‌’ ଉପସ୍ଥାପନ କରି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି – ଆଗରୁ ଯେପରି ସାଧାରଣ ଲୋକଙ୍କୁ ବିଶ୍ୱାସକୁ ନିଆଯାଉ ନ ଥିଲା ଏବଂ ଛୋଟ ଛୋଟ ଭୁଲ୍‌ ପାଇଁ ସେମାନଙ୍କୁ ଦଣ୍ଡିତ କରାଯାଉଥିଲା ତାହାର ସଂଶୋଧନ ଦରକାର ା ସ୍ବାଧୀନତାଲାଭର ୭୫ ବର୍ଷ – ଅମୃତ ମହୋତ୍ସବ – ପାଳନ ଅବସରରେ ଆମ ନେତାମାନେ ବିଲାତୀମନୋଭାବର ପ୍ରାୟଶ୍ଚିତ୍ତ କରୁଛନ୍ତି।
ଚାରି ପାଞ୍ଚ ହଜାର ବର୍ଷ ତଳର ତଥାକଥିତ ଆର୍ଯ୍ୟମାନେ ଭାରତଭୂଖଣ୍ଡରେ ତୁହାକୁ ତୁହା ପ୍ରବେଶ କରୁଥିବା କାଳରେ ମୂଳ ଅଧିବାସୀମାନଙ୍କୁ ତଡ଼ିଥିବେ, ପ୍ରକୃତି ସହିତ ମିଳିମିଶି ଚଳୁଥିବା ସେହି ଲୋକେ ଅଭ୍ୟନ୍ତର ପାହାଡ ଜଙ୍ଗଲରେ ଲୁଚିବାକୁ ବାଧ୍ୟ ହେଲେ। ଅପହଞ୍ଚ ଇଲାକାରେ ଓ ପ୍ରକୃତି କୋଳରେ ସେମାନେ ବଢ଼ିଲେ; ବ୍ରିଟିଶ୍‌ମାନେ ସେମାନଙ୍କୁ ଆନିମିଷ୍ଟ (ପ୍ରକୃତି-ଧର୍ମୀ) ଅଭିହିତ କଲେ। ଆତ୍ମରକ୍ଷା ପାଇଁ ଲୁଚିରହୁଥିବା ଲୋକେ ବାହାରର ଲୋକଙ୍କୁ ଶତ୍ରୁ ମନେକରି ମାରିଗୋଡ଼ାଉଥିଲେ। ସେମାନଙ୍କର ଏପରି ସ୍ବଭାବର କାରଣ ନ ବୁଝି ଇଂରେଜ ଶାସକମାନେ ସେମାନଙ୍କୁ ଜନ୍ମଗତ ଅପରାଧୀ ଘୋଷଣା କରି ୧୮୭୧ର କ୍ରିମିନାଲ୍‌ ଟ୍ରାଇବ୍‌ସ ଆକ୍ଟ ପାସ୍‌ କରିନେଲେ। ସେ ଆକ୍ଟଟିକୁ ଆମ ସମ୍ବିଧାନପ୍ରଣେତାମାନେ ସମ୍ବିଧାନର ଧାରା ୩୭୨ରେ ବଳବତ୍ତର ରଖିଲେ। ଆମ ଦେଶକୁ ଲୁଟ୍‌ କରୁଥିବା ସ୍ବୟଂ ବ୍ରିଟିଶ୍‌ମାନେ ଏହି ମର୍ମରେ କ୍ରିମିନାଲ ଟ୍ରାଇବ୍‌ ହେବା କଥା! ୧୯୧୯ରେ ମଣ୍ଟେଗୁ ଚେମ୍‌ସ୍‌ଫୋର୍ଡ ରିଫର୍ମ ଆସିଲା ପର୍ଯ୍ୟନ୍ତ ଅନ୍ୟ ଆଦିବାସୀଙ୍କୁ ଆଉଟ୍‌କାଷ୍ଟ ବା ଗୋଠଛଡ଼ା ଧରାଯାଉଥିଲା, ସେମାନେ ତାଲିକାଭୁକ୍ତ ସମ୍ପ୍ରଦାୟ ଓ ଦଳିତମାନେ ତାଲିକାଭୁକ୍ତ ଜାତି (ସ୍କିଡୁଲ୍‌ଡ ଟ୍ରାଇବ୍‌ ଓ କାଷ୍ଟ) ହୋଇଗଲେ। ୧୯୩୫ର ଗଭର୍ନମେଣ୍ଟ ଆକ୍ଟରେ ତାହା ହିଁ ରହିଲା। ଆମ ସମ୍ବିଧାନ ପ୍ରଣେତା ଭାରତୀୟ ସାହେବମାନେ ନୀଚ ଜାତିକୁ ସ୍କିଡୁଲ୍‌ଡକାଷ୍ଟ ରଖିଦେଲେ। ମହାତ୍ମା ଗାନ୍ଧୀ ସ୍କିଡୁଲ୍‌ଡକାଷ୍ଟ ଲୋକଙ୍କୁ ହରିଜନ ନାମ ଦେଲା ବେଳେ ଆମ୍ବେଡକର ପ୍ରତିବାଦ କରିଥିଲେ ଯେ ହରିଙ୍କ ଜନ କହି ସେମାନଙ୍କୁ ଭଣ୍ଡାଯାଉଛି। ସୁପ୍ରିମ୍‌ କୋର୍ଟ ୧୯୮୨ ମାର୍ଚ୍ଚ ୧୭ର ଏକ ରାୟରେ ‘ହରିଜନ ଏକ ଅପମାନ ସୂଚକ ଶବ୍ଦ’ କହିବା ପରଠାରୁ ହରିଜନ ଶବ୍ଦ ଲଗାଯାଉନାହିଁ। ସ୍ବାଧୀନତାର ୫ ବର୍ଷ ପରେ ୧୯୫୨ ଅଗଷ୍ଟ ୩୧ରେ ହିଁ ଆମର ସାଧାରଣତନ୍ତ୍ର ସରକାର ଟ୍ରାଇବ୍‌ସମାନଙ୍କୁ କ୍ରିମିନାଲ୍‌ କୁହାଯିବ ନାହିଁ ବୋଲି ନୋଟିଫିକେସନ କଲେ। କିନ୍ତୁ ଦାଗ ରହିଗଲା, ଏବେ ବି ଆମେ ସେମାନଙ୍କୁ ଘୃଣା ଚକ୍ଷୁରେ ଦେଖୁଛୁ!
ବ୍ରିଟିଶ୍‌ ଶାସକମାନେ ଦେଖିଲେ ଭାରତୀୟମାନଙ୍କ ଭିତରେ ଜାତି ଜାତି ଭେଦରେ ଅସୂୟା ଭାବ ଅଛି, ତେଣୁ ‘ଡିଭାଇଡ୍‌ ଆଣ୍ଡ ରୁଲ୍‌’ ନୀତି ଗ୍ରହଣ କଲେ। ଦୁଃଖର କଥା ଆମର ଧର୍ମଗ୍ରନ୍ଥମାନ ସେମାନଙ୍କୁ ସାହାଯ୍ୟ କଲା- ଜାତିପ୍ରଥା ହେଉଛି ଭଗବାନଙ୍କ ଡିଜାଇନ୍‌ (ଚାତୁଃବର୍ଣ୍ଣମ୍‌ ମୟା ସୃଷ୍ଟମ୍‌ ଗୁଣକର୍ମବିଭାଗଶଃ), କାଳକ୍ରମେ ବାପା ଯାହା କରୁଥିଲା ପିଲା ସେଇଆ କରିବା କଥା ବୋଲି ପଣ୍ଡିତମାନେ କହିହେଲେ- ତାହା ହିଁ ଜାତି ତିଆରି କଲା। ସଫାସୁତରା ରଖିବା କାମ କରୁଥିବା ଲୋକେ ଘୃଣ୍ୟ ହୋଇଗଲେ, କେତେକ ଅସ୍ପୃଶ୍ୟ ହୋଇଗଲେ। ହଜାର ହଜାର ବର୍ଷ ଧରି ଶୂଦ୍ରମାନଙ୍କୁ ଦାସ ଭଳି ଖଟାଇ ଉଚ୍ଚ ଜାତିର ଲୋକେ ସେମାନଙ୍କଠୁ ମାନବ ଅଧିକାର ଛଡ଼ାଇ ନେଲେ! ମଝିରେ ମଝିରେ ସଂସ୍କାରକ ସାଧୁମାନେ ବାହାରି ଆମ ସମାଜରେ ଅସମାନତା ଦୂର କରିବା ପାଇଁ ଚେଷ୍ଟା କରିଥିଲେ ବି ଜାତିପ୍ରଥା ଦୂର ହେଲାନାହିଁ। ଜାତିଆଣ ପ୍ରଥା ବିରୁଦ୍ଧରେ ବୌଦ୍ଧ, ଜୈନ ଓ ଶିଖ୍‌ଧର୍ମ ବାହାରିଥିଲେ ବି ଭାରତୀୟ ସମାଜ ବଦଳିନାହିଁ। ବ୍ୟବସାୟ କରିବାକୁ ଆସିଥିବା ବିଲାତୀ ଲୋକେ ଯେତେବେଳେ ଶାସନଭାର ନେଇଗଲେ ଅବହେଳିତ ଜାତିର ଲୋକଙ୍କୁ ସାଗରପାରି କୃଷିକାର୍ଯ୍ୟରେ ଶ୍ରମିକ ଭାବେ ଖଟାଇବାର ଚେଷ୍ଟା କଲେ। ଆମେରିକାରେ ନିଗ୍ରୋମାନଙ୍କୁ କ୍ରୀତଦାସ କରିବାର ପ୍ରଥା ୧୮୩୩ ବେଳକୁ ଉଠିଯାଇଥିଲା, ଏପରି କି ବିଲାତରେ ଏହି ଦାସତ୍ୱ ପ୍ରଥା ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ ହୋଇଯାଇଥିଲା। ବିଲାତୀ ବଣିକମାନେ ଇଣ୍ଡେଞ୍ଚର୍ଡ ଲେବର୍‌ (ଚୁକ୍ତିଭିିତ୍ତିକ ଶ୍ରମିକ) ନାମରେ ଭାରତରେ ମାନବ ଚାଲାଣ ଚାଲୁ କରିଦେଲେ, ତାହା କ୍ରୀତଦାସ ପ୍ରଥାଠାରୁ କମ୍‌ ନ ଥିଲା, କାରଣ ଚୁକ୍ତି ସରିଗଲା ପରେ ସେମାନଙ୍କୁ ଭାରତ ଫେରାଇ ଆଣିବାର ବ୍ୟବସ୍ଥା କରାଗଲାନାହିଁ । ଔପନିବେଶିକ ଶକ୍ତିମାନେ ୧୮୩୮ରୁ ୧୯୧୬ ଭିତରେ ପ୍ରାୟ ୧୨ ଲକ୍ଷ ଦଳିତ ଭାରତୀୟଙ୍କୁ ଦରିଆପାରି ଉପନିବେଶକୁ ଚାଲାଣ କରିଥିଲେ । ଏବେ ଆମେ ଗର୍ବ କରୁଛୁ ଯେ ଫିଜି, ଗୁଆନା, ଜାମାଇକା, ମରିସସ୍‌, ନାଟାଲ, ରିୟୁନିୟନ, ସୁରିନାମ୍‌, ଟ୍ରିନିଦାଦ୍‌ ଭଳିି ଦେଶମାନଙ୍କରେ ପ୍ରବାସୀ ଭାରତୀୟମାନେ (ଇଣ୍ଡେଞ୍ଚର୍ଡ ଲେବର୍‌ମାନଙ୍କ ଦାୟାଦମାନେ!) ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଭଳି ଉଚ୍ଚତମ ପଦ ଲାଭ କରିପାରିଛନ୍ତି । କାରଣ ସେଠାରେ ଜାତିଭେଦରେ ଅବହେଳା ନାହିଁ। ଏବେ ଯେଉଁ ପ୍ରବାସୀମାନେ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି ସେମାନେ ଭାରତରେ ଥିଲେ ଏପରି ହୋଇଥାନ୍ତେ କି ବୋଲି ସନ୍ଦେହ ହେଉଛି । ଏସବୁର କାରଣ ଭାରତର ‘ସନାତନ’ (ଅର୍ଥ ପରମ୍ପରା) ଧର୍ମ ସୋସିଆଲ ମୋବିଲିଟି (ଉପରକୁ ଉଠିବାର ସୁଯୋଗ) ଯୋଗାଏନାହିଁ । ଏ ତ ଆମ ମାଟିର ଗୁଣ! ଆମ ସମ୍ବିଧାନ-ପ୍ରଣେତାମାନଙ୍କ ଔପନିବେଶିକ ମନୋଭାବ ଆମ ସମ୍ବିଧାନକୁ ଉଚ୍ଚ ବଂଶଜ ହିନ୍ଦୁମାନଙ୍କ ଦଲିଲ କରିଦେଇଛି! ଯେ ପର୍ଯ୍ୟନ୍ତ ଆମ ନେତାଏ ଏ ମନୋଭାବ ନ ଛାଡ଼ିଛନ୍ତି ସେ ଯାଏ ଆମ ଦେଶର ୬୦%ରୁ ବେଶି ଲୋକେ ଅବହେଳାର ଶିକାର ହୋଇ ରହିଥିବେ।
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri