Categories: ଖେଳ

ଜୋକୋଭିଚ୍‌, ଫେଡରର, ନାଡାଲ ଓ ଟିଆଫୋଙ୍କୁ ଏଟିପି ପୁରସ୍କାର

ଲଣ୍ଡନ,୨୩ା୧୨(ଏପି)-୨୦୨୦ବର୍ଷ ପାଇଁ ଏଟିପିର ଟପ୍‌ ପୁରସ୍କାର ବିଜେତାଙ୍କ ମଧ୍ୟରେ ନୋଭାକ ଜୋକୋଭିଚ୍‌, ରୋଜର ଫେଡରର, ରାଫାଲ ନାଡାଲ ଓ ଫ୍ରାନ୍‌ସେସ୍‌ ଟିଆଫୋ ପ୍ରମୁଖ ରହିଛନ୍ତି। ଜୋକୋଭିଚ୍‌ ବର୍ଷ ଶେଷର ନମ୍ବର ଓ୍ବାନ ଖେଳାଳି ହୋଇଛନ୍ତି। ରେକର୍ଡ ଅଷ୍ଟମ ଥର ପାଇଁ ଅଷ୍ଟ୍ରେଲିଆନ ଓପନ୍‌ ସମେତ ୪ଟି ଟାଇଟଲ ସହ ସେ ୬ଷ୍ଠ ଥର ବର୍ଷ ଶେଷରେ ନମ୍ବର ଓ୍ବାନ ଖେଳାଳି ହୋଇ ରେକର୍ଡ ସମକକ୍ଷ ହୋଇପାରିଛନ୍ତି। ୟୁଏସ୍‌ ଓପନ୍‌ ଚାମ୍ପିୟନ ମେଟ୍‌ ପ୍ୟାଭିକ୍‌ ଏବଂ ବ୍ରୁନୋ ସୋର୍ସ ଡବଲ୍ସ ନମ୍ବର ଓ୍ବାନ ଯୋଡ଼ି ହୋଇଛନ୍ତି। ବର୍ଷରେ ୬ ସିଙ୍ଗଲ୍ସ ଖେଳିଥିବା ଫେଡରର ସିଙ୍ଗଲ୍ସ ଫ୍ୟାନ ଫେଭରାଇଟ୍‌ ହୋଇଛନ୍ତି। ରେକର୍ଡ ୧୮ବର୍ଷ ଧରି ସେ ପୁରସ୍କାର ପାଇ ଆସୁଛନ୍ତି। ସେହିପରି ରୋଲାଣ୍ଡ ଗ୍ୟାରୋସଠାରେ ୧୩ତମ ଟାଇଟଲ ଜିତିବା ପରେ ନାଡାଲ କ୍ରମାଗତ ତୃତୀୟ ଏବଂ ମୋଟ ଉପରେ ୪ଥର ଷ୍ଟିଫାନ ଏଡ୍‌ଭବର୍ଗ ସ୍ପୋଟର୍‌ସମ୍ୟାନଶିପ୍‌ ଆଓ୍ବାର୍ଡ ଜିତିଛନ୍ତି। ରୁଷିଆର ଆଣ୍ଡ୍ରେ ରୁବ୍ଲେଭ ଶ୍ରେଷ୍ଠ ଉଦୀୟମାନ ଖେଳାଳି ବିବେଚିତ ହୋଇଛନ୍ତି। ସେ ୫ଟି ଟାଇଟଲ ବିଜୟୀ ହେବା ପରେ ୨୩ ନମ୍ବର ର଼୍ୟାଙ୍କିଙ୍ଗ୍‌ରୁ କ୍ୟାରିୟର ଶ୍ରେଷ୍ଠ ୮ମ ସ୍ଥାନକୁ ଉଠିପାରିଛନ୍ତି। ଟୁର୍‌ରେ ଯେକୌଣସି ଖେଳାଳିଙ୍କ ତୁଳନାରେ ଅଧିକ। ସାମାଜିକ କାର୍ଯ୍ୟକଳାପ ପାଇଁ ଟିଆଫୋ ଆର୍ଥର ଆଶେ ହ୍ୟୁମାନିଟାରିଆନ୍‌ ଆଓ୍ବାର୍ଡ ପାଇଛନ୍ତି। ସେ କୋଭିଡ୍‌-୧୯ ରିଲିଫ୍‌ ପାଇଁ ପାଣ୍ଠି ସଂଗ୍ରହ କରିଥିଲେ। ଜର୍ଜ ଫ୍ଲଏଡ୍‌ଙ୍କୁ ହତ୍ୟା ପରେ ସେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏହା କୃଷ୍ଣକାୟ ଟେନିସ୍‌ ସମ୍ପ୍ରଦାୟକୁ ଏକତ୍ରିତ କରିବାରେ ସହାୟକ ହୋଇଥିଲା। ବର୍ଷରେ ତିନୋଟି ଚ୍ୟାଲେଞ୍ଜର୍ସ ଟାଇଟଲ ଜିତିବା ପରେ ସ୍ପେନ୍‌ର ୧୭ ବର୍ଷୀୟ କାର୍ଲୋସ ଅଲକାରାଜ ବର୍ଷର ଶ୍ରେଷ୍ଠ ନବାଗତ ଖେଳାଳି ବିବଚେିତ ହୋଇଥିଲେ। ବାସେକ୍‌ ପସ୍ପିସିଲ୍‌ କମ୍‌ବ୍ୟାକ୍‌ ପ୍ଲେୟର ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି। ୨୦୧୯ରେ ତାଙ୍କ ପିଠିରେ ଅସ୍ତ୍ରୋପଚାର ପରେ ସେ ସଫଳତାର ସହ ଟେନିସ୍‌କୁ ପ୍ରତ୍ୟାବର୍ତ୍ତନ କରିପାରିଛନ୍ତି। ୨୦୧୯ରେ କାନାଡାର ଏହି ଖେଳାଳିଙ୍କର ର଼୍ୟାଙ୍କିଙ୍ଗ ୧୫୦ ରହିଥିଲା। ମାତ୍ର ଦୁଇଟି ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ ପାଇଁ ସେ ର଼୍ୟାଙ୍କିଙ୍ଗ ତାଲିକାର ୬୧ତମ ସ୍ଥାନକୁ ଉନ୍ନୀତ ହୋଇପାରିଥିଲେ।

Share