ଆଜି ପୂର୍ଣ୍ଣାଙ୍ଗ ବଜେଟ

ଭୁବନେଶ୍ୱର, ୨ା୭(ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେଶନ ଶନିବାରଠାରୁ ଆରମ୍ଭ ହେବ। ଏହି ଅଧିବେଶନ ଜୁଲାଇ ୨ରୁ ଅଗଷ୍ଟ ୪ ଯାଏ ଚାଲିବ। ଏଥିରେ ମୋଟ ୨୪ଟି କାର୍ଯ୍ୟଦିବସ ରହିଛି। ପ୍ରଥମ ଦିବସରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ। ଜୁଲାଇ ୫ ଓ ୬ରେ ବଜେଟ ଉପରେ ଆଲୋଚନା ହେବ। ଜୁଲାଇ ୭ରୁ ୧୨ ଅଧିବେଶନ ବନ୍ଦ ରହିବ। ୧୩ ତାରିଖରେ ବିଧାନସଭାରେ ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପନ ହେବ। ଜୁଲାଇ ୧୪ରୁ ୨୯ ଯାଏ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହେବ। କୋଭିଡ୍‌ ପରେ ପ୍ରଥମ ଥର ଲାଗି ଲମ୍ବା ଅଧିବେଶନ ଚାଲିବ। ଚଳିତ ଅଧିବେଶନ ବେଶ୍‌ ସରଗରମ ହେବ। ଦୀର୍ଘଦିନ ଗୃହ ଚାଲୁଥିବାରୁ ବିଭିନ୍ନ ପ୍ରସଙ୍ଗ ଉଠାଇବାକୁ ବିରୋଧୀଙ୍କୁ ମୌକା ମିଳିବ। ପୁରୁଣା ଓ ନୂଆ ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଘେରିବାକୁ ବିରୋଧୀ ଦଳ ରଣନୀତି ପ୍ରସ୍ତୁତ କରିଛନ୍ତି।
ଭାଜପା ବିଧାୟକ ଦଳ ବୈଠକ ଶେଷ ହୋଇଥିବା ବେଳେ ଶନିବାର ପୂର୍ବାହ୍ନରେ ଉଭୟ କଂଗ୍ରେସ ଓ ବିଜେଡିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟ ବିରୋଧୀ ଦଳ ଭାଜପା ଆଇନଶୃଙ୍ଖଳା, ଚାଷୀ, ବେକାରି, ପୁଞ୍ଜିନିବେଶ ଆଦି ପ୍ରସଙ୍ଗ ଉଠାଇବାକୁ ନିଷ୍ପତ୍ତି ନେଇଛି। ସେହିପରି କଂଗ୍ରେସ ଗ୍ରାମାଞ୍ଚଳରେ ପାନୀୟ ଜଳ, ବର୍ଷା ଅଭାବରୁ ଚାଷୀ ଓ ଚାଷ ସମସ୍ୟା, ସ୍କୁଲରେ ଶିକ୍ଷକ ଅଭାବ, ଆଇନଶୃଙ୍ଖଳା, ବେକାରି ସମସ୍ୟା ଭଳି ଅନେକ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ନିଷ୍ପତ୍ତି ନେଇଛି। ତେବେ କେଉଁ ପ୍ରସଙ୍ଗକୁ ପ୍ରାଥମିକତା ଦିଆଯିବ ତାହା ବିଧାୟକ ଦଳ ବୈଠକରେ କଂଗ୍ରେସ ନିଷ୍ପତ୍ତି ନେବ।
ଅନ୍ୟପକ୍ଷରେ ପଞ୍ଚମ ପାଳିର ତୃତୀୟ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି। ନୂଆ ବାଚସ୍ପତି ଭାବେ ବିକ୍ରମ କେଶରୀ ଆରୁଖ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଓ ଉପମୁଖ୍ୟ ସଚେତକ ଭାବେ ସରୋଜ ମେହେର ଦାୟିତ୍ୱ ନେଇଛନ୍ତି। ଅଧିବେଶନ ପାଇଁ ସମସ୍ତେ ପ୍ରସ୍ତୁତ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି।
ମୌସୁମୀ ଅଧିବେଶନର ପ୍ରଥମ ଦିବସ ଅର୍ଥାତ୍‌ ଶନିବାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଗୃହରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଦୁଇଟି ପର୍ଯ୍ୟାୟରେ ବିଧାନସଭା ଦୈନିକ ୬ ଘଣ୍ଟା ଚାଲିବ। ବିଧାନସଭା ଅଧିବେଶନ ପୂର୍ବରୁ ସମସ୍ତ ସଦସ୍ୟ ଓ କର୍ମଚାରୀମାନଙ୍କର କୋଭିଡ୍‌ ଟେଷ୍ଟିଂ କରାଯାଇଛି। କୋଭିଡ୍‌ କଟକଣା ମଧ୍ୟରେ ଗୃହ କାର୍ଯ୍ୟ ପରିଚାଳନା ହେବ।