ଧନୀଙ୍କ ଘୃଣ୍ୟ ଚେହେରା

ଡ. ସନ୍ତୋଷ କୁମାର ମହାପାତ୍ର

ଧନୀ ହେବା, ଅର୍ଥ ଅର୍ଜନ କରିବା ଓ ସମ୍ପଦ ବୃଦ୍ଧି କରିବା କିଛି ଭୁଲ୍‌ ନୁହେଁ। ଅର୍ଥ ଓ ସମ୍ପଦ ଥିଲେ ଜଣେ ଅନ୍ୟକୁ ସାହାଯ୍ୟ କରିପାରିବ। ଅର୍ଥ ନ ଥିଲେ, ଜଣେ ଚାହିଁଲେ ବି ସାହାଯ୍ୟ କରିପାରିବ ନାହିଁ। ଜଣେ ସାଧୁ, ସତ୍‌ ଉପାୟରେ ଅର୍ଥ ଅର୍ଜନ କରିବା ସହିତ ଆବଶ୍ୟକ ଟିକସ ଦେବା ଉଚିତ ଓ ସେମାନେ ମଧ୍ୟ ଏହା ଦେଉଛନ୍ତି। କିନ୍ତୁ ତାହା ଧନିକଶ୍ରେଣୀ, ରାଜନେତା, କ୍ଷମତାଶାଳୀ, ଶିଳ୍ପପତି, ପୁଞ୍ଜିପତି ଓ ସେଲିବ୍ରିଟିମାନଙ୍କ କ୍ଷେତ୍ରରେ ଦେଖିବାକୁ ମିଳେନା। ଏମାନେ ସର୍ବଦା ଗରିବ, ସାଧାରଣ ଜନତାଙ୍କୁ ଦେଶସେବା, ଜୀବନର ଆଦର୍ଶ, ତ୍ୟାଗ, ବଳିଦାନର ନୀତିଶିକ୍ଷା ଦେଇଥାନ୍ତି, କିନ୍ତୁ ବାସ୍ତବରେ ଠିକ ଓଲଟା କରିଥାନ୍ତି। ଏମାନେ ହଜାର ହଜାର କୋଟି ଟଙ୍କା ଅନ୍ୟାୟ, ଅସତ୍ୟ ଉପାୟରେ ଅର୍ଜନ କରନ୍ତି, ଟିକସ ଫାଙ୍କନ୍ତି, ବିଦେଶରେ କଳାଟଙ୍କା ଗଚ୍ଛିତ ରଖନ୍ତି, କିନ୍ତୁ ସେହି କଳାଟଙ୍କାର କିଛି ଅଂଶ ପୁରସ୍କାର ବା ଅନ୍ୟ କିଛି କାର୍ଯ୍ୟରେ ବିନିଯୋଗ କରି ଦେଶବାସୀଙ୍କ ଆଗରେ ସମାଜସେବୀ ଭାବେ ପରିଚିତ ହୁଅନ୍ତି। ବିଭିନ୍ନ ପୁରସ୍କାର ପାଆନ୍ତି। ବିନା ବାଧାରେ ନିଜର କଳା ସାମ୍ରାଜ୍ୟ ବିସ୍ତାର କରନ୍ତି, କ୍ଷମତା ଉପଭୋଗ କରନ୍ତି। ଯେପରି ସେମାନେ ସରକାରଙ୍କ ଚକ୍ଷୁଶୀଳ ନ ହେବେ, ଆଇନ ଦ୍ୱାରା ଦଣ୍ଡିତ ନ ହେବେ, ଅନ୍ଧାଧୁନିଆଭାବେ ସରକାରଙ୍କ ଜନବିରୋଧୀ ନୀତି ସପକ୍ଷରେ କୁହନ୍ତି, ଲେଖନ୍ତି , ଟୁଇଟ୍‌ ମଧ୍ୟ କରନ୍ତି। ଏପରି କି ବିଭିନ୍ନ ରାଜନୈତିକ ଦଳ ବିଶେଷକରି କ୍ଷମତାରେ ଥିବା ଦଳ, ବିଭିନ୍ନ ନେତାଙ୍କୁ ପ୍ରଚୁର ଚାନ୍ଦା ଦିଅନ୍ତି। ଅନ୍ୟ ଅର୍ଥରେ ଧନିକ ଶ୍ରେଣୀ କିପରି କଳାଟଙ୍କା ସୁରକ୍ଷିତ ଭାବେ ଦେଶରେ ବା ଦେଶ ବାହାରେ ରଖିପାରିବେ, ବିଦେଶକୁ ଖସି ପଳାଇବେ, ନିର୍ବାଚନରେ କୋଟି କୋଟି ଟଙ୍କା ବ୍ୟୟ କରିପାରିବେ ତାହାର ବ୍ୟବସ୍ଥା କରାଯାଇଛି।
ଅପରପକ୍ଷରେ, ସାଧାରଣ ଜନତା, ସରକାରୀ ଚାକିରିଆ କିପରି ଏକ ଟଙ୍କା ଟିକସ ଫାଙ୍କି ପାରିବ ନାହିଁ, ସେଥିପାଇଁ ଆଧାର, ପାନ୍‌ କାର୍ଡ, ମୋବାଇଲ ସଂଯୋଗ କରାଯାଇଛି। ଟିକସ ଦେବାରେ ଟିକେ ଡେରି ହେଲେ ଜରିମାନା ଦେବାକୁ ପଡ଼େ। ସଞ୍ଚୟକାରୀମାନେ ତାଙ୍କ କଷ୍ଟାର୍ଜିତ ସଞ୍ଚୟର ପରିପକ୍ୱ ରାଶି ବା ସୁଧ ଉପରେ ଟିକସ ଦିଅନ୍ତି। ଗରିବ ଏପରି କି ଭିକାରିଟିଏ ମଧ୍ୟ ପରୋକ୍ଷକର ଏବଂ କମ୍ପାନୀଗୁଡ଼ିକର ବିଜ୍ଞାପନ ବାବଦ ବ୍ୟୟ ଦ୍ରବ୍ୟ ବା ସେବା କିଣିଲା ବେଳେ ବହନ କରିଥାଏ। ଚିନ୍ତାର ବିଷୟ ହେଉଛି ଯେତେବେଳେ କିଏ ଧନିକ ଉପରେ ଅଧିକ ଟିକସ ଧାର୍ଯ୍ୟ କରିବା କଥା କୁହେ ବା ତାଙ୍କର ଏହି ଶୋଷଣ, ଠକାମି ବିରୋଧରେ କହେ ତାକୁ ବାମପନ୍ଥୀ କହି ନିନ୍ଦା କରାଯାଏ, ସକାରାତ୍ମକଭାବ ରଖି ପ୍ରଶଂସା କରିବା ପାଇଁ ପରାମର୍ଶ ଦିଆଯାଏ। ଧନୀଙ୍କ ଏହି ଘୃଣ୍ୟ ଚେହେରା ବିଭିନ୍ନ ସମୟରେ ବିଭିନ୍ନ ରିପୋର୍ଟ ଓ ଅନୁସନ୍ଧାନରୁ ଜଣାପଡ଼ିଛି। ୨୦୧୬ରେ ପାନାମା ପେପର୍ସରୁ ମଧ୍ୟ ଜଣାପଡ଼ିଥିଲା। ୨୦୧୬ରେ ପାନାମା ପେପର୍ସ ଜାରି କରିଥିବା ‘ଇଣ୍ଟରନ୍ୟାଶନାଲ କନ୍‌ସୋର୍ଟିୟମ ଅଫ ଇନ୍‌ଭେଷ୍ଟିଗେଟିଭ ଜର୍ନାଲିଷ୍ଟସ’(ଆଇସିଆଇଜେ) ସଂସ୍ଥା ପକ୍ଷରୁ ଅକ୍ଟୋବର ୩ ରେ ପ୍ରକାଶ ପାଇଥିବା ‘ପାଣ୍ଡୋରା ପେପର୍ସରୁ’ ମଧ୍ୟ ଜଣାପଡ଼ିଛି । ଏଥିପାଇଁ ସାରା ଦୁନିଆର ୧୨ କୋଟି ଦସ୍ତାବିଜକୁ ଯାଞ୍ଚ କରାଯାଇଛି। ୧୧୭ଟି ଦେଶର ୬୦୦ ସାମ୍ବାଦିକ ଏହି ତଦନ୍ତରେ ସାମିଲ ଥିଲେ। ଆର୍ଥିକ କ୍ଷେତ୍ରର ଏହା ସବୁଠୁ ବଡ଼ ପର୍ଦ୍ଦାଫାଶ ବୋଲି ଆଇସିଆଇଜେ ଦାବି କରିଛି। ଏହି ତଥ୍ୟ ୱାଶିଂଟନ ପୋଷ୍ଟ, ବିବିସି, ଦି ଗାର୍ଡିଆନ ଏବଂ ଭାରତରେ ଇଣ୍ଡିଆନ ଏକ୍ସପ୍ରେସ ସମେତ ମିଡିଆରେ ପ୍ରକାଶ ପାଇଥିଲା। ଦୁର୍ନୀତିଠାରୁ ଆରମ୍ଭ କରି ଅର୍ଥ ହେରଫେର, ମନି ଲଣ୍ଡରିଙ୍ଗ (ଅପରାଧଜନିତ ଅର୍ଥକୁ ଆଇନ ଦୃଷ୍ଟିରୁ ଠିକ୍‌ ଦେଖାଇବା) ଏବଂ ଟିକସ ଏଡ଼ାଇବା, ଟିକସ ଫାଙ୍କିବା ପର୍ଯ୍ୟନ୍ତ ଅଭିଯୋଗ ରହିଛି।
୧୪ଟି କମ୍ପାନୀରୁ ଲକ୍ଷ ଲକ୍ଷ ଲିକ୍‌ ହୋଇଥିବା ଡକ୍ୟୁମେଣ୍ଟରୁ ଜଣାପଡ଼ିଛି ଯେ ସାରା ଦୁନିଆର ଅନେକ ଚର୍ଚ୍ଚିତ ରାଜନେତା, ବ୍ୟବସାୟୀ, ଶିଳ୍ପପତି, କ୍ରୀଡ଼ା ଏବଂ ମନୋରଞ୍ଜନ ଜଗତର ସେଲିବ୍ରିଟିମାନେ କିପରି ଟ୍ୟାକ୍ସ ହାଭେନ୍ସରେ ଗୁପ୍ତ ସମ୍ପତ୍ତି ରଖିଛନ୍ତି ବା ବେଆଇନ ଉପାୟରେ ନିବେଶ କରି ଟିକସ ଫାଙ୍କିଛନ୍ତି। ପାଣ୍ଡୋରା ପେପର ଭାବରେ ଜଣାଶୁଣା ଏହି ଖୁଲାସାରେ ୨୯ ହଜାର କମ୍ପାନୀ ଓ ଟ୍ରଷ୍ଟର ସନ୍ଧାନ ମିଳିଛି; ଯାହା ବିଦେଶରେ ଗଠନ କରାଯାଇଥିଲା। ଏମାନଙ୍କ ମଧ୍ୟରେ ୩୩୦ ରାଜନେତା ଓ ୧୩୦ ଫୋବର୍ସ ବିଲିଅନେୟାର ମଧ୍ୟ ଅଛନ୍ତି। ଏହା ବ୍ୟତୀତ ମନ୍ତ୍ରୀ, ଅଧିକାରୀ, ବିଚାରପତି, ମେୟର, ସାମରିକ ଜେନେରାଲ ଭଳି ୯୦ ଦେଶର ୩୦୦ ଜଣଙ୍କ ନାଁ ରହିଥିବା କୁହାଯାଉଛି। ଜୋର୍ଡାନର ରାଜା, ୟୁକ୍ରେନ, କେନିଆର ରାଷ୍ଟ୍ରପତି, ଚେକ୍‌ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ଏବଂ ବ୍ରିଟିଶର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର, ପାକିସ୍ତାନର ଅର୍ଥମନ୍ତ୍ରୀ ଶୌକତ ତାରିନଙ୍କ ସମେତ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ନିକଟତମ ଅନେକ ବ୍ୟକ୍ତିଙ୍କ ନାମ ରହିଛି।
‘ପାଣ୍ଡୋରା ପେପର୍ସ’ରେ ୩୦୦ରୁ ଅଧିକ ଭାରତୀୟଙ୍କ ନାମ ରହିଛି। କିଛି ପୂର୍ବତନ ସାଂସଦ ତଦନ୍ତ ଏଜେନ୍ସିକୁ ସାମ୍ନା କରୁଥିବା କିଛି ବ୍ୟକ୍ତିଙ୍କ ନାମ ଏହି ରିପୋର୍ଟରେ ରହିଛି। ଏହା ଦର୍ଶାଉଛି କିପରି ବିମୁଦ୍ରୀକରଣ ବିଫଳ ହୋଇଛି। ଆଶ୍ଚର୍ଯ୍ୟର ବିଷୟ ବ୍ରିଟେନ କୋର୍ଟରେ ଦେବାଳିଆ ଘୋଷିତ ଅନିଲ ଅମ୍ବାନୀ ଓ ତାଙ୍କ ପ୍ରତିନିଧିଙ୍କ ଜର୍ସି, ବ୍ରିଟିଶ ଭର୍ଜିନ ଆଇଲାଣ୍ଡ ଓ ସାଇପ୍ରସ୍‌ରେ ୧୮ଟି ଅଫଶୋର କମ୍ପାନୀ ଅଛି। ୨୦୦୭ ଓ ୨୦୧୦ ମଧ୍ୟରେ ଏହି ସମସ୍ତ କମ୍ପାନୀ ଗଠନ କରାଯାଇଥିଲା, ସେଥିମଧ୍ୟରୁ ୭ଟି କମ୍ପାନୀ ଋଣ ନେଇ ୧.୩ ବିଲିୟନ ଡଲାର୍‌ (୬୯୪୮ କୋଟିରୁ ଅଧିକ ଟଙ୍କା) ବିନିଯୋଗ କରିଛନ୍ତି।
ବାୟୋକନର ମୁଖ୍ୟ କିରଣ ମଜୁମଦାର ସ’ଙ୍କ ସ୍ବାମୀ ଏଭଳି ଜଣେ ବ୍ୟକ୍ତିଙ୍କୁ ନେଇ ଏକ ଟ୍ରଷ୍ଟ ଗଠନ କରିଛନ୍ତି; ଯାହାଙ୍କ ଉପରେ ଇନ୍‌ସାଇଡର୍‌ ଟ୍ରେଡିଂ ଅଭିଯୋଗରେ ସେବି ପ୍ରତିବନ୍ଧକ ଲଗାଇଥିଲା। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌୍‌ବି)ରେ ହୋଇଥିବା ୧୪ ହଜାର କୋଟି ଟଙ୍କା ଠକେଇର ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ମୋଦି ଭାରତ ଛାଡ଼ି ଏକ ମାସ ପୂର୍ବରୁ ତାଙ୍କ ଭଉଣୀ ମଧ୍ୟ ଏକ ଟ୍ରଷ୍ଟ ଗଠନ କରିଥିଲେ ବୋଲି ଜଣାପଡ଼ିଛି। ପାନାମା ଲିକ୍‌ ପରେ କ୍ରିକେଟ କିମ୍ବଦନ୍ତୀ ଓ ଭାରତରତ୍ନପ୍ରାପ୍ତ ସଚିନ ତେନ୍ଦୁଲକର ପାନାମା ପେପର ଖୁଲାସା ହେବାର ମାତ୍ର ତିନି ମାସ ପରେ ବ୍ରିଟିଶ ଭର୍ଜିନ ଦ୍ୱୀପପୁଞ୍ଜରେ ନିଜର ଅଂଶ ବିକ୍ରି କରିଦେଇଥିଲେ ବୋଲି କୁହାଯାଉଛି। ପାନାମା ପେପରରେ ଅମିତାଭ ବଚ୍ଚନଙ୍କ ନାମ ଥିଲା। ଅନିଲ ଅମ୍ବାନୀ ଓ ନୀରବ ମୋଦିଙ୍କ ନାମ ଅନ୍ତର୍ଭୁକ୍ତ ହେବା ଦର୍ଶାଉଛି ଯେ, କିପରି ଶିଳ୍ପପତିମାନେ ବ୍ୟାଙ୍କରୁ ଋଣ ନେଇ ନ ଶୁଝି, ସେହି ଅର୍ଥକୁ ଏହିପରି ଟିକସ ଭୂସ୍ବର୍ଗ ରଖୁଛନ୍ତି ବା ଅନ୍ୟତ୍ର ରଖୁଛନ୍ତି ଯେପରି ଉଦ୍ଧାର କରିହେବ ନାହିଁ।
ଟ୍ୟାକ୍ସ ହାଭେନ୍ସ ବା ଟିକସ ଭୂସ୍ବର୍ଗ ବା ଟିକସ ଆଶ୍ରୟସ୍ଥଳୀ ବା ଦରିଆପାରି ଆର୍ଥିକ କେନ୍ଦ୍ର ହେଉଛି କ୍ଷୁଦ୍ର ଦେଶ, ଯେଉଁଠି ବିଦେଶୀ ନିବେଶକଙ୍କ ପାଇଁ ପ୍ରଭାବୀ ଟିକସ ହାର ବହୁତ କମ୍‌। ଯେଉଁଠି ବାହାର ଲୋକଙ୍କୁ ବା ନିବେଶକଙ୍କୁ ସେଠାରେ ସହଜରେ ବ୍ୟବସାୟ କରିବାକୁ ଅନୁମତି ଦିଆଯାଇଥାଏ। ନିବେଶକଙ୍କ ନାମ ଲୁକ୍କାୟିତ ରଖାଯାଏ। ବିଶ୍ୱରେ ଏହିପରି ପ୍ରାୟ ୧୩୩ଟି ଦେଶ ରହିଛି। ସେଠାରେ କର୍ପୋରେଟ ଟ୍ୟାକ୍ସ, ପୁଞ୍ଜି ଲାଭ କର ନ ଥାଏ ବା ବହୁତ ଅଳ୍ପ ଥାଏ। ସେହିସବୁ ଟ୍ୟାକ୍ସ ହାଭେନ୍ସରେ ଅନେକ ଶେଲ କମ୍ପାନୀ ଖୋଲି କଳା ଟଙ୍କା ରଖନ୍ତି ବା ନିଜର ବ୍ୟବସାୟ କରନ୍ତି । ଶେଲ କମ୍ପାନୀ କାହାର, ତା’ର ମାଲିକ କିଏ, କିଏ ନିର୍ଦ୍ଦେଶକ, ତାହାର ପତ୍ତା ନ ଥାଏ। ଏହା ଏପରି କି କାଗଜ କଲମରେ ମଧ୍ୟ ନ ଥାଏ। ସେଠାରେ ସବୁ ବଡ଼ ରାଷ୍ଟ୍ରମୁଖ୍ୟ, ରାଜନେତା, ଶିଳ୍ପପତି, ପୁଞ୍ଜିପତି, ଧନିକ ଶ୍ରେଣୀ, ସିଲିବ୍ରିଟି ତାଙ୍କ କଳା ଟଙ୍କା ରଖିଥାନ୍ତି। ସେହିପରି ଅଧିକାଂଶ ବହୁରାଷ୍ଟ୍ରୀୟ କମ୍ପାନୀ ସେମାନଙ୍କର ସହାୟକ କମ୍ପାନୀ ସେଠାରେ ଖୋଲନ୍ତି। ସେମାନେ ନିଜ ଦେଶରେ ମୂଳ କମ୍ପାନୀର ଅଧିକ ଖର୍ଚ୍ଚ, କମ୍‌ ଲାଭ ଦେଖାନ୍ତି , କିନ୍ତୁ ଟ୍ୟାକ୍ସ ହାଭେନ୍ସରେ ଥିବା ସହାୟକ କମ୍ପାନୀର ରେକର୍ଡରେ କମ୍‌ ଖର୍ଚ୍ଚ, ଅଧିକ ଲାଭ ଦେଖାନ୍ତି; ଯାହାଫଳରେ ବହୁତ କମ୍‌ ଟିକସ ଦେଇଥାନ୍ତି।
ଟିକସ ଭୂସ୍ବର୍ଗ ଯୋଗୁ ବିଶ୍ୱର ବିଭିନ୍ନ ସରକାରମାନେ ମୋଟ ଉପରେ ବର୍ଷକୁ ୫୦୦ ବିଲିୟନରୁ ୬୦୦ ବିଲିୟନ ଡଲାର କର୍ପୋରେଟ ଟିକସ ଏବଂ ୨୦୦ ବିଲିୟନ ଡଲାରରୁ ଊର୍ଦ୍ଧ୍ୱ ଆୟକର ହରାଉଛନ୍ତି। ଉନ୍ନତ ଦେଶ ତୁଳନାରେ ସ୍ବଳ୍ପ ଆୟକାରୀ ଦେଶ ବେଶି ହରାଉଛନ୍ତି। ଏହି ଟିକସ ଭୂସ୍ବର୍ଗରେ ଆମେରିକୀୟ ଫର୍ଚ୍ୟୁନ ୫୦୦ କମ୍ପାନୀ ୨୦୧୭ ସୁଦ୍ଧା ଆନୁମାନିକ ୨.୬ ଟ୍ରିଲିୟନ ଡଲାର୍‌ ରଖିଥିଲେ। କର୍ପୋରେଟରମାନେ କେବଳ ହିତାଧିକାରୀ ନୁହନ୍ତି। ବରେଲିସ୍ଥିତ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଅର୍ଥନୀତିଜ୍ଞ ଗାବ୍ରିଏଲ ଜୁକମ୍ୟାନ (୨୦୧୭ ) ଆକଳନ କରିଛନ୍ତି ଯେ, ଲୋକମାନଙ୍କର ଟ୍ୟାକ୍ସ ଆଶ୍ରୟସ୍ଥଳୀରେ ୮.୭ ଟ୍ରିଲିୟନ ଡଲାର୍‌ ରହିଛି। ଅର୍ଥନୀତିଜ୍ଞ ତଥା ଆଇନଜୀବୀ ଜେମ୍ସ ଏସ ହେନେରୀଙ୍କ (୨୦୧୬) ଆକଳନ ଅନୁଯାୟୀ ଏହା ମୋଟ ୩୬ ଟ୍ରିଲିୟନ ଡଲାର୍‌। ଅବସରପ୍ରାପ୍ତ ଆଇଆଇଏମ୍‌ (ବାଙ୍ଗାଲୋର) ପ୍ରଫେସର ଆର. ବୈଦ୍ୟନାଥନଙ୍କ ଦ୍ୱାରା ଲିଖିତ ଏକ ପୁସ୍ତକ ‘ବ୍ଲାକ ମନି ଏବଂ ଟ୍ୟାକ୍ସ ହାଭେନ୍ସ’ (୨୦୧୭) ଅନୁସାରେ ଭାରତରେ କଳା ଟଙ୍କା ପରିମାଣ ୧୫ ଲକ୍ଷ କୋଟି ଟଙ୍କା ହୋଇଥିଲାବେଳେ ବିଦେଶର ଟିକସ ଆଶ୍ରୟସ୍ଥଳୀରେ ଭାରତୀୟମାନଙ୍କର ୬୫ ଲକ୍ଷ କୋଟି ଟଙ୍କା ରହିଛି। ଏହା ଉପରେ ସରକାର କୌଣସି ଟିକସ ପାଉନାହାନ୍ତି। ଅନେକ ଟ୍ୟାକ୍ସ ହାଭେନ୍ସରେ ନିବେଶକୁ ବେଆଇନ ନୁହେଁ ବୋଲି କହିଥାନ୍ତି। କିନ୍ତୁ ଏହା ଅନୈତିକ, ଦେଶର ସ୍ବାର୍ଥ ବିରୋଧୀ। ଦେଶ, ଜନତାକୁ ଭଲ ପାଉଥିବା କୌଣସି ବ୍ୟକ୍ତି ଏହି କାର୍ଯ୍ୟ କରିବ ନାହିଁ। ଏଣୁ ଏହି ଟ୍ୟାକ୍ସ ହାଭେନ୍ସ ବ୍ୟବସ୍ଥାର ସମ୍ପୂର୍ଣ୍ଣ ବିଲୋପ ଆବଶ୍ୟକ।
ମୋ: ୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri