ସଙ୍କଟରେ ଶିକ୍ଷା

ରବିନାରାୟଣ ସାମଲ

ସ୍ୱାଧୀନୋତ୍ତର ଭାରତବର୍ଷରେ ଶିକ୍ଷାର ସଂସ୍କାର ନିମିତ୍ତ ଅନେକ କମିଶନ ବସିସାରିଛି। ମାତ୍ର କମିଶନଙ୍କ ସୁପାରିସ କାର୍ଯ୍ୟକାରୀ ହେବା ପରିବର୍ତ୍ତେ ଶୀତଳଭଣ୍ଡାରକୁ ଚାଲିଯାଇଛି। ପ୍ରବର୍ତ୍ତିତ ଜାତୀୟ ଶିକ୍ଷାନୀତି ଶିକ୍ଷା କ୍ଷେତ୍ରକୁ ସମ୍ପ୍ରସାରିତ କରିବା ପରିବର୍ତ୍ତେ ଅଧିକ ସଂକୁଚିତ କରିଛି। ଦେଶରେ ଶିକ୍ଷିତ-ଅର୍ଦ୍ଧ ଶିକ୍ଷିତ ସୃଷ୍ଟି କରିଛି, ଥିଲାବାଲା-ନଥିଲାବାଲା ସୃଷ୍ଟି କରିଛି, ଶୋଷକ ଓ ଶାସକ ସୃଷ୍ଟି କରିଛି। ଶିକ୍ଷା ଏକ ଯୁଗ୍ମ ତାଲିକା ଅନ୍ତର୍ଭୁକ୍ତ ବିଷୟ। ମାତ୍ର ନୂତନ ଶିକ୍ଷାନୀତି-୨୦୨୦ରେ ରାଜ୍ୟର ଭୂମିକାକୁ ନୂ୍ୟନ କରି କେନ୍ଦ୍ର ହାତରେ ଅଧିକ କ୍ଷମତା ଠୁଳ କରିବାକୁ ନରେନ୍ଦ୍ର ମୋଦିଙ୍କ ସରକାର ଚେଷ୍ଟା କରିଛନ୍ତି। ଏହାର ଅପ୍ରୀତିକର ଫଳ ଦେଖିବାକୁ ମିଳିଛି ତାମିଲନାଡ଼ୁରେ। ମେଡିକାଲ କଲେଜରେ ନାମଲେଖା ପାଇଁ କେନ୍ଦ୍ର ସରକାର ପ୍ରବର୍ତ୍ତିତ କରିଥିବା ସର୍ବଭାରତୀୟ ନିଟ୍‌ ପରୀକ୍ଷାକୁ ପ୍ରତ୍ୟାଖ୍ୟାନ କରି ତାମିଲନାଡ଼ୁ ବିଧାନସଭାରେ ଏକ ବିଲ୍‌ ପାସ୍‌ ହୋଇଛି। ନିଟ୍‌ ମାଧ୍ୟମରେ ନୁହେଁ, +୨ ମାର୍କକୁ ବିଚାରକୁ ନେଇ ମେଡିକାଲ କଲେଜରେ ନାମଲେଖା ଯିବ ବୋଲି ସ୍ଥିର ହୋଇଛି। କେବଳ ତାମିଲନାଡ଼ୁ ନୁହେଁ; ଆନ୍ଧ୍ର, ଗୁଜରାଟ ଓ ମହାରାଷ୍ଟ୍ର ମଧ୍ୟ କେନ୍ଦ୍ର ସରକାରଙ୍କ ନିଟ୍‌ ପରୀକ୍ଷାକୁ ବିରୋଧ କରିଛନ୍ତି। ସାମ୍ବିଧାନିକ ପ୍ରତିବନ୍ଧକ ଏଡ଼ାଇବାକୁ କେନ୍ଦ୍ର ସରକାର ନିଟ୍‌ ପରି କେତେଗୁଡ଼ିଏ ସର୍ବଭାରତୀୟ ପ୍ରତିଷ୍ଠାନ ଗଠନ କରି ରାଜ୍ୟଗୁଡ଼ିକର କ୍ଷମତାକୁ ସଂକୁଚିତ କରିବାକୁ ଚେଷ୍ଟା କରିଛନ୍ତି।
ଆଉ ଏକ ଘଟଣା ସାରା ଦେଶରେ ବର୍ତ୍ତମାନ ଚର୍ଚ୍ଚିତ ହୋଇଛି। ରାମାୟଣ, ମହାଭାରତ ଓ ରାମଚରିତ ମାନସକୁ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ମଧ୍ୟପ୍ରଦେଶ ଶିକ୍ଷାମନ୍ତ୍ରୀ ଡ. ମୋହନ ଯାଦବ ଘୋଷଣା କରିଛନ୍ତି। ଜାତୀୟ ଶିକ୍ଷାନୀତି-୨୦୨୦ ଆଧାରରେ ରାଜ୍ୟ ସିଲାବସ୍‌ କମିଟି କୁଆଡ଼େ ଏହା ସୁପାରିସ କରିଛି। ବିଜ୍ଞାନ ଭିତରେ ଅବୈଜ୍ଞାନିକ ଚିନ୍ତାଧାରା! ଲୋହିତ ଗ୍ରହକୁ ହାତ ବଢ଼ାଉଥିବା ଦେଶର ଲକ୍ଷ ଲକ୍ଷ ମେଧାବୀ ଛାତ୍ରୀଛାତ୍ରମାନେ ଏହା ଦ୍ୱାରା ଯେ ଲୋହିତ ସାଗରରେ ଭାସିଯିବେ, ଏହା ଜଳ ଜଳ କରି ଦେଖାଯାଉଛି।
ଶିକ୍ଷା ବିକାଶର ଚାବିକାଠି। ସାତ ଦଶନ୍ଧିର ପରୀକ୍ଷାନିରୀକ୍ଷା ପରେ ଦେଶର ଶିକ୍ଷା ବ୍ୟବସ୍ଥାରେ ଯଦି ଆଶାନୁରୂପ ଉନ୍ନତି ନ ହୋଇ ପାରିଲା, ତେବେ ଦେଶର ‘ବିକାଶ’ କେବଳ ଏକ ଦିବାସ୍ବପ୍ନ ହୋଇ ରହିଯିବ। ସମ୍ପ୍ରତି ତାଲିବାନ୍‌ ଶାସିତ ଆଫଗାନିସ୍ତାନରେ ଶିକ୍ଷା କ୍ଷେତ୍ରରେ ଯେପରି ଚଡ଼କ ପଡ଼ିଛି, ସେହିପରି ଆମ ଶିକ୍ଷା ବହୁ ବର୍ଷ ପଛକୁ ଫେରିଯିବ। ସରକାର ଘୋଷଣା କରିଥିବା ଜାତୀୟ ଶିକ୍ଷାନୀତିରେ ଥିବା ବ୍ୟବସ୍ଥା ଏଥିପାଇଁ ଉତ୍ତରଦାୟୀ ହେବ, କିନ୍ତୁ ସରକାର ଉତ୍ତରଦାୟୀ ହେବେ ନାହିଁ। ସରକାରୀ ହାତରୁ ଶିକ୍ଷା ଚାଲିଯାଇ ଘରୋଇ ହାତରେ ରହିବ। କେତେଗୁଡ଼ିଏ ବିଦ୍ୟାାଳୟକୁ ନେଇ ‘ସ୍କୁଲ୍‌ କମ୍ପ୍ଲେକ୍ସ’ ଗଠନ ହେବ। ଗୋଟିଏ ବିଦ୍ୟାଳୟର ଶିକ୍ଷକ କମ୍ପ୍ଲେକ୍ସ ଅନ୍ତର୍ଗତ ଏକାଧିକ ବିଦ୍ୟାଳୟରେ ଶିକ୍ଷାଦାନ କରିବେ। ଶିକ୍ଷାନୀତିର ପାରା-୭ ଅନୁଯାୟୀ ଅଳ୍ପ ସଂଖ୍ୟକ ଲୋକ ବାସ କରୁଥିବା ଅଞ୍ଚଳରେ ବିଦ୍ୟାଳୟକୁ ସବୁଦିନ ପାଇଁ ବନ୍ଦ କରିଦିଆଯିବ। ଏବେ ତ ସାରା ଦେଶରେ ଏହି ଅଭିଯାନ ଚାଲିଛି। ୟୁଡାଇସ୍‌ ତଥ୍ୟ ଅନୁଯାୟୀ ୨୦୨୦ ସୁଦ୍ଧା ଦେଶରେ ୪୩,୨୯୨ଟି ସରକାରୀ ବିଦ୍ୟାଳୟ ଲୋପ ପାଇଯାଇଛି। ମଧ୍ୟପ୍ରଦେଶରେ ସର୍ବାଧିକ ଏହି ସଂଖ୍ୟା ୨୦,୬୦୦ ହୋଇଥିବା ସ୍ଥଳେ ଉତ୍ତରପ୍ରଦେଶରେ ୧୯,୦୦୦ରେ ପହଞ୍ଚତ୍ଛି। ଓଡ଼ିଶାରେ ପ୍ରାୟ ୮,୦୦୦ ସରକାରୀ ବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଛି। ଏଥିଯୋଗୁ ଦେଶରେ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ର ସଂଖ୍ୟା ଗତ ୧୦ ବର୍ଷ ମଧ୍ୟରେ ୧୩.୫ କୋଟିରୁ ହ୍ରାସ ପାଇ ୧୨.୨ କୋଟିରେ ପହଞ୍ଚତ୍ଛି। ବିଦ୍ୟାଳୟ ଉଚ୍ଛେଦ ସାଙ୍ଗକୁ ସ୍କୁଲ କମ୍ପ୍ଲେକ୍ସ ଗଠନ ଓ ଘରୋଇ ହାତକୁ କ୍ଷମତା ପ୍ରଦାନ ଦେଶର ଶିକ୍ଷା କ୍ଷେତ୍ରରେ ହାହାକାର ସୃଷ୍ଟି କରିବାର ଯଥେଷ୍ଟ ଆଶଙ୍କା ଅଛି। ସମସ୍ତ ପିଲାଙ୍କୁ ପାଠ ପଢ଼ିବାର ସୁଯୋଗ ଦେବା ପାଇଁ ଶିକ୍ଷା ଅଧିକାର ଆଇନ-୨୦୦୯ ପ୍ରଣୟନ ହେଲା। ତା’ ସତ୍ତ୍ୱେ ୨୪ କୋଟି ୭ ଲକ୍ଷ ପିଲା ସ୍କୁଲ୍‌ ବାହାରେ ରହିଗଲେ। ତଥାପି ସରକାର ଏବେ ଏହି ଦାୟିତ୍ୱରୁ ମୁକ୍ତ ହେବାକୁ ବସିଛନ୍ତି। ସରକାରଙ୍କ ଇସିସିଇ (ବାଲ୍ୟକାଳରୁ ଶିଶୁର ଶିକ୍ଷା ଓ ଯନତ୍) ନୀତିରେ ୩ରୁ ୬ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ଅଙ୍ଗନଓ୍ବାଡ଼ି ଓ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ଦିଆଯିବାକୁ ସ୍ଥିର ହୋଇଛି। ଆମେ ତ ଆମ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡ଼ିର ଅବସ୍ଥା ଦେଖୁଛେ। ଏଠାରେ କେଉଁ ପିଲାମାନେ ପଢ଼ନ୍ତି? ଏଠାରୁ ଦେଶର କି ଭବିଷ୍ୟତ ଗଢ଼ାଯିବ? ଥିଲାବାଲାଙ୍କ ପିଲାମାନେ କେଉଁ ବିଦ୍ୟାଳୟରେ ପଢ଼ିବେ? ଜାତୀୟ ଶିକ୍ଷାନୀତିରେ ଏ ବିଷୟ ଉଲ୍ଲେଖ ନ ଥିଲେ ମଧ୍ୟ ଏହା ଜାଣିବାରେ ଅସୁବିଧା ନାହିଁ। ଶିକ୍ଷାର ବ୍ୟବସାୟୀକରଣକୁ ତ୍ୱରାନ୍ବିତ କରାଯିବାକୁ ସମସ୍ତ ପ୍ରକାର ସୁଯୋଗ ସୃଷ୍ଟି କରାଯାଇଛି।
ଦେଶରେ ହୁ ହୁ ହୋଇ ବେରୋଜଗାରି ବଢ଼ୁଥିବା ବେଳେ ‘ନୂତନ ଶିକ୍ଷାନୀତି ନିଯୁକ୍ତି ଖୋଜୁଥିବା ମଣିଷ ବଦଳରେ ନିଯୁ୍‌କ୍ତି ସୃଷ୍ଟିକାରୀ ମଣିଷ ତିଆରି କରିବ’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ‘ଲୋକାଲ୍‌ ଫର୍‌ ଭୋକାଲ୍‌’ ସାଙ୍ଗକୁ ‘ଆମତ୍ନିର୍ଭର’ ସ୍ଲୋଗାନ୍‌ ପ୍ରଧାନମନ୍ତ୍ରୀଙ୍କ ଏହି ବିବୃତିକୁ ଖୋରାକ ଯୋଗାଇଛି। ‘ଷ୍ଟାର୍ଟ ଅପ୍‌’ କଥା ଆସୁଛି, ‘ଦକ୍ଷତା ବିକାଶ’ କଥା ଆସୁଛି, ମାତ୍ର ବେକାରି ବୋଝକୁ ମୁଣ୍ଡରେ ବୋହି ଲକ୍ଷ ଲକ୍ଷ ଯୁବକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଚାଲିଯାଉଛନ୍ତି। ନୂତନ ଶିକ୍ଷାନୀତିରେ ପ୍ରବାସୀ ଶ୍ରମିକଙ୍କ ପିଲାଙ୍କ ପାଇଁ ‘ନାଗରିକ ସମାଜ ସହାୟତାରେ ବିକଳ୍ପ ଓ ସୃଜନଶୀଳ ଶିକ୍ଷା କେନ୍ଦ୍ର’ ପ୍ରତିଷ୍ଠା କଥା କୁହାଯାଇଛି। ମାତ୍ର ଏହି ‘ନାଗରିକ ସମାଜ’ କେଉଁଠି ଅଛି, କିଏ କରିଛି? ଆକାଶକୁ ଟେକା ଫିଙ୍ଗିବା ଭଳି ଏହି ନୀତିଟା ସ୍ଥିର କରାଯାଇଛି।
୧୦+୨+୩ ଅଧାପନ୍ତରିଆ ହୋଇଥିବା ବେଳେ ୫+୩+୩+୪ ଏବେ ଲାଗୁ ହେବ। ବିଦ୍ୟାଳୟ ଓ ମହାବିଦ୍ୟାଳୟର ପାଠ୍ୟ ପୁସ୍ତକ ରାଜ୍ୟସ୍ତରରେ ଚୟନ ନ ହୋଇ କେନ୍ଦ୍ର ସ୍ତରରୁ ହେବ। ଉଚ୍ଚ ଶିକ୍ଷା ଓ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ସର୍ବଭାରତୀୟ ସାଧାରଣ ପ୍ରବେଶିକା ପରୀକ୍ଷା (ଏନ୍‌ଟିଏ) ହେବ। ଜାତୀୟ ମୂଲ୍ୟାଙ୍କନ କେନ୍ଦ୍ର (ନାକ୍‌) ନାମରେ ଏକ କେନ୍ଦ୍ରୀୟ ସଂସ୍ଥା ଗଠନ ହେବ। ଫଳରେ ରାଜ୍ୟରେ ଥିବା ଶିକ୍ଷା ବୋର୍ଡ଼ଗୁଡ଼ିକ ଅକାମୀ ହୋଇଯିବ। ଭିନ୍ନକ୍ଷମ, ସାମାଜିକ ଓ ଅର୍ଥନୈତିକ ଭାବେ ଦୁର୍ବଳ ଗୋଷ୍ଠୀଙ୍କ ପାଇଁ ମୁକ୍ତ ବିଦ୍ୟାଳୟର ବ୍ୟବସ୍ଥା ହେବ।
ଆମ ଦେଶରେ ଅଧିକାଂଶ ସରକାରୀ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ଜାତୀୟ ଶିକ୍ଷାନୀତିରେ ଏସବୁ ସମ୍ବନ୍ଧରେ କିଛି ବି ବ୍ୟବସ୍ଥା ନାହିଁ। ସେପ୍ଟେମ୍ବର ୭ରୁ ୧୭ ତାରିଖ ଯାଏ କେନ୍ଦ୍ର ସରକାର ‘ଶିକ୍ଷକ ପର୍ବ’ ପାଳନ କଲେ। ବିନା ବେତନରେ ବର୍ଷ ବର୍ଷ ଧରି ଶିକ୍ଷାଦାନ କରୁଥିବା କୋଟି କୋଟି ଶିକ୍ଷକମାନଙ୍କ ପାଇଁ କେନ୍ଦ୍ର ସରକାର ପଦେ ହେଲେ ବି କିଛି ଆଶ୍ୱାସନା ଦେଲେ ନାହିଁ। ତେବେ ଏହା କାହାର ପର୍ବ ଥିଲା- ଶିକ୍ଷକଙ୍କର ନା ସରକାରଙ୍କର?
ଦେଶର ଶିକ୍ଷା ଅବସ୍ଥା ଅତ୍ୟନ୍ତ ଦୟନୀୟ। ଧର୍ମକୁ ଆଖିଠାର ମାରିଲା ଭଳି ନାମକୁମାତ୍ର ସ୍କୁଲ-କଲେଜ ଚାଲିଛି। ଏସବୁର ସମାଧାନ ପନ୍ଥା ଅନ୍ତତଃପକ୍ଷେ ଜାତୀୟ ଶିକ୍ଷା ନୀତିରେ ସ୍ଥାନ ପାଇବାର ଆବଶ୍ୟକତା ଥିଲା, ମାତ୍ର ତାହା ହୋଇ ନାହିଁ। ପ୍ରବର୍ତ୍ତିତ ବିଭେଦକାରୀ ନୂତନ ଶିକ୍ଷାନୀତି-୨୦୨୦ ସରକାରଙ୍କ ଉଦ୍ଦେଶ୍ୟ ସାଧନ କରିବ ସିନା, ଦେଶର ସେମିତି କିଛି ଉପକାରରେ ଆସିବ ନାହିଁ।
ମୋ: ୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri