୫୦ ଫୁଟ୍‌ ରାସ୍ତା ପାଇଁ ୫ ଲକ୍ଷ ବ୍ୟୟ ଅଟକଳ

କାଳିଆପାଣି,୩୦ା୬(ଡି.ଏନ.ଏ.): କଂକ୍ରିଟ୍‌ ରାସ୍ତା ନିର୍ମାଣ ନାମରେ ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ଅର୍ଥ ବେଆଇନ୍‌ ଭାବେ ହରିଲୁଟ ହେଉଥିବା ଅଭିଯୋଗ ହୋଇଛି। ମାତ୍ର ୫୦ ଫୁଟ କଂକ୍ରିଟ୍‌ ରାସ୍ତା ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ ବୋର୍ଡ ମରାଯାଇଛି। ଅନ୍ୟପକ୍ଷେ ସେହି କାମ ନିମ୍ନମାନର ହେଉଥିବା ଗ୍ରାମବାସୀ କହିଛନ୍ତି।
ସୂଚନା ଅନୁଯାୟୀ, ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଚିଙ୍ଗୁଡିପାଳ ପଞ୍ଚାୟତର ଧବାହାଳୀ ଗ୍ରାମରେ ନୂତନ ଭାବେ ଅନାମ ମହାନ୍ତଙ୍କ ଘରଠାରୁ ଶ୍ୟାମସୁନ୍ଦର ମହାନ୍ତଙ୍କ ଘର ପର୍ଯ୍ୟନ୍ତ କଂକ୍ରିଟ୍‌ ରାସ୍ତା ନିର୍ମାଣ କରାଯାଉଛି, ଯାହାର ବ୍ୟୟ ଅଟ୍ଟକଳ ୫ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି । ସୁକିନ୍ଦା ପଞ୍ଚାୟତ ସମିତି ଦ୍ବାରା ବିନା ଟେଣ୍ଡରରେ କେତେଜଣ ଲୋକଙ୍କୁ ସନ୍ତୁଷ୍ଟ କରିବାକୁ ରାସ୍ତା ନିର୍ମାଣ ନାଁରେ ଅର୍ଥ ପ୍ରଦାନ କରାଯାଇଛି । ନିର୍ମାଣଧୀନ ରାସ୍ତା କାମ ନିମ୍ନମାନର କରାଯାଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ତଳେ ବାଲି ଦେଇ ୭ ଇଞ୍ଚ ମେଣ୍ଟାଲିଂ କରି ଉପରେ ଅଳ୍ପ ଚିପ୍ସରେ କଂକ୍ରିଟ୍‌ କରାଯାଉଛି । ନିର୍ମାଣ ସାମଗ୍ରୀର ଭାଗମାପ ଠିକ୍‌ ରହୁନାହିଁ । ହାତ ମାରିଲେ ଚିପ୍ସଗୁଡିକ ବାହାରକୁ ଦେଖାଯାଉଛି । ଅଳ୍ପ ଦିନରେ ସେହି ଚିପ୍ସ ଉଠିଯିବ ବୋଲି ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କ ଜଣାଇଛନ୍ତି। ତେବେ ବିଭାଗୀୟ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ନେତାଙ୍କ କାମ ଆମେ କିଛି କରିପାରିବୁ ନାହିଁ ବୋଲି କହୁଛନ୍ତି । ଏନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ବାଘରାଇ ମାଝିଙ୍କୁ ଏ ସଂକ୍ରାନ୍ତରେ ଯୋଗାଯୋଗ କରାଯାଇଥିଲା । ହେଲେ ସେ କୌଣସି ଉତ୍ତର ନ ଦେଇ ଏଡ଼ାଇ ଯାଇଥିଲେ।