Categories: ଖେଳ

ପରୀକ୍ଷାନିରୀକ୍ଷା ସଫଳ ହୋଇଛି

ଓ୍ବେଲ୍‌ ଡନ୍‌ ସ୍କାଲୋନି। ପୋଲାଣ୍ଡ ବିପକ୍ଷରେ ଆର୍ଜେଣ୍ଟିନାର ବିଜୟରେ କୋଚ୍‌ଙ୍କୁ ଶ୍ରେୟ ଦେବାକୁ ପଡ଼ିବ। ଆର୍ଜେଣ୍ଟିନା ଜାତୀୟ ଦଳ ପୁଣି ପ୍ରମାଣିତ କଲା ଯେ, ଏକ ଭଲ ଦଳ ଭାବେ ସେମାନେ ବିଶ୍ୱକପ ଯୋଗ୍ୟତା ପାଇଛନ୍ତି ଏବଂ ଟୁର୍ନାମେଣ୍ଟ ଜିତିବା ପାଇଁ ସେମାନେ ଅନ୍ୟତମ ଟାଇଟଲ ଫେଭରାଇଟ। ସାଉଦି ଆରବ ନିକଟରୁ ପରାଜୟ ପରେ ପରବର୍ତ୍ତୀ ୨ ମ୍ୟାଚରେ ପରୀକ୍ଷାନିରୀକ୍ଷା ସଫଳ ହୋଇଛି। କେବଳ ସେତିକି ନୁହେଁ ଗ୍ରୁପ୍‌ ପର୍ଯ୍ୟାୟର ଶେଷ ମ୍ୟାଚ ଦେଖାଇଦେଲା ଯେ ଏହାର ରିଜର୍ଭ ବେଞ୍ଚ୍‌ ମଧ୍ୟ ବେଶ୍‌ ଦୃଢ଼। ପୋଲାଣ୍ଡ ବିପକ୍ଷ ମ୍ୟାଚରେ ଆର୍ଜେଣ୍ଟିନା ଆରମ୍ଭରୁ ପ୍ରାଧାନ୍ୟ ବିସ୍ତାର କରିଥିଲା। କୌଣସି ପ୍ରକାରେ ଗୋଟିଏ ପଏଣ୍ଟ ପାଇବା ପାଇଁ ପୋଲାଣ୍ଡ ଡିଫେନ୍ସିଭ ଗେମ୍‌ ଖେଳିଥିଲା। ଏହା ଏକ ବଡ଼ ଭୁଲ। ସ୍କାଲୋନିଙ୍କ ପରି କୋଚ୍‌ ଦୃଢ଼ ନିଷ୍ପତ୍ତି ନେଇଥାନ୍ତି ଏବଂ ମ୍ୟାଚ ପରେ ଦଳର ପ୍ରଦର୍ଶନ କିପରି ଉନ୍ନତ ହୋଇପାରିବ ତା’ ଉପରେ ଧ୍ୟାନ ଦେଇଥାନ୍ତି।
ପ୍ରଥମାର୍ଦ୍ଧରେ ଆର୍ଜେଣ୍ଟିନା ଅନେକ ସ୍କୋରିଂ ପରିସ୍ଥିତି ସୃଷ୍ଟି କରିଥିଲା। ମାତ୍ର ସିଜେସ୍ନି ଗୋଲ ହେବାକୁ ଦେଇ ନ ଥିଲେ। ତାଙ୍କ ପ୍ରଦର୍ଶନ ଚମତ୍କାର ଥିଲା। ୩୭ତମ ମିନିଟରେ ଲିଓନେଲ ମେସିଙ୍କ ପେନାଲ୍ଟି ଶଟ୍‌କୁ ମଧ୍ୟ ସେ ରୋକି ଦେଇଥିଲେ। ମାତ୍ର ଦ୍ୱିତୀୟାର୍ଦ୍ଧରେ ଆର୍ଜେଣ୍ଟିନା ପକ୍ଷରୁ ପକାଯାଇଥିବା ଚାପକୁ ସେ ସମ୍ଭାଳିପାରି ନ ଥିଲେ ଏବଂ ଗୋଲ ବରଣ କଲେ। ଦ୍ୱିତୀୟାର୍ଦ୍ଧରେ ମ୍ୟାକ୍‌ ଆଲିଷ୍ଟରଙ୍କ ପ୍ରଥମ ଗୋଲ ଆର୍ଜେଣ୍ଟିନାକୁ ଆଶ୍ୱସ୍ତ କରିଥିଲା। ଜୁଲିଆନ ଆଲଭାରେଜଙ୍କ ଦ୍ୱିତୀୟ ଗୋଲ ଦଳର ବିଜୟକୁ ନିଶ୍ଚିତ କରି ଦେଇଥିଲା। ପୂରା ଗେମ୍‌ରେ ଆଧିପତ୍ୟ ବିସ୍ତାର କରି ଖେଳିଥିବା ଆର୍ଜେଣ୍ଟିନା ଅଧିକ ଗୋଲ ଦେଇ ପାରିଥାନ୍ତା, ମାତ୍ର ୨ଟି ଗୋଲ ପରେ ମେସିଙ୍କ ଦଳ ନିଜକୁ ସହଜ ମଣିଥିଲେ। ମେସି କଠିନ ପରିଶ୍ରମ କରୁଛନ୍ତି, ମାତ୍ର ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇପାରୁ ନାହାନ୍ତି।
୧୯୮୬ ବିଶ୍ୱକପ୍‌ କଥା ମୋର ମନେ ପଡ଼ୁଛି। ନିଜ ଅଭିଜ୍ଞତାରୁ ଏତିକି କହିପାରିବି ଯେ, ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଆର୍ଜେଣ୍ଟିନା କେବେ ଫେଭରାଇଟ ନ ଥିଲା। ପ୍ରଥମ ଗେମ୍‌ ଜିତିବା ପରେ ଇଟାଲୀ ସହିତ ମ୍ୟାଚ ଡ୍ର ରଖିଥିଲୁ ଏବଂ ପରେ ବୁଲ୍‌ଗେରିଆକୁ ହରାଇ ଗ୍ରୁପ୍‌ରେ ଶୀର୍ଷସ୍ଥାନ ଅଧିକାର କରିଥିଲୁ। ଏହା ଦଳକୁ ବଡ଼ ପ୍ରେରଣା ଦେଇଥିଲା। ଫଳରେ ଚିର ପ୍ରତିଦ୍ୱନ୍ଦ୍ୱୀ ଉରୁଗୁଏକୁ ଆମେ ସହଜରେ ହରାଇ କ୍ୱାର୍ଟର ଫାଇନାଲରେ ଇଂଲଣ୍ଡକୁ ଭେଟିଥିଲୁ। ପ୍ରତ୍ୟେକ ଗେମ୍‌ ଏବେ ମଧ୍ୟ ମନରେ ତାଜା ରହିଛି। ୭ ଗେମ୍‌ ବିଶିଷ୍ଟ ଶର୍ଟ ଟୁର୍ନାମେଣ୍ଟରେ ବିଜୟ ହିଁ ଆତ୍ମବିଶ୍ୱାସ ଦେଇଥାଏ ଏବଂ ଫାଇନାଲରେ ପହଞ୍ଚାଇଥାଏ ଆଉ ଚାମ୍ପିୟନ ମଧ୍ୟ କରାଇଥାଏ। ଆର୍ଜେଣ୍ଟିନା ଏକ ଫେଭରାଇଟ ଦଳଭାବେ କାତାରରେ ପହଞ୍ଚତ୍ଥିଲା। ମାତ୍ର ପ୍ରଥମ ଗେମ୍‌ ହାରିବା ପରେ ମନୋବଳ ହରାଇଥିଲା। କ୍ରମେ ଖେଳାଳିମାନେ ସେଥିରୁ ଉଧୁରୁଛନ୍ତି ଏବଂ ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ ପାଖାପାଖି ପହଞ୍ଚତ୍ ଯାଇଛନ୍ତି। ଏବେ ଦଳ ଟୁର୍ନାମେଣ୍ଟ ଜିତିପାରିବ ବୋଲି ଆର୍ଜେଣ୍ଟିନା ଲୋକମାନେ ଅନୁଭବ କରୁଛନ୍ତି।
କିଛି ପରାମର୍ଶ ଦେବାକୁ ଚାହୁଁନାହିଁ। ସେମାନେ ସମସ୍ତେ ଅଭିଜ୍ଞ। ମେସିଙ୍କ ନେତୃତ୍ୱରେ ଏହା ଏକ ଶ୍ରେଷ୍ଠ ଦଳ ହୋଇଥିବାରୁ ନିଜକୁ ପ୍ରମାଣିତ କରିବା ସମୟ ଆସିଛି। ଫୁଟବଲରେ ସବୁକିଛି ସମ୍ଭବ ଥିବାରୁ ପରିସ୍ଥିତିକୁ କିପରି ମୁକାବିଲା କରାଯିବ ତା’ ଉପରେ ଅନେକ କିଛି ନିର୍ଭର କରିବ। ସେମାନେ ଚାମ୍ପିୟନ ହେବାର ଦକ୍ଷତା ରଖିଛନ୍ତି।
(ଚିଭାକ୍‌ ସ୍ପୋଟର୍‌ସ)

Share