ତେଜସ୍ବିନୀ ରାଷ୍ଟ୍ରନାୟିକା

ଓଲେନା ଜେଲେନ୍‌ସ୍କା

ବିଶ୍ୱରେ ଏମିତି କୌଣସି ସମସ୍ୟା ନାହିଁ, ଯାହା ମାନବଜାତି ଚାହିଁଲେ ସମାଧାନ କରିପାରିବ ନାହିଁ। ଯଦି ସମସ୍ତେ ଯୋଡ଼ି ହୋଇଯିବା ବିଶ୍ୱରେ ଶାନ୍ତି ବିରାଜମାନ କରିବ। ସୁଇଜରଲାଣ୍ଡର ଡାଭୋସ୍‌ଠାରେ ବିଶ୍ୱ ଅର୍ଥନୈତିକ ଫୋରମ୍‌ (ଡବ୍ଲ୍ୟୁଇଏଫ୍‌)ର ବାର୍ଷିକ ସମ୍ମିଳନୀର ୧୭ ଜାନୁୟାରୀରେ ୟୁକ୍ରେନ୍‌ର ପ୍ରଥମ ମହିଳା ନାଗରିକ ତଥା ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ସହଧର୍ମିଣୀ ଓଲେନା ଜେଲେନ୍‌ସ୍କା ଏଭଳି ଉଦ୍‌ବୋଧନ ଦେବା ପରେ ଅନ୍ତର୍ଜାତୀୟସ୍ତରରେ ସମବେଦନାର ଏକ ବିଦ୍ୟୁତ୍‌ ପ୍ରବାହିତ ହୋଇଯାଇଛି। ସ୍ବାମୀଙ୍କ ଅଦମ୍ୟ ସାହସ ସହ କାନ୍ଧମିଳାଇ ଜେଲେନ୍‌ସ୍କା ଯେଉଁଭଳି ବିଶ୍ୱବାସୀଙ୍କୁ ଯୁଦ୍ଧ ଯୋଗୁ ମାନବ ସମାଜ ଉପରେ ପଡ଼ିଥିବା ଚଡ଼କ ବିଷୟ ଉଲ୍ଲେଖ କରିଛନ୍ତି, ତାହା ଡବ୍ଲ୍ୟୁଇଏଫ୍‌ ସଭାପତି ବର୍ଜେ ବ୍ରେଣ୍ଡେଙ୍କ ସମେତ ୧୨୬ ଦେଶରୁ ଯାଇଥିବା ବିଶେଷଜ୍ଞ ଓ ପ୍ରାୟ ୨,୭୦୦ ନେତାଙ୍କୁ ଅଭିଭୂତ କରିଦେଇଛି। କେବଳ ଏକତା ହିଁ ଶାନ୍ତି ଫେରାଇ ଆଣିବ। ଏଭଳି ସଙ୍କଟ ସମୟରେ ବିଶ୍ୱ ସମୁଦାୟ ରୁଷିଆ ବିରୋଧରେ ସ୍ବର ଉତ୍ତୋଳନ କରିବାର ସମୟ ଆସିଛି ବୋଲି ଓଲେନା ଆହ୍ବାନ ଦେଇଛନ୍ତି। ରୁଷିଆର ଆକ୍ରମଣ ଯୋଗୁ ଅନେକ ହଜାର ସାମରିକ ଓ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୮୦ ଲକ୍ଷ ୟୁକ୍ରେନୀୟ ବିଭିନ୍ନ ଦେଶରେ ଶରଣାର୍ଥୀ ପାଲଟିଛନ୍ତି। ଏବେ ୟୁକ୍ରେନ୍‌ ଭୂମିରେ ରୁଷିଆର ବାରୁଦ ଥିବା ଭୟରେ କୃଷକ କ୍ଷେତକୁ ଯାଉନାହିଁ। ପ୍ରାୟ ସବୁ ଲୋକ ପ୍ରତି ମୁହୂର୍ତ୍ତରେ ମୃତ୍ୟୁ ଭୟରେ ଜର୍ଜରିତ। ବିଶ୍ୱ ଖାଦ୍ୟ ଓ ଶକ୍ତି ସଙ୍କଟ ସହ ଜଳବାୟୁ ସମସ୍ୟା ବଢ଼ିଯାଇଛି। ୟୁକ୍ରେନ୍‌ର ସମସ୍ତ ସହର ରୁଷିଆ ବୋମାମାଡ଼ରେ ଜଳୁଥିବା ବେଳେ ବିଶ୍ୱବାସୀ ନିରପେକ୍ଷ ଜଳବାୟୁ ବିଷୟ ଭାବିବା ସ୍ବପ୍ନ। ଡାଭୋସ୍‌ଠାରେ ଏଭଳି ଓଜସ୍ବିନୀ ଭାଷଣ ଦେଇଥିବା ଓଲେନାଙ୍କ ମାନବବାଦୀ ଚିନ୍ତାଧାରା ଓ ପଦକ୍ଷେପ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସ୍ବାଭାବିକ।
ୟୁକ୍ରେନ୍‌ର କ୍ରାଇଭି ରି’ଠାରେ ୬ ଫେବୃୟାରୀ ୧୯୭୮ ମସିହାରେ ଓଲେନା ଜନ୍ମଗ୍ରହଣ କରିଥିଲେ। ୨୦୦୦ ମସିହାରେ କ୍ରାଇଭି ରି’ ଟେକ୍ନିକାଲ ୟୁନିଭର୍ସିଟିରୁ ‘ଅର୍ବାନ ଆଣ୍ଡ୍‌ କନ୍‌ଷ୍ଟ୍ରକ୍ସନ ମ୍ୟାନେଜମେଣ୍ଟ’ରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ସେ ମଧ୍ୟ ଏକ ସଙ୍ଗୀତ ବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରି ପିଆନୋ ବାଦନରେ ପାରଦର୍ଶୀ ହୋଇଥିଲେ। କ୍ରାଇଭ୍‌ ରି’ ଜିମ୍ନାସିୟମ୍‌ ନଂ.୯୫ରେ ପଢ଼ୁଥିବାବେଳେ ଜେଲେନ୍‌ସ୍କିଙ୍କୁ ଭେଟିଥିଲେ। ୨୦୦୩ରେ ସେମାନଙ୍କ ପ୍ରେମ ବିବାହରେ ପରିଣତ ହୋଇଥିଲା। ସେମାନଙ୍କଠାରୁ ୨୦୦୪ରେ ଝିଅ ଓଲେକ୍‌ସାନ୍ଦ୍ରା ଓ ୨୦୧୩ରେ ପୁଅ କ୍ରିଏଲୋ ଜନ୍ମ ନେଇଥିଲେ। ପରିବାର ଏବେ କିଭ୍‌ରେ ରହୁଛନ୍ତି। ଓଲେନାଙ୍କ ବ୍ୟକ୍ତିଗତ ରୁଚି କ୍ରୀଡ଼ା ଉପଭୋଗ, ପଢ଼ିବାରେ ଆନନ୍ଦ ଓ ସିନେମାଟୋଗ୍ରାଫିର ମୁଗ୍‌ଧ ପ୍ରଶଂସକ ଭାବେ ରହିଆସିଛି।
ସ୍ବାମୀଙ୍କ କ୍ୟାରିୟର ହାସ୍ୟ ଅଭିନେତାରୁ ଆରମ୍ଭ ହୋଇଥିବାରୁ ଓଲେନା ମଧ୍ୟ ମନୋରଞ୍ଜନ କ୍ଷେତ୍ର ସହ ସଂଶ୍ଳିଷ୍ଟ ରହିବାକୁ ସୁମଧୁର ସଂଯୋଗ ବୋଲି ଧରାଯାଇଥାଏ। ପ୍ରସିଦ୍ଧ ‘କଭର୍ଟାଲ୍‌ ୯୫ ଷ୍ଟୁଡିଓ’ର ଓଲେନା ପ୍ରତିଷ୍ଠାତା ସଦସ୍ୟ ରହିଆସିଛନ୍ତି। ‘କମେଡିଆନ୍‌ ଲାଫ୍‌ ପ୍ରୋଗ୍ରାମ୍‌’ର ସର୍ଜନାଠାରୁ ଆରମ୍ଭ କରି ଅନ୍ୟାନ୍ୟ କାର୍ଯ୍ୟକ୍ରମ ଲାଗି ପାଣ୍ଡୁଲିପି ପ୍ରସ୍ତୁତ କରି ଓଲେନା ମଧ୍ୟ ଜଣେ ସେଲିବ୍ରିଟି ଲେଖକ ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
ଉପରଲିଖିତ ଚରିତ୍ରରେ ଅବତୀର୍ଣ୍ଣ ହୋଇଆସିଥିବା ଓଲେନା ଜଣେ ପ୍ରଗତିଶୀଳ ଚିନ୍ତାନାୟିକା ଓ ସାହସୀ ମହିଳା ଭାବେ ନିଜକୁ ବିଶ୍ୱ ଆଗରେ ଛିଡ଼ା କରାଇବା ତାଙ୍କ ବ୍ୟକ୍ତିତ୍ୱର ଉଜ୍ଜ୍ୱଳ ଦିଗକୁ ଦର୍ଶାଇଥାଏ। ଯୁଦ୍ଧ ପୂର୍ବରୁ ସେ ନିଜ ଦେଶର ନାଗରିକଙ୍କ ସ୍ବାସ୍ଥ୍ୟ, ଶିକ୍ଷା, ସମସ୍ତଙ୍କ ପାଇଁ ସମାନ ସୁଯୋଗ, ସାଂସ୍କୃତିକ ଅଭୀପ୍ସା ଓ ସର୍ବୋପରି ୟୁକ୍ରେନ୍‌ର ଭବିଷ୍ୟତ ଗଢ଼ିବା ଦିଗରେ କାର୍ଯ୍ୟ ଆରମ୍ଭ କରିଥିଲେ। ୨୦୨୧ ଅଗଷ୍ଟ ୨୩ରେ ଫାଷ୍ଟ ଲେଡିଜ୍‌ ଆଣ୍ଡ ଜେଣ୍ଟଲମ୍ୟାନ୍‌ କିଭ୍‌ ସମ୍ମିଳନୀ ଆୟୋଜନ କରି ଓଲେନା ବିଶ୍ୱ ନଜରକୁ ଆସିଥିଲେ। ୨୦୨୨ ଫେବୃୟାରୀ ୨୪ରେ ରୁଷିଆ ଯେତେବେଳେ ୟୁକ୍ରେନ୍‌ ଉପରେ ଆକ୍ରମଣ କଲା ଓଲେନାଙ୍କ ଭିତରେ ଅଙ୍କୁରୋଦ୍‌ଗମ ହୋଇଯାଇଥିବା ନେତୃତ୍ୱ ପାରିପାର୍ଶ୍ୱିକ ସ୍ଥିତିରୁ ବଢ଼ିବାକୁ ଲାଗିଲା। ନିଜ ଦେଶର ନାଗରିକଙ୍କ ସୁରକ୍ଷା ସକାଶେ ପ୍ରଥମ ମହିଳା ନାଗରିକ ଯେ ଏତେବଡ଼ ଲମ୍ଫ ପ୍ରଦାନ କରିପାରନ୍ତି ତାହାର ପ୍ରତିଫଳନ ହୋଇଥିଲା, ଯେତେବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ସ୍ତ୍ରୀ ଜିଲ୍‌ ବାଇଡେନ ୟୁକ୍ରେନ୍‌ର ଅନ୍ୟତମ ସହର ଉଜ୍‌ହୋରାଡ୍‌ରେ ୮ ମେ’ ୨୦୨୨ରେ ପହଞ୍ଚତ୍ଥିଲେ। ଓଲେନା ସେଠାରେ ଜିଲ୍‌ଙ୍କୁ ସାକ୍ଷାତ କରି ୟୁକ୍ରେନ୍‌ର ଅସ୍ବାଭାବିକ ସ୍ଥିତି ବର୍ଣ୍ଣନା କରିଥିଲେ। ତେବେ ତାଙ୍କ ନେତୃତ୍ୱର ଅନ୍ତର୍ଜାତୀୟସ୍ତରୀୟ ପରାକାଷ୍ଠା ପ୍ରଦର୍ଶନ ହୋଇଥିଲା ଜୁଲାଇ ୨୦୨୨ରେ ଆମେରିକା ଗସ୍ତ କାର୍ଯ୍ୟକ୍ରମରୁ। ଆମେରିକା କଂଗ୍ରେସରେ ଭାଷଣ ଦେବାରେ ଓଲେନା ଅନ୍ୟ ଦେଶର ପ୍ରଥମ ମହିଳା ଭାବେ କୀର୍ତ୍ତିମାନ ରଚିଥିଲେ। ସେଠାରେ ସେ ନିଜ ଦେଶର ନାଗରିକଙ୍କ କରୁଣ ଛବି ପ୍ରଦର୍ଶନ କରି ଯୁଦ୍ଧ ବିଭୀଷିକା କେତେ ଯେ କ୍ଷତି କରିପାରେ, ତାହାର ବିବରଣୀ କଂଗ୍ରେସ ସଦସ୍ୟଙ୍କ ନିକଟରେ ଉପସ୍ଥାପନ କରିଥିଲେ। ସେ ଆମେରିକାକୁ ଅସ୍ତ୍ର ମାଗିବାକୁ ଯାଇ କହିଥିଲେ-‘ତାଙ୍କ ଯୁଦ୍ଧାସ୍ତ୍ର ଭିକ୍ଷା କୌଣସି ଦେଶ ବିରୋଧରେ ଯୁଦ୍ଧ ଘୋଷଣା ଲାଗି ଅଭିପ୍ରେତ ନୁହେଁ; ବରଂ ନିଜ ଦେଶକୁ ରକ୍ଷାକରି ଦେଶବାସୀଙ୍କୁ ଉଜାଗର କରିବାରେ ସହାୟକ ହୋଇପାରିବ’। କେବଳ ଆମେରିକା ନୁହେଁ, ୧୯ ସେପ୍ଟେମ୍ବର ୨୦୨୨ରେ ବ୍ରିଟେନ ରାଣୀ ଏଲିଜାବେଥ୍‌ ୨ୟଙ୍କ ଅନ୍ତ୍ୟେଷ୍ଟିରେ ଯୋଗଦେଇ ଓଲେନା ଦେଖାଇଦେଇଥିଲେ ଯେ ଯୁଦ୍ଧ ଜର୍ଜରିତ ୟୁକ୍ରେନ୍‌ ମଧ୍ୟ ବିଶ୍ୱର ପ୍ରତ୍ୟେକଟି ଆତ୍ମାକୁ ସମ୍ମାନ ଦେବାରେ ସଚେଷ୍ଟ।
ଓଲେନାଙ୍କ ବ୍ୟକ୍ତିତ୍ୱର ବହୁମୁଖୀ ଦିଗକୁ ଆଲୋଚନା କରିଚାଲିଲେ, ଆଜିର ଯୁବପିଢ଼ି ଜଣେ ଯୁଦ୍ଧଗ୍ରସ୍ତ ରାଷ୍ଟ୍ରର ପ୍ରଥମ ମହିଳା ନାଗରିକ ଯେ କେତେ ଦୃଢ଼ମନା ତାହା ବୁଝିପାରିବେ। ଡିସେମ୍ବର ୨୦୨୨ରେ ତାଙ୍କୁ ବିବିସିର ଶ୍ରେଷ୍ଠ ୧୦୦ ମହିଳା ସମ୍ମାନ, ଆମେରିକାର ହିଲାରୀ ରୋଧାମ୍‌ କ୍ଲିଣ୍ଟନ୍‌ ସମ୍ମାନ ସହ ଅନେକ ଅନ୍ତର୍ଜାତୀୟ ବ୍ୟକ୍ତିତ୍ୱର ସ୍ବୀକୃତି ମିଳିଲାଣି। କିନ୍ତୁ ଦେଶରକ୍ଷା ସହ ବିଶ୍ୱଶାନ୍ତି ଲାଗି କରୁଥିବା ପ୍ରଚେଷ୍ଟା ସଫଳ ହେଲେ ଓଲେନାଙ୍କ ବ୍ୟକ୍ତିତ୍ୱ ସର୍ବସମ୍ମୁଖରେ ଅଧିକ ଉଜ୍ଜ୍ୱଳ ଦିଶିବ; ରୁଷୀୟ ନାଗରିକ ମଧ୍ୟ ଏକଥାରେ ଏକମତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri