ମାତୃଭାଷାରେ ଶିକ୍ଷାଦାନ

ଡ. ମନୋରଞ୍ଜନ ପ୍ରଧାନ

 

ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ମତରେ, ମାତୃଭାଷା ଶିଶୁ ପାଇଁ ମାତୃ କ୍ଷୀର ସଦୃଶ। ଅର୍ଥାତ୍‌ ମାଆ କ୍ଷୀର ଯେପରି ଶିଶୁର ଶରୀରକୁ ବଳିଷ୍ଠ ଓ ମାନସିକ ସାମର୍ଥ୍ୟକୁ ଉତ୍କୃଷ୍ଟ କରିଥାଏ, ସେହିପରି ମାତୃଭାଷା ଶିଶୁର ଚିନ୍ତା, ଚେତନା, ବୌଦ୍ଧିକ ଶକ୍ତି ଓ ସୃଜନଶୀଳତା ଉନ୍ମେଷର ମହୋଷଧି। ମାତୃଭାଷା ମାଧ୍ୟମରେ ଶିକ୍ଷା କୋମଳମତି ବାଳିକାବାଳକମାନଙ୍କୁ କେବଳ ଯେ ପଢା ପ୍ରତି ଆଗ୍ରହ ସୃଷ୍ଟି କରାଏ ତାହା ନୁହେଁ ବରଂ ଏହା ଶିକ୍ଷା ଓ ଶିକ୍ଷଣ ପ୍ରକ୍ରିୟାକୁ ସହଜ, ସରଳ ଓ ସୁବୋଧ କରିଥାଏ। ତେଣୁ ଲୋକମାନ୍ୟ ବାଲ ଗଙ୍ଗାଧର ତିଳକ କହନ୍ତି, ଗୋଟିଏ ବିଦେଶୀଭାଷା ଶିକ୍ଷାଲାଗି ଏପରି ବାଧ୍ୟବାଧକତା ଭାରତ ଛଡା ଆଉ କେଉଁ ଦେଶରେ ଦେଖାଯାଏ ନାହିଁ। କୋଡ଼ିଏ ପଚାଶ ବର୍ଷ ଧରି ଇଂରେଜ ଭାଷା ମାଧ୍ୟମରେ ଆମେ ଯାହା ଶିକ୍ଷା କରିଛୁ, ମାତୃଭାଷା ମାଧ୍ୟମରେ ଆମେ ତାହା ସହଜରେ ସାତ ଆଠ ବର୍ଷରେ ଶିକ୍ଷାଲାଭ କରିପାରିବୁ। ଅର୍ଥାତ୍‌ ମାତୃଭାଷାରେ ଶିକ୍ଷା ଅତ୍ୟନ୍ତ ପ୍ରାଣସ୍ପର୍ଶୀ ଓ ସହଜସାଧ୍ୟ ହୋଇପାରୁଥିଲେ ମଧ୍ୟ ଆମ ଇଂଲିଶ ମାନସିକତା ମାତୃଭାଷା ପ୍ରତି ଆମ ଘୃଣା ଓ ସଂକୀର୍ଣ୍ଣତାକୁ ବ୍ୟକ୍ତ କରୁଛି। ବିଶ୍ୱର ଅନେକ ବିକଶିତ ରାଷ୍ଟ୍ର ନିଜ ମାତୃଭାଷାରେ ଶିକ୍ଷାଦାନ କରି ବିଜ୍ଞାନ, ବୈଷୟିକ ବିଦ୍ୟା, ଗବେଷଣା ତଥା ଅର୍ଥନୀତି କ୍ଷେତ୍ରରେ ସଫଳତାର ଶୀର୍ଷରେ ପହଞ୍ଚିପାରିଛନ୍ତି। ସାରା ବିଶ୍ୱର ଶିକ୍ଷାବିତ୍‌, ମନୋବିଜ୍ଞାନୀ ଓ ଗବେଷକମାନେ ନିଜ ନିଜର ଅନୁସନ୍ଧାନ ଏବଂ ଗବେଷଣା ବଳରେ ପିଲାଙ୍କ ଶିକ୍ଷା ପାଇଁ ମାତୃଭାଷାରେ ଶିକ୍ଷାଦାନ ସର୍ବୋତ୍କୃଷ୍ଟ ମାଧ୍ୟମ ବୋଲି ଯୁକ୍ତି ବାଢିଛନ୍ତି। ଶିଶୁ ମାତୃକୋଳରୁ ମାତୃଭାଷାକୁ ଆହରଣ ବା ଶିକ୍ଷଣ କରିଥାଏ ବୋଲି ଏହାକୁ କୋଳଭାଷା ମଧ୍ୟ କୁହାଯାଏ। ଏହା ମାଧ୍ୟମରେ ଶିକ୍ଷା ଶିଶୁକୁ ସ୍ବାଭିମାନ କରିବା ସହ ନିଜ ଐତିହ୍ୟ, ପରମ୍ପରା ଓ ସଂସ୍କୃତି ସମ୍ବନ୍ଧରେ ପରିଚିତ କରେଇଥାଏ। ମାତୃଭାଷାରେ ଶିଶୁ ନିଜ ଭାବକୁ ନିିର୍ଭୟ ଓ ନିଦ୍ୱନ୍ଦ୍ୱରେ ପ୍ରକଟ କରିପାରେ। ନିଜ ସୃଜନଶକ୍ତିକୁ ଲିଖିତ ବା କଥିତଭାବେ ଅତି ସହଜରେ ବ୍ୟକ୍ତ କରିପାରେ। ମାତୃଭାଷାରେ ଶିକ୍ଷାଦାନ ଫଳରେ ପିଲାମାନେ ପୁସ୍ତକାର୍ଜିତ ବିଦ୍ୟାକୁ ଜୀବନ ସହ ସହଜରେ ଯୋଡିବାରେ ସଫଳ ହୋଇଥାନ୍ତି। ଆଉ ମାତୃଭାଷାରେ ଶିକ୍ଷା କେବଳ ମସ୍ତିଷ୍କ ନୁହଁ, ପିଲାମାନଙ୍କର ହୃଦୟକୁ ସ୍ପର୍ଶ କରିଥାଏ। ଏ ସମ୍ବନ୍ଧରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ନେଲସନ ମଣ୍ଡେଲା କହନ୍ତି- ତୁମେ ଯଦି ଜଣେ ବ୍ୟକ୍ତିକୁ ସେ ବୁଝିପାରୁଥିବା କୌଣସି ଭାଷାରେ କହିବ ତାହା ତା’ର ମସ୍ତିଷ୍କକୁ ଛୁଇଁପାରିବ, କିନ୍ତୁ ତାକୁ ଯଦି ତୁମେ ତା’ର ଭାଷାରେ କହିବ, ତାହା ବ୍ୟକ୍ତିର ହୃଦୟକୁ ସ୍ପର୍ଶ କରିପାରିବ।
ଆମ ସମ୍ବିଧାନର ଧାରା ୩୫୦(କ)ରେ ଲେଖାଅଛି କି ପ୍ରାଥମିକ ଶ୍ରେଣୀ ଯାଏ ପିଲାମାନଙ୍କୁ ବିଶେଷକରି ଭାଷାଗତ ସଂଖ୍ୟାଲଘୁ ପିଲାମାନଙ୍କୁ ନିଜ ଆଞ୍ଚଳିକ ବା ଘରୋଇ ଭାଷାରେ ଶିକ୍ଷାଦାନ ପାଇଁ ପ୍ରତ୍ୟେକ ରାଜ୍ୟ ତଥା ଆଞ୍ଚଳିକ ଅଧିକାରୀ ପ୍ରୟାସ କରିବେ। ଡକ୍ଟର ଡି.ଏସ. କୋଠାରୀଙ୍କ ଅଧ୍ୟକ୍ଷତାରେ ଗଠିତ ଭାରତୀୟ ଶିକ୍ଷା ଆୟୋଗ (୧୯୬୪-୬୬)ଭାରତର ଆଦିବାସୀ ଅଞ୍ଚଳର ପିଲାମାନଙ୍କୁ ପ୍ରଥମ ଦୁଇବର୍ଷ ନିଜ ଘରଭାଷାରେ ପାଠଦାନ ସହ ପୁସ୍ତକ ମଧ୍ୟ ସେହି ଭାଷାରେ ପ୍ରସ୍ତୁତ ପାଇଁ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ। ୧୯୮୬ର ଜାତୀୟ ଶିକ୍ଷାନୀତି ଓ ଶିକ୍ଷା ଅଧିକାର ଅଧିନିୟମ ୨୦୦୯, ପ୍ରାଥମିକ ବିଦ୍ୟାଳୟଗୁଡିକରେ ପିଲାମାନଙ୍କୁ ମାତୃଭାଷାରେ ଶିକ୍ଷା ପ୍ରଦାନ ପାଇଁ ଅନେକ ପରାମର୍ଶ ଓ ପ୍ରାବଧାନ କରିଛନ୍ତି। କିଛିଦିନ ପୂର୍ବେ କେନ୍ଦ୍ର କ୍ୟାବିନେଟରେ ପାରିତ ଜାତୀୟ ଶିକ୍ଷାନୀତି ୨୦୨୦ ମଧ୍ୟ ମାତୃଭାଷାରେ ଶିକ୍ଷା ଓ ବହୁଭାଷୀୟ ଶିକ୍ଷାକୁ ଗୁରୁତ୍ୱ ଦେଇଛି। ଏହି ଶିକ୍ଷାନୀତି ସାରା ଦେଶର ଉଭୟ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡିକରେ ପଞ୍ଚମ ଶ୍ରେଣୀ ଯାଏ (ଆବଶ୍ୟକ ସ୍ଥଳେ ଅଷ୍ଟମ ଶ୍ରେଣୀ ଯାଏ) ନିଜ ଘରୋଇ/ଆଞ୍ଚଳିକ ବା ମାତୃଭାଷାରେ ଶିକ୍ଷାଦାନ ପାଇଁ ବ୍ୟବସ୍ଥା କରିଛି। ଏପରି କି ସବୁ ବିଷୟର ପାଠ୍ୟ-ପୁସ୍ତକ ମାତୃଭାଷାରେ ପ୍ରସ୍ତୁତ ପାଇଁ ଏହି ଶିକ୍ଷାନୀତି ପ୍ରସ୍ତାବ ରଖିଛି। ମାତୃଭାଷା କହିଲେ ପିଲା ଯେଉଁ ଭାଷା ମାଆ କୋଳରୁ ବା ଘରୋଇ ପରିବେଶରେ ଶିଖିଥିବା ଭାଷାକୁ ଆମେ ବୁଝୁ। ଅନ୍ୟ କୌଣସି ଭାଷା ପିଲାଙ୍କ ଉପରେ ଲଦି ନ ଦେଇ ନିଜ ମାତୃଭାଷାରେ ଶିକ୍ଷାଦାନ ପାଇଁ ହୋଇଥିବା ଏହି ବ୍ୟବସ୍ଥା ପିଲାମାନଙ୍କ ଶିକ୍ଷା ଗ୍ରହଣର ଚାପକୁ ଲାଘବ କରିପାରିବ। କାରଣ ବହୁ ସମୟରେ ଆମେ ପିଲାଙ୍କ ଉପରେ ଅନ୍ୟ ଭାଷାର ଚାପ ସୃଷ୍ଟି କରିଥାଉ। ପିଲାମାନେ ବାଧ୍ୟହୋଇ ଅବୋଧ ଭାଷାକୁ ଶୁଆ ଭଳି ଘୋଷି ମନେରଖିବାକୁ ବହୁ କଷ୍ଟ ସହିଥାନ୍ତି। ମାତୃଭାଷା ସହ ଅନେକ ଭାଷା ଶିଖିବାର ଅସୁବିଧା ନାହିଁ। କିନ୍ତୁ ଜୋର୍‌ କରି ଶିଖେଇବାର ମାନସିକତା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତେବେ ପ୍ରଶ୍ନ ଉଠୁଛି ନିଜ ମାତୃଭାଷାରେ ଶିକ୍ଷାଦାନ ବା ମାତୃଭାଷାରେ ପଢା ଯାଉଥିବା ବିଦ୍ୟାଳୟରେ ପଢେଇବା ପାଇଁ ଆମ ଅଭିଭାବକମାନେ ଅରାଜି କାହିଁକି? କାରଣ କିନ୍ତୁ ଅନେକ।
ତଥ୍ୟ ଅନୁସାରେ ଗ୍ରାମାଞ୍ଚଳଠାରୁ ସହରାଞ୍ଚଳ ଯାଏ ଘରୋଇ ଓ ଇଂଲିଶ ମାଧ୍ୟମ ବିଦ୍ୟାଳୟଗୁଡ଼ିକରେ ନାମଲେଖା ହାର ଧୀରେ ଧୀରେ ବଢିବାରେ ଲାଗିଛି। ଗରିବ ମାତାପିତା ସବୁ ଆର୍ଥିକ ଅନଟନ ସତ୍ତ୍ୱେ ବେସରକାରୀ ଇଂଲିଶ ମାଧ୍ୟମ ସ୍କୁଲରେ ନିଜ ପିଲାଙ୍କୁ ପଢେଇବାର ସ୍ବପ୍ନ ଦେଖୁଛନ୍ତି। ବହୁ ସମୟରେ ଅନ୍ୟକୁ ଦେଖି ନିଜ ପିଲାଙ୍କୁ ପଢେଇବାର ନିଷ୍ପତ୍ତି ମାତାପିତାମାନେ ନେଇଥାଆନ୍ତି। ପଡୋଶୀ ପିଲାଙ୍କ ସହ ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦ୍ୱିତା ଅଭିଭାବକମାନଙ୍କୁ ଏଭଳି ନିଷ୍ପତ୍ତି ନେବାରେ ବାଧ୍ୟ କରିଥାଏ। ଅପରପକ୍ଷେ, ମାତୃଭାଷା ଅପେକ୍ଷା ଅନ୍ୟ ଭାଷୀୟ ବିଦ୍ୟାଳୟରେ ପଢିବା ଆଜିକାଲି କେବଳ ଫେଶନ ନୁହେଁ, ଆତ୍ମସମ୍ମାନ ବୋଲି ଅନେକେ ଭାବନ୍ତି। ସେହିଭଳି ବେସରକାରୀ ଇଂଲିଶ ବିଦ୍ୟାଳୟଗୁଡିକର ମନଲୋଭ ବିଜ୍ଞାପନ, ପ୍ରଚାର, ପ୍ରସାର ଏବଂ ଦାୟିତ୍ୱବୋଧ, ସୁରକ୍ଷିତ ପରିବେଶ ତଥା ନିରନ୍ତର ପାରିବାରିକ ସମ୍ପର୍କ ମାତାପିତାଙ୍କୁ ଆକୃଷ୍ଟ କରିଥାଏ। ଆଉ ଗୋଟେ ବଳିଷ୍ଠ କାରଣ ହେଉଛି ଅନେକାଂଶରେ ଆମ ସମାଜରେ ଇଂଲିଶ ଭାଷାର ଗୁରୁତ୍ୱ ତଥା ସମ୍ମାନ ବେଶି ରହିଛି। ଇଂଲିଶ ଭାଷାରେ ଅନର୍ଗଳ କହିଚାଲୁଥିବା ଲୋକଙ୍କୁ ଆମ ଲୋକମାନେ ମହାଜ୍ଞାନୀ ବୋଲି ଗ୍ରହଣ କରିଥାନ୍ତି; ଯାହା କି ନିଜ ଭାଷାରେ ପାଣ୍ଡିତ୍ୟ ଥିବା ଲୋକଙ୍କୁ ସେହି ସ୍ବୀକୃତି ମିଳେନାହିଁ। ଏପରି କି ଚାକିରି କ୍ଷେତ୍ରରେ ନିଜ ଭାଷା ଅପେକ୍ଷା ଇଂଲିଶରେ ଭଲ ଦଖଲ ଥିବା ପିଲା ଭଲ ଓ ବଡ ପଦବୀରେ ନିଯୁକ୍ତି ସୁଯୋଗ ସହଜରେ ପାଇପାରୁଛି। ଯଦି ବାସ୍ତବତା ଦେଖିବା ଓଡ଼ିଶା ହେଉ ଅବା ଅନ୍ୟ ରାଜ୍ୟରେ ପ୍ରାୟ ପରୀକ୍ଷା (ନିଯୁକ୍ତି ନିମିତ୍ତ)ଇଂଲିଶ ଭାଷାରେ ହୋଇଥାଏ। ତେଣୁ ପିଲାଠାରୁ ଅଭିଭାବକ ଯାଏ ମାତୃଭାଷା ଛାଡି ଇଂଲିଶ ଭାଷାର ଶରଣାଗତ ହେବାକୁ ବାଧ୍ୟ ହେଉଛନ୍ତି। କିନ୍ତୁ ଏକଥା ସତ୍ୟ ଯେ ମାତୃଭାଷାରେ ପ୍ରବୀଣ ଥିବା ପିଲାମାନେ ସହଜରେ ଅନ୍ୟ ଭାଷା ଶିଖି ପାରନ୍ତି। ପୃଥିବୀରେ ଅସଂଖ୍ୟ ଉଦାହରଣ ଦେଖିପାରିବା ଯେଉଁମାନେ ନିଜ ମାତୃଭାଷାରେ ପଢି ପରେ ଅନେକ ଭାଷାରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି।
ଗୋଟିଏ ସାକ୍ଷାତ୍‌କାରରେ ମୋତେ ଜଣେ ସାମ୍ବାଦିକ ବନ୍ଧୁ ପଚାରିଲେ ମାତୃଭାଷା ପଢିଥିବା ପିଲା ଅନ୍ୟ ଭାଷାକୁ ସହଜରେ କିପରି ଜାଣିପାରିବ। ମୁଁ ଗୋଟେ ସରଳ ଉଦାହରଣ ଦେଇ ତାଙ୍କୁ ବୁଝେଇବାକୁ ଚେଷ୍ଟା କରିଥିଲି ସେ ମଧ୍ୟ ସହଜରେ ବୁଝିପାରିଥିଲେ। ଦେଖନ୍ତୁ ଆମ ରାଜ୍ୟରୁ ଅନେକ ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଅପାଠୁଆ ବା କେହି କେହି ପଢିଥାନ୍ତି। କିନ୍ତୁ ସେଭଳି ଅପାଠୁଆ ଲୋକମାନେ ଗାଁରୁ ଯାଇ ବଡବଡ ସହରରେ ହିନ୍ଦୀ, ଇଂଲିଶ ଭଳି ଅନ୍ୟ ଭାଷା ଯାହା କେବେ ବି କହି ନ ଥିଲେ ବା ପଢି ନ ଥିଲେ, କେଡେ ସୁନ୍ଦର ଭାବରେ କହିପାରନ୍ତି। ତେବେ ଆମ ପିଲାମାନେ ପ୍ରାଥମିକ ଶ୍ରେଣୀ ଯାଏ ଭଲଭାବରେ ମାତୃଭାଷାରେ ଜ୍ଞାନ ଅର୍ଜନ କରି ଅନ୍ୟ ଭାଷା ଶିଖିପାରିବେନି କାହିଁକି? ସବୁ ସମ୍ଭବ। କିନ୍ତୁ ଆମ ମାନସିକତାର ପରିବର୍ତ୍ତନ ଦରକାର। ଅପରପକ୍ଷେ, ମାତୃଭାଷାରେ ଶିକ୍ଷାଦାନର ଅର୍ଥ ଏହାନୁହେଁ ଯେ ଇଂଲିଶ ଓ ହିନ୍ଦୀ ଭଳି ବିଷୟଗୁଡିକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ଅଥବା ସେଗୁଡିକ ମଧ୍ୟ ମାତୃଭାଷାରେ ପଢେଇବା। ନିଜ ମାତୃଭାଷା ସହ ପିଲାମାନେ ଅନ୍ୟ ଭାଷା ମଧ୍ୟ ଶିଖନ୍ତୁ।
ସୁଖର କଥା ନୂତନ ଜାତୀୟ ଶିକ୍ଷାନୀତି ୨୦୨୦, ପଞ୍ଚମ ବା ଅଷ୍ଟମ ଶ୍ରେଣୀ ଯାଏ ମାତୃଭାଷାରେ ଶିକ୍ଷାଦାନ ପାଇଁ ଯେଉଁ ଅନୁମୋଦନ କରିଛି । ଏହାକୁ ବାସ୍ତବ ରୂପ ଦେବାପାଇଁ ରାଜ୍ୟମାନେ ପୂର୍ଣ୍ଣ ସହଯୋଗ କରିବା ଉଚିତ। ଓଡ଼ିଶା ସରକାର ଯେମିତି ବହୁଭାଷୀ ଶିକ୍ଷକ(ମଲ୍ଟି ଲିଙ୍ଗୁଆଲ ଟିଚର) ନିଯୁକ୍ତି କରି ଆଞ୍ଚଳିକ ଭାଷା ଜରିଆରେ ଶିକ୍ଷାଦାନ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି, ସବୁ ରାଜ୍ୟ ସରକାର ମଧ୍ୟ ଆଞ୍ଚଳିକ ଭାଷାରେ ପ୍ରବୀଣ ଥିବା ବ୍ୟକ୍ତିମାନଙ୍କୁ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତିର ବ୍ୟବସ୍ଥା କରନ୍ତୁ। ଫଳରେ ଭାଷାକୁ ନେଇ ଛାତ୍ରୀଛାତ୍ର ଓ ଶିକ୍ଷକଙ୍କ ମଧ୍ୟରେ ଯେଉଁ ଦୂରତା ରହୁଥିଲା, ତାହା ଦୂର ହୋଇପାରିବ। ଏଭଳି ନିଯୁକ୍ତି ପାଇଁ ମଧ୍ୟ ନୂତନ ଶିକ୍ଷାନୀତି ଅନୁମୋଦନ କରିଛି। ଅପରପକ୍ଷରେ ବୁଦ୍ଧିଜୀବୀ, ମାତାପିତା ଓ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କ ସହଯୋଗ ରହିଲେ, ଆମ ଭବିଷ୍ୟତ ମାନେ ନିଜ ମାତୃଭାଷାରେ ପ୍ରବୀଣ ହେବା ସହ ଅନ୍ୟ ଭାଷାରେ ମଧ୍ୟ ଭଲ କରିପାରିବେ।
ଅଧ୍ୟାପକ, ସରକାରୀ ମହିଳା ମହାବିଦ୍ୟାଳୟ
ଜୟପୁର, କୋରାପୁଟ, ମୋ: ୯୪୩୭୯୧୪୮୧୮

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri