ଭଞ୍ଜନଗର,୧୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଆସନ୍ତା ୧୯ ତାରିଖରୁ ପୁଣି ୧୦୦ ଦିନ ପର୍ଯ୍ୟନ୍ତ ଯକ୍ଷ୍ମା ରୋଗୀ ଚିହ୍ନଟ ପାଇଁ ସର୍ଭେ ହେବ। ତେଣୁ ଏନେଇ ଜଗନ୍ନାଥପ୍ରସାଦ ବ୍ଲକ ବରଗାଁ ସ୍ବାସ୍ଥ୍ୟକେନ୍ଦ୍ର, ବେଲଗୁଣ୍ଠା ଏବଂ ଗୋବରା ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟକ୍ରମ କିଭଳି ସଫଳ ହେବ ସେଥିପାଇଁ ସମୀକ୍ଷା ହୋଇଥିଲା। ଏଥିରେ ପୃଥକ୍ ସଭାରେ ଅଧିକାରୀମାନେ ଯୋଗଦେଇ ଆଲୋଚନା କରିଥିଲେ। ଆଲୋଚନାରେ ବରଗାଁ ମେଡିକାଲ ଅଫିସର ଡ. କଲ୍ୟାଣୀ ମହାପାତ୍ର, ବେଲଗୁଣ୍ଠା ମେଡ଼ିକାଲର ଡ. ସବିତା ବେହେରା, ଗୋବରା ମେଡିକାଲର ଡ. ବସନ୍ତ ସ୍ବାଇଁ, ଗୋବରା କାର୍ଯ୍ୟକ୍ରମ ସଂଯୋଜକ ଦୁର୍ଗା ପ୍ରସାଦ ପଟ୍ଟନାୟକ, ବେଲଗୁଣ୍ଠା ବିଡିଏମ ପବିତ୍ର କୁମାର ପାଣିଗ୍ରାହୀ, ସୁପରଭାଇଜର ଦୁର୍ଗା ପ୍ରସାଦ ପାତ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ।
ଏହା ପୂର୍ବରୁ ଗତ ଡିସେମ୍ବର ୭ରୁ ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ଏହିଭଳି ୧୦୦ ଦିନ ସର୍ଭେ ହୋଇଥିଲା। ସର୍ଭେ ସରିବା ପରେ ରୋଗୀଙ୍କୁ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ଉକ୍ତ ସର୍ଭେ ସମୟରେ ଯେଉଁମାନେ ବଳକା ରହିଯାଇଛନ୍ତି ସେମାନଙ୍କୁ ବର୍ତ୍ତମାନ ଚିହ୍ନଟ କରିବା ଲକ୍ଷ୍ୟ ରଖାଯାଇଛି। ସର୍ଭେ ସମୟରେ ରୋଗୀଙ୍କ ସମ୍ପର୍କୀୟ ଏବଂ ଦୁର୍ବଳ ଲୋକଙ୍କ କଫ ପରୀକ୍ଷା କରାଯିବା ସହ ଆବଶ୍ୟକ ସ୍ଥଳେ ଏକ୍ସରେ କରାଯିବ। ଏହାପରେ ଔଷଧ ବଣ୍ଟନ କରାଯିବ। ଏଥିସହ ସେମାନଙ୍କୁ ବିଭିନ୍ନ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ପୁଷ୍ଟିକର ଖାଦ୍ୟ ପ୍ରଦାନ କରାଯିବ। ବଦାନ୍ୟ ବ୍ୟକ୍ତିଙ୍କୁ ବର୍ତ୍ତମାନ ଚୟନ କରାଯାଉଛି। ସେମାନଙ୍କ ଦାନ ଅର୍ଥରେ ରୋଗୀଙ୍କୁ ମାଗଣାରେ ପୁଷ୍ଟିକର ଖାଦ୍ୟ ଖାଇବାକୁ ଦିଆଯିବ। ଏହିଭଳି ଗଞ୍ଜାମ ଜିଲାର ସମସ୍ତ ସରପଞ୍ଚଙ୍କୁ ନିକ୍ଷ ମିତ୍ର ଯୋଜନାରେ ସାମିଲ ହୋଇ ଜଣେ ଜଣେ ୫ ଜଣ ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ଦେବାକୁ ଅନୁରୋଧ କରାଯାଇଛି। ଏଥିସହ ସର୍ଭେ ସମୟରେ ଜିଲାର ସମସ୍ତ ଗୋଷ୍ଠୀକୁ ସାମିଲ କରିବା ଲକ୍ଷ୍ୟ ରଖାଯାଇଛି। ପ୍ରଧାନମନ୍ତ୍ରୀ ଯକ୍ଷ୍ମା ରୋଗୀ ମୁକ୍ତ ଯୋଜନାରେ ଏହି ସବୁ କାର୍ଯ୍ୟକ୍ରମ ଚାଲିଛି।


