ମୋବାଇଲରେ ବେଶ ଫଟୋ ଉଠାଇବା ଚର୍ଚ୍ଚା

ପୁରୀ ଅଫିସ,୨୮ା୧୧: ଶ୍ରୀମନ୍ଦିର କର୍ମଚାରୀ, ସେବାୟତ ଏବଂ ସୁରକ୍ଷା କର୍ମଚାରୀ କେହି ବି ମନ୍ଦିର ଭିତରକୁ ମୋବାଇଲ ଫୋନ୍‌ ନେବେ ନାହିଁ। ସମସ୍ତଙ୍କୁ ଯାଞ୍ଚ କରାଯାଇ ଭିତରକୁ ଛଡ଼ାଯିବ। ସେହିପରି କେହି ବେଶ ବଦଳାଇ ଭିତରକୁ ଯିବାକୁ ଚେଷ୍ଟା କରିବେ ନାହିଁ। ଯଦି ଏହାକୁ କେହି ଅବମାନନା କରନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନାଗାର୍ଜୁନ ବେଶ ସୁରକ୍ଷା ସମ୍ପର୍କରେ ଗୁରୁବାର ଜିଲାପାଳ ବଲୱନ୍ତ ସିଂ ଏହା କହିଥିଲେ। ତଥାପି ଏଥିରେ ବ୍ୟତିକ୍ରମ ଘଟିଛି। ଶୁକ୍ରବାର ରନତ୍ସିଂହାସନରେ ଦାରୁବିଗ୍ରହଙ୍କ ନାଗାର୍ଜୁନ ବେଶର ଫଟୋ ମୋବାଇଲ ଫୋନରେ ଉଠାଯାଇଥିବା ନେଇ ଚର୍ଚ୍ଚା ହେଉଛି। ଜଣେ ସୁରକ୍ଷା କର୍ମଚାରୀ ଏହି ଫଟୋ ଉଠାଇଥିବା ଦିନତମାମ୍‌ ଆଲୋଚନା ହେଉଥିଲେ ମଧ୍ୟ ଏହାକୁ ପୋଲିସ ଅସ୍ବୀକାର କରିଛି। ଏ ସମ୍ପର୍କରେ ସିଂହଦ୍ୱାର ଥାନା ଆଇଆଇସି ଗେହ୍ଲି ସାହୁଙ୍କୁ ପଚାରିବାରେ କହିଛନ୍ତି, ଏମିତି ଚର୍ଚ୍ଚା ହେଉଥିବା ଶୁଣିବା ପରେ ଖୋଳତାଡ଼ କରିଥିଲୁ। କିନ୍ତୁ ଏହାର କୌଣସି ସତ୍ୟତା ନାହିଁ।

 

ହଟିଲା ୧୪୪ ଧାରା, ମିଳିଲା ପତିତପାବନ ଦର୍ଶନ

ନାଗାର୍ଜୁନ ବେଶ ଅବସରରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଭିଡ଼ ହେବା ଆଶଙ୍କା କରି ଏବଂ କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ପୁରୀ ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଥିଲା। ଗୁରୁବାର ରାତି ୨ଟାରୁ ଶୁକ୍ରବାର ମହାପ୍ରଭୁଙ୍କ ବେଶ ଓଲାଗି ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଏହି ସମୟରେ ପତିତପାବନଙ୍କ ଦର୍ଶନ ମିଳିବ ନାହିଁ ବୋଲି ସ୍ପଷ୍ଟ କରିଥିଲା ପ୍ରଶାସନ। ଏହି ନିଷ୍ପତ୍ତିକୁ ଶ୍ରଦ୍ଧାଳୁମାନେ ମାନିଥିଲେ। ଶୁକ୍ରବାର ଅପରାହ୍ନରେ ନାଗାର୍ଜୁନ ବେଶ ଓଲାଗି ପରେ ଭକ୍ତମାନେ ପତିତପାବନଙ୍କ ଦର୍ଶନ ପାଇଥିଲେ। ସନ୍ଧ୍ୟାରେ ପତିତପାବନଙ୍କ ଦର୍ଶନ ଲାଗି ବେଶ୍‌ ଭିଡ଼ ହୋଇଥିବା ଦେଖିବାକୁ ମିଳିଥିଲା।