କଥା ବେଶି, କାମ କମ୍‌

ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ)ର ଦୁବାଇରେ ୩୦ ନଭେମ୍ବରରୁ ଜାତିସଂଘ ଜଳବାୟୁ ସମ୍ମିଳନୀ କପ୍‌ ୨୮ ଆରମ୍ଭ ହୋଇଛି। ଏଥିରେ ସଦସ୍ୟ ଦେଶର ନେତା, ଜଳବାୟୁ କର୍ମକର୍ତ୍ତା ଓ ବିଭିନ୍ନ ସଂଗଠନ ଯୋଗଦେଇଛନ୍ତି। ଚଳିତ ବର୍ଷ ନୂଆଦିଲ୍ଲୀରେ ଅନୁଷ୍ଠିତ ଜି୨୦ ସମ୍ମିଳନୀରେ ଅକ୍ଷୟ ଶକ୍ତି ଉପତ୍ାଦନ ବଢ଼ାଇବା ଲାଗି ଭାରତ ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରିଥିବାବେଳେ ଏବେ କପ୍‌୨୮ରେ ଏହାର ବ୍ୟତିକ୍ରମ ଦେଖାଇଛି। ୨୦୩୦ ସୁଦ୍ଧା ଅକ୍ଷୟଶକ୍ତି ୩ ଗୁଣ ବୃଦ୍ଧି ଲକ୍ଷ୍ୟରେ କୋଇଲା ବ୍ୟବହାର ପର୍ଯ୍ୟୟକ୍ରମେ ହ୍ରାସ କରିବା ଲାଗି କପ୍‌୨୮ରେ ଅଣାଯାଇଥିବା ସଙ୍କଳ୍ପପତ୍ରରେ ଭାରତ ସ୍ବାକ୍ଷର କରିବାରୁ ଦୂରେଇ ଯାଇଛି। ଚାଇନା ମଧ୍ୟ ସମାନ ପ୍ରକାର ପଦକ୍ଷେପ ନେଇଛି। ଏଠାରେ ସୂଚିତ କରାଯାଇପାରେ ଯେ, ବିଶ୍ୱ ଅଙ୍ଗାରକ ନିର୍ଗମନ ହାରରେ ଆମେରିକା ଓ ଚାଇନା ପଛକୁ ଭାରତ ଅଛି। ଏହି ତିନି ଦେଶ ସହ ରୁଷିଆ, ଜାପାନ ଓ ଜର୍ମାନୀ ବିଶ୍ୱରେ ୬୦ ପ୍ରତିଶତରୁ ଅଧିକ ଅଙ୍ଗାରକ ନିର୍ଗମନ କରୁଛନ୍ତି। ଅନ୍ୟପକ୍ଷରେ ୟୁରୋପୀୟ ସଂଘ, ଆମେରିକା ଓ ୟୁଏଇ ସମେତ ୧୧୭ ଦେଶ ପର୍ଯ୍ୟାୟ କ୍ରମେ କୋଇଲା ବ୍ୟବହାର ହ୍ରାସ ଲାଗି ବୁଝାମଣା କରୁଛନ୍ତି। ଏହିସବୁ ପ୍ରତିଶ୍ରୁତି କେତେ ଫଳପ୍ରଦ ହେବ ତାହା ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ପୂର୍ବରୁ ଅନୁଷ୍ଠିତ ୨୭ଟି ଜଳବାୟୁ ସମ୍ପର୍କିତ ସମ୍ମିଳନୀରୁ କେତେ ଲାଭ ମିଳିଛି ତାହା ବିଶ୍ୱ ନେତୃବର୍ଗ ଭଲ ଭାବେ ଅବଗତ।
ସମସ୍ତେ ଜାଣନ୍ତି, ଚାଇନା ସର୍ବାଧିକ କୋଇଲାଭିତ୍ତିକ ଶକ୍ତି ଉତ୍ପାଦନକାରୀ ରାଷ୍ଟ୍ର। ବିଶ୍ୱରେ ବ୍ୟବହୃତ କୋଇଲା ମଧ୍ୟରୁ ଚାଇନା ୫୦.୫ ପ୍ରତିଶତ ବ୍ୟବହାର କରୁଥିବା ବେଳେ ଭାରତର ଭାଗ ରହିଛି ୧୧.୩ ପ୍ରତିଶତ। ସେହିପରି ଆମେରିକା ୮.୫ ପ୍ରତିଶତ ଏବଂ ଜର୍ମାନୀ ୩ ପ୍ରତିଶତ କୋଇଲା ବ୍ୟବହାର କରୁଛନ୍ତି। ଭାରତ ପରିପ୍ରେକ୍ଷୀରେ ଦେଖିଲେ ତା’ ଚାହିଦାର ୭୩ ଭାଗ ଶକ୍ତି କୋଇଲାରୁ ପାଉଛି। ତେଣୁ କପ୍‌୨୮ରେ କୋଇଲାକୁ ପର୍ଯ୍ୟାୟ କ୍ରମେ ହ୍ରାସ କରି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଯେଉଁ ଡାକରା ଦିଆଯାଇଛି, ସେଥିରେ ଭାରତ ସହମତ ହୋଇପାରି ନାହିଁ। ସବୁଠାରୁ ବିଡ଼ମ୍ବନାର ବିଷୟ ହେଲା ପର୍ଯ୍ୟାୟକ୍ରମେ କୋଇଲା ଉପଯୋଗକୁ ହ୍ରାସ କରିବା ଦୂରର କଥା, ଭାରତ ୬୫.୩ ଗିଗାଓ୍ବାଟ କୋଇଲାଭିତ୍ତିକ ଶକ୍ତି ଉତ୍ପାଦନ ଲାଗି ଆଗକୁ ଯୋଜନା ରଖିଛି। ଯେପର୍ଯ୍ୟନ୍ତ ଉନ୍ନତ ଟେକ୍ନୋଲୋଜି ବ୍ୟବହାର କରି ଭାରତ ପାରମ୍ପରିକ ଉତ୍ସରୁ ଅଧିକ ସବୁଜ ଶକ୍ତି ଉତ୍ପାଦନ ନ କରିଛି, ସେଯାଏ କୋଇଲା ଭିତରେ ଘାଣ୍ଟି ହେଉଥିବ। କୋଇଲା କେଡ଼େ ମାରାତ୍ମକ ତାହା ଉତ୍ପାଦନ ହେଉଥିବା ଅଞ୍ଚଳର ବାସିନ୍ଦା ଅଙ୍ଗେ ନିଭାଉଛନ୍ତି। ଓଡ଼ିଶା ସମେତ ଦେଶରେ କୋଇଲାଭିତ୍ତିକ ପ୍ରଦୂଷଣ ଓ ନିର୍ଗମନର କୁପ୍ରଭାବ ଜନସାଧାରଣ ବିଶେଷକରି ଏହା ସ୍ଥାନୀୟ ଲୋକଙ୍କୁ ଅତିଷ୍ଠ କରୁଛି। କୋଇଲାରୁ ସର୍ବାଧିକ ଅଙ୍ଗାରକ ନିର୍ଗମନ ହେଉଛି। ଏଥିସହିତ କୋଇଲାଭିତ୍ତିକ କଳକାରଖାନାରୁ ଉତ୍ପନ୍ନ ଫ୍ଲାଏ ଆଶ୍‌ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ପ୍ରଦୂଷଣକୁ ବଢ଼ାଇ ଦେଉଛି। ଏଭଳି ସ୍ଥଳେ ଯେଉଁ ଘରୋଇ ସଂସ୍ଥାଗୁଡ଼ିକ କୋଇଲା ବ୍ୟବହାର ଉପରେ ଅଧିକ ନିର୍ଭରଶୀଳ ରହୁଛନ୍ତି, ସେଗୁଡ଼ିକ ବିକଳ୍ପ ସବୁଜ ଶକ୍ତି ଉତ୍ସ ଉପରେ ଗୁରୁତ୍ୱ ଦେବା କଥା। ଏଥିସହିତ ସରକାର ମଧ୍ୟ ସେହି ବଡ଼ କମ୍ପାନୀଗୁଡ଼ିକ ଉପରେ ଏହି ଦିଗରେ କାର୍ଯ୍ୟ କରିବାକୁ ଚାପ ପକାଇବା ଦରକାର। କୌତୂହଳର ବିଷୟ ହେଲା, କପ୍‌ ୨୭ରେ ଭାରତ କହିଥିଲା ଯେ ୨୦୭୦ ସୁଦ୍ଧା ଦେଶକୁ ଶୂନ୍ୟ ନିର୍ଗମନ ସ୍ତରରେ ନେଇ ପହଞ୍ଚାଇବ। ହେଲେ କପ୍‌୨୮ ସଙ୍କଳ୍ପପତ୍ରରେ ଉଲ୍ଲିଖିତ ପର୍ଯ୍ୟାୟକ୍ରମେ କୋଇଲା ବ୍ୟବହାର ହ୍ରାସ ଦିଗରେ ଏବେ ଭାରତ ଅମଙ୍ଗ ହେବା ଉପରଲିଖିତ ଲକ୍ଷ୍ୟରୁ ବିଚ୍ୟୁତ ହୋଇଛି ବୋଲି କୁହାଯାଇପାରେ। ଯଦିଓ ଚାଇନା ଏହି ଚୁକ୍ତିରେ ସ୍ବାକ୍ଷର କରିନାହିଁ, ତଥାପି ଏହା ସବୁଜ ଶକ୍ତି ଉତ୍ସ ଉପରେ ଗବେଷଣା କରି ନୂତନ ପଦକ୍ଷେପ ନେବାରେ ଲାଗିଲାଣି। ଭାରତ କେବଳ କଥାରେ କହିଲେ ହେବ ନାହିଁ। ଏବେଠାରୁ ବିଧିବଦ୍ଧ ଭାବେ ନୂଆ ଜ୍ଞାନକୌଶଳ ବ୍ୟବହାର କରି ଭାରତ ବିଶ୍ୱତାପନକୁ ଅଧିକ ଇନ୍ଧନ ନ ଯୋଗାଇବା ଲାଗି ଚେଷ୍ଟା କରିବା ଦରକାର। ଏଥିସହିତ ସବୁଜ ଶକ୍ତି ଉତ୍ସ ଉପରେ ପର୍ଯ୍ୟାପ୍ତ ପାଣ୍ଠି ସୃଷ୍ଟି କରି ସାଧାରଣରେ ତାହା ପ୍ରକାଶ କରିବା ଆବଶ୍ୟକ।
ବିଶ୍ୱତାପନ ସମ୍ପର୍କରେ ସବୁଠୁ ଉଦ୍‌ବେଗଜନକ ରିପୋର୍ଟ ପ୍ରକାଶ କରିଛି ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି। ଏହା ସ୍ପଷ୍ଟ କରିଛି ଯେ, ଜୀବାଶ୍ମ ଇନ୍ଧନ ଯଥା କୋଇଲା, ତୈଳ ଏବଂ ଗ୍ୟାସର ଅତ୍ୟଧିକ ବ୍ୟବହାର ଯୋଗୁ ଚଳିତ ଶତାବ୍ଦୀ ଶେଷସୁଦ୍ଧା ବିଶ୍ୱତାପନ ୧.୫ ଡିଗ୍ରୀ ସେଲସିୟସକୁ ଟପିଯିବ। ଏହାର ପରିଣାମ ସ୍ବରୂପ, ବିଶ୍ୱ ଜନସଂଖ୍ୟାର ଏକ ତୃତୀୟାଂଶ ଜଳ ପାଇପାରିବେ ନାହିଁ, ଖାଦ୍ୟ ଶୃଙ୍ଖଳ ବିଗିଡ଼ି ଯିବ, କେତେକ ଭୂଭାଗ ଜଳପ୍ଳାବିତ ହୋଇଯିବ ଓ ଅଧିକ ଲୋକ ବିସ୍ଥାପିତ ହେବେ। ତେଣୁ ଜଳବାୟୁ କାର୍ଯ୍ୟାନ୍ବୟନ କ୍ଷେତ୍ରରେ ଧନୀ ଏବଂ ଉଚ୍ଚ ବିକାଶଶୀଳ ଦେଶର ଅବହେଳାକୁ ଏଥିପାଇଁ ଦାୟୀ କରାଯାଇପାରେ। ଉଦାହରଣ ସ୍ବରୂପ, କପ୍‌୧୫ରେ ଚୁକ୍ତି ମୁତାବକ ଧନୀ ଦେଶଗୁଡ଼ିକ ୨୦୨୦ ସୁଦ୍ଧା ପ୍ରତିବର୍ଷ ୧୦୦ ବିଲିୟନ ଆମେରିକୀୟ ଡଲାର ନିମ୍ନ ଆୟବର୍ଗ ଓ ବିକାଶଶୀଳ ଦେଶଗୁଡ଼ିକୁ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସେମାନେ ଏହାକୁ ଏଯାବତ ପାଳନ କରିପାରିନାହାନ୍ତି। ସେମାନଙ୍କ ଅପାରଗତାକୁ ଲକ୍ଷ୍ୟ କରି ଆଫ୍ରିକୀୟ ଦେଶଗୁଡ଼ିକ ପ୍ରତିବର୍ଷ ଆଫ୍ରିକା ଜଳବାୟୁ ସପ୍ତାହ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଏଥିରେ ଆଫ୍ରିକା ମହାଦେଶର ବିଭିନ୍ନ ରାଷ୍ଟ୍ର, ନାଗରିକ ସମାଜ ଓ ଅନ୍ତଃରାଷ୍ଟ୍ରୀୟ ସଂଗଠନଗୁଡ଼ିକ ଯୋଗ ଦେଉଛନ୍ତି। ବିଶେଷକରି ଚଳିତ ବର୍ଷ ସେପ୍ଟେମ୍ବରରେ କେନିଆରେ ଆୟୋଜିତ ଆଫ୍ରିକା ଜଳବାୟୁ ସମ୍ମିଳନୀ ଗୁରୁତ୍ୱବହନ କରିଛି। ଏହାବ୍ୟତୀତ ବ୍ରାଜିଲ ସ୍ବତନ୍ତ୍ର ଭାବେ ଜଳବାୟୁ ସମ୍ମିଳନୀ ଆୟୋଜନ କରି ଏକ କାର୍ବନମୁକ୍ତ ଅର୍ଥବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଆସୁଛି। ଏହା ପରିବହନ କ୍ଷେତ୍ରରେ ଶତ ପ୍ରତିଶତ ଇଥାନଲ ବ୍ୟବହାର କରି ବିଶ୍ୱ ସମ୍ମୁଖରେ ଉଦାହରଣ ସୃଷ୍ଟି କରିଛି। କିନ୍ତୁ ଭାରତ ଏ କ୍ଷେତ୍ରରେ ବହୁ ପଛରେ ରହିଛି।
ବିଶ୍ୱ ନେତାମାନେ ଉଡ଼ାଜାହାଜରେ ଉଡ଼ି, ପଞ୍ଚତାରକା ହୋଟେଲରେ ରହି ଓ ଶୀତତାପ ନିୟନ୍ତ୍ରିତ ସମ୍ମିଳନୀରେ ସେଲ୍‌ଫି ଉଠାଇଲେ ଜଳବାୟୁ ସଙ୍କଟର ସମାଧାନ ହୋଇପାରିବ ନାହିଁ। ଏଥିଲାଗି ଲୋଡ଼ା ଦୃଢ଼ କାର୍ଯ୍ୟାନ୍ବୟନ ପଦକ୍ଷେପ।


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri