ଛବି ସୁଧାରୁଛି ତାଲିବାନ୍‌

କାବୁଲ/ଓ୍ବାଶିଂଟନ/ନୂଆଦିଲ୍ଲୀ,୧୮ା୮: ୨୦୨୧ ଅଗଷ୍ଟ ୧୫ରେ ଭାରତୀୟମାନେ ୭୫ତମ ସ୍ବାଧୀନତା ଦିବସ ପାଳନ କରୁଥିବାବେଳେ ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନରେ ଲେଖାଯାଇଥିଲା କ୍ଷମତା ପରିବର୍ତ୍ତନର ଭିନ୍ନ ଏକ କାହାଣୀ। ତାଲିବାନ୍‌ ହାତରେ ଆଫଗାନିସ୍ତାନର ଭାଗ୍ୟ ବନ୍ଧକ ଦେବା ପରିବର୍ତ୍ତେ ଲଢ଼ିବା ପାଇଁ ଯେଉଁ ଶକ୍ତି ଜରୁରୀ ହୋଇପଡ଼ିଥିଲା, ଆମେରିକୀୟ ସୈନ୍ୟ ସ୍ବଦେଶକୁ ଫେରିଯିବା ପରେ ସେଥିରୁ ବଞ୍ଚତ୍ତ ହୋଇ ଦେଶ ଛାଡ଼ି ପଳାୟନ କରିଥିଲେ ରାଷ୍ଟ୍ରପତି ଅଶ୍ରଫ ଗନି। ଫଳରେ ତାଲିବାନ୍‌ ଯୁଦ୍ଧ ବିରତି ଘୋଷଣା କରି କାବୁଲସ୍ଥିତ ରାଷ୍ଟ୍ରପତି ଭବନ ଦଖଲ କଲା। ଏବେ ସେଠାରେ ତାଲିବାନ୍‌ ୨.୦ ରାଜୁତି। ଆଫଗାନମାନେ ୨୫ ବର୍ଷ ତଳର ତାଲିବାନ ବର୍ବରତାକୁ ସ୍ମରଣ କରି ଶିହରି ଉଠୁଥିବାବେଳେ ଏହି ସ୍ଥିତି ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଦାୟୀ କରିଛନ୍ତି ଅନେକେ। ସୋମବାର ମଧ୍ୟରାତ୍ରିରେ ବାଇଡେନ୍‌ ନିଜ ଦୋଷ ଛଡ଼ାଇବାକୁ ଯାଇ ସାମ୍ପ୍ରତିକ ସ୍ଥିତି ପାଇଁ ଗନିଙ୍କ ମୁଣ୍ଡରେ ଲଦି ଦେଇଛନ୍ତି ସବୁ ଦୋଷ। ସେପଟେ ପୁନର୍ବାର କ୍ଷମତାର ସ୍ବାଦ ଚାଖିବା ପାଇଁ ଲାଳାୟିତ ତାଲିବାନ ନେତାମାନେ ଟିଭି ଚ୍ୟାନେଲଗୁଡ଼ିକରେ ସାକ୍ଷାତ୍‌କାର ଦେଇ ନିଜ ମୁହଁରୁ କଳଙ୍କର କାଳିମା ଲିଭାଇବାରେ ଲାଗିଛନ୍ତି। ସରକାରୀ କର୍ମଚାରୀମାନଙ୍କୁ ସର୍ବକ୍ଷମା ଘୋଷଣା କରି କର୍ମସ୍ଥଳକୁ ଫେରିବା ପାଇଁ ତାଲିବାନ ଅନୁରୋଧ କରିଛି। ଏହା ହେଉଛି ୧୯୯୬ ସେପ୍ଟେମ୍ବରରେ ଆଫଗାନିସ୍ତାନକୁ ଦଖଲ କରି ଶାରିଆ ଆଇନ ପ୍ରଚଳନ କରିଥିବା ତାଲିବାନର ନୂଆ ରୂପ। ବର୍ତ୍ତମାନ ତାଲିବାନକୁ ପଡ଼ୋଶୀ ପାକିସ୍ତାନ ଓ ଚାଇନା ଖୋଲାଖୋଲି ସମର୍ଥନ କରିଥିବାବେଳେ ରୁଷିଆ ମଧ୍ୟ ପଛରେ ପଡ଼ିନାହିଁ। ଆମେରିକାର କଥା ମାନି ଭାରତ ଯେଉଁ ଆଫଗାନିସ୍ତାନରେ ୩୦୦ କୋଟି ଡଲାରରୁ ଊର୍ଦ୍ଧ୍ୱ ଅର୍ଥ ଖର୍ଚ୍ଚ କରିଛି ତାହା ଏବେ ଇସ୍‌ଲାମିକ ଏମିରେଟ୍ସ ଅଫ୍‌ ଆଫଗାନିସ୍ତାନରେ ପରିଣତ ହୋଇଛି। ରାଷ୍ଟ୍ରମୁଖ୍ୟ ହୋଇ କ୍ଷମତାର ଡୋର ଧରିବାକୁ ଯାଉଛନ୍ତି ଦୁର୍ଦ୍ଧର୍ଷ ଆତଙ୍କବାଦୀ ସଙ୍ଗଠନର ମୁଖିଆ ମୁଲ୍ଲା ଅବ୍‌ଦୁଲ ଗନି ବରାଦର ଓରଫ ମୁଲ୍ଲା ବ୍ରଦର।
ମତରେ ତାଲିବାନ ଏବେ ନିଜର ମହିଳା ବିରୋଧୀ ଛବି ବଦଳାଇବା ପାଇଁ ସାମୟିକ ଭାବେ କେତେକ ପ୍ରସଙ୍ଗରେ ନରମ ହୋଇପାରେ। କିନ୍ତୁ ଯେଉଁମାନେ ଅଢ଼େଇ ଦଶନ୍ଧି ତଳର ତାଲିବାନକୁ ଚିହ୍ନିଛନ୍ତି, ସେମାନେ ଜାଣିଛନ୍ତି ଏହାର ରକ୍ତରଞ୍ଜିତ ଇତିହାସ। ସେମାନେ କେମିତି ବିଶ୍ୱାସ କରିପାରିବେ କଥା ଓ କାମରେ ପ୍ରଭେଦ ରଖୁଥିବା ଏଇ ରକ୍ତପିପାସୁ ଆତଙ୍କବାଦୀ ସଙ୍ଗଠନକୁ। ଜାତିସଂଘ କହୁଛି, ଆଫଗାନ ଜନତାଙ୍କୁ ଏହି ସଙ୍କଟ ଭିତରେ ଏକୁଟିଆ ଛାଡ଼ି ଦିଆଯାଇପାରିବ ନାହିଁ। ଅର୍ଥାତ୍‌ ଏବେ ଅନ୍ତର୍ଜାତୀୟ ସମୁଦାୟର ଦାୟିତ୍ୱ ବହୁଗୁଣିତ ହୋଇଛି। ସବୁଠୁ ବଡ଼ ପ୍ରଶ୍ନ ହେଉଛି, ୟୁଏନ୍‌ଏସ୍‌ସିର ଅଗଷ୍ଟ ମୁଖ୍ୟ ଦାୟିତ୍ୱ ତୁଲାଉଥିବା ଭାରତ ସେତେବେଳେ କ’ଣ କରିବ ଯେତେବେଳେ ତାଲିବାନ ଅନ୍ତର୍ଜାତୀୟ ସ୍ବୀକୃତି ପାଇଁ ନୂଆଦିଲ୍ଲୀକୁ ଆଲୋଚନା ଲାଗି ନିମନ୍ତ୍ରଣ କରିବ। ଆମେରିକା କ’ଣ କରିବ, ଯାହାର ପୂର୍ବତନ ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ ଆଫଗାନିସ୍ତାନରେ ଶାନ୍ତି ଓ ସ୍ଥିରତା ପାଇଁ ତାଲିବାନ ସହ ଟେବୁଲରେ ଡିଲ୍‌ କରୁଥିଲେ। ଭାରତକୁ ପାନେ ଦେବା ପାଇଁ କୂଟନୀତିର ଗୋଟି ବଦଳାଉଥିବା ପାକିସ୍ତାନର ଆଭିମୁଖ୍ୟ କ’ଣ ରହିବ, ଯିଏ ଆତଙ୍କବାଦୀଙ୍କୁ ସ୍ବାଧୀନତା ସଂଗ୍ରାମୀ ବୋଲି ଅଭିହିତ କରୁଛି। ଆଗକୁ କ’ଣ କରିବେ ବିସ୍ତାରବାଦୀ ଚାଇନାର ଶି ଜିନ୍‌ପିଙ୍ଗ୍‌ ସରକାର, ଯିଏ ଉଭୟ କ୍ଷମତା ଓ ବେପାର ପାଇଁ ବ୍ୟାକୁଳ। ଏହାଠୁ ବି ବଡ଼ ପ୍ରଶ୍ନ ହେଲା, ଏକଦା ଅସ୍ପୃଶ୍ୟ ତାଲିବାନକୁ ଏବେ ଏକ ‘ପଲିଟିକାଲ ଫୋର୍ସ’ କୁହାଯାଇପାରିବ କି? ୩.୮ କୋଟି ଆଫଗାନ ଏବେ ଯାହା ପାଇଛନ୍ତି ତାକୁ କ’ଣ କୁହାଯାଇପାରିବ ଆଉ ଏକ ‘ସ୍ବାଧୀନତା’?

ତାଲିବାନ୍‌କୁ ଫେସ୍‌ବୁକ୍‌ ମନା

ଆମେରିକା ଭିତ୍ତିକ ସୋସିଆଲ ମିଡିଆ କମ୍ପାନୀ ଫେସ୍‌ବୁକ୍‌ ତାଲିବାନକୁ ଆତଙ୍କବାଦୀ ଦର୍ଶାଇବା ସହ ଏହାକୁ ସମର୍ଥନ କରୁଥିବା ସମସ୍ତ ପ୍ରକାର କଣ୍ଟେଣ୍ଟ ତଥା ସାମଗ୍ରୀକୁ ନିଜ ପ୍ଲାଟଫର୍ମରେ ନିଷିଦ୍ଧ ଘୋଷଣା କରିଛି। ଏହି ଗୋଷ୍ଠୀ ସହ ଜଡ଼ିତ କଣ୍ଟେଣ୍ଟଗୁଡ଼ିକ ଉପରେ ନଜର ରଖି ତାହାକୁ ହଟାଇବା ପାଇଁ ଫେସ୍‌ବୁକ୍‌ ଏକ ସ୍ବତନ୍ତ୍ର ଆଫଗାନ୍‌ ଏକ୍ସପର୍ଟ ଟିମ୍‌ ଗଠନ କରିଛି। ବର୍ଷ ବର୍ଷ ଧରି ତାଲିବାନ ନିଜର ବାର୍ତ୍ତା ପ୍ରେରଣ ପାଇଁ ସୋସିଆଲ ମିଡିଆକୁ ବ୍ୟବହାର କରିଆସୁଛି।
ନିୟମ ଅନୁସାରେ ତାଲିବାନ୍‌କୁ ଏକ ଆତଙ୍କବାଦୀ ସଙ୍ଗଠନ ଦର୍ଶଯାଇଛି। ତେଣୁ ଏହି ସଙ୍ଗଠନକୁ ଫେସ୍‌ବୁକ୍‌ ବିପଜ୍ଜନକ ସଙ୍ଗଠନ ନୀତି ଆଧାରରେ ନିଷିଦ୍ଧ କରିଥିବା କମ୍ପାନୀ ମୁଖପାତ୍ର କହିଛନ୍ତି। ତାଲିବାନ କିମ୍ବା ଏହାକୁ ସମର୍ଥନ କରୁଥିବା ସମସ୍ତ କଣ୍ଟେଣ୍ଟକୁ ଫେସ୍‌ବୁକ୍‌ ପ୍ଲାଟଫର୍ମରୁ ହଟାଯିବ ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି ହ୍ବାଟ୍ସଆପ୍‌ ମାଧ୍ୟମରେ ମଧ୍ୟ ତାଲିବାନ ଆତଙ୍କବାଦୀ ପରସ୍ପର ସହ ଯୋଗାଯୋଗ କରୁଛନ୍ତି। ଏହି ପଲିସି ହ୍ବାଟ୍ସଆପ୍‌, ଇନ୍‌ଷ୍ଟାଗ୍ରାମ ସମେତ ସମସ୍ତ ଫ୍ଲାଗଶିପ୍‌ ସୋସିଆଲ ମିଡିଆ ନେଟ୍‌ଓ୍ବର୍କ ପାଇଁ ଲାଗୁ ହେବ। ବ୍ୟାନ୍‌ ସତ୍ତ୍ୱେ ଏହି ପ୍ଲାଟଫର୍ମରେ ତାଲିବାନ ସହ ଜଡ଼ିତ କୌଣସି ଆକାଉଣ୍ଟ ନଜରକୁ ଆସିଲେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?